ରାୟଗଡା ଜିଲ୍ଲାରେ ୭ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଛି ୨୨ ଟି ହଷ୍ଟେଲ୍‌ର ନିର୍ମାଣ କାମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ଆଦିବସୀ ଛାତ୍ରଛାତ୍ରି ଙ୍କ ହଷ୍ଟେଲ୍‌ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି। ଟେଣ୍ଟର ହୋଇ ୨୦୧୮ରୁ କାମ ଆରମ୍ଭ ହୋଇଛି। ବିଭାଗୀୟ ତଦାରଖ ଓ ଠିକା ସଂସ୍ଥାର ମନମୁଖି ଯୋଗୁଁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନ ହଷ୍ଟେଲ କୋଠା । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ଗୁଣପୁର ଅଞ୍ଚଳ ର ଶଗଡା, ଗାଦିଆଖଳା, ଚିନ୍ନାସାରି, ଓ କୁଜେନ୍ଦ୍ରି ହାଇସ୍କୁଲ୍‌ରେ । ହଷ୍ଟେଲ୍‌ ଅଧପନ୍ତରିଆ ଭାବେ କାମ ନହୋଇ ପଡିରହିଥିବାରୁ ଗ୍ରାମଞ୍ଚଳରୁ ଆସୁଥିବା ଆସିବାସୀ ଅନ୍ତେବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦିନରେ ଶ୍ରେଣି ଗୃହରେ ପାଠ ପଢୁଛନ୍ତି ରାତ୍ରିରେ ସେହି ଶ୍ରେଣି ଗୃହରେ ଆଶ୍ରୟ ନେଉଛନ୍ତି। ଏଭଳି ଦୃଶ୍ୟ ଚିନାସାରି ହାଇସ୍କୁଲ ରେ ଦେଖିବାକୁ ମିଳୁଛି। ଏଭଳି ରାୟଗଡା ଜିଲ୍ଲାରେ ୨୨ ଟି ସ୍କୁଲ୍‌ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ନିମନ୍ତେ ଅନୁମୋଦନ କରିଥିଲେ । ଅବଧି ସମୟ ସରିବା ପରେ ମଧ୍ୟ କୋଠା କାମ ସଂମ୍ପୁର୍ଣ୍ଣ ନହୋଇ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳି ପାଲଟିଛି। ହଷ୍ଟେଲ୍‌ କୋଠା ନିର୍ମାଣ ନିମନ୍ତେ ରାଜ୍ୟସ୍ତରରେ ପ୍ରକ୍ରିୟା କରାଯାଇ ପଶ୍ଚିମବଙ୍ଗର ଷ୍ଟିଲ କ୍ୱାକର୍ସ କଷ୍ଟ୍ରକସନ୍ ଲିମିଟେଡ୍‌ ଜରିଆରେ କାମ କରିବାକୁ ନିଷ୍ପରି ନିଆଯାଇଥିଲା । କମ୍ପାନୀ ଜଣକ କାମ ହାତକୁ ନେବାପରେ ଆଉ ଏକ ସ୍ଥାନିୟ ଠିକାଦାର ଙ୍କୁ କାମ କରାଇବା ପାଇଁ ଚୁକ୍ତିନାମା କରାଇଛି। ସ୍ଥାନିୟ ଠିକାଦାର ୧୨ ଟି କୋଠା କାମ ସାରିଦେଇଥିବା କହିଛନ୍ତି। କିନ୍ତୁ ତାହା ହସ୍ତାନ୍ତର ହୋଇପାରୁନି। କେଠାଗୁଡିକରେ ଚୁକ୍ତିନାମା ଅନୁଯାୟି କାମ ସାରିଥିବା ଠିକାଦର କହିଛନ୍ତି। କିନ୍ତୁ ଅନ୍ୟ କୈାଣସି ଆନୁସଂଙ୍ଗିକ ବ୍ୟବସ୍ଥା ନଥିବାରୁ କୋଠା ହସ୍ତାନ୍ତର ହୋଇପାରୁନି ବାେଲି କହିଛନ୍ତି ଠିକାଦାର। ୨୦୧୮ରେ ଏକକାଳୀନ ଭାବେ ବିଭିନ୍ନ ସ୍କୁଲରେ ହଷ୍ଟେଲ୍‌ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସରକାରଙ୍କ ସମସ୍ତ ଦିଶା ନିର୍ଦ୍ଦେଶକୁ ବେଖାତିର କରିଥିଲେ ଠିକାଦାର । ସୂଚନା ଫଳକ ନଲଗାଇ କାମ ଆରମ୍ଭ କରିଥିଲେ । ନିମ୍ନମାନର ସିମେଣ୍ଟ୍‌, ଲୁହା ଛଡ଼ରେ କାମ କରିଥିଲେ । ନିମ୍ନମାନର କାମ ହେଉଥିବା ଲୋକେ ଅଭିଯୋଗ କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଓ ଗ୍ରାମବାସୀ କମ୍ପାନିର ଯନ୍ତ୍ରୀଙ୍କୁ ଜଣାଇଥିଲେ । ତଥାପି ସୁଫଳ ମିଳିନଥିଲା । ଏହାକୁ ଅଣଦେଖା କରଯାଇ କାମ ଜାରି ରହିଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଆଇଟିଡିଏର ପ୍ରକଳ୍ପ ପ୍ରସଶକ ଦୃଷ୍ଟି ଆକର୍ଷଣ କରଯାଇଥୁଲା । ୨୦୨୧ ମସିହାରୁ ନିର୍ମାଣ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ରାୟଗଡା ଜିଲ୍ଲାରେ ଏହି ଠିକା କମ୍ପାନି ୨୩ ଟି ହଷ୍ଟେଲ କେଠା କରିବା ପାଇଁ ଚୁକ୍ତ କରିଛି ସେଥିରୁ ଗୋଟିଏ କୋଠା ପ୍ରଶାସନ ପାଖରେ ହସ୍ତାନ୍ତର ହୋଇଛି। ଆଉ ୨୨ ଟି କୋଠା କାମ ସଂମ୍ପୁଣ୍ଣ ହୋଇପାରିନି। ବର୍ତମାନ କେଉଁଠି କୋଠା ବାହାରେ ରଙ୍ଗ ଦିଆଯାଇ ଭିତରେ ଶୈାଚାଳୟ ନାହିଁ କି ଟାଇଲ୍ ପଡିନି I ଅନ୍ୟ କେତେକ ସ୍ଥାନରେ ରଙ୍ଗମଧ୍ୟ ଦିଆଯାଇନି। କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ନାହିଁ ତ କେତେକ ସ୍ଥାନର କାେଠାର ପ୍ଲାଷ୍ଟର ମଧ୍ୟ ନାହିଁ। ଗଛ ଗୁଡିକ କୋଠା ବାହାରେ ଭିତରେ ଉଠିଗଲାଣି। ମଦ୍ୟପ ଓ ଜୁଆଡି ମାନଙ୍କ ଆଡା ସ୍ଥଳି ପାଲଟିଛି ଏହି କୋଠା। ହଷ୍ଟେଲ୍ କାମ ହସ୍ତାନ୍ତର ନହେଉଣୁ କୋଠା ଗୁଡିକ ଛାତରୁ ପାଣି ଲିକେଜ୍ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। କର୍ତ୍ତୃପକ୍ଷ ବର୍ତ୍ତମାନ ନିଜ ନିଜ ସ୍କୁଲ୍ ପରିସରରେ ଥିବା ଏହି କୋଠ ଗୁଡିକର ଜଗୁଆଳି ହୋଇରହିଛନ୍ତି । ମନମାନି କରୁଛନ୍ତି ଠିକାଦାର ଙ୍କ ବିରୋଧରେ ୨୦୨୩ ମସିହାରେ ଜିଲ୍ଲା ମଙ୍ଗଳ ବିଭାଗ ଠିକଦାର ଙ୍କ ଉପରେ ଥାନାରେ ଏତାଲା ଦେଇଥିବା ମଧ୍ୟ ଜଣାପଡିଛି। ତା’ପରେ ନିର୍ମାଣ ସରିବା ପାଇଁ ଠିକାଦାର ତତ୍ପର ହୋଇଥିଲେ। ଏଯାଏ କାମ ସରିନି । କୋଠା ପୂର୍ଣ୍ଣକରି ବ୍ୟବହାର ନିମନ୍ତେ ପ୍ରଦାନ କଲେ ସ୍କୁଲ୍ ଓ ଆଦିବାସୀ ଅନ୍ତେବାସୀ ଉପକୃତ ହେବେ ବୋଲି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ର କହିଛନ୍ତି। ହଷ୍ଟେଲ ବ୍ୟବହାର ଉପୋଯୋଗି ହୋଇପାରିନି ଯାହାଦ୍ବାରା ପ୍ରଶାସନ ହସ୍ତକ୍ଷେପ କରି କୋଠା କାମ ସଂମ୍ପୁର୍ଣ୍ଣ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରି କହିଛନ୍ତି। ଏନେଇ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରି ଙ୍କୁ ପଚରାଯାଇଥିଲା ଏନେଇ ଠିକା କମ୍ପାନୀ କୁ ଡକାଯାଇ ଆଲୋଚନା ହୋଇଛି ଅତିଶିଘ୍ର କାମ ସାରି ହସ୍ତାନ୍ତର କରିବା ନେଇ ଠିକାଦାର ପ୍ରତିଶ୍ରୁତି ଦେଇଛନ୍ତି। କିଛି ହଷ୍ଟେଲ କାମ ସରିବା ଉପରେ ଥିବା ବେଳେ ହଷ୍ଟେଲ ଗୁଡିକ ହସ୍ତାନ୍ତର ହେବ। ଠିକାଦର ଏଥିରେ ଖିଲାପ କଲେ ପ୍ରସାସନ ବିହିତ ପଦକ୍ଷେପ ନେବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଆଦିବାସୀ ଅଧୁଷିତ ଜିଲ୍ଲାରେ କେବେ ଛାତ୍ରଛାତ୍ରି ଏହି ହଷ୍ଟେଲ ରେ ରହି ପାଠପଢିବା ସୁବିଧା ପାଇପାରିବେ ଦେଖିବାକୁ ବାକି ରହିଲା। ଏହାକୁ ନେଇ ଏବେ ଅନେକ୍ ଖଟି ରେ କଣ୍ଟ୍ରାକ୍ଟର ମହୋଦୟ ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବଦନାମ୍ କରାଯାଉଚି ଅନ୍ୟ ପକ୍ଷରେ ସରକାରୀ ଅଧିକାରୀ ମାନେ କୋଠା ଗୃହ ହସ୍ତାନ୍ତର କରିବାକୁ ଗଲେ ମଙ୍ଗୁ ନାହାଁନ୍ତି ବୋଲି କହିବା ଶୁଣିବାକୁ ମିଳୁଛି l

ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ପାସ୍‌, ପୁଣି ଭୋଟ ଦାନରୁ ଦୂରେଇ ରହିଲା ଭାରତ ।

