ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ…!

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ଼ /ମେଲଛାମୁଣ୍ଡା) – ଶନିବାର ଦିନ ବରଗଡ ଜିଲ୍ଲା ମେଲଛାମୁଣ୍ଡା କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା ପ୍ରଧାନ ୭୬ ଜଣ ଛାତ୍ରୀ ମାନଙ୍କୁ ୨ଟି ଗୃପ ମାଧ୍ୟମରେ ଆତ୍ମରକ୍ଷା କୌଶଳ ଶିଖାଇବା ଆରମ୍ଭ କଲେ । ଏହି ଶିବିର ୧୨ ଦିନ ଧରି ଚାଲିବ । କୋ-ଓଡିନେଟର ଅଧ୍ୟାପକ ମହେଶ କୁମାର ମିଶ୍ର ଶିବିର ସଂଚାଳନା ଦାୟିତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଡ. ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ । ସଭା ଶେଷରେ କୋର୍ଡିନେଟର ଅଧ୍ୟାପକ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଗଜପତି ଜିଲ୍ଲା ରେ ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାଲି ଯୁଗରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର କ୍ରମ-ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଦ୍ୱାରା ସମାଜ ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହେବାରେ କିଭଳି ସହାୟକ ହୋଇଥାଏ ତାହା କହିଥିଲେ । ଯେତେବେଳେ ଯାହା ସମସ୍ୟା ଦେଖାଦେଉଛି , ସାମ୍ବାଦିକ ମାନେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ଉଚିତ , ଜିଲ୍ଲା ପ୍ରଶାସନ ସହିତ ସାମ୍ବାଦିକ ମାନେ ସମନ୍ବୟ ରକ୍ଷା କରି ସମ୍ବାଦ ପରିବେଷଣ କଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଯୋଗଦେଇ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବରିଷ୍ଠ ସାମ୍ବାଦିକ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକ, ସାମ୍ବାଦିକତା ଓ ସମ୍ବାଦ ପରିବେଷଣ ସଜ୍ଞାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବୟୋଜ୍ୟେଷ୍ଠ ସାମ୍ବାଦିକ ନବିନା ନନ୍ଦ ଗନ୍ତାୟତ ଯୋଗଦେଇ ସାମ୍ବାଦିକ ମାନେ ସବୁବେଳେ ସତ୍ୟ , ତଥ୍ୟ ଭିତ୍ତିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ଜିଲ୍ଲା ପ୍ରଶାସନର ନଜରକୁ ଆଣିଲେ ପ୍ରଶାସନିକ ସ୍ତରରେ ତାର ଉଚିତ ସମାଧାନ ହୋଇପାରିବ ବୋଲି କହିଥିଲେ । ସାମ୍ବାଦିକ ପ୍ରଦୀପ କୁମାର ନାୟକ ଯୋଗଦେଇ ସାମ୍ବାଦିକ ମାନେ ସବୁବେଳେ ଧୈର୍ଯ୍ୟର ସହ ତଥ୍ୟ ଆଧାରିତ ସଠିକ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ସହରରେ ଅନେକ ସରକାରୀ କ୍ବାଟର ଜରାଜୀର୍ଣ୍ଣ , ଭଙ୍ଗାରୁଜା ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି , ସେଗୁଡିକରୁ କେତେକ ସାମ୍ବାଦିକ ମାନଙ୍କ ରହିବା ନିମନ୍ତେ ସଦ-ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କ ନୈତିକ ନିୟମ ଓ ସମାଜ ପାଇଁ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ବାଦିକ ଅମିତ ପଟ୍ଟନାୟକ ଯୋଗଦେଇ ସତ୍ୟତା ଓ ତଥ୍ୟ ଭିତ୍ତିକ ସଠିକ ସମ୍ବାଦ ପରିବେଷଣ କରି ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକଙ୍କ ଠାରେ ପହଞ୍ଚି ପାରିବ ସେ ସମ୍ପର୍କରେ କହିଥିଲେ । ସାମ୍ବାଦିକ ଦିଲୀପ ଶତପଥୀ ଯୋଗଦେଇ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ସୁରକ୍ଷା ଯୋଗାଇଦେବା ସହ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର କିଭଳି ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ତାହା କହିଥିଲେ । ସାମ୍ବାଦିକ ଆଦର୍ଶ ଦାସ ଯୋଗଦେଇ ଆଜିର ଦିନରେ ସାମ୍ବାଦିକ ମାନେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା କେତେ କଷ୍ଟ ଏବଂ ସୁରକ୍ଷା ଓ ଅନ୍ୟାନ୍ୟ ଦୃଷ୍ଟିରୁ କିଭଳି କେତେକଙ୍କୁ ସୁହାଇଲା ଭଳି ସମ୍ବାଦ ପରିବେଷଣ କରିବାକୁ ହୋଇଥାଏ , ତାହା କହିଥିଲେ । ସାମ୍ବାଦିକ ବସନ୍ତ କୁମାର ପଣ୍ଡା , ଭାଗବତ ପାଢ଼ୀ ଏବଂ ରାମ ଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସାମ୍ବାଦିକ , ସାମ୍ବାଦିକତା , ସମ୍ବାଦ ପରିବେଷଣ ଓ ପ୍ରକାଶିତ ସମ୍ବାଦ ବିଭିନ୍ନ ସମୟରେ କିଭଳି ସମାଲୋଚନା ହୋଇଥାଏ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଗ୍ରନ୍ଥାଗାରକ ଅଚ୍ୟୁତା ନନ୍ଦ ବସ୍ତିଆ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାରେ ଥିବା ସମସ୍ତ ଶିଶୁଯତ୍ନ ଅନୁଷ୍ଠାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉପକରଣ ବଣ୍ଟନ

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗତ ଦୀପାବଳୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କୁ ପରିଦର୍ଶନ କରିବା ପରେ ସେଠାକାର କିଛିଟା ଅଭାବୀ ଦେଖି ପ୍ରତି ଜିଲ୍ଲାରେ ଥିବା ଏହିଭଳି ଶିଶୁଯତ୍ନ ଅନୁଷ୍ଠାନ ଗୁଡିକ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବାପାଇଁ ଘୋଷଣା କରିଥିଲେ । ସେହି ଘୋଷଣା ପ୍ରକାରେ ଆଜି ଶିଶୁ ଦିବସ ଅବସରରେ ଜିଲ୍ଲାପାଳ ଅନୁପମ ଶାହା ନବଜୀବନ ଅନାଥ ଶିଶୁ ଯତ୍ନ ଅନୁଷ୍ଠାନ ଠାରେ ବିଭିନ୍ନ ଉପକରଣ ସବୁ ବଣ୍ଟନ କରିଥିଲେ ।ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି ଶିଶୁ ଦିବସ ଅବସରରେ ସେହି ନବଜୀବନ ଅନାଥ ଟ୍ରଷ୍ଟ କେନ୍ଦ୍ରରେ ପହଞ୍ଚି ସେଠାରେ ଜିଲ୍ଲାର ଥିବା ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ସହିତ ବେଶ କିଛି ସମୟ କଟାଇ ସେଠାରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଦିବସ ଅବସରରେ ଜିଲ୍ଲାପାଳ ଅନୁପମ ଶାହା ଡେ-ଷ୍ଟାର , ହୋମ , ଜରାୟୁ , ଏବଂ ମୋହନା ଠାରେ ଥିବା ଅନୁଷ୍ଠାନକୁ ସୀମା-ପାଚେରୀ ନିର୍ମାଣ ନିମନ୍ତେ ୪ ଲକ୍ଷ ଟଙ୍କା , ବିବେକାନନ୍ଦ ରେସିଡେନ୍ସିଆଲ ସ୍କୁଲ ଏସ୍.