ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୁରସ୍କୃତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉଚ୍ଚ ପ୍ରଶଂସିତ ହୋଇ ରାଜ୍ୟ ସ୍ତରରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇଛନ୍ତି । ମୁଖ୍ୟତଃ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନେତୃତ୍ୱରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଶିଶୁ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା:- ଅନାଥ , ପରିତ୍ୟକ୍ତ ଓ ସମର୍ପିତ ଶିଶୁ ମାନଙ୍କୁ ଆଇନତଃ ପିତା-ମାତା ଯୋଗାଇ ଦେବା , ଶିଶୁ ଚାଲାନକୁ ବନ୍ଦ କରିବା ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଗ୍ରାମ୍ୟ ସ୍ତରୀୟ କମିଟି ମାନ ଗଠନ କରି ତାକୁ କ୍ରିୟାଶୀଳ କରିବା ,ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଅଙ୍ଗନବାଡି କର୍ମୀଙ୍କ ସ୍ତରରୁ ସୂଚନା ସଂଗ୍ରହ କରିବା ଏବଂ ତିତିଲି ଝାଡ଼ାବାତ୍ୟା ସମୟରେ ଅନାଥ ହୋଇ ପଡ଼ିଥିବା ପିଲା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରିବା ଏବଂ ସର୍ବୋପରି ବିଭିନ୍ନ ସମସ୍ୟା ରେ ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଥଇଥାନ କରିବାରେ ଗଜପତି ଜିଲ୍ଲା ଆଗୁଆ ଥିବା ଯୋଗୁଁ ଏହି ପୁରସ୍କାର ରାଜ୍ୟ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଗଜପତି ଜିଲ୍ଲାକୁ ଶିଶୁ ସୁରକ୍ଷା କ୍ଷେତ୍ରରେ ପ୍ରଦାନ କରିଛନ୍ତି । ଏହି ଉତ୍ସଵ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଅନୁଗର୍ଗ , ପୂର୍ବତନ ଆଇଜି-ଅରୁଣ ବୋଥ୍ରା ଏବଂ ଓଏସସିପିସିଆରର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ +୩ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏନ୍ ଏସ୍ ଏସ୍ ବିଭାଗର ସେବା ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏନ୍ଏସ୍ଏସ୍ ଛାତ୍ରୀ ଓ ବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରୀ ସହଯୋଗ କରି ବିଦ୍ୟାଳୟ ପରିସର ଥିବା ଅନାବନା ଘାସ,ପଲିଥିନ ଆଦିକୁ ସଫେଇ କରିଥିଲେ।ସ୍ୱଚ୍ଛତା ହିଁ ମନୁଷ୍ୟର ପରିଚୟ ତେଣୁ ନିଜ ପରିବେଶ ନିଜେ ସଫାରଖିବା ଭାବି ସଫେଇ କରିଥିଲେ ଛାତ୍ରୀ ମାନେ।ଅଧ୍ୟକ୍ଷା ଡ଼. ରିନା ସାହୁଙ୍କ ନିର୍ଦ୍ଦେଶରେ ସଫେଇ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନା ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମରେ ଡ଼.କଲ୍ୟାଣୀ ମିଶ୍ର , ଲାଲି, ଅଶୋକ,ଦୁର୍ଯ୍ୟୋଧନ ପରିଚଳନା ସହଯୋଗ କରିଥିଲେ।

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ …!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦରମହକୁମା ପାରଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଅନୁପମ ଶାହା ଏହି ବୈଠକରେ ଅଧ୍ୟକ୍ଷତା କରି ସରକାରଙ୍କ ନୂତନ ସଡକ ସୁରକ୍ଷା ଉପରେ ମୋଟର-ଯାନ ଆଇନ କଡାକଡି ଭାବେ ଲାଗୁ କରିବାକୁ କହିଥିଲେ । ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଏହି ଆଇନ ପ୍ରତି ଓଡ଼ିଶାରେ କିଛିମାସ କୋହଳ କରିବା ଫଳରେ ଏହି ସଡକ ସୁରକ୍ଷା ମୋଟର-ଯାନ ଆଇନ ପ୍ରତି କେହି ଆଉ ମାନୁ ନାହାନ୍ତି , ଯାହା ଫଳରେ ଜିଲ୍ଲାରେ ଆଉ ପୂର୍ବଭଳି ହେଲମେଟ ପିନ୍ଧୁ ନାହାନ୍ତି କି ସିଟ ବେଲ୍ଟ ଲଗାଉ ନାହାନ୍ତି , ସମସ୍ତେ ବେଖାତିର ଭାବେ ବାଇକ ଓ ମୋଟର ଗାଡି ଚଳାଚଳ କରୁଛନ୍ତି , ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ବିଭାଗ ଏଦିଗରେ ଏଲର୍ଟ ରହି ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାରେ ଗତ ଏକମାସ ମଧ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେତେ ପରିମାଣର ଯାନବାହନ ଯାଞ୍ଚ ବ୍ୟବସ୍ଥା ହୋଇଛି , କେତେ ପରିମାଣର ଫାଇନ ଟଙ୍କା ଆଦାୟ ହୋଇଛି , କେତେ ଜଣଙ୍କୁ ଡ୍ରାଇଭିଙ୍ଗ ପ୍ରମାଣପତ୍ର ଦିଆ ହୋଇଛି , କେତେ ସଡକ ଦୁର୍ଘଟଣା ହୋଇଛି , କେଉଁ କେଉଁ ଯାଗାରେ ଏବଂ କେତେ ଜଣ ମୃତାହତ ହୋଇଛନ୍ତି , ପ୍ରତ୍ୟେକ ବିଷୟରେ ଟିକିନିଖି ସମୀକ୍ଷା କରିଥିଲେ । ଜିଲ୍ଲାରେ ଗତ କିଛିଦିନ ତଳେ ବିଭିନ୍ନ ବ୍ଲକ ଅଞ୍ଚଳରେ ଅତ୍ୟଧିକ ବର୍ଷା ହେବା ଫଳରେ ଅନେକ ରାସ୍ତା ବର୍ଷା ପାଣିରେ ପାର୍ଶ୍ଵ ରାସ୍ତା ଗୁଡିକ ଧୋଇ-ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି , ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁର ମରାମତି କରିବା , ଆବଶ୍ୟକ ସ୍ଥଳେ ଘାଟି କାଟି ରାସ୍ଥା ସିଧା ଓ ସୁରକ୍ଷିତ କରିବା ପ୍ରଭୃତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏମଭିଆଇ–ବସନ୍ତ କୁମାର ମହାପାତ୍ର ମୋଟର-ଯାନ ଚଳାଚଳ , ରାସ୍ତା ଦୁର୍ଘଟଣା ଓ ମୃତାହତ , ଡ୍ରାଇଭିଙ୍ଗ ପ୍ରମାଣପତ୍ର , ଯାଞ୍ଚ ଫାଇନ ଟଙ୍କା ଆଦାୟ ପ୍ରଭୃତି ଉପରେ ବିଭିନ୍ନ ସୂଚନା ପ୍ରଦାନ କରି ପାୱାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ବୈଠକରେ ଅବଗତ କରାଇଥିଲେ । ଉପ-ଜିଲ୍ଲାପାଳ ତଥା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ରଜନୀ କାନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୀତାରାମ ଶତପଥୀ ଏବଂ ଡ଼ିଏସପି ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ସ୍ବର୍ଗତ ଗାନ୍ଧୀଙ୍କ ଫଟୋ ଚିତ୍ରରେ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ପୁଷ୍ପଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ନେତା କୁନା ମାଝୀ , ସନ୍ତୋଷ ରଥ ଓ ବାପିଲି ସାହୁ ପ୍ରମୁଖ ବହୁ ସଂଖ୍ୟାରେ ଯୋଗଦେଇ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ କର୍ମମୟ ଜୀବନୀ ଓ ଚିନ୍ତାଧାରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତାଙ୍କ ସମୟରେ ତାଙ୍କ ସୁଶାସନ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ ।

ଗଜପତି ପୋଲିସର ଆଉ ଏକ ନିଆରା ପଦକ୍ଷେପ “ମିଶନ ସୁରକ୍ଷା” ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଆରମ୍ଭ ହୋଇଛି “ମିଶନ ସୁରକ୍ଷା” । ଏହି ଅବସରରେ ବୁଧବାର ଦିନ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ ଘାଟିତ ହୋଇଥିଲା ଆତ୍ମରକ୍ଷା ତାଲିମ ଓ ସଚେତନତା କାର୍ଯ୍ୟକ୍ରମ । ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ରୁପେ ଯୋଗଦେଇ ମହିଳା ଓ ଯୁବତୀଙ୍କ ସୁରକ୍ଷିତ ଯିବା-ଆସିବା ଓ ଆତ୍ମ ସୁରକ୍ଷାର ବିଭିନ୍ନ ଦିଗ ଉପରେ କହିଥିଲେ । ମୁଖ୍ୟତଃ ଆଜିର ସମାଜରେ ମହିଳା ଓ ଯୁବତୀ ମାନେ ରାସ୍ତାରେ କିଭଳି ସୁରକ୍ଷିତ ଭାବେ ଯିବା-ଆସିବା କରିପାରିବେ , ସ୍କୁଲ , ଟିଉସନ , କାର୍ଯ୍ୟକ୍ଷେତ୍ର ଓ ଘରକୁ ସୁରକ୍ଷିତ ଭାବେ ଯାଇପାରିବେ , ରାସ୍ତାର ରୋମିଓ ମାନଙ୍କ ସହ କଡା ମୁକାବିଲା କରିବା ବେଳେ ଯେଭଳି କୌଣସି ଭୟ ରହିବ ନାହିଁ , ସେହି ମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସେମାନଙ୍କୁ ଆତ୍ମରକ୍ଷା କୌଶଳର ତାଲିମ ଦେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଏହି “ମିଶନ ସୁରକ୍ଷା”।ଏହିଭଳି ଆତ୍ମ-ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଥିବା ଝିଅ ପିଲା ମାନଙ୍କୁ ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯିବାର ପ୍ରୟାସ ଜାରି ରହିଛି । ଏହିଭଳି ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ଦ୍ୱାରା ସ୍କୁଲ ଓ ମହାବିଦ୍ୟାଳୟର ଝିଅ ପିଲାମାନଙ୍କ ମନରେ ସମ୍ପୂର୍ଣ୍ଣ ଭାବେ ମନରେ ଆତ୍ମବିଶ୍ବାସ ରହି ଧୈର୍ଯ୍ୟ ବଢିବ ଏବଂ ପରିସ୍ଥିତି ମୁକାବିଲାର ଆବଶ୍ୟକ ସ୍ଥଳେ ସେମାନେ ଧୈର୍ଯ୍ୟ-ହରା ନ ହୋଇ ସାହାସର ସହିତ ନିଜେ ନିଜର ଆତ୍ମସୁରକ୍ଷା ପାଇଁ ଲଢେଇ କରି ପାରିବେ । ଯାହା ଫଳରେ ସେମାନେ ନିଜେ ନିଜର ଆତ୍ମସୁରକ୍ଷା ଦିଗରେ ସମାଜରେ ଏକ ନିଶ୍ଚିତ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଏସପି ସାରା ଶର୍ମା କହିଥିଲେ ।+୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ମନୋରମା ଦେବୀ ଏବଂ +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ରୀନା ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେଇ ଆସିବା ସଙ୍ଗେ ସଙ୍ଗେ ସେମାନେ ନିଜେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ କୌଣସି ବିପତ୍ତି ଆପତ୍ତି ବେଳେ ନିଜେ ନିଜକୁ କିଭଳି ଆତ୍ମରକ୍ଷା କରିପାରିବେ , ତାହା ପାଇଁ ଗଜପତି ଜିଲ୍ଲା ପୋଲିସ ପ୍ରସାଶନ ପକ୍ଷରୁ ଏକ ସୁନ୍ଦର ଓ ମହତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଅତ୍ୟନ୍ତ ପ୍ରସଂଶନୀୟ ପଦକ୍ଷେପ । ମହିଳା , ଯୁବତୀ ଓ ଝିଅ ମାନେ ରାସ୍ତାରେ ଯିବା-ଆସିବା ବେଳେ କିଛି ଯଦି ବିପତ୍ତି ଆସେ , ତାହା ହେଲେ ସେମାନେ ନେଇଥିବା ଆତ୍ମସୁରକ୍ଷା କୌଶଳର ତାଲିମ ଆବଶ୍ୟକ ସ୍ଥଳେ ସେମାନଙ୍କ କାମରେ ଆସିବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ଆତ୍ମବିଶ୍ବାସ ବଢିଲେ ହିଁ ଆତ୍ମସୁରକ୍ଷା ହୋଇପାରିବ ତେଣୁ କରି ଆତ୍ମବିଶ୍ୱାସର ସହ ଆତ୍ମକୌଶଳ କୁ ଅବଲମ୍ବନ କରିବାକୁ ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ଡିଏଫ୍ ଓ ବିବେକ କୁମାର ତ୍ୟାଗୀ ଏବଂ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ପାଇଁ ଆତ୍ମରକ୍ଷା କୌଶଳ ତାଲିମ ଆବଶ୍ୟକତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ ଏବଂ +୩ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଧ୍ୟାପିକା , କର୍ମଚାରୀ ପୋଲିସ ଅଧିକାରୀ ସମେତ “ସି” ଟିମ୍ ଉପସ୍ଥିତ ଥିଲେ । ଶେଷରେ ଭୁବନେଶ୍ୱର – ଖଣ୍ଡଗିରି ସ୍ଥିତ “ଗୁରୁଦେବ ମଶଲ ଆର୍ଟ ଏକାଡେମୀର ଆତ୍ମରକ୍ଷା କୌଶଳ ତାଲିମର ପ୍ରଶିକ୍ଷକ ତଥା ମାଷ୍ଟର ଇଂ ସୌମ୍ୟ ବ୍ରତ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ପ୍ରଦର୍ଶନ କରାଇଥିଲେ ।