ଏଥର ସମ୍ଭାଳ ବ୍ୟୁରୋ (ମିଳିତ ଜାତିସଂଘ) –  ୟୁକ୍ରେନରେ ରୁଷ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷର ପଦକ୍ଷେପକୁ ନିନ୍ଦା କରାଯାଇଛି। ସେହିପରି ରୁଷ ସୈନ୍ୟ ତୁରନ୍ତ ୟୁକ୍ରେନ ଛାଡ଼ନ୍ତୁ ବୋଲି ପାରିତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି। ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି। ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି। ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି। ୟୁକ୍ରେନରେ ରୁଷ ଆକ୍ରମଣ କରୁଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ବିରୋଧ କରି ଆସୁଛନ୍ତି। ଏଥିପାଇଁ ଜାତିସଂଘର ବିଭିନ୍ନ ଫୋରମରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରାଯାଉଛି। ହେଲେ ଭାରତ ସବୁବେଳେ ନିଜକୁ ପ୍ରସ୍ତାବ ଠାରୁ ଦୂରେଇ ରଖୁଛି। ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦ ଓ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ରୁଷ ବିରୋଧୀ ପ୍ରସ୍ତାବର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା। ଏବେ ଜାତିସଂଘ ସାଧାରଣ ମହାସଭାରେ ମଧ୍ୟ ସମାନ ନୀତି ଆପଣାଇଛି। ଏହି ପ୍ରସ୍ତାବରେ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। ସେହିପରି ରୁଷର କାର୍ଯ୍ୟକଳାପ ଜାତିସଂଘର ଧାରା ୨୪(୩)ର ଉଲ୍ଲଙ୍ଘନ କରୁଛି ବୋଲି କୁହାଯାଇଛି। ତେଣୁ ରୁଷ ତୁରନ୍ତ ୟୁକ୍ରେନରରୁ ସେନା ପ୍ରତ୍ୟାହାର କରୁ ଓ ଭବିଷ୍ୟତରେ ଜାତିସଂଘର କୌଣସି ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ନ କରୁ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଏହାକୁ ମାନିବା ପାଇଁ କୌଣସି ରାଷ୍ଟ୍ର ବାଧ୍ୟ ନୁହନ୍ତି। କେବଳ ରୁଷ ଉପରେ ଚାପ ପକାଇବାକୁ ଏପରି ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭୋଟ ଦାନରୁ ଦୂରେଇ ରହିଥିଲେ ମଧ୍ୟ ଭୁଟାନ, ମାଳଦ୍ୱୀପ ଓ ଆଫଗାନିସ୍ତାନ ଭଳି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି। ରୁଷ ସପକ୍ଷରେ କେବଳ ବେଲାରୁଷ, ସିରିୟା, ଉତ୍ତର କୋରିଆ ଓ ଇରିଟ୍ରେଆ ଭୋଟ କରିଛନ୍ତି। ଭାରତ ଭୋଟ ଦାନରୁ ବିରତ ରହିଥିଲେ ମଧ୍ୟ ୟୁକ୍ରେନ ଓ ରୁଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛି। ସେହିପରି ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ ୟୁକ୍ରେନ ଓ ରୁଷକୁ ଅନୁରୋଧ କରିଛି।

ସ୍ମୃତିରେ ସ୍ମୃତିରେ ମୋ ଗୁଣପୁର ..!

!!! ଡ଼ଃ ପ୍ରଶାନ୍ତ କୁମାର ହୋତା (ଅଧ୍ୟାପକ, ଶିକ୍ଷା ବିଭାଗ) !!!

ସମୟର ସୁଅରେ ପ୍ରବାହିତ ହୋଇ ମଣିଷ ଜୀବନର ଧାରାରେବି ପରିବର୍ତ୍ତନ ଘଟି ଚାଲେ । ସେହି ପରିବର୍ତ୍ତନ ମଧ୍ୟରେ ହିଁ ବିକାଶର ଧାରା ବଜାୟ ରହିଥାଏ । ଏକଥା ସତ ଯେ, ବିକାଶ ବଞ୍ଚିବାର ଧାରାକୁ ସହଜ, ସରଳ କରିଥାଏ । କିନ୍ତୁ, ବେଳେ ବେଳେ ସେହି ବିକାଶର ଚକ ତଳେ କିଛି ଆବଶ୍ୟକ ପରଂପରା ବି ଦଳି ଚକଟି ମରିଯାଏ ।ସେହି ବିକାଶ ସହ କିଛି ଲୋକ ଖାପ ଖୁଆଇ ଚଳିଯାନ୍ତି ଆଉ କିଛି ଜୀବଜନ୍ତୁଙ୍କ ଭଳି ବିରଳ ହେଇଯାଆନ୍ତି । ବିକାଶ ନାଁରେ କେବଳ ଯେ ଆମ ଗାଁର ଭୌଗୋଳିକ ମାନଚିତ୍ର ବଦଳିନାହିଁ, ଜୀବନ ଧାରା ଓ ଚଳଣିରେ ବି ଆଶାତୀତ ପରିବର୍ତ୍ତନ ହୋଇଚାଲିଛି । ଆଜିର ପିଢି ହୁଏତ ଏଇ ମୋ ମାଟି ଗୁଣପୁରର ପ୍ରକୃତ ରୂପ ଓ ପାରଂପରିକ ଚଳଣୀ ବିଷୟରେ କିଛି କିଛି ନିଜ ଅଜା,ଆଇ,ଜେଜେଙ୍କ ଠାରୁ କାହାଣୀ ପରି ଶୁଣିଥିବେ କିନ୍ତୁ, ଆଜିର ପ୍ରୟାସ ” ଗୁଣପୁରକୁ ଜାଣିବା ” ଆମ ପରବର୍ତ୍ତି ପିଢି ପାଇଁ ଏକ ଇତିହାସ ବହି ପାଲଟିଯିବ । ଦୀର୍ଘ ୨୫ ଦିନ ଧରି ଏହି ପ୍ରୟାସକୁ ସଫଳ କରାଇବା ନିମନ୍ତେ ପ୍ରତିଦିନ ଏଇମାଟିର ବିଦ୍ୱାନ ଓ ବିଜ୍ଞ ବ୍ୟକ୍ତିମାନେ ନିଜ ନିଜ ଅନୁଭୂତିକୁ ସ୍ମୃତିର ରୁପ ଦେଇ ଏଇ ମାଟିର ଗୁଣ ଗାରିମା ବର୍ଣ୍ଣନା କରିଆସୁଛନ୍ତି । ବୟସ ଓ ଅନୁଭୂତି ଦୃଷ୍ଟିକୋଣରୁ ମୋ ଲେଖା ନିମିତ୍ତ ମାତ୍ର ।

  • ମୋ ଗାଁର ଭୌଗୋଳିକ ସ୍ଥିତି

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପୃଥକ ହୋଇ ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଦିନ ଏକ ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ପାଇଥିଲା ରାୟଗଡା ଜିଲ୍ଲା । ଏହାର ଏକ ମୁଖ୍ୟ ସବ୍‍ଡିଭିଜନ ହେଉଛି ଆମ ଗୁଣପୁର ।ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଏହା ୧୯.୦୮°N ୮୩.୮୨°N ରେ ଅବସ୍ଥାପିତ । ୨୦୨୧ ମସିହା ଆଧାର ଜନଗଣନା ଅନୁଯାୟୀ ଗୁଣପୁର ସହର/ତହସିଲ୍‍ ସମୁଦାୟ ୧୭୮ ଟି ଗ୍ରାମକୁ ନେଇ ଗଠିତ । ଏହାର ସମୁଦାୟ ଜନସଂଖ୍ୟା ୧ ଲକ୍ଷ ୪୨ ହଜାର ୪୨୧ । ୨୦୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ଥିଲା ୧ ଲକ୍ଷ ୧୪ ହଜାର ୮୫୬ ( ପୁରୁଷ-୫୬ ହଜାର ୨୦୬ ଏବଂ ମହିଳା ୫୮ ହଜାର ୬୫୦ । ୨୦୨୦ ମସିହାର ଜନଗଣନା ( ଆଧାର ) ଅନୁଯାୟୀ ଏହାର ଜନସଂଖ୍ୟା ୧ ଲକ୍ଷ ୩୭ ହଜାର ୮୨୭ । ୨୦୧୮ ମସିହାରୁ ଗୁଣପୁର ଏନ୍‍ ଏ ସି ରୁ ମ୍ୟୁନିସପାଲିଟିରେ ପରିଣତ ହୋଇଥିଲା । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୨୮ ହଜାର ୮୭୦ । ( ପୁରୁଷ-୧୪ ହଜାର ୩୮୨ ଓ ମହିଳା-୧୪ ହଜାର ୪୮୮) । ସମୁଦାୟ ୧୭,୨୩ Sq. Kms. ପରିବ୍ୟାପ୍ତ ଏହି ଗୁଣପୁର ମ୍ୟୁନିସପାଲିଟିରେ ୧୭ଟି ୱାର୍ଡ ରହିଛି ।ଏହାର ତିନୋଟି ମୂଖ୍ୟ ପ୍ରବେଶ ପଥ ଯଥା- ପାରଳାଖେମୁଣ୍ଡି-ଗୁଣପୁର, ଗୁମୁଡା-ଗୁଣପୁର, ଓ ବାତିଲି-ଗୁଣପୁର ପଥଦେଇ ଗୁଣପୁର ସହର ମଧ୍ୟକୁ ପ୍ରବେଶ କଲାବେଳେ ଜଗତ ଜନନୀ ମା ଭିନ୍ନ ଭିନ୍ନ ରୂପରେ ସ୍ୱାଗତ ତୋରଣ ସଦୃଶ ତିନୋଟି ବିଖ୍ୟାତ ଓ ପ୍ରତକ୍ଷ୍ୟ ମନ୍ଦିର ଯଥାକ୍ରମେ- ପୁଲୁଗୁମୀ ମା ବନଦୁର୍ଗାଙ୍କ ମନ୍ଦିର, ସେରେମାର ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ଓ ପେଙ୍ଗୁଡାର ମା ଭୈରବୀଙ୍କ ମନ୍ଦିର ରେ ପୂଜା ପାଇ ଆମକୁ ସମସ୍ତ ବିପତ୍ତିର ରକ୍ଷାଦାତ୍ରୀ ସାଜିଛନ୍ତି। ସର୍ବଗୁଣାସଂପନ୍ନା, ସର୍ବଜନବିଦିତ ମୋ ପ୍ରିୟ ଗୁଣପୁର । ଏଠାକାର ଆଧ୍ୟାତ୍ମିକତା,ଶିକ୍ଷା,ସାହିତ୍ୟ, କଳା, ସଂସ୍କୃତି, ସାଧାରଣ ଚଳଣି, ସହଯୋଗ ମନୋଭାବ, ସମାଜ ସେବା ଇତ୍ୟାଦି ଅନ୍ୟ ସହର ଠାରୁ ନିଆରା । ଶାନ୍ତ ଓ ଭାବମୟ ପରିବେଶରେ ଯିଏ ବି ରହିଛି ସେ ଆଉ କୁଆଡେ ଯିବାକୁ ମନ ବଳାଏନି । ଏଠାକାର ଲୋକଙ୍କ ବ୍ୟବହାର , ଭାତୃଭାବନା ଓ ପରକୁ ଆପଣାଇବାର ଶୈଳୀ ଓ ପରୋପକାର ମନୋଭାବ ହୁଏତ ଆମକୁ ଏଠି ସ୍ଥାୟୀ ବାସିନ୍ଦା କରି ରଖିଛି । ଏ ମାଟିର ଅସରନ୍ତି ଗୁଣ ଗାରିମା ରହିଛି ଯାହାକୁ ସୀମିତ ଲେଖା ମାଧ୍ୟମରେ ପ୍ରକାଶ କରିବା ସମ୍ଭବ ନୁହେଁ ।