ଉରୁଡ଼ା ନିମନ୍ତେ ଇନଭର୍ଟର , ଫ୍ରିଜ , ବାସିଙ୍ଗ-ମେସିନ , ଟେବୁଲ , ଚେୟାର , ଦରି , ସେହିଭଳି ରାଜ-ସୀତାପୁର ସ୍ଥିତ ଶ୍ରୀ-ଜଗନ୍ନାଥ ନିକେତନକୁ ୨୦ ଟି ଖଟ , କମ୍ପ୍ୟୁଟର ସିଷ୍ଟମ ସହିତ ଗାଧୁଆ ଓ ଶୌଚାଳୟ ଘରର ମରାମତି ପାଇଁ ୫୦ ହଜାର ଟଙ୍କା , ସେହିଭଳି ଗୁମା ଠାରେ ଥିବା ନିସାନ ସାଲୋମ ହୋମ ପାଇଁ ମ୍ୟୁଜିକ-ସେଟ୍ , ଏଲଇଡି ଟିଭି , ୨ ଟି ହଟ-ବକ୍ସ , ଜେନେରେଟର , ନବଜୀବନ ବ୍ଲାଇଣ୍ଡ ଓ ରିଲିଫ ସେଣ୍ଟର କୁ ୫୨” ଏଲ୍ଇଡି ଟିଭି ସହ ଶୌଚାଳୟର ମରାମତି ପାଇଁ ୧ ଲକ୍ଷ ଟଙ୍କା ଏବଂ ପାରଳାଖେମୁଣ୍ଡି ଠାରେ ଥିବା ସା” (ନିଶାନ)କୁ ଏକ ଲାପ-ଟାପ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଶ୍ରୀ ଜଗନ୍ନାଥ ନିକେତନର ଅନାଦି ପାଣିଗ୍ରାହୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ ନବଜୀବନ ଟ୍ରଷ୍ଟର ପରିଚାଳକ ଓ ଅନ୍ୟ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଠାରେ ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା-ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଗଜପତି ଜିଲ୍ଲା ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଜପତି ରକ୍ତଭଣ୍ଡାର ଇନଚାର୍ଜ ଡାଃ . ରାମ ଲକ୍ଷ୍ମୀ , ଗଜପତି ରକ୍ତଦାତା ସ୍ବେଛାସେବୀ ସଂଗଠନର ସଭାପତି -ଜି. ନବୀନ କୁମାର , ଉପ-ସଭାପତି ଏସ. ଋଷି , ସମ୍ପାଦକ ଚନ୍ଦ୍ର ଶେଖର ଓ ସଂଗଠନର ସଦସ୍ୟ ମାନଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଉଦଘାଟିତ ହୋଇଥିଲା । ପାରଳାଖେମୁଣ୍ଡି ସହରକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ମାନେ ଏହି ରକ୍ତଦାନ ରେ ଭାଗ ନେଇଥିଲେ ।ଏହି ରକ୍ତଦାନ ରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମୁଖ୍ୟତଃ ପ୍ରତ୍ୟେକ ଦିନ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ଏହି ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ରକ୍ତ ସବୁ ଯୋଗାଇ ଦିଆଯାଇଥାଏ ।ସେହିଭଳି ଗଜପତି ଜିଲ୍ଲାରେ ରକ୍ତାଭାବ ଦୁର-କରିବା ପାଇଁ ଗଜପତି ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ତରରେ ରକ୍ତଦାନ ଏକ ମହତ ଦାନ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ସହିତ ଏହିଭଳି ରକ୍ତଦାନ ଶିବିର ସଂଗଠନ ପକ୍ଷରୁ ନିୟମିତ ଭାବରେ ଆୟୋଜନ କରାଯାଇ ଆସୁଅଛି ।ରକ୍ତଭଣ୍ଡାରର କର୍ମଚାରୀ ଖଗେଶ୍ୱର ବେହେରା ଓ ପ୍ରଦୀପ କୁମାର ମୁଦୁଲି ଅନୁଷ୍ଠିତ ଶିବିରରେ ରକ୍ତ ସଂଗ୍ରହ କରିଥିବା ବେଳେ ସଂଗଠନର ସଦସ୍ୟ ଶିଶିର କୁମାର ଭଞ୍ଜସାମନ୍ତ , ମୋହିନୀ ପ୍ରଧାନ , ଦାଦାନା ପ୍ରଦୀପ , ନବୀନ ଲକୀ , ଅମ୍ବିକା ମହାପାତ୍ର , ରବି କୁମାର , ଦେବେନ୍ଦ୍ର ନାଥ ଜମାଦାର ପ୍ରମୁଖ ଶିବିର ରେ ଉପସ୍ଥିତ ରହି ସଫଳତାର ସହିତ ପରିଚାଳନାରେ ସହଯୋଗ କରିଥିଲେ ।

ଗଜପତି ଜିଲ୍ଲା ରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରସାଶନର ମିଳିତରେ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦ୍ ଘାଟନୀ ସଭାରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦେବା ବ୍ୟବସ୍ଥା ରହିଛି । ସେମାନେ ସେହି ସହାୟତା ବ୍ୟବସ୍ଥା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ନିଜର ଚେଷ୍ଟା ଆତ୍ମବିଶ୍ବାସର ସହ ଜାରି ରଖି ଭବିଷ୍ୟତରେ ଆଗକୁ ବଢି ସମାଜ ଓ ଜିଲ୍ଲାର ନାମ ରଖିବାକୁ ଆହ୍ବାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଆତ୍ମବିଶ୍ବାସ ଓ ଦୃଢମନ ହୋଇ ଆଗକୁ ବଢ଼ିବାରେ ଉଚିତ । ନିଷ୍ଠାର ସହ ଧୈର୍ଯ୍ୟ ଧରି ଆତ୍ମବିଶ୍ବାସ ରଖି ପ୍ରତିଯୋଗିତାରେ ଭାଗ ନେଲେ ନିଶ୍ଚିତ ଭାବେ ବିଜୟୀ ହୋଇପାରିବେ । ଭିନ୍ନକ୍ଷମ ମାନେ ସଶକ୍ତି ହେବା ଦିଗରେ ଅନେକ ସମୟରେ ଆତ୍ମବିଶ୍ବାସ ଯେଉଁଠି କମ୍ ଥାଏ , ସରକାର ସେମାନଙ୍କୁ ଏଭଳି ପ୍ଲାଟଫର୍ମ ମାଧ୍ୟମରେ ଆତ୍ମବିଶ୍ବାସ ଯୋଗାଇଦେବାର ପ୍ରୟାସ କରିଥାନ୍ତି ।ସେମାନଙ୍କ ମଧ୍ୟରେ ଯେଉଁ ଲୁକ୍କାୟିତ ପ୍ରତିଭାର ଶକ୍ତି ରହିଛି ତାହା ଲୋକ ଲୋଚନକୁ ଆଣି ଏହିଭଳି ମଞ୍ଚରେ ପ୍ରଦର୍ଶନ କରାଇବା ଏବଂ ପ୍ରତିଭା ବିକଶିତ କରାଇବାର ସୁଯୋଗ ଦେବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଗୁଣୁରାଣୀ ପଟ୍ଟନାୟକ ଯୋଗଦେଇ ଆଜିକାଲି ଭିନ୍ନକ୍ଷମ ମାନେ ବିଭିନ୍ନ କ୍ଷେତ୍ରରେ ବେଶ ଆଗେଇ ଗଲେଣି , ଭିନ୍ନକ୍ଷମ ମାନେ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ସମାଜ ଓ ଜିଲ୍ଲାର ଟେକ ରଖନ୍ତୁ , କିନ୍ତୁ ନିଜର ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି , ତେଣୁ ନିୟମିତ ବ୍ୟବଧାନରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଉଚିତ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରା ଏବାଂଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଥିଲେ । ପରେ ଜିଲ୍ଲାପାଳ ଅନୁପମ ସାହା କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗୀତାକୁ ଉଦ୍ ଘାଟନ କରିଥିଲେ । ୬ ଟି ବର୍ଗରେ ଯଥା– ଶାରୀରିକ ଭିନ୍ନକ୍ଷମ , ଶ୍ରବଣ ବାଧିତ , ଦୃଷ୍ଟି ବାଧିତ , ମାନସିକ ଅନଗ୍ରସର , ମସ୍ତିଷ୍କ ପକ୍ଷପାତ ଏବଂ ସ୍ବପରାୟଣତା ପ୍ରଭୃତିରେ ବାଳକ ଓ ବାଳିକା ବିଭାଗରେ କନିଷ୍ଠ ଓ ବରିଷ୍ଠ ଭିତ୍ତିରେ ମୋଟ ୧୭ ଗୋଟି ଇଭେଣ୍ଟସରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୭ ଟି ବ୍ଲକରୁ ମୋଟ ୨୫୦ରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ଵାରୋପ୍ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ରବୀନ୍ଦ୍ର କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ କାର୍ଯ୍ୟକ୍ରମରେ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେଵ ସିଂ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ରାଶି ବଣ୍ଟନ କରିଥିଲେ ।

ଗଜପତି ଜିଲ୍ଲା ସ୍ୱଳ୍ପ-ସଞ୍ଚୟ ବିଭାଗ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ….!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ସ୍ୱଳ୍ପ ସଞ୍ଚୟ ପକ୍ଷ ଉପଲକ୍ଷେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବକ୍ତୃତା ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ମହେନ୍ଦ୍ରଗିରି ସରକାରୀ ମୁନିସିପାଲ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ପ୍ରତିଯୋଗିତା ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ .ବୃଷକେତୁ ଦାସ ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଦୀପ କୁମାର ପାଢୀ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ବଦମୁଣ୍ଡି , ଜିଚ୍ଚାରିଓ ଶବର ଏବଂ ଶିକ୍ଷୟତ୍ରୀ ଚନ୍ଦନା ରାଣୀ ପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ହରିହର ଦାସ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରିବା ସହ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ କୁମୁଦ ରଂଜନ ଦାସ ଏବଂ ଭେଙ୍କେଟେଶ୍ଵର୍ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ରଭଘୁନାଥ ପଣ୍ଡା ପ୍ରଥମ , ତପସ୍ୱିନୀ ପଣ୍ଡା ଦ୍ଵିତୀୟ ଓ ସାଇ ସରୋଜ ଶବର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିବା ବେଳେ କନିଷ୍ଠ ବିଭାଗରେ ରେଶମା ମଣି ବେହେରା ପ୍ରଥମ , ସଚ୍ଚିତା ମାଝି ଦ୍ଵିତୀୟ ଓ ସୀତାରାମ ମହାରଣା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିଲେ ।

କେ. ସିତାପୁର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ; ଅଣ୍ଟାଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସିତାପୁର ଗ୍ରାମରେ ରବିବାର ଦିନ ଚରତି ଶିକ୍ଷା ଓ ସଂସ୍କୃତି ସଦନ ପକ୍ଷରୁ “ସ୍ୱଚ୍ଛ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ପୁରୁଷ,କୁନା କୁନି ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଗ୍ରାମକୁ ସୁନ୍ଦର , ସ୍ୱଚ୍ଛ ଓ ସୁସ୍ଥତା ରଖିବା ପାଇଁ ଅଣ୍ଟା ଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର । ଗ୍ରାମରେ ପରିବେଶ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇ ଗ୍ରାମକୁ ଅଳିଆ ଆବର୍ଜନା ମୁକ୍ତ କରି ନିରୋଗ ଜୀବନ ଯାପନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଓ ସୁସ୍ଥତାର ବାର୍ତ୍ତା ନେଇ ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । କେ . ସୀତାପୁର ଗ୍ରାମରେ ଥିବା ୧୧ ଟି ସାହି-ବସ୍ତିରେ ପ୍ରାୟ ଏକ ହଜାର ପରିବାରର ୪ ହଜାରରୁ ଅଧିକ ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ଚରତି ଶିକ୍ଷା ଓ ସଂସ୍କୃତି ସଦନ ନାମରେ ଏକ ସମାଜ କଲ୍ୟାଣ ଅନୁଷ୍ଠାନ ରହିଛି । ଏହି ଅନୁଷ୍ଠାନ ପକ୍ଷରୁ ଗ୍ରାମର ସବୁ ବର୍ଗର ଲୋକମାନଙ୍କୁ ଯଥା ଗ୍ରାମବାସୀ , ମହିଳାମଣ୍ଡଳୀ ସଦସ୍ୟା , ଯୁବକଯୁବତୀ ଓ ଛୋଟ ପିଲାମାନଙ୍କୁ ଏକତ୍ରିତ କରି ସ୍ୱଚ୍ଛତା ଓ ସୁସ୍ଥତାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇବା ସହ ତାଙ୍କରି ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି । ଏମିତିକି ଗ୍ରାମରେ ସେମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ର ବାହାର କରି ସମସ୍ତ ସାହିର ଗଳି କନ୍ଦିକୁ ଯାଇ ଜନ ସଚେତନତା କରାଉଛନ୍ତି। ଗ୍ରାମରେ ରହିଥିବା ଅପରିଷ୍କାର ସ୍ଥାନ ତଥା ଅଳିଆ ଆବର୍ଜନ ପଡିଥିବା ସ୍ଥାନକୁ ଯାଇ କୁଡି-ଛାଞ୍ଚୁଣୀ ଓ ଡଲା ଧରି ମନରେ ସ୍ୱଚ୍ଛତା ଓ ପରିଷ୍କାର ମନୋଭାବ ରଖି ସଫାସୁତୁରା କରିଥିଲେ । ଏ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ସ୍ୱଚ୍ଛ ଭାରତ ଗଠନ ପାଇଁ ସ୍ୱଚ୍ଛତା ହିଁ ପବିତ୍ରତା ,ପବିତ୍ର ଓ ସ୍ୱଚ୍ଛ ଭାରତ ଗଠନ ଲକ୍ଷ ନେଇ ଆମର ଏହା ଛୋଟିଆ ପ୍ରୟାସ ବୋଲି ଚରତି ଶିକ୍ଷା ଓ ସଂସ୍କୃତି ସଦନ ଅନୁଷ୍ଠାନର ସଭାପତି ନୀଳମାଧବ ଚରତି କହିଛନ୍ତି। ଆମ ଗାଁ କେ . ସୀତାପୁର ସବୁ ଦିନ ପାଇଁ ସ୍ୱଚ୍ଛ ଓ ସୁସ୍ଥ ହୋଇ ରହିବ , ଏହି ଲକ୍ଷ ନେଇ ଆମେ ଦଳବଦ୍ଧ ହୋଇ ସାହି ସାହି ବୁଲି ସ୍ୱଚ୍ଛତା ଓ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସଫେଇ କାର୍ଯାକ୍ରମ ସବୁ କରାଯାଉଛି । ଏହି ଅବସରରେ ଗ୍ରାମରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଗ୍ରାମର ଡାକ୍ତର ଓ ସମାଜସେବୀ ମାନଙ୍କୁ ନେଇ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ମହିଳା ମଣ୍ଡଳୀ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍ୱଛ୍ୱତା କ’ଣ , ଏହାର ଆବଶ୍ୟକତା କାହିଁକି , ସ୍ୱଚ୍ଛ ପରିବେଶ ଠିକ ନ ରହିଲେ ମନୁଷ୍ୟ ଶରୀରରେ କିଭଳି କୁ-ପ୍ରଭାବ ପଡିଥାଏ ତା’ର ବିଭିନ୍ନ ଦିଗ ଉପରେ ବୁଝାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଡାଃ ନରସିଙ୍ଘ ଚରତି , ଡାଃ ନବନିତ କୃଷ୍ଣଚନ୍ଦ୍ର ବାନୁବନ୍ଧ , ଡାଃ କୁଞ୍ଜ ବିହାରୀ ଚରତି , ସମାଜ ସେବୀ ଦାରପୁ କୃଷ୍ଣମୂର୍ତ୍ତି , ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳ ମାଧବ ଚରତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।

ମହିଳାଙ୍କ ସୁରକ୍ଷା ନେଇ, ଗଜପତି ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ପ୍ରଦାନ , ଧର୍ମଶାଳା ବ୍ଲକର ହରିଦାସପୁର-ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ , କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ୍ ବ୍ୟାଙ୍କର ଯୌନ କେଲେଙ୍କାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରଭୃତି ଦାବିରେ ଭାଜପାର ବିଭିନ୍ନ ବର୍ଗର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରି ପ୍ରତିବାଦ ସଭା କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରତିବାଦ ସଭାରେ ମହିଳା ନେତ୍ରୀ ଅରୁଣୀମା ସାହୁ ଯୋଗଦେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇ କହିଥିଲେ ଯେ , ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ ହୋଇ ବିଭିନ୍ନ ଘଟଣାର ଶିକାର ହେଉଛନ୍ତି । ହରିଦାସ ପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣା ଅଧମାସ ବିତିଲାଣି ହେଲେ ପୋଲିସ ଅପରାଧୀଙ୍କୁ ନ ଧରି ତା ପରିବର୍ତ୍ତେ ମୃତକଙ୍କ ଚରିତ୍ର ସଂହାର କରାଯାଉଛି । ଅପରାଧିକୁ ଶାସକ ବିଜେଡି ଦଳ ସୁରକ୍ଷା ଯୋଗାଇ ଦେଇ ଚାଲିଥିବା ବେଳେ ଅନ୍ୟପଟେ ଭୟରେ ସ୍ମିତାରାଣୀଙ୍କ ପରିବା ଭୟରେ ଗାଁ ଛାଡିଛନ୍ତ । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଯାହା ଫଳରେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା , ବିମଳା ସାମଲ , ଭାରତୀ ଆମ୍ମା , ଜିଲ୍ଲା ଭାଜପା ସଭାପତି ଭେଙ୍କେଟ ରାବଣା, ସମ୍ପାଦକ ଜଗନ୍ନାଥ ମହାପାତ୍ର , ବରିଷ୍ଠ ନେତା ସିଦ୍ଧେଶ୍ଵର ମିଶ୍ର , ବାରିକ ଜେନା , ରାମକୃଷ୍ଣ ପାଇକ , ପ୍ରଶାନ୍ତ ପାଳ , ସୁନୀଲ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପାରଳାଖେମୁଣ୍ଡି ଠାରେ ମାଛ ଚାଷ ପାଇଁ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମତ୍ସ୍ୟ ତାଲିମ କେନ୍ଦ୍ର ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରାଯିବା ନିମନ୍ତେ ବ୍ଲକ ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟତଃ ଯେଉଁ ଗ୍ରାମରେ କି ଗ୍ରାମ-ପଞ୍ଚାୟତର ପୋଖରୀରେ ଚାଷ କରୁଥିବା ମହିଳା ମାନଙ୍କୁ ଉତ୍ତମ ମାନର ଏବଂ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ପ୍ରଶିକ୍ଷଣ ଶିକ୍ଷା ଦିଆଯାଇଥିଲା । ତାଲିମ କେନ୍ଦ୍ର ଠାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର , ମିଶନ ଶକ୍ତି ସଂଯୋଜକ ରଶ୍ମି ରଂଜନ ସେଠୀ , ୱାର୍ଲଡ଼-ଫିଶ୍ ର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର , ଗୋଷାଣୀ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ପାତ୍ର , ସହକାରୀ ମତ୍ସ୍ୟ ଅଧିକାରୀ ମନୋସ୍ମିତା ନାୟକ , ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ପାଢ଼ୀ ପ୍ରମୁଖ ମଞ୍ଚ।ସୀନ ଥିବା ବେଳେ ରାୟଗଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କରୁଣ୍ୟ ଗିରିଧାରୀ , ଗୋଷାଣୀ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ଶୁଭଶ୍ରୀ ପାଲ୍ , ରାୟଗଡ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ(ଜେଏଫଟିଏ)- ବାବାଜୀ ଚରଣ ବେହେରା ପ୍ରମୁଖ ମଧ୍ୟ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମହିଳା ମାନଙ୍କୁ ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମିଶନ ଶକ୍ତି ସଂଯୋଜକ ରଶ୍ମି ରଂଜନ ସେଠୀ ଅବଗତ କରାଇଥିଲେ । ଏଥିରେ ମହିଳା ମାନଙ୍କୁ ସେମାନଙ୍କ ସ୍ଵ-ଚେଷ୍ଟାରେ ସ୍ୱୟଂ ସହାୟିକା ହେବା ପାଇଁ ମଧ୍ୟ ଉତ୍ସାହିତ କରାଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ମୁଖ୍ୟତଃ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ଚାଷରେ ସମ୍ପୂର୍ଣ୍ଣ ସହାୟତା ଦିଆ ଯାଉଥିବା ଏବଂ ଉନ୍ନତ ମାନର ମାଛଚାଷ ନିମନ୍ତେ ଆବଶ୍ୟକୀୟ ପଦ୍ଧତି , ସାର ଓ ଉତ୍ତମ ଖାଦ୍ୟ ପ୍ରଣାଳୀ, ମାଛଚାଷ ପୋଖରୀ ଜଳରେ ଚୂନର ପ୍ରୟୋଗ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ୱାର୍ଲଡ଼-ଫିଶ ର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର , ଚୁନା ମାଛର ଅବଦାନ ଓ ଚୁନାମାଛ ଖାଇବା ଦ୍ୱାରା କିଭଳି ମହିଳା ମାନଙ୍କ ରୋଗ ନିବାରଣରେ ସହାୟକ ହୋଇଥାଏ ଏବଂ ମାଛଦ୍ୱାର କିଭଳି ବିଭିନ୍ନ ପ୍ରକାରର ଅନେକ ରୋଗ ଦୂରୀକରଣ ହୋଇଥାଏ , ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ମହିଳା ମାନେ ମଧ୍ୟ ଉତ୍ସାହ ର ସହିତ ମାଛଚାଷର ବିଭିନ୍ନ ପ୍ରଣାଳୀ ଓ ଜ୍ଞାନ-କୌଶଳ ଉପରେ ପ୍ରଶିକ୍ଷଣ ଗ୍ରହଣ କରି ନିଜ ନିଜର ସନ୍ଦେହ ପ୍ରଶ୍ନ ଓ ସମସ୍ୟା ଗୁଡିକ ଅଧିକାରୀ ମାନଙ୍କୁ ଅବଗତ କରାଇ ଏବଂ ତାର ସମ୍ପର୍କରେ ଉତ୍ତର ପାଇଁ ନିଜର ସନ୍ଦେହ ଦୁର କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।