ଗଜପତି ଗସ୍ତ ରେ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟରେ ଚାଲିଥିବା “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାରେ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ଅଧ୍ୟକ୍ଷା ସୁସ୍ମିତା ବାଗଚି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଓ ଛାତ୍ର ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଅଧ୍ୟକ୍ଷା ବାଗଚି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ଛାତ୍ର ମାନଙ୍କ ସହ ପାଠପଢ଼ା ଉପରେ ପଚାରି ବୁଝିଥିଲେ । ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷ କେତୁ ଦାସଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ସହିତ ବିଦ୍ୟାଳୟରେ ‘”ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କିଭଳି ଚାଲିଛି , ତାହା ପଚାରି ବୁଝିଥିଲେ । ଏଥିରେ ଜିଲ୍ଲା ଶିକ୍ଷାରେ ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଓ , କୁମୁଦ ରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ତା ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ “ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଟାୱାର ଅଗ୍ରଗତି କେତେଦୂର ଏବଂ କ’ଣ ସବୁ ହୋଇଛି ତାହା ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନଶିକ୍ଷକ ଓ ଗୋଷ୍ଠୀ ଶିକ୍ଷାରେ ଅଧିକାରୀ ମାନଙ୍କୁ ଆଉ ଟିକିଏ ଏ ଦିଗରେ ଅଧିକ ଭଲ ସଚେତନ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଈଁ ସୁଯୋଗ ଦେବାକୁ କହିଥିଲେ । ଅନ୍ୟ ପକ୍ଷରେ ଯେଉଁ ସ୍କୁଲ ଗୁଡ଼ିକ ଏହି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି, ସେମାନଙ୍କୁ ସାମିଲ କରାଯାଇ ଶିକ୍ଷା ଓ ଶିକ୍ଷାଦାନର ମାନ ବଢ଼ାଇବାକୁ କହିଥିଲେ । ଏଥି ସହିତ ମୋ ସ୍କୁଲ ପୋର୍ଟାଲ ରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ପଞ୍ଜିକରଣ କରିବାପାଇଁ କହିଥିଲେ ଏବଂ ଏଥିରେ ଅଧିକରୁ ଅଧିକ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଜଡ଼ିତ କରିବାପାଇଁ କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ଅମର ଜିତ୍ ସେନ ଏବଂ ପଲ୍ଲିଶ୍ରୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଇଓ-ଏବିଇଓ ଓ ପ୍ରଧାନଶିକ୍ଷକ ମାନେ ଯୋଗ ଦେଇଥିଲେ । ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ” ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ବହୁତ ଭଲ ଚାଲିଛି । ଏହି ” ମୋ ସ୍କୁଲ ଅଭିଯାନ” ପ୍ରକଳ୍ପ କାର୍ଯ୍ୟକ୍ରମ ଗତ ୨୦୧୭ ମସିହା ନଭେମ୍ବର ୧୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ ହେବାର ଘୋଷଣା କରିଥିଲେ । ଯେଉଁ କେତେ ଗୁଡିଏ ସ୍କୁଲ ଏହି କାର୍ଯ୍ୟକ୍ରମରେ ଜଡ଼ିତ ହୋଇଛନ୍ତି , ସେମାନଙ୍କ ଏ ଦିଗରେ ସମ୍ପୁର୍ଣ୍ଣ ଆଗ୍ରହ ପ୍ରକାଶ ରଖି କାର୍ଯ୍ୟ କରି ଚାଲିଥିବା ଯୋଗୁଁ , ସେମାନଙ୍କ ଏ ଦିଗରେ ପ୍ରଶଂସା କରିବାର ଅନେକ ଯଥାର୍ଥତା ରହିଛି । ଏମିତି କି ସେମାନେ କ’ଣ ସବୁ ସେବା-କାର୍ଯ୍ୟ ଓ ଅନ୍ୟାନ୍ୟ ସବୁ କରିଛନ୍ତି ସେହି ସମସ୍ତ ତଥ୍ୟ ଆମ ପାଖରେ ପହଞ୍ଚି ଯାଉଛି । ଏହି ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଯାନରେ ଆମକୁ ଯେଉଁ ଅନୁଦାନ ଆସିଛି ତାହା ୩୪ କୋଟି ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ଏ ଦିଗରେ ଦିଆ ଯାଇଥିବା ମେଚିଙ୍ଗ ଗ୍ରାଣ୍ଟ ୬୮ କୋଟି ଟଙ୍କା । ଏହି ସମୁଦାୟ ୧୦୨ କୋଟି ଟଙ୍କା କେବଳ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ହିଁ ସମ୍ଭବ ହୋଇଛି । ଏତଦ୍ ବ୍ୟତିତ , ଅନ୍ୟ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ସବୁ ହୋଇଛି , ତାହା ମୁଁ ଏଠାକୁ ପରିଦର୍ଶନରେ ନ ଆସିଥିଲେ କଦାପି ଜାଣିପାରି ନ ଥାନ୍ତି । ଏଥିରେ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ଗୋଷ୍ଠୀ ଯେଉଁଭଳି ଭାବେ ଆର୍ଥିକ ସହାୟତା ଓ ବିଭିନ୍ନ ସେବା ଦେଇ ଜଡ଼ିତ ହୋଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଏହାର ତୁଳନା ନାହିଁ । ଏସବୁ ସହିତ ଏହି ଯେଉଁ ସ୍ବତନ୍ତ୍ର ଉଦ୍ୟମ ଓ ପଦକ୍ଷେପ କୁ ଆଗକୁ ଆହୁରି ବଢାଇବାର ଆବଶ୍ୟକତା ରହିଛି । ପରିଦର୍ଶନ ବେଳେ ବିଦ୍ୟାଳୟରେ ପିଲା ମାନଙ୍କୁ ଦେଖିଲି , ସେମାନେ ମୋ ପାଖକୁ ଚାଲିଆସି କଥା ହେଲେ , ପିଲା ମାନଙ୍କ ଠାରୁ ଆମକୁ ସେହିଟା ହିଁ ଦରକାର ବୋଲି କହିଥିଲେ ।ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଅନୁପମ ଶାହା, ନିଜସ୍ୱ ଢାଞ୍ଚାରେ ଶିକ୍ଷାର ମାନ ବଢାଇବା ଓ ଶିକ୍ଷକ ଅଭାବ ସମାଧାନ ପାଇଁ ଆରମ୍ଭ କରିଥିବା “ଟିଚ୍-ଗଜପତି” ସମ୍ପର୍କରେ ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଥିଲେ ଯେ , ଏହା ଏକ ଅନନ୍ୟ ପ୍ରକଳ୍ପ , ଏ ଦିଗରେ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ଓ ପ୍ରେରଣା-ଦାୟକ । ଏହିଭଳି କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ “ଟିଚ୍” ନାମରେ ନିଜ-ନିଜର ଜିଲ୍ଲାର ନାମ ସଂଯୁକ୍ତ କରି ଆରମ୍ଭ କରିବା ଉଚିତ । ମାଟ୍ରିକରେ ପାସ ହାର କମି ଯାଉଥିବା ଏବଂ ଏହି ସମସ୍ୟାକୁ ସୁଧାରିବା ସମ୍ପର୍କରେ ସେ କହିଥିଲେ ଯେ , ଏହି ବିଷୟରେ ମୁଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାରେ ଅଧିକାରୀଙ୍କ ସହିତ ବିଶେଷ ଆଲୋଚନା କରିଛି । ଏମିତି ପାସ ହାର କମି ଯାଉଥିବା ଏବଂ ଏହାକୁ ସୁଧାରିବା ଦିଗରେ କଟକ ଜିଲ୍ଲାରେ ମଧ୍ୟ ଏକ ପ୍ରକଳ୍ପ “ମିଶନ ଜିରୋ ଏଫ” ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା କେହି ଫେଲ ହେବେ ନାହିଁ । ଆଉ ତାହା ସେମାନେ ସେହି ” ମିଶନ ଜିରୋ ଏଫ” କୁ ମୋ ସ୍କୁଲ ଅଭିଯାନ ସହିତ ମିଶାଇ କରୁଛନ୍ତି , ଭଲ ସଫଳତାର ସହ ଆଗେଇ ଚାଲିଛି । ଏହି ଗଜପତି ଜିଲ୍ଲାରେ ମଧ୍ୟ କଟକ ଜିଲ୍ଲା ଭଳି “ମିଶନ ଜିରୋ ଏଫ” କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭ ଓ କାର୍ଯ୍ୟକାରିତା ହେଲେ ନିଶ୍ଚିତ ଭାବେ ପିଲାମାନଙ୍କ ପାଶ ହାର ବଢିବା ସହ ପିଲା ମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ବୋଲି କହିଥିଲେ ।