  • ଆମର ଆଧ୍ୟାତ୍ମିକତା

ଆଧ୍ୟାତ୍ମିକତାର ସହର ମୋ ଗୁଣପୁର । ଚତୁର୍ଦ୍ଦିଗେ ସୁଶୋଭିତ ବିଭିନ୍ନ ମନ୍ଦିର । ପୂର୍ବ ଦିଗରେ ଐତିହାସିକ ବାଲାଜୀ ମନ୍ଦିର ଯେଉଁଠି ଆଜିବି ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ପୂଜା ପାଉଛନ୍ତି ।ଏହାର ଠିକ୍‍ ପୂର୍ବରେ ନୂତନ ଜଗନ୍ନାଥ ମନ୍ଦିର ଅବସ୍ଥାପିତ । ଜଗତ୍‍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଓ ପୁରୀ ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ୧୯୯୬ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା । ପଶ୍ଚିମରେ ଶ୍ରୀ ଶ୍ରୀ ଉମାରାମ ଲିଙ୍ଗେଶ୍ୱର ମନ୍ଦିର( ବାଘୁଆ ଦେଉଳ ) ରହିଅଛି ।ଏହା ଅତି ପ୍ରାଚୀନ ମନ୍ଦିର ଅଟେ । ଦକ୍ଷିଣ ଦିଗରେ ଶେଫ ।ଳି ପାହାଡରେ ପ୍ରଭୁ ରାମେଶ୍ୱର ନିତ୍ୟ ପୂଜା ପାଉଛନ୍ତି । ଏହା ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।ଉତ୍ତର ଦିଗରେ ଅଦୈତ୍ୟ ବେଦାନ୍ତ ଆଶ୍ରମ ଯାହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ, ବିଷ୍ଣୁ ଭଗବାନ ଓ ମାତା ଗାୟତ୍ରୀ ପୂଜା ପାଉଛନ୍ତି ।ଏହାର ପାର୍ଶ୍ୱରେ ୨୦୦୨ ମସିହାରେ ପ୍ରତିଷ୍ଠିତ ହୋଇଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର । ଅନାଥ ବ୍ରାହ୍ମଣ ଓ ବନବାସୀ ଏହି ଆଶ୍ରମରେ ରହି ଆବାସିକ ଜୀବନ ଯାପନ କରି ନିତ୍ୟ ରାମାୟଣ, ମହାଭାରତ, ଗୀତା, ବେଦ, ବେଦାନ୍ତ ଓ କର୍ମକାଣ୍ଡ ଶିକ୍ଷା ଅର୍ଜନ କରୁଛନ୍ତି । ଏହା ବ୍ୟତିତ ପ୍ରତିଟି ସାହିରେ ରହିଥିବା ବିଭିନ୍ନ ଛୋଟ ବଡ ମନ୍ଦିର ଓ ଭକ୍ତଙ୍କ ସମାଗମ ଆମ ଆଧ୍ୟାତ୍ମିକତାର ପରିଚୟ ଦିଏ । ଆମର ପର୍ବ ପର୍ବାଣୀ ପାର୍ବଣ ଋତୁରେ ଭକ୍ତିମୟ ହୋଇଉଠେ ଆମ ମାଟି । ଘରେ ଘରେ, ସାହି ସାହିରେ ପାଳିତ ହୁଏ ପ୍ରତିଟି ପୂଜା, ପର୍ବ ପର୍ବାଣୀ । ଏହି ଅନ୍ତରାଳରେ ରହିଥାଏ କେତୋଟି ନିହିତ ଉଦ୍ଦେଶ୍ୟ । ଏହି ଉଦ୍ଦେଶ୍ୟ ଅନ୍ତରାଳରେ ରହିଥାଏ ମାନବିକ ଐକ୍ୟ ପ୍ରତିଷ୍ଠା, ଅନ୍ୟାୟ ଅନିତି ଅଧର୍ମ ପ୍ରତି ଭୟ, ଭାଗବତ ପ୍ରାପ୍ତି ପାଇଁ ଅଭିଳାଷ । କର୍ମକ୍ଲାନ୍ତିକୁ ଦୂର କରିବା, ଅବସର ସମୟକୁ ସୁଖମୟ କରିବା, ପାରମ୍ପରିକ ଚଳଣିକୁ ବନ୍ଧୁତ୍ୱର ବନ୍ଧନରେ ବାନ୍ଧିରଖିବା ଇତ୍ୟାଦି ଏହି ପର୍ବ ପର୍ବାଣୀର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ । ସବୁ ଧର୍ମକୁ ସମ୍ମାନ ଦେଇ ଭାଇଚାରାର ପରିଚୟ ଦିଏ ଆମରି ପ୍ରତିଟି ଧାର୍ମିକ କାର୍ଯ୍ୟ । ପୂଜା ଓ ପର୍ବପର୍ବାଣୀର ଆରମ୍ଭ ହୁଏ ବିଘ୍ନରାଜ ଗଣେଶଙ୍କ ପୂଜାରୁ । ବାଉରୀ ସାହି ପୂଜା ଓ ବାକିଟି ସାହିର ପୂଜା ମଧ୍ୟରେ ସବୁବେଳେ ପ୍ରତିଯୋଗିତା ହୁଏ । ପ୍ରତି ବର୍ଷ ଭିନ୍ନ ଭିନ୍ନ ଆକୃତ୍ତିର ମୂର୍ତ୍ତି, କଳାକୃତ୍ତି, ଆଲୋକ ସଜ୍ଜା , ରଙ୍ଗ ବେରଙ୍ଗ ତୋରଣ ଓ କଳାକୁଞ୍ଜ ସମସ୍ତଙ୍କ ମନମୋହୁଥାଏ । ଆମ ଢେପ ସାହିର ଗଜଲକ୍ଷ୍ମୀ ପୂଜା, ବଳରାମ ନଗରର ମା କାଳୀଙ୍କ ପୂଜା, ମରାଠିଗୁଡାର ଗଜଲକ୍ଷ୍ମୀ ପୂଜା, ପି ଏଚ ଡି ଅଫିସର ବିଶ୍ୱକର୍ମା ପୂଜା ଆମ ମାଟିର ଆଧ୍ୟାତ୍ମିକତାର ଅନ୍ୟ ଏକ ନିଦର୍ଶନ । ଏହି ସମୟରେ ନିଜ ନିଜ ଅନୁଷ୍ଠାନର ପୂଜାରେ ଉପସ୍ଥିତ ହେବା ପାଇଁ ପିଲାଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ଓ ଉତ୍ସାହ ଦେଖାଦେଇଥାଏ । ଏହାପରେ ଦଶହରା ପୂଜା ଆସିଥାଏ । ହାତ ଗଣତି ୨ /୪ ଟି ସାହିରେ ହିଁ ପୂଜା ପାଇଥାନ୍ତି ମା ଦୁର୍ଗା । ପ୍ରତି ବର୍ଷ ସ୍ଥାନୀୟ ବିଦ୍ୟୁତ ବିଭାଗରେ ପାରମ୍ପରିକ ସାଜସଜ୍ଜାରେ ପୂଜା ପାଇଥାନ୍ତି ମାଁ । ଡେରା ସାହିର ଦଶହରା ମେଢ଼ ସାଙ୍ଗକୁ ଅପେରା ପାର୍ବଣ କୁ ଆହୁରି ଭକ୍ତିମୟ କରୁଥିଲା।ଗୋଟିଏ ବର୍ଷ ବ୍ୟବଧାନରେ ବାଉରୀ ସାହି ପୂଜା କମିଟି ଓ ଗାନ୍ଧୀ ନଗର ପୂଜା କମିଟିର ପୂଜା ମଣ୍ଡପ ସାଙ୍ଗକୁ ଭିନ୍ନ ଭିନ୍ନ ପାର୍ଶ୍ୱ ମୂର୍ତ୍ତି ଓ କଳାକୁଞ୍ଜ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରତିଟି ପୂଜା ବିସର୍ଜନ ପରେ କମିଟି ଦ୍ୱାରା ଅୟୋଜିତ ହୁଏ ପ୍ରସାଦ ସେବନ । ଜାତି ଧର୍ମ ଗୋଷ୍ଠି ନିର୍ବିଶେଷରେ ସମସ୍ତେ ମିଳିମିଶି ପ୍ରସାଦ ସେବନ କରିବାର ମଜାହିଁ ଆମ ଗାଁର ସ୍ୱତନ୍ତ୍ରତା । କାର୍ତ୍ତିକ ମାସରେ ପ୍ରତିଟି ସାହିରେ ଲାଗିଥାଏ ଅଷ୍ଟପ୍ରହର । ଭୋର ଭୋର ରୁ ମାଆ,ମାଉସୀ ମାନଙ୍କ ପ୍ରତିଟି ମନ୍ଦିର ଦର୍ଶନର ବ୍ୟସ୍ତତା ଓ ଆତୁରତା ସେମାନଙ୍କ ବୟସକୁ ପଛରେ ପକାଇ ଦେଇଥାଏ । ହରେ କୃଷ୍ଣ ମହାମନ୍ତ୍ରରେ ପବିତ୍ର ହେଉଥାଏ ମନ ଓ ଆତ୍ମା । ହୋଲିର ରଙ୍ଗରେ ରଙ୍ଗ।ୟିତ ହୋଇଉଠିଥାଏ ଆମ ବଂଶଧାରା । କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା କଟକ ବାଲିଯାତ୍ରା ଆଉ ଦୀପାବଳିର ବାଣଫୁଟାର ପ୍ରତିଯୋଗିତା ଦେଶସୀମାରେ ଲାଗିଥିବା ଯୁଦ୍ଧର ଭ୍ରମ ସୃଷ୍ଟି କରିଥାଏ ।ମନେ ପଡେ ସେହି ରାତି, ରାତି ଅଧରେ, ଶୋଇବା ସମୟରେ ହଠାତ ବାଜା ବାଜଣା ଶବ୍ଦରେ ନିଦ ଭାଙ୍ଗିଯାଏ, ଆଖି ମଳି ମଳି ବିରକ୍ତରେ ବାହାରକୁ ଯାଇ ଦେଖେତ, ଆଖି ଆଗରେ ଶ୍ରୀରାମ, ଶ୍ରୀକୃଷ୍ଣ, ହନୁମାନ ତଥା ଅନେକ ଦେବାଦେବୀଙ୍କ ଚଳନ୍ତି ରୂପ। କୁଆଡେ ଉଭେଇଯାଏ ବିରକ୍ତି ଭାବ। ମନକୁ ପୁଲକିତ କରିଦିଏ ସେ ଆଧ୍ୟାତ୍ମିକ ଓ କୌତୁହଳ ପରିବେଶ। ଆଉ ଘର ଭିତରକୁ ପଶିବାକୁ ଇଛା ହୁଏନା। ତାହାଥିଲା ମାଆ ଠାକୁରାଣୀଙ୍କ ପର୍ବରେ ଆମ ଅଞ୍ଚଳର ଲୋକମାନଙ୍କ ଦ୍ବାରା ଆୟୋଜିତ ବେଶ କାର୍ଯ୍ୟକ୍ରମ। ଏବେ ଆସୁଛି ମାଁଙ୍କ ପୂଜା। ଅଶି ଦଶକରେ ଆମ ସାହିରେ ବହୁ ଆଡ଼ମ୍ବରରେ ପାଳିତ ହେଉଥାଏ ମାଁଙ୍କ ଦଶହାରା ପୂଜା, ସେତେବେଳେ ଆମେ ନିଜେ ଗାତ ଖୋଲିବା, ଖୁଣ୍ଟି ପୋତିବାଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ନିଜେ କରୁଥିଲୁ, ରାତି ରାତି ଅନିଦ୍ରା ରହି ମଣ୍ଡପ ପ୍ରସ୍ତୁତିରେ ଲାଗୁଥିଲୁ। ଆଉ ଏବେ କିନ୍ତୁ ତାହା ଦେଖା ଯାଉନି, ସବୁଥିରେ ଭଡାଟିଆ ଶ୍ରମିକଙ୍କୁ ବ୍ୟବହାର କରାଯାଉଛି।ଦେଖାଯାଉଅନାହିଁ ସେହି ଦାଶକାଠିଆ। ମାସ ମାସ ଧରି ଆମ ଆମ ସାହିରେ ଉଭୟ ଗାୟକ ଓ ପାଳିଆ ରହି ସାହି ସାହି ବୁଲି ଓଡ଼ିଆର ଲୋକକଳା ଓ ସଙ୍ଗୀତର ପ୍ରଚାର କରୁଥିଲେ । ଏହି ଅବସରରେ ବାକିଟି ସାହି, କଟିକା ସାହି ଓ ବାଉରୀ ସାହିର ଲାଠିକ୍ରିଡା କୌଶଳ ( ବାଣାବାଡି) ପ୍ରଦର୍ଶନ ପ୍ରାଚୀନ ପାଇକ ସଂସ୍କୃତିର ପରିଚୟ ଦେଇଥାଏ । ଶ୍ରାବଣ ମାସର ବୋଲବୋମ ଦିକ୍ଷା ହେଉକି, କାର୍ତ୍ତିକ ମାସର ସ୍ୱାମୀ ଆୟାପାଙ୍କ ଦିକ୍ଷା, ଦିକ୍ଷାଧାରୀଙ୍କ ଏକାଗ୍ରତା ଓ ପୂଜାର୍ଚ୍ଚନା ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ ।ବିଶେଷ କରି ପୌଷ ମାସରେ ସ୍ଥାନୀୟ ତେଲୁଗୁ ସଂପ୍ରଦାୟର ଭୋଗି ଓ ମକର ସଂକ୍ରାନ୍ତିରେ ତେଲୁଗୁ ଭାଇ ଭଉଣୀଙ୍କ ନୂତନ ବସ୍ତ୍ର ସାଙ୍ଗ କୁ ମା, ମାଉସୀଙ୍କ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବା, ଛୋଟ ଛୋଟ ପିଲାଙ୍କ ରିକସାରେ ଗାଁ ବୁଲିବା ଅତ୍ୟନ୍ତ ମଜା ଲାଗେ । ଖ୍ରୀଷ୍ଟଧର୍ମାବଲମ୍ୱୀ ବନ୍ଧୁଙ୍କ ବଡଦିନରେ ନିଜ ନିଜ ଘରକୁ ଆମକୁ ନିମନ୍ତ୍ରଣ କରିବା ଆମ ଭାଇଚାରାର ଆଉ ଏକ ନିଦର୍ଶନ ଅଟେ ।

  • ଆମର ଶିକ୍ଷା

ଶିକ୍ଷା ମାନବୀୟ ଜୀବନର ପୂର୍ଣ୍ଣତା ପ୍ରତୀକ । ” ଶିକ୍ଷା ତୁ ସର୍ବଦା ଧାର୍ୟା ପୂର୍ଣ୍ଣତ୍ୱସାଧିକା ମତା ମନୁଷ୍ୟ ଜୀବନେ ଧନ୍ୟା ଚାଧ୍ୟାତ୍ମବସ୍ତୁଭିତିକା” ଅର୍ଥାତ୍‍ ମନୁଷ୍ୟ ଜୀବନ ନିମନ୍ତେ ଶିକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ, କାରଣ ଏହାଦ୍ୱାରା ମନୁଷ୍ୟ ବସ୍ତୁବାଦ ମଧ୍ୟରେ ଥାଇ ଆଧ୍ୟାତ୍ମତତ୍ତ୍ୱ ଦ୍ୱାରା ପୂର୍ଣ୍ଣତାପ୍ରାପ୍ତ ହୋଇଥାଏ । ଶିକ୍ଷାର ଅର୍ଥ ଓ ସଂଜ୍ଞା ନିରୂପଣ କରିବା ଯେତେ କଷ୍ଟ ତାର ଲକ୍ଷ୍ୟକୁ ବୁଝିବା ମଧ୍ୟ ସେତେ ସହଜ ନୁହେଁ । ସମୟ ଓ ଆବଶ୍ୟକତା ଅନୁଯାୟୀ ଏହା ନିର୍ଦ୍ଧାରିତ ହୋଇଥାଏ । ପ୍ରାଚୀନ ଗ୍ରନ୍ଥ ବେଦରେ ଏହାକୁ ଅମରତ୍ୱର ଅମୃତ କୁହାଯାଉଥିବା ସ୍ଥଳେ ସଂପ୍ରତି ଶିକ୍ଷାଲାଭ ବା ବିଦ୍ୟା ଅଧ୍ୟୟନର ଉଦ୍ଦେଶ୍ୟ କୌଣସି ବୃତ୍ତି ବା ଧନ୍ଦା ପାଇବା ଯୋଗ୍ୟତା ହାସଲ ମଧ୍ୟରେ ସୀମିତ ।ଭାରତ ମାନଚିତ୍ରରେ ଏଇ ମାଟିର ଶିକ୍ଷା,ଶିକ୍ଷକ ଓ ଶିକ୍ଷାର୍ଥୀ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନିତ ହୋଇଛି । ସର୍ବପୁରାତନ ଶତାୟୂ ଉଚ୍ଚ ବିଦ୍ୟାଳୟ, ସେଣ୍ଟ ପାଉଲ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏକ୍ସ ବୋର୍ଡ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ଅନେକ ଶିକ୍ଷକଙ୍କ ଆଦର୍ଶ ଶିକ୍ଷାଦାନରେ ଅନୁପ୍ରାଣିତ ହୋଇ ଆଜି ଏଇ ମାଟିର ସନ୍ତାନ ଆଦର୍ଶ ଶିକ୍ଷାର୍ଥୀ ରୁପେ ସ୍ୱର୍ଗତ କମ୍ରେଡ ନାଗଭୂଷଣ ପଟ୍ଟନାୟକ, ପଣ୍ଡିତ ଶିରୋମଣି ପଦ୍ମଶ୍ରୀ ସ୍ୱର୍ଗତ ରଘୁନାଥ ପାଣିଗ୍ରାହୀ, ସଦଗୁରୁ ସ୍ୱର୍ଗତ ଅର୍ଜୁନ ଗମାଙ୍ଗ, ସ୍ୱର୍ଗତ ପାପାନା ମୁଟ୍ଟିକା, ସ୍ୱର୍ଗତ ରମେଶ ଚନ୍ଦ୍ର ରଥ, ଡ଼ଃ ଗିରୀଧାରୀ ଗମାଙ୍ଗ,ଡ଼ଃ ରାମନାଥ ପାଣିଗ୍ରାହୀ, ଡ଼ଃ ତ୍ରିନାଥ ରାଜୁଗୁରୁ, ଶ୍ରୀ ଦେବରାଜ ମିଶ୍ର, ଡ: ଶଶିଭୁଷଣ ପାଢି, ଶ୍ରୀ ବାଳକୃଷ୍ଣ ମିଶ୍ର, ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା, ଡ଼ଃ ସତ୍ୟପ୍ରକାଶ ପଣ୍ଡା, ଡ଼ଃ ସତ୍ୟନାରାୟଣ ରଥ ,ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଶ୍ରୀ ଅଭିଳାଷ ନାୟକ ଇତ୍ୟାଦି ଭାରତ ତଥା ବିଶ୍ୱରେ ଗୁଣପୁରର ନାମ ଓ ଖ୍ୟାତିକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିପାରିଛନ୍ତି ।ସ୍ୱର୍ଗତ ବ୍ରଜାନନ୍ଦ ବେହେରା, ସ୍ୱର୍ଗତ ଅଗାଧୁ ଶତପଥୀ, ସ୍ୱର୍ଗତ ବୈଦ୍ୟନାଥ ରଥ, ସ୍ୱର୍ଗତ ଗଙ୍ଗ।ଧର ଦାଶ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରସନ୍ନ କୁମାର ରଥ, ଶ୍ରୀ ଜଗନ୍ନାଥ ରଥ, ଶ୍ରୀ ରାମଚନ୍ଦ୍ର ବେହେରା, ଶ୍ରୀ ସିମାଦ୍ରୀ ସାହୁ, ଶ୍ରୀ ତାରିଣୀ ଚରଣ ରଥ, ଶ୍ରୀ ଅନନ୍ତ ପଦ୍ମନାଭ ଦାଶଙ୍କ ଭଳି ଅନେକ ଶିକ୍ଷକ ଗୁଣପୁର ଶିକ୍ଷାବିକାଶ ରଥର ସାରଥୀ ସାଜି ମାର୍ଗ ଦର୍ଶନ ଦେଇଆସୁଥିଲେ । ସ୍ଵର୍ଗତ ଏସ ଏନ ସାହୁକାରଙ୍କ ବୈଷୟୀକ ଅନୁଷ୍ଠାନର ସ୍ମୃତି ଆଜିବି ସାହୁକାର ଚେମ୍ବରର କାନ୍ଥ ରେ ଦେଖିବାକୁ ମିଳେ। ସମୟ ଓ ଆବଶ୍ୟକତାର ପରିବର୍ତ୍ତନର ତାଳେ ତାଳେ ଆଜି ଆମ ଏଇ ସହରରର ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବେସରକାରୀ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ,ଅନେକ ଆବାସିକ ମହାବିଦ୍ୟାଳୟ ରେ ପିଲାମାନେ ଅଧ୍ୟୟନ କରି ଯୁଗପୋଯୋଗୀ ଶିକ୍ଷା ହାସଲ କରିପାରୁଛନ୍ତି । ୧୯୭୩ ମସିହାରେ ସ୍ଥାପିତ ଗୁଣପୁର ମହାବିଦ୍ୟାଳୟ ଶ୍ରୀ ଏମ୍‍ ସୂର୍ଯ୍ୟନାରାୟଣଙ୍କ ଠାରୁ ଆରମ୍ଭ କରି ଡ: ବାମଦେବ ମିଶ୍ରଙ୍କ ପରି ଆଦର୍ଶ ଅଧ୍ୟକ୍ଷ ମାନଙ୍କ ଦକ୍ଷ ପ୍ରଶାସନ ଯୋଗୁଁ ସାରା ଓଡିଶାରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ପାଇ ଆସୁଅଛି । ଆଜି ଏଇ ମାଟିର ଗର୍ବ ଓ ଗୌରବ ସ୍ୱରୁପ ତିନି ତିନୋଟି ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାନୁଷ୍ଠାନ (GIET,GICMS,BITS) ଗୁଣାତ୍ମକ ଶିକ୍ଷା ଓ ତାଲିମ ପ୍ରଦାନ କରି ଓଡିଶା ତଥା ଓଡିଶା ବାହାରର ଶିକ୍ଷାର୍ଥୀଙ୍କ ପ୍ରଥମ ଚୟନର ଅନୁଷ୍ଠାନ ହୋଇପାରିଛି ।

  • ଆମର ସାହିତ୍ୟ

ସାହିତ୍ୟ କହିଲେ ବୁଝାଯାଏ ଯେ ” ସ ଯୁକ୍ତ ହିତ” । ଅର୍ଥାତ୍‍ ଯାହା ସମାଜର ହିତ ସାଧନ କରେ, ତାହା ସାହିତ୍ୟ । ସମାଜର ବିକାଶରେ ସାହିତ୍ୟ ସାଧନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ସାହିତ୍ୟ ଯୋଗୁଁ ସମାଜରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଓ ସଂସ୍କାର ଆସିଥାଏ ।ସାହିତ୍ୟ ଯୋଗୁଁ ସମାଜରେ ବିପ୍ଳବ ସୃଷ୍ଟି ହୁଏ ।ସାହିତ୍ୟ ହେଉଛି ସମାଜର ଦର୍ପଣ ସ୍ୱରୂପ। ସମାଜ ତା ସାହିତ୍ୟ ରୂପକ ଦର୍ପଣରେ ପ୍ରତିଫଳିତ ହୁଏ । ଦର୍ପଣରେ ନିଜ ମୁଖ ଦର୍ଶନ କରି ମନୁଷ୍ୟ ଯେପରି ତା’ର ମୁଖଟିକୁ ପରିସ୍କାର କରେ ଓ ସୁରୁଚିସମ୍ପନ୍ନ କରେ, ସମାଜ ମଧ୍ୟ ସେହିପରି ସାହିତ୍ୟରେ ନିଜର ତ୍ରୁଟିଗୁଡିକ ଦର୍ଶନ ସ୍ୱରୂପ ମାର୍ଜିତ କରି ଯତ୍ନବାନ ହୁଏ । ଆମ ମାଟିରେ ସାହିତ୍ୟ ସାଧନାର ମୁଳଦୁଆ ସ୍ୱରୁପ ୧୯୭୪ ମସିହାରେ ସାହିତ୍ୟ ସାଧକ ସ୍ୱର୍ଗତ (ପ୍ର) ସତ୍ୟନାରାୟଣ ରାଜୁଗୁରୁଙ୍କ ଦ୍ୱାରା ଆରମ୍ଭ ହୁଏ ବଂଶଧାରା ସାହିତ୍ୟ ସମାଜ । ଏହି ସାହିତ୍ୟ ମନ୍ଦିରରେ ସ୍ୱର୍ଗତ ଗୋବିନ୍ଦ ଖୁଣ୍ଟିଆ, ଅଧ୍ୟାପକ ସ୍ୱର୍ଗତ ଶିବରାମ ପାତ୍ର, ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁ, ସ୍ୱର୍ଗତ ଲିଙ୍ଗ। ବାଉରୀ, ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ସାହୁ, ଓ ସ୍ୱର୍ଗତ ନୀରଞ୍ଜନ ସେନାପତୀଙ୍କ ଭଳି ଅନେକ ମହାନ ବ୍ୟକ୍ତିତ୍ୱ ସାଧକ ସାଜି ସାହିତ୍ୟର ରୂପରେଖ ପ୍ରସ୍ତୁତ କରୁଥିଲେ । ପର୍ଯ୍ୟାୟ କ୍ରମେ ସ୍ଥାନର ପରିବର୍ତନ ସହ ସଙ୍ଗଠନର ଦାୟୀତ୍ୱ ନେଇଥିଲେ ଅନେକ ସାହିତ୍ୟିକ । ନିଜ ବ୍ୟସ୍ତ ବହୁଳତା ସମୟ ମଧ୍ୟରୁ ପ୍ରତ୍ୟହ ସନ୍ଧ୍ୟାରେ ସାହିତ୍ୟ ଖଟି ଆୟୋଜିତ ହେଉଥିଲା । ବହୁଦିନ ଧରି ସୁପ୍ତ ହୋଇପଡିରହିଥିବା ସମାଜର ପୁନରୁଦ୍ଧାର ନିମନ୍ତେ ୨୦୦୯ ମସିହାରେ ଆମର ଆଲ୍‍ଟ୍ରୁଜିମ ଗ୍ରୁପ ଅଣ୍ଟାଭିଡିଥିଲା । ଶ୍ରୀ ଉମାଦାସ, ଶ୍ରୀ ଇନ୍ଦ୍ରାକ୍ଷୀ ଦାଶ, ସ୍ୱର୍ଗତ ମିଟୁ ପଣ୍ଡା, ଶ୍ରୀ ଅଶୋକ ମିଶ୍ର, ଶ୍ରୀ ଅଶୋକ ବ୍ରହ୍ମା ଓ ଶ୍ରୀ ବିଶ୍ଵନାଥ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରୁଣା ଥାୟାରାମା ମହାବିଦ୍ୟାଳୟରୁ ଆଜିର କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏତଦ୍‍ ବ୍ୟତିତ ଅନେକ ସାହିତ୍ୟ ଅନୁଷ୍ଠାନ ସୁସ୍ଥ ସାହିତ୍ୟ ସମାଜ (୧୯୮୮ ମସିହାରୁ), ଉପାନ୍ତ ସାହିତ୍ୟ ପରିଷଦ (୨୦୧୫ ମସିହାରୁ) ଓ ସାହିତ୍ୟ ଘର ( ୨୦୧୬ ମସିହାରୁ) ପରି ଅନେକ ପ୍ରତିଷ୍ଠାନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଳନ କରି ନିଜ ସାହିତ୍ୟପ୍ରେମର ପରିଚୟ ଦେଇ ଆସୁଛନ୍ତି । ପ୍ରତିବର୍ଷ ଗଙ୍ଗାଧର ମେହେର ଜୟନ୍ତୀ, ଫକୀର ମୋହନ ଜୟନ୍ତୀ, ରଜ ମୋହତ୍ସବ, ମହାବିଷୁବ ମିଳନ ଅବସରରେ ସ୍ଥାନୀୟ କବି,ଲେଖକଙ୍କ କବିତା ପାଠ ଆମ ସାହିତ୍ୟ ସାଧନାର ଉଦାହରଣ। ୨୦୧୬ ମସିହାରେ ଗୁଣପୁର ନବନିର୍ମାଣ ସମିତିର ସହଭାଗିତାରେ ନୂତନ ସାହିତ୍ୟିକ ଙ୍କୁ ଯୋଡି ବଂଶଧାରା ସାହିତ୍ୟ ସମାଜ ବିବିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଆସୁଅଛି । ଆମ ମାଟିର ସାହିତ୍ୟ ସାଧକ ଶ୍ରୀ ଲକ୍ଷ୍ମୀନୃସିଂହ ରଥଙ୍କ “ଆମ ସହର ଆମ ଗାଁ” ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରତାପ ଚନ୍ଦ୍ର ରାୟ ଓ ଶ୍ରୀ ସୁରେଶ ଚନ୍ଦ୍ର ପାଇଟାଳଙ୍କ ସଂପାଦନାରେ ” ଗୁଣଶ୍ରୀ” ଶ୍ରୀ କୈଳାଶ ଚନ୍ଦ୍ର ପାତ୍ରଙ୍କ ” ଟିକି ଟିକି ଫୁଲ”, ସ୍ୱର୍ଗତ ଶିବରାମ ପାତ୍ର ଓ ସ୍ୱର୍ଗତ ଗୋବିନ୍ଦ ଖୁଣ୍ଟିଆଙ୍କ ସଂପାଦନାରେ ବଂଶଧାରା(୧୯୭୪), ଶ୍ରୀ ନୀଳମାଧବ ଦାଶଙ୍କ ” ଜହ୍ନ”, ଶ୍ରୀ ଦୁର୍ଗା ପ୍ରସାଦ ଶତପଥୀଙ୍କ , “କଳିକା ଆମେ”, ଡ: ଇନ୍ଦିରା ଅଧିକାରୀଙ୍କ ସଂପାଦନାରେ ” ବଂଶଧାରା”(୨୦୧୩), ଶ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ସଂପାଦନାରେ” କାବ୍ୟାୟନ”, ଶ୍ରୀ ଅଶ୍ୱୀନୀ ତ୍ରିପାଠୀଙ୍କ ” ସନ୍ଧ୍ୟା ଦୀପ”, ଶ୍ରୀ ପ୍ରଭାତ ତ୍ରୀପାଠୀଙ୍କ ” ଏଇତ ଜୀବନ”, ଶ୍ରୀମତୀ ସଂଯୁକ୍ତା ତ୍ରୀପାଠୀଙ୍କ ” ଆଶୀର୍ବାଦ”, ଶ୍ରୀ ଆଶୁତୋଷ ବରାଳଙ୍କ ” ମୋ ରଫ ଖାତା”, ସ୍ୱର୍ଗତ ଡମ୍ୱୁରୁଧର ପଟ୍ଟନାୟକଙ୍କ ଅନେକ ପୁସ୍ତକ ମଧ୍ୟରୁ “ସୁପ୍ତଧାରା”, ଶ୍ରୀ ନରସିଂହ ଶତପଥୀଙ୍କ ” ମାମାନୀ”, ଶ୍ରୀ ନରସିଂହ ପଟ୍ଟନାୟକଙ୍କ “ତାତ୍ତ୍ୱିକ ପ୍ରବନ୍ଧାବଳୀ”, ଶ୍ରୀ ସୀମାଞ୍ଚଳ କରଙ୍କ ” ଗୁଣବାସିନୀ” , ଶ୍ରୀ ସୁରେନ୍ଦ୍ର କୁମାର ମଲ୍ଲିକ ଙ୍କ ଅନେକ ପୁସ୍ତକ ମଧ୍ୟରୁ “ବିଯୁକ୍ତ ବଂଶୀ,” ଶ୍ରୀ ଜିତେନ୍ଦ୍ର ଶତପଥୀଙ୍କ ” ପ୍ରୟାସ” ନବୀନ ସଙ୍ଗଠନର’ଯନ୍ତ୍ରଣା’ ଓ କୈଳାଶ ଆଚାର୍ଯ୍ୟଙ୍କ ‘ ସନ୍ଦେଶ’ ….ଏପରି ବିଭିନ୍ନ ପତ୍ର, ପତ୍ରିକା ଓ ପୁସ୍ତକ ଗୁଣପୁର ମାଟିର ସାହିତ୍ୟାନୁରାଗର ପରିଚୟ ଦେଇଛି ।

  • ଆମର କଳା ଓ ସଂସ୍କୃତି

ମୋ ଗାଁର କଳା ଓ ସଂସ୍କୃତି ବହୁବିଧ ବର୍ଣ୍ଣବିଭାରେ ବିମଣ୍ଡିତ । ଏହି ମାଟିରେ ଜନ୍ମିତ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କଳା ଓ ସଂସ୍କୃତିରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆମ ଅଞ୍ଚଳର ଲୋକକଳା, ଲୋକନୃତ୍ୟ ଓ ଚିତ୍ରକଳା ଆଜି ସାରା ବିଶ୍ୱରେ ସୁପରିଚିତ । କଳା ଓ କଳାକାର ସହର ଏଇ ମୋ ଗୁଣପୁର । ଅତୀତର “ଉତ୍କଳ କଳାପରିଷଦ” ଠାରୁ ଆରମ୍ଭ କରି ଆଜିର “ଗୁଣପୁର କଳାପରିଷଦ” ନିଜର ସ୍ୱତନ୍ତ୍ର ପରିଚୟରେ ଅନେକ କଳାକାରର ରୁଚିକୁ ଲୋକଲୋଚନକୁ ଆଣିଛି । ସଙ୍ଗିତରେ ପଣ୍ଡିତ ଶିରୋମଣୀ ସ୍ୱର୍ଗତ ରଘୁନାଥ ପାଣିଗ୍ରାହୀ, ଡ଼ଃ ଗିରିଧାରୀ ଗମାଙ୍ଗ , ସ୍ୱର୍ଗତ କୋରା ମହାନ୍ତି, ସ୍ଵର୍ଗତ ବଳରାମ ବାଉରୀ,ସ୍ଵର୍ଗତ ରାଜା ଭାଇ , ନୃତ୍ୟରେ ସ୍ୱର୍ଗତ ଭିମ ମହାନ୍ତି, ଶ୍ରୀ ରାମଚନ୍ଦ୍ର ବେହେରା, ଚିତ୍ରକଳାରେ ସ୍ୱର୍ଗତ ଲିଙ୍ଗ। ବାଉରୀ, ସ୍ୱର୍ଗତ ପ୍ରକାଶ ବାଉରୀ ଇତ୍ୟାଦି ମହାନ ବ୍ୟକ୍ତିତ୍ତ୍ୱ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପର୍ଯ୍ୟାୟ କ୍ରମେ ସାରେଗାମା ଅର୍କେଷ୍ଟ୍ରା, ଶିବ ଶକ୍ତି ଭଜନ ସମାରୋହ, ,ସଙ୍ଗୀତ ସାଗର ମେଲୋଡି, ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା, ଏପରି ଅନେକ ପ୍ରତିଷ୍ଠାନ ଭିନ୍ନ ଭିନ୍ନ ରୂପରେ ଗୁଣପୁରର ଲୁକାୟୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିଛନ୍ତି । ଗୁରୁ ଶ୍ରୀ ସୁରେନ୍ଦ୍ର ମିଶ୍ର, ଶ୍ରୀ ଗୌରୀ ତ୍ରୀପାଠୀ ଓ ଶ୍ରୀ କୈଳାଶ ଦାଶଙ୍କ କଳାକ୍ଷେତ୍ରରେ ଯେଉଁ ଅବଦାନ ରହିଛି ତାହା ବାସ୍ତବରେ ପ୍ରସଂଶନୀୟ । ପବିତ୍ର ରଥଯାତ୍ରାରେ ୯ ଦିନ ଧରି ଯେଉଁ ଭଜନ ସମାରୋହ ଅନୁଷ୍ଠିତ ହୁଏ ପର୍ଯ୍ୟାୟକ୍ରମେ ଆମ ମାଟିର କଳାକାର ମାନେ ଭଜନ ପରିବେଷଣ କରି ଭକ୍ତଙ୍କ ମନ ମୋହିଥାନ୍ତି । ପ୍ରତିଟି ପୂଜା ଓ ପର୍ବ ପର୍ବାଣୀରେ ସାହି ସାହିରେ ଆୟୋଜିତ ହୁଏ ନୃତ୍ୟ କାର୍ଯ୍ୟକ୍ରମ । ଦିନଥିଲା ୧୯୯୯-୨୦୦୦ ମସିହାରେ ଯେତେବେଳେ ଆମେ ମରାଠିଗୁଡା ଗଜଲକ୍ଷ୍ମୀ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିଲୁ, ନୃତ୍ୟ ଦଳ ମଞ୍ଚରେ ନୃତ୍ୟ ପରିବେଷଣ ପାଇଁ ପ୍ରସ୍ତୁତ ନଥିଲେ । ଆଜି କିନ୍ତୁ ପ୍ରତିଟି ସାହିରେ ଏକାଧିକ ନୃତ୍ୟଦଳ ରହିଛନ୍ତି । ଅତୀତରେ ମଞ୍ଚସ୍ଥ ହୋଇଥିବା ଅନେକ ନାଟକରେ ନିର୍ଦ୍ଦେଶନା ସହ ଅଭିନୟ କରି ଶ୍ରୀ କୈଳାଶ ଦାଶ, ଶ୍ରୀ ବି ଇଶ୍ୱର ରାଓ, ଶ୍ରୀ ନୀଳମାଧବ ପାଢୀ, ଶ୍ରୀ ସନ୍ତୋଷ କୁମାର ମିଶ୍ର , ଶ୍ରୀ ମୀନା ମିଶ୍ର ଇତ୍ୟାଦି କଳାକାର ଗୁଣପୁରର ମଞ୍ଚ କଳାକୁ ପ୍ରତିଷ୍ଠିତ କରିଥିଲେ । “ଯାହାକୁ ମୁଁ ଏତେ ଭଲପାଏ” ଚଳଚିତ୍ରରେ ଏ ଗୀତଟିରେ କିଏ ଅଭିନୟ କରିଛନ୍ତି ମୁଁ ଜାଣିନି। କିନ୍ତୁ, ଏ ଗୀତଟି ଯେବେ ବି ମୁଁ ଶୁଣେ, ଆମ ବାଉରୀ ସାହିର ସ୍ୱର୍ଗତ ବଳରାମ ବାଉରୀ ଭାଇନା ମନେ ପଡିଯାଆନ୍ତି। ତାଙ୍କ ସାହିର ଏକ ମଞ୍ଚ କାର୍ଯ୍ୟକ୍ରମରେ ସେ ଏ ଗୀତଟିକୁ ନିଜେ ଗାଇଥିଲେ ଓ ନାଚିଥିଲେ ମଧ୍ୟ। ବେଲ ପ୍ୟାଣ୍ଟ ସାଙ୍ଗକୁ ତାଙ୍କ ହିପି କଟିଂ ପ୍ରଦର୍ଶନ ଟିକୁ ଖୁବ ଆକର୍ଷିତ ଥିଲା। କଳା ଓ ମୂର୍ତ୍ତିକାର ହିସାବରେ ଶ୍ରୀ ମାର୍କଣ୍ଡ ବାଉରୀ, ଶ୍ରୀ କମଳାକାନ୍ତ ଖୁଣ୍ଟିଆ, ଶ୍ରୀ ରାମଚନ୍ଦ୍ର ଗୌଡ, ଶ୍ରୀ ଚନ୍ଦ୍ର ମଉଳୀ , ଶ୍ରୀ ଶ୍ରୀନିବାସ ରାଙ୍ଗୁଲି ଓ ଶଙ୍କର ପାତ୍ର ଇଦ୍ୟାଦି ମୂର୍ତ୍ତିକାର ନିଜ ପରକାଷ୍ଠା ପ୍ରଦର୍ଶନ କରିଆସୁଛନ୍ତି । ଏହି ମାଟିର ଶ୍ରୀ ଦିଲ୍ଲିପ ଚୌଧୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅଭିନିତ ଅନେକ ଆଲବମ୍‍ ମଧ୍ୟରୁ ” ଏ ମାଳତୀ”, “ଏ ନାନୀ”, “ଚଇତି”, “କୁସୁମାଇ ଲାଙ୍ଗି” ଆମ ଅଞ୍ଚଳର ଆଦିବାସୀ ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ଲୋକଲୋଚନକୁ ଆଣି ପାରିଛି । ବରିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ନୀର ମହାପାତ୍ରଙ୍କ ‘ମାଁ ତୁମେ ଜଗତର ସାହା ଭରସା’ ଆଜିବି ଭଜନ ସମାରୋହର ପ୍ରାରମ୍ଭର ସୂଚନା ଦେଇଥାଏ। କଣ୍ଠଶିଳ୍ପୀ- ଶ୍ରୀମତୀ ଶର୍ମିଳା ସାମନ୍ତରାୟ, ଶ୍ରୀ ଶିବ ଦାସ, ଶ୍ରୀ ସୁରେନ୍ଦ୍ର ମହାନ୍ତି ଓ ଶ୍ରୀ ପ୍ରସନ୍ନ ହୋତା ଙ୍କ କଣ୍ଠଦାନରେ ରେକଡ଼ିଂ ହୋଇଥିବା ବଂଶଧାରା ବସନ୍ତ ମହୋତ୍ସବର ସଙ୍ଗୀତ ଗୁଣପୁରର ଐତିହ୍ୟ, କଳା ଓ ସଂସ୍କୃତିର ଗୁଣ ଗାନ କରେ। ଯୁବ କଳାକାର ଶକ୍ତିପ୍ରଦ ଦାଶ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ସିଦ୍ଧାର୍ଥ ପ୍ରେମ୍‍ ଙ୍କ ସଂଳାପ ରେ ଅନେକ କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ “ଦାୟୀ କିଏ”, “ରାସ୍ତା କଡ଼ର ପ୍ରେମିକ”,”ପ୍ରେମାୟଣ”, “ସଂଗ୍ରାମ ସଚେତନତାର’,”ଆମେ ବି ମଣିଷ” “ଝୁମୁକା” ଇତ୍ୟାଦି ସାମାଜିକ ସଚେତନତାର ବାର୍ତ୍ତା ବହନ କରେ । ସେହିପରି ଗୁଣପୁର ମାଟିର ଅନେକ ଯୁବ କଳାକାରଙ୍କୁ ନେଇ ଆଶୁତୋଷ ସେନାପତୀଙ୍କ ନିଖୁଣ ଅଭିନୟରେ ଓ ସିଦ୍ଧାର୍ଥ ପ୍ରେମ୍‍ ଦାଶ ନିର୍ଦ୍ଦେଶନା” ସଂଘର୍ଷ”, ” ମୋ ତ୍ରୀରଙ୍ଗ।”, “ଭାଇ ଭଉଣୀ କହ କାହାଣୀ” ଓ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ” ଆଇନା” ରୋମାଣ୍ଟିକ ଆଲବମ୍‍ ଓ ଯୁବ କଣ୍ଠଶିଳ୍ପୀ ଡ଼ଃ ଚନ୍ଦନ ଗନ୍ତାୟତଙ୍କ ୟୁଟ୍ୟୁବ ଚେନାଲରେ ପ୍ରସାରିତ ସଙ୍ଗୀତ ନବକଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିପାରିଛି । ସ୍ଥାନୀୟ ବାବୁଲି ନଗରରେ ପ୍ରଦର୍ଶିତ ହୋଇଥିବା ଗଣନାଟ୍ୟରେ ରେ ନିର୍ଦ୍ଦେଶନା ଦେଇଥିବା କୋଟେଶ୍ୱର ରାଓ ( କୋଟି ଭାଇ) ଓ ଅନ୍ୟାନ୍ୟ କଳକାରଙ୍କ ନିଖୁଣ ଅଭିନୟକୁ ଲୋକେ ଆଜିବି ଭୁଲିପାରୁନାହାନ୍ତି । ଏହାବ୍ୟତୀତ ନିଜ ବ୍ୟସ୍ତବହୁଳତା ମଧ୍ୟରେ ବି ଅନେକ ସାମାଜିକ ମଂଗଳ କାର୍ଯ୍ୟ ସମ୍ପାଦିତ ହୁଏ। କେସିଂପୁରର ବନ୍ୟା ହେଉ କି ଢେପ ସାହିର ଘର ପୋଡି, ସବୁ ଜାଗାରେ ପ୍ରସ୍ତୁତ ଆମର ବିଭିନ୍ନ ସମାଜ ସେବାରେ ଉତ୍ସର୍ଗୀ କୃତ ବନ୍ଧୁ। କରୋନା ମହାମାରୀର ଦୁଇ ଦୁଇଟି ତାଲା ବନ୍ଦ ପର୍ଯ୍ୟାୟରେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ ମଧ୍ୟ ଆମ ଗୁଣପୁରର ମାନବିକତାର ପରିଚୟ ଦିଏ। ଏ ମାଟିର , ଏ ସମସ୍ତ ବିଭବରେ ( କଳା, ସାହିତ୍ୟ, ଆଧ୍ୟାତ୍ମିକତା ଓ ସମାଜ ସେବା) ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ମୋର ସହଭାଗିତା ପାଇ ମୁ ନିଜକୁ ଗର୍ବିତ ଓ ଭାଗ୍ୟବାନ ମନେକରେ । ଏହି ମାଟିର କଳା, ସାହିତ୍ୟ, କ୍ରିଡା, ସଂସ୍କୃତିର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ମହତ ଉଦ୍ଦେଶ୍ୟରେ ଆଜିକୁ ୯ ବର୍ଷ ଧରି ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମୋହତ୍ସବ ମହାଆଡମ୍ୱରରେ ପାଳିତ ହୋଇଆସୁଅଛି ।ଜାତି,ଧର୍ମ,ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଭାଇଚାରାର ଏକସୁତ୍ରରେ ବାନ୍ଧିରଖିବାର ଗୁଣପୁର ନବନିର୍ମାଣ ସମିତିର ଏହି ପ୍ରୟାସକୁ ଜନସାଧାରଣ ଭୁୟସୀ ପ୍ରଶଂସା କରୁଛନ୍ତି। ଗୁଣପୁରକୁ ଜାଣିବାର ଓ ଜଣେଇବାର ଏହି ପ୍ରୟାସରେ ଯଦି ଜ୍ଞାତ ବା ଅଜ୍ଞାତରେ ମୋ ଲେଖାରେ ବ୍ୟବହୃତ ବିଶେଷ୍ୟ ଓ ବିଶେଷଣ ରେ କୌଣସି ତ୍ରୁଟି ପରିଲିକ୍ଷିତ ହୁଏ ତେବେ ମାର୍ଜନା ସ୍ୱରୂପ ମୋ ବ୍ୟକ୍ତିଗତ ନମ୍ୱରରେ ଦିଗଦର୍ଶନ ଦେବେ । ଧନ୍ୟବାଦ ।

ଚାଷୀ,ଚାଷ ଆଉ ମର୍ଡି …!

!!!  ପ୍ରତିନିଧି ନିରଞ୍ଜନ ତ୍ରିପାଠୀ !!!

ଅରନଦାତା, ମାଟିର ପୁଓ ଆଉ ଚାଷୀ ଏନ୍ତା ତାର କେତେନି ଟେ ନାଁ l ଲୋକ କହେସନ ଚଷା ଲକ୍ଷେ ଜୀବ ପୁଷା l ଦୁନିଆ ଯାକର ଲୋକର ମୁହେଁ ଅରନ ଟିକେ ପରଷି ଦେଇ ପାରସି ବଲି ତାର ନାଁ ଅରନ ଦାତା l ମାଏଟ୍ ସଂଗେ ମାଏଟ୍ ହେଇକରି ଚାଷ୍ କରି ଧାନ୍ ଚଉଳ୍ ତୁନଶାଗ୍, ମୁଗ୍ ବିରି,କୁଲୁଥ୍ ଫଲେଇ ପାରସି ବଲି ନାଁ ପାଇଛେ ଚାଷୀ l ଏସୁର ସାଲେ କେତେ ଆଶ ରଖିକରି ଚଷା ପୁଓ ଚାଷ କରିଥିଲା ବନେ କରି ଫସଲ ହେଲେ ତାର ଦୁଃଖ ଯାଇଥିଥା ଦୂର୍ ହେବା, ହେଲେ ଇନ୍ଦର୍ ରଜା କେ ଇ ବୁପରା ଦୁଃଖ ନାଇଁ ଦିଶଲା l କାଏଁ କରି ଦିଶବା ହେଲେ ଇ ବୁପରା କେ କିଏ ସହେସି ଯେ ଇନ୍ଦର୍ ରଜା ହେଲେ ସହେତା l ଅଷାଡ଼ ଗଲା ଶରାବନ ଗଲା, ଭୂଦୋ ବି ଗଲା ଆକାଶେ ମେଘ ର୍ ଦେଖା ନାଇଁ ଖର୍ଡ଼ି ଫସଲ କେ ମରଡି ଅସୁର୍ ଗିଲି ଦେଲା l ଯେନ ସମିଁଆ କେ ଚାଷୀ ର ଖେତେ ସୁନାର ଫସଲ ଲହଡି ମାରୁଥିତା ସେ ସମିଁଆ ଥି ଚାଷୀ ର ମୁହେଁ ପାଏନ ନାଇଁନ l ଖେତେ ଫସଲ ପୁଡିଯଉଛେ l ମନ କାନ୍ଦୁଛେ, ହୁରୁଦ କାନ୍ଦୁଛେ କେନ୍ତା କରବା କାଣା କରବା ଉପେ ନାଇଁ ଦିଶବାର୍ l ପାଠ ପଢ଼ୁଥିବା ପୁଓ ଝି ର ଖର୍ଚ୍ଚା, କୁଟୁମ ର ଲାଗି ପିନ୍ଧନ ଓଢଣ, ରୋଗ ଦୁଃଖ ଖର୍ଚ୍ଚା, ଯୁଆନ୍ ପୁଓ ଝି ର୍ ବିହା ବର୍ ଖର୍ଚ୍ଚା, ଲାଗିଥିବା ଲାଗବାଗ ସୁଝବାର୍ ସବୁ ଚିନ୍ତା ଚାଷୀ ର ମୁଡ଼ କେ ଅଥୟେ କରି ପକଉଛେ l ବୁପରା ରାହା ନାଇଁ ପାଉଛେ l ଇ ଜୀବନ ଥାଇକରି କାଏଁ ଲାଭ ବଲି ଦୁଆଁରସି, ବିଷ ବୁତଲ ଖୁଜି ବସିଲାନ l ସତେ ଯେନ୍ତା ଚାଷୀ ହଇକରି ବଢ଼େ ଟେ ପାପ୍ କରିଛେ l ପାଁଚ୍ ବଛର୍ ଲାଗି ଦୁଃଖ୍ ସୁଖ୍ ବୁଝବା ବଲି ଭୋଟ୍ ଦେଇକରି ଯେନ୍ ମାନଂକୁ ଆସନ୍ ଉପରେ ବସେଇଛେ ସେମାନଙ୍କୁ ବି ପଛ କରିଦେଇଛନ ଆଖି ଥାଇ କରି ବି ଅନ୍ଧା ହେଇ ଯାଇଛନ୍ l ନିଜର୍ ପ୍ରଚାର୍ ପ୍ରସାର୍ ଲାଗି ଯୁଜନା କରୁଛନ୍ ହେଲେ ଚାଷୀ ବୁପରା ତକ୍ ଆସଲା ବେଲ୍ କେ ଛୁଛାଫସ୍ l ଏକଲା ଲଢ଼ି କରି କେତେ ଲଢ଼ବା ବୁପରା ଚଷା l କିହେ ସାହାପଟ୍ ନାଇଁ ହେବାର୍ l ଚାଷୀ ଆରୁ କାଏଁ କରି ତାର୍ ଛୁଆ କେ ଚଷା କରବା? ବାହାଲ୍ ଜମିନ୍ ଭି ପଡିଆ ପଡିବସଲାନ l ଏନ୍ତା ଦିନ୍ ନାଇଁ ଆସୁ ମାଟିର ପୁଓ ମାଏଟ୍ ନୁ ମୁହୁଁ ନାଇଁ ମୁଡି ଦଉ l ଅରନ୍ ମୁଠେ କର ଲାଗି ପୂରଥୀ ଥି ହାହାକାର୍ ନାଇଁ ହଉ l ନେତା,ସରକାରୀବାବୁ ସତେ ଯଦି ଚାଷୀ ର ଦୁଃଖ ସୁଖ ରେ ସାଙ୍ଗେ ଅଛୁ ବଲି କହୁଛନ୍ ସେମାନେ ପ୍ରକୃତି ରାନୀ କୂଲେ ନଏଦ୍ ମାନଂକୁ ଛୋଟ୍ ଛୋଟ୍ ଆନିକଟ୍ ବନେଇ କରି ସବୁ ଖେତ୍ ମାନଂକୁ କେନାଲ୍ ପାଏନ୍ ପହଁଞ୍ଚେଇ ପାରଲେ ଚାଷୀ ର୍ ଖେତେ ଫସଲ୍ ଲହଡି ମାର୍’ତା lସରକାର୍ ଚାହେଁଲେ ଗୁଟେ ଶାଗୁଆ ବିପ୍ଳବ୍ ହେଇପାରବା l ଚାଷୀ ର୍ ହୁରୁଦ୍ ଭିତରେ ସବୁଦିନ୍ ଲାଗି ଠାଁନ ବନେଇ ପାରତେ l ନି ହେଲେ ଚାଷୀ ବି ଆଏବାର ଦିନେ ଉଚିତ୍ ଜବାବ୍ ଦେଇକରି ଆସନ୍ ନୁ ହଟେଇ ଦେବାର ଟା ବେଶୀ ଦୁରିଆ ନୁଁହେସେ l ସମକେ୍ ଚେତବାର୍ କେ ପଡବା l ମାଟିର୍ ପୁଓ ଚଷା ର୍ ଦୁଃଖ୍ ଶୁନି କରି ତାର୍ ହକ୍ ତାହାକେ ଦେବାର୍ ଲାଗି ଲଢ଼ବାର୍ ପଡବା l ଚଷା କେ କଥାଥି ଖାଲି ଦେଶର୍ ମେରୁଖୁଁଟି ଆଏ ବଲି କହିଦେଲେ ନାଇଁ ଚଲେ l ଉଚିତ୍ ସନମାନ୍ ଦେବାର୍ କେ ପଡିବା l ଜୟ କିସାନ୍ l

ଗୁଣପୁର ପୌର ପରିଷଦ ରେ ବିକାଶ ର ଯୁଗ ଆସିଛି …!

!!! ଏଥର ସମ୍ଭାଳ ଚ୍ୟାନେଲ ମୁଖ୍ୟ ଶ୍ରୀ ଶକ୍ତି ଦାଶ !!! 

ଦୀର୍ଘ ଦିନ ଛକା ପଞ୍ଜ। ପରେ ଗୁଣପୁର ପୌରପରିଷଦ ରେ ସତ୍ତା ବଦଳିଛି ଓ ଅଧିକାରୀ ବଦଳିଛନ୍ତି । କାର୍ଯ୍ୟଳୟ ଭିତରେ ଅନେକ ଜିନିଷ ବଦଳିଛି ଅନେକ କର୍ମୀ, ଅନେକ କାର୍ଯ୍ୟ କରୁଥିବା ପରିଚାଳନା କରୁଥିବା ଏଜେନ୍ସି ମଧ୍ୟ ବଦଳିଛି । ପୌରପରିଷଦ ରେ ନବ ନିର୍ମାଣ ର ଯୁଗ ଆସିଛି ନିଶ୍ଚିତ ରୂପେ ଗୁଣପୁର ପୌରପରିଷଦ ରେ ବିକାଶ ର ଧାରା ପ୍ରବାହିତ ହେଉଛି …!

  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ଓ କାର୍ଯ୍ୟକାରୀ ହୋଇ ପରିଚାଳନା ଅଭାବରୁ ଶୌଚାଳୟ ଏବଂ ସେହି ଚାରି ପାଖରେ ନର୍ଦ୍ଦମା କୁଣ୍ଣ ହୋଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦୀର୍ଘ ବର୍ଷ ହେବ ମଶା ଧୂପ ମାରିବା ଯନ୍ତ୍ର କାର୍ଯ୍ୟକାରୀ ହେବା କିମ୍ବା ମଶା ଧୂପ ମାରିବା କୌଣସି ସାଧାରଣ ବ୍ୟକ୍ତି ଜାଣି ପାରୁ ନାହାଁନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ବହୁ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପ ଓ ଟାଉନ ହଲ ପରିଚାଳନା ଅଭାବରୁ ଭଙ୍ଗା ଦଦରା ହୋଇ ପଡ଼ିଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପିଇବା ପାଣି ପାଇପ ଯୋଗୁଁ ପ୍ରତ୍ୟେକ ସାହିରେ ଗର୍ଭ ଓ କୁତ୍ରିମ ନର୍ଦ୍ଦମ ସୃଷ୍ଟି ହେଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଗତ ବର୍ଷ ବର୍ଷା ପୂର୍ବରୁ ଏନ ଜି ଟି ଉପରେ ଦୋଷ ଢାଳି ଡ୍ରେନେଜ ଵ୍ୟଵସ୍ଥା କୁ ସୁଧାର କରି ନପାରି ବର୍ଷା ଜଳରେ ସହର ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି କରାଯାଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସହରକୁ ସପ୍ଲାଇ ହେଉଥିବା ପିଇବା ପାଣି ଯେଉଁ ନଦୀ ଗର୍ଭ ରୁ ଆସୁଛି ସେଠାରେ ସହରର ଡ୍ରେନେଜ ଡ଼ମ୍ପିଙ୍ଗ ହେଉଛି ଏବଂ ସମସ୍ତ ସଂପର୍କୀତ ବିଭାଗ ପୌର ପରିଷଦ କୁ ପଦକ୍ଷେପ ନେବା ନିମନ୍ତେ କହିବା ପରେ ମଧ୍ୟ କିଛି ପଦକ୍ଷେପ ନ ନେଇ ସେହି ଦୂଷିତ ପାଣି ପିଇବା ନିମନ୍ତେ ସହରବାସୀଙ୍କୁ ଦିଆଯାଉଛି ।
  • ପୌରପରିଷଦ ମଧ୍ୟରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଖାଲି ଥିବା ଅନେକ ଖାଲି ସ୍ଥାନକୁ ଭୂମି ମାଫିଆ ମାନେ ଅକ୍ତିଆର କରି ନିଜ ବ୍ୟକ୍ତିଗତ ସେଡ଼,ଦୋକାନ, ପାର୍କିଂ ସ୍ଥ।ନ ଇତ୍ୟାଦି କରି ମାଲାମାଲ ହେଉଛନ୍ତି କତ୍ତୃପକ୍ଷ କିନ୍ତୁ ନୀରବ ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିନା ଟାଉନ ପ୍ଲାନ ରେ ଅନେକ ପ୍ଲଟ ବିକ୍ରି ହେଉଛି ଅନେକ ସାହି ଅନେକ ସୌଧ ନିର୍ମାଣ ହେଉଛି କାହାର ଡ୍ରେନ ନାହିଁ ତ କାହାର ସାହି ସଂକୀର୍ଣ୍ଣ କାହାର ଓସାର । ଟାଉନ ପ୍ଲାନ ରେ ଗଛ ଲଗାଇବା ନିୟମ ଚୁଲିକୁ ଯାଉ ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଓ ପୁରାତନ ବସଷ୍ଟାଣ୍ଡ ରେ ଲିଜ ରୁ ସବ ଲିଜ ଦେଇ ଅସାଧୁ ବ୍ୟବସାୟୀ ମାନେ ଅସାଧୁ ଉପାୟରେ ନିୟମ କୁ ଫାଙ୍କି ଦୋକାନ ଗୃହ ଗୁଡିକୁ ନିଜ ଇଚ୍ଛା ମୁତାବକ ଭାଙ୍ଗି ନିର୍ମାଣ କରି ଲାଭବାନ ହେଉଛନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୁରୁଣା ବସଷ୍ଟାଣ୍ଡ ରେ ଥିବା ମାର୍କେଟ କମ୍ପ୍ଲେକ୍ସର ଓପରକୁ ଉଠିବା ସିଡ଼ି କୁ ଭାଙ୍ଗି ଅଗ୍ନିଶମ ବିଭାଗର ସମସ୍ତ ନିୟମ କୁ ଜଳାଞ୍ଜଳି ଦେଇ ଦୋକାନ ଗୃହ କରାଯାଇଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଏଜେନ୍ସି କୁ ସହର ସଫେଇର ଟେଣ୍ଡେର ଦେଇ ୮୦ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କ ଅର୍ଥ ସରକାରଙ୍କ ଠାରୁ ଉଠାଇ ୬୦ ରୁ କମ କର୍ମଚାରୀ ରେ କାମ ଚଲାଉଛନ୍ତି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସାହି ମାନଙ୍କୁ ସଫେଇ ନିମନ୍ତେ ଅଲଗା କର୍ମଚାରୀ ଓ ବଡ଼ ଡ୍ରେନ ଗୁଡିକୁ ସଫା କରିବା ନିମନ୍ତେ ଅଲଗା ଏସ୍ଟିମେଟ କରି ବିଲ ଉଠାଯାଉଛି । ତଥାପି ସହର ସଫା ସୁତୁରା କେବଳ ଧର୍ମ କୁ ଆଖିଠାର ।
  • ପୌର ପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଭାବେ ଯୋଡ଼ି ହୋଇଥିବା ଅନେକ ସାହି କୁ ସଫେଇ କର୍ମଚାରୀ ମାନଙ୍କୁ ଏକ ମାସରେ କେବଳ ଥରେ ପଠାଯାଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମରାଠୀଗୁଡା ଓ ମେଟା କର୍ଣ୍ଣଗୁଡ଼ା ରେ ଅଦ୍ୟାବଧି ରାସ୍ତା,ପିଇବା ପାଣି, ସଠିକ ବିଦ୍ୟୁତ ଲାଇନ ଭଳି କୌଣସି ସୁବିଧା ପହଂଚି ପାରୁନି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ଅନେକ ଦୁର୍ନୀତି ( ଶିଶୁ ଉଦ୍ୟାନ, ସୋଡିଏମ ଲାଇଟ, ଦୋକାନ ଗୃହ ନିର୍ମାଣ ,ଦୋକାନ ଗୃହ ବଣ୍ଟନ) ର ହଟ ହଟା ତଥାପି ତଦନ୍ତ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ପାର୍କ ଏକ ସାଙ୍ଗରେ ନିର୍ମାଣ ହେଉଛି କିନ୍ତୁ ଦୀର୍ଘ ଦିନ ହେବ କାମ ସବୁ ଅସମ୍ପୂର୍ଣ୍ଣ ଲୋକଙ୍କ ପାର୍କ ପାଇବା ସ୍ୱପ୍ନ କେବଳ ପଦ୍ମ ଘୁଂଚି ଘୁଂଚି ଯାଉଛି ।
  • ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦିବ୍ୟାଙ୍ଗ ଭତ୍ତା, ବୃଦ୍ଧ ଭତ୍ତା, ଆବାସ ଯୋଜନା , ଅସହାୟ ଏବଂ ପରିତ୍ୟକ୍ତ ମହିଳା ଭତ୍ତା,ବିଧବା ଭତ୍ତା ଆଜି ମଧ୍ୟ ଯୋଗ୍ୟ ବ୍ୟକ୍ତି ନ ପାଇ କେବଳ ଖଣ୍ଡି ରାଜନେତା ଙ୍କ ଗୋଡାଣିଆ ଲୋକଙ୍କୁ ମିଳୁଥିବା ଅନେକ ଅଭିଯୋଗ ସହ ଗଣମାଧ୍ୟମ ମଧ୍ୟ ଚିତ୍କାର କରୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିଲ ହୁଡା ରୁ ଆରମ୍ଭ କରି ସମସ୍ତ ରାସ୍ତାରେ ନାମ ମାତ୍ରକୁ ଲାଇଟ ପୋଲ ଲାଇଟ ଲାଗିଛି ସେଗୁଡିକ ବାହାରି ଉପୁଡି ପଡିଲାଣି କିନ୍ତୁ କେବେ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଟିକସ ନୀତି ଆସିଛି , ସବୁଠୁ ପୁରୁଣା ପାରଳାଖେମୁଣ୍ଡି ରେ କିମ୍ବା ରାୟଗଡ଼ା ସହର ରେ ଏହି ନୀତି ନାମରେ ଜନସାଧାରଣ ଙ୍କ ନିକଟରୁ ଅତ୍ୟଧିକ ଟିକସ ଆଦାୟ କରାଯାଉନାହିଁ କିନ୍ତୁ ଗୁଣପୁର ରେ ସରଳ ଜନସାଧାରଣଙ୍କ ଲାଭ ଉଠାଇ ମାତ୍ରାଧିକ ଟିକସ ଆଦାୟ ହେଉଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନ୍ୟ କେଉଁ ସହରରେ ସ୍ୱଚ୍ଛତା ନାମରେ ଆଦାୟ ହେଉନଥିବାବେଳେ ମାସକୁ ୩୦ ଟଙ୍କା ସ୍ୱଚ୍ଛତା ନାମରେ ଲୋକଙ୍କୁ ଦେବାକୁ ପଡୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ଯୁବକଙ୍କ ସ୍ୱପ୍ନ ଜିମ ଟିଏ ହେବା । ପୂର୍ବ ସଂସଦ ଅନୁଦାନ ଦେବାପରେ ମଧ୍ୟ ଯୁବକଙ୍କ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସୂଚନା ଅଧିକାର ଆଇନ ମାଗିବା ସବୁଠୁ ବଡ଼ ଭୁଲ ହେବ କାରଣ ମାଗିଲେ ଭ୍ରମାତ୍ମକ ତଥ୍ୟ ମିଳିବ ନଚେତ ଧମକ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସଫେଇ ଅଧିକାରୀ ପରିବର୍ତ୍ତନ ହୋଇଛନ୍ତି ବହୁ ମାତ୍ରାରେ ବ୍ଲିକିଙ୍ଗ, ଫିନାଇଲ ଆସୁଛି ଏଭଳିକି ଏଗୁଡ଼ିକୁ ରଖିବାକୁ ଷ୍ଟୋର ରୁମ ମଧ୍ୟ ନିର୍ମାଣ ହେଉଛି କିନ୍ତୁ କେଉଁ ଡ୍ରେନ କିମ୍ବା ରାସ୍ତା ରେ ପକାଯିବାର ଦେଖଯାଉ ନାହିଁ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ କତ୍ତୃପକ୍ଷ ଙ୍କ ବିସ୍ତୃତ ଯୋଜନା ଯୋଗୁଁ ରାସ୍ତାରେ ବୁଲିବା ଗାଈ -ଗୋରୁ ଙ୍କ ଯୋଗୁଁ ଅନେକ ଦୁର୍ଘଟଣା ହେଉଛି ଗୋ -ସମ୍ପଦ ମଧ୍ୟ କ୍ଷତି ହେଉଛି । ବୁଲା ଗାଈ ଙ୍କୁ କାଞ୍ଜିଆହୋଦା ରେ ରଖିବା ଓ ବୁଲା କୁକୁରଙ୍କ ବ୍ୟବସ୍ଥା କଥା ସବୁ ଚୁଲିକୁ ଯାଉ ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମୃତ ପ୍ରମାଣ ପତ୍ର,ଜନ୍ମ ପ୍ରମାଣ ପତ୍ର, ପ୍ଲାନ ଏପୃଭଲ, ବିବାହ ପ୍ରମାଣ ପତ୍ର କେବଳ ବରିଷ୍ଠ ଅଧିକାରୀ କିମ୍ବା କିଛି ରାଜନେତାଙ୍କ ହସ୍ତକ୍ଷେପ ପରେ ମିଳୁଛି ।
  • ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଚାହା ଦୋକାନ ଠାରୁ ଅଧିକା ରାସ୍ତା କଡରେ ଚିକେନ ଦୋକାନ ବୁଲା କୁକୁରଙ୍କୁ ଖୋରାକ ଯୋଗାଉଛି ।
    ଗୁଣପୁର ପୌରପରିଷଦ ର ପ୍ରଚଳିତ ବିକାଶ ଧାରା ରୁ କିଛି ସଂଗୃହୀତ ତଥ୍ୟ । ଏଥିରେ ଆପଣ ମଧ୍ୟ ନିଜ ଅନୁଭୂତିରୁ କିଛି ଯୋଡି ପାରିବେ । ଏହା କେବଳ ଆପଣଙ୍କ ଅବଗତି ନିମନ୍ତେ ମୋର ଅନୁଭୂତି କଥନ । ଅନ୍ୟଥା ଦେହକୁ ନେବେ ନାହିଁ । 
ମୁଁ ନାବାଳିକା କହେ …!

Writen By Sidhartha Dash , Channel Bureau Chief

ଖେଳ କୁଦ ର ବୟସ ନଯାଇ ,
ରାକ୍ଷାଷ ଙ୍କ ଶିକାର ହେଲି …
ଏମିତି ଦାଗ ଲଗେଇ ଦେଲା ସେ ,
ନା ଏ କୂଳ ର ହେଲି ନା ସେ କୂଳ ର ହେଲି …
ବଞ୍ଚିବା ପାଇଁ ଯେ ସଂଘର୍ଷ କରି ,
କେତେ ଯେ ନିର୍ଯ୍ୟାତିତ ହେଲି …!

କାହାକୁ ଯେ କେବେ ନିଜର ଭାବିଲି ,
ଦେଇଥିଲି ଏତେ ସମ୍ମାନ …
ଝିଅ ବୋଲି ଥରେ ଚିନ୍ତା ସେ କଲାନି ,
ଖରାପ କଲା ମୋ ଜୀବନ …
ନିଜର ଲାଳସା ମେଣ୍ଟାଇବା ପାଇଁ ,
ଭାଙ୍ଗି ଦେଲା ମୋର ସପନ …!!

କୋଳ ରେ ବସେଇ ଗେଲ କଲା ବେଳେ ,
ମନରେ ସନ୍ଦେହ ଜେ ଉପୁଜିଲା …
କିଏ ଜାଣିଥିଲା