ଗଜପତି ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ…

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳ ୮ଘଣ୍ଟା ସମୟରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁଜୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ପରିକ୍ରମା କରିଥିଲେ ।
ଏହି ସଚେତନତା ଶୋଭାଯାତ୍ରାଟିକୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ .ବୃଷ କେତୁ ଦାସ ଏବଂ ଭିଜିଲାନ୍ସ ଇନିସ୍ପେକ୍ଟର ଡି . ବାସୁଦେବ ରାଓ ଯୋଗଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ବିଭାଗର ଜନବାର୍ତ୍ତା ” ସଚ୍ଚୋଟତା-ଏକ ଜୀବନ ଶୈଳୀ” ଉପରେ ଆଲୋଚନା ଚକ୍ର ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସେଣ୍ଟ୍ରାଲ ରୋଟାରୀ କ୍ଲବ ସହଯୋଗୀତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାର୍ଥପରତାର ଲୋଭନୀୟ ମନୋଭାବ ମଣିଷକୁ ଦୁର୍ନୀତି ମୁହଁ’କୁ ଠେଲି ଦେଇଥାଏ , ସମସ୍ତେ ସଚେତନ ହୋଇ ନିଃସ୍ୱାର୍ଥପର ଭାବେ ଅନ୍ୟର ମଙ୍ଗଳ କଥା ଚିନ୍ତା କଲେ ଦୁର୍ନୀତି ଆପେ ଆପେ ଦୁର ହେବା ସହ ଏକ ଦୁର୍ନୀତି-ମୁକ୍ତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଭିନିଲେନ୍ସ ବିଭାଗ ଅତିରିକ୍ତ ଏସପି ସାନ୍ତାନୁ କୁମାର ପାଢୀ ,ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ . ଜିତେନ୍ଦ୍ର ନାଥ ପଟ୍ଟନାୟକନ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଅନୀତି ଓ ଦୁର୍ନିତୀର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ କରିଥିଲେ । ଅନ୍ୟ ପକ୍ଷରେ କୌଣସି କ୍ଷେତ୍ରରେ ଦୁର୍ନୀତି ହେବାର ଖବର ଜାଣିଲେ ସେମାନେ ସ୍ଥାନୀୟ ଭିଜିଲେନ୍ସ ବିଭାଗ ନଚେତ ଟୋଲ-ଫ୍ରି ନମ୍ବର ୦୬୮୦-୨୨୮୨୩୦୦କୁ ଡାଏଲ୍ କରି ଜଣାଇବାକୁ ଏବଂ ଜଣାଇବା ବ୍ୟକ୍ତିଙ୍କ ନାମ ଓ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ ବୋଲି କହିଥିଲେ । ସମସ୍ତ କାର୍ଯ୍ୟରେ ଓ ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତାର ସହ ସାଧୁତା ଓ ସଚ୍ଚୋଟତା ରହିଲେ ହିଁ ଏକ ଦୁର୍ନୀତି ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ବେଶ ସହାୟକ ହୋଇ ପାରିବ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭିଜିଲେନ୍ସ ଇନିସ୍ପେକ୍ଟର ଡି.ବାସୁଦେବ ରାଓ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଅଚ୍ୟୁତା ନନ୍ଦ ବସ୍ତିଆ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।