ବିଶ୍ବ ଆୟୋଡିନ୍ ଅଭାବ ଜନିତ ଅସୁସ୍ଥତା ଦିବସ ପାଳନ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କେନ୍ଦ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ “ବିଶ୍ବ ଆୟୋଡିନ୍ ଅଭାବ ଜନିତ ଅସୁସ୍ଥତା ଦିବସ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପରିସରରୁ ବାହାରି ନଗର ପରିକ୍ରମା କରିଥିଲେ । ଏହି ସଚେତନତା ଶୋଭାଯାତ୍ରାଟିକୁ ସିଡ଼ିଏମଓ ଡାଃ. ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷଣ ୟୁନିଟର ପ୍ରିନ୍ସିପାଲ ଟ୍ୟୁଟର ସୁଫଳା ବେହେରା , ଏଡିପିଏଚଓ ଡାଃ ପ୍ରଦୀପ କୁମାର ପାତ୍ର , ଏଡିପିଏଚସିଓ. ସୁଧୀର କୁମାର ଜେନା , ଡିପିଏମ. ସୌମ୍ୟା ଗୌଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ଶୋଭାଯାତ୍ରା କୁ ଆଇଡିଏସପି.ତୁଷାର କୁମାର ପଟ୍ଟନାୟକ , ଗୁରୁ ପ୍ରସାଦ ପଟ୍ଟନାୟକ ଓ ସନ୍ତୋଷ କାର୍ଝା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ଏହି ଶୋଭାଯାତ୍ରାରେ ଆଶା କର୍ମୀ , ଏଏନଏମ ଓ ପ୍ରଶିକ୍ଷଣ ୟୁନିଟ୍ ର ଛାତ୍ରୀ ମାନେ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ନଗର ପରିକ୍ରମା କରିଥିଲେ ।ଏହି ପରିପ୍ରେକ୍ଷୀରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ପ୍ରଶିକ୍ଷଣ ୟୁନିଟ୍ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କେନ୍ଦ୍ର ଠାରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ .ଗୁନୁରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରି ଉଦ୍ ବୋଧନ ଦେଇ ଡାଃ ପଟ୍ଟନାୟକ କହିଥିଲେ ଯେ , ଶରୀର ଆବଶ୍ୟକ କରୁଥିବା ଅଣୁ-ପୋଷାକ ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୁଖ ହୋଇଥାଏ । ମାନସିକ ଅନଗ୍ରସରତା ଓ ମସ୍ତିଷ୍କ ବିକୃତ ସମସ୍ୟାର ମଧ୍ୟ ମୁଖ୍ୟ କାରଣ ହୋଇଥାଏ । ଆୟୋଡିନ୍ ଅଭାବ ମଧ୍ୟ ଶିଶୁ ମୃତ୍ୟୁ , ଗର୍ଭପାତ ଏବଂ ମୃତ ଶିଶୁ ସମ୍ଭାବନା ବୃଦ୍ଧି କରିଥାଏ । ଆୟୋଡିନ୍ ଅଭାବରେ ଶରୀରରେ ଦେଖା ଯାଉଥିବା ରୋଗ ସମସ୍ୟା ଏହାର ପ୍ରତିଷେଧକ ଓ ସତର୍କତା ଉପରେ ଜନ ସଚେତନତା ସୃଷ୍ଟି କରିବା ସହ ଆୟୋଡିନ୍ ଅଭାବ ଜନିତ ଅବ୍ୟବସ୍ଥା ଓ ଅସୁସ୍ଥତା ହ୍ରାସ କରାଇ ପ୍ରତ୍ୟେକ ଜନ-ସାଧାରଣ କିଭଳି ଶତ-ପ୍ରତିଶତ ଆୟୋଡିନ୍ ଯୁକ୍ତ ଲୁଣ ଖାଦ୍ୟ-ପେୟରେ ବ୍ୟବହାର କରିବେ ଏହାହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ:- ଡାଃ ଭି. ଲୋକନାଥ ରାଜୁ , ଏଡିପିଏଚଓ-ଡାଃ ପ୍ରଦୀପ କୁମାର ପାତ୍ର ଏବଂ କର୍କଟ ରୋଗ-ଡାକ୍ତର ଆନନ୍ଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆୟୋଡିନ୍ ଅଭାବ ଜନିତ ସମସ୍ୟାରେ ଦେଶର ଅଧିକାଂଶ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ଏହାର ଅଭାବରେ ସ୍ବାସ୍ଥ୍ୟ ଅଭିବୃଦ୍ଧି ରେ ବିଶେଷ ସମସ୍ୟାର କାରଣ ହୋଇଥାଏ । ଏହାର ଅଭାବରେ କ’ଣ ସବୁ ରୋଗ ଦେଖା ଦେଇଥାଏ , ଏହାର ଶରୀରରେ ଲକ୍ଷଣ , ଏହାର ଉପକାରୀତା ଓ ଅପକାରୀତା ପ୍ରଭୃତିର ବିଭିନ୍ନ ଦିଗ ଉପରେ କହି ଶରୀରରେ କୌଣସି ପ୍ରକାର ଅଭିବୃଦ୍ଧିରେ ସମସ୍ୟା ଦେଖାଦେଲେ କି ସନ୍ଦେହ ଜାତ ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ କହିଥିଲେ । ଅନ୍ୟ ପକ୍ଷରେ ଆୟୋଡିନ୍ ଆମ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଅଭିବୃଦ୍ଧି ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ସେ ସମ୍ପର୍କରେ ବୁଝାଇଥିଲେ ।

ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ସୋମବାର ଦିନ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଶହୀଦ ପ୍ୟାରେଡ଼ରେ ଯାଇ ଶହୀଦ ପୋଲିସ ଯବାନ ସ୍ତମ୍ଭ ଠାରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି-ରକ୍ଷା ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଥିଲେ ।ପରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି ଚାରଣ କରି ସେମାନେ କିଭଳି ଦେଶ , ଜାତି ଅଞ୍ଚଳର ସୁରକ୍ଷାରେ କାର୍ଯ୍ୟରତ ଥିବାବେଳେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ । ପ୍ରତ୍ୟେକ ପୋଲିସ ଭାଇ ସେହି ଶହୀଦ ମାନଙ୍କ ଆଦର୍ଶରେ ନିଜକୁ ଅନୁସରଣ କରିବାକୁ ଦେଶ ସେବାରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ । ଏହି ଅବସରରେ ସମସ୍ତ ଶହୀଦ ହୋଇଥିବା ପୋଲିସ ଯବାନ ମାନଙ୍କ ତାଲିକା ପାଠା କରିବା ସହ ରାଜ୍ୟର ମାଲକାନଗିରିରେ ଗତ ୨୦୦୮ ମସିହାରେ ନକ୍ସଲ ମାନଙ୍କ ଲ୍ୟାଣ୍ଡ-ମାଇନ ବିସ୍ପୋରଣରେ ଶହୀଦ ହୋଇଥିବା ଜିଲ୍ଲାର ୨ ଜଣ ପୋଲିସ କନେଷ୍ଟବଳ ଯବାନ ଶହୀଦ ସୀମାଞ୍ଚଳ ପ୍ରଧାନ ଏବଂ ବିଶ୍ବଜିତ ଜେନାଙ୍କ ପତ୍ନୀଙ୍କୁ ଉପ-ଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଶହୀଦ ପ୍ୟାରେଡ଼ ସବୁ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସିତାରାମ୍ ଶତପଥି , ଏସଡିପିଓ ଠାକୁର ପ୍ରସାଦ ପାତ୍ର , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ରାୟଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆସିଥିବା ଅଞ୍ଚଳବାସୀ ମାନଙ୍କ ସମସ୍ତ ଅଭିଯୋଗ ଗୁଡିକୁ ନେଇ ସମାଧାନ ଶୁଣାଣୀ କରିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ଭାବେ ୪୩ ଗୋଟି ବିଭିନ୍ନ ପ୍ରକାରର ଅଭିଯୋଗ ଗୁଡ଼ିକ ଆସିଥିବା ବେଳେ ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ଗୋଟିଏ ମାତ୍ର ସମସ୍ୟା ଗତ ଅଭିଯୋଗର ସମାଧାନ ହୋଇଥିଲା । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକ ପାଈଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଅଭିଯୋଗ ପତ୍ର ଗୁଡ଼ିକ ଦିଆଯାଇ ତୁରନ୍ତ ସେମାନଙ୍କର ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଗୁଡ଼ିକ ମଧ୍ୟରେ ବିଜୁ ପକ୍କା ଘର , ରାସ୍ତା , ପାନୀୟ-ଜଳ ଭତ୍ତା , ପଟ୍ଟା , ବିଦ୍ୟୁତ ଆଲୋକ ପ୍ରଭୃତିର ଥିଲା । ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ରାୟଗଡ ବ୍ଲକ-ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ବ୍ଲକ-ବିଡିଓ.ଲୁକାସ ପ୍ରଧାନ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ମଞ୍ଚାସୀନ କରିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ କଇଁପୁର ପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ୟଦେଇଥିଲେ ।

“ରକ୍ଷକ” ସଡ଼କ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଶିବିର ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସହରରେ ସଡ଼କ ସୁରକ୍ଷା ଦିଗରେ ସରକାରଙ୍କ ନୂତନ ମୋଟର-ଯାନ ଚଳାଚଳ ନୀତି-ନିୟମ ଉପରେ ଜନ-ସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଏକ “ସଡ଼କ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ–ରକ୍ଷକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହାୟତାରେ ଜିଲ୍ଲା ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଏବଂ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ପାରଳାଖେମୁଣ୍ଡି ପୌର-ପରିଷଦ ଆୟୋଜନରେ ଅନୁଷ୍ଠିତ ହୋଇ ଯାଇଛି । ବିଜୁ କଲ୍ୟାଣ ମଣ୍ଡପ ଠାରେ ସଡ଼କ ସୁରକ୍ଷା ଓ ଏ ଦିଗରେ ସରକାରଙ୍କ ନୂତନ ନୀତିନିୟମ ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଜନ-ସାଧାରଣ ଙ୍କ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ନିଜର ଜୀବନ ରକ୍ଷକ ନିଜେ ହେବା , ଏମିତିକି ସଡ଼କରେ ଚାଲିଯିବା ବେଳେ ହେଉ କି ମୋଟର-ଯାନ ନିଜେ ଡ୍ରାଇଭିଙ୍ଗ କରି ଯିବାବେଳେ ସଡ଼କ ସୁରକ୍ଷାର ନିତି-ନିୟମ ପ୍ରତି ସତର୍କ ରହି ମାନି ଚଳାଇବା ଆବଶ୍ୟକ । ସଡ଼କ ସୁରକ୍ଷାର ନିତି-ନିୟମ ଉଲଂଘନ କଲେ ଫାଇନ ଟଙ୍କା ଦେବା ବଡ଼ କଥା ନୁହେଁ , ଯଦି ସଡ଼କ ଦୁର୍ଘଟଣାରେ ଥରେ ଜୀବନ ଚାଲିଯାଏ , ତାହା ହେଲେ ସେହି ଜୀବନ ଆଉ ଆସିବି ନାହି । ତେଣୁ ସଡ଼କ ସୁରକ୍ଷା ଉପରେ ସରକାରଙ୍କ ନୂତନ ମୋଟର ଯାନ ଚଳାଚଳ ନିତି-ନିୟମ ମାନି ଚାଲିବା ସହ ବାଇକ ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ଏବଂ ୪ ଚକିଆ ଗାଡି ଚଳାଇବା ବେଳେ ସିଟ-ବେଲ୍ଟ ବ୍ୟବହାର କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଚେଷ୍ଟା ଜାରୀ ରହିଛି ଯେ , କିଭଳି ଡ୍ରାଇଭିଙ୍ଗ , ପ୍ରଦୂଷଣ , ଓ ଫିଟ୍ନେସ୍ ପ୍ରଭୃତି ପ୍ରମାଣପତ୍ର ଶୀଘ୍ର ହୋଇପାରିବ । ତେଣୁ ସଡ଼କ ସୁରକ୍ଷା ନିତି-ନିୟମକୁ ମାନି ଏହାକୁ ଏକ ଅଭ୍ୟାସରେ ପରିଣତ କରିବା ସହ ଏହାକୁ ମାନିବା ପାଇଁ ବାଧ୍ୟ କରା ଯାଉଥିବା ଭଳି ଭାବନ୍ତୁ ନାହିଁ । ପ୍ରଶାସନ ସବୁବେଳେ ଚାହେଁ ଯେ , ସଡ଼କ ଦୁର୍ଘଟଣା ଓ ଏଥିରେ ମୃତ୍ୟୁ ସଂଖ୍ୟା କିଭଳି ହ୍ରାସ ପାଇବ । ଆମେ ସୁରକ୍ଷିତ ରହି ଆମେ ଆମର ଗନ୍ତବ୍ୟ ସ୍ଥଳକୁ କିଭଳି ସୁରକ୍ଷିତ ଭାବେ ପହଞ୍ଚି ପାରିବା ଏବଂ ଦୁର୍ଘଟଣା ମୁକ୍ତ ସୁସ୍ଥ ସମାଜ କିଭଳି ଏ ଦିଗରେ ଗଠନ ହୋଇ ପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ବାଇଁ ଏବଂ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଓ ସୁରକ୍ଷିତ ଜୀବନ ଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜିଲ୍ଲା ଏମଭିଆଇ:-ବସନ୍ତ କୁମାର ମହାପାତ୍ର ଯୋଗଦେଇ ସରକାରଙ୍କ ନୂତନ ମୋଟର-ଯାନ ନୀତିନିୟମର ବିଭିନ୍ନ ଦିଗ ଉପରେ କହି ଏହି ନିତି ନିୟମର ଉଲଂଘନ କାରିଙ୍କ ନିମନ୍ତେ ରହିଥିବା ଆର୍ଥିକ ଦଣ୍ଡବିଧାନ ଉପରେ ବିସ୍ତୃତ ସୂଚନା ଦେଇ ଉପସ୍ଥିତ ଜନ-ସଧାରଣଙ୍କୁ ସଚେତନ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଡ଼କ ସୁରକ୍ଷା ନୀତିନିୟମକୁ ମାନି ଚାଲିବା ସମ୍ପର୍କରେ ଶପଥ ପାଠ କରା ଯାଇଥିଲା । ଏହି ଅବସରରେ ସକାଳେ ସହରର ପେଲେସ୍ ଛକ , ହାଇସ୍କୁଲ ଛକ , ଏବଂ ଆରଟିଓ ଛକ ଠାରେ ସଡ଼କ ସୁରକ୍ଷା ଉପରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଚ-ଗୀତ ଜିଲ୍ଲାର ଗୋଷାଣୀ ବ୍ଲକ କତଲକଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମର “ମା ସଙ୍କଟ ତାରିଣୀ” ନାଟ୍ୟ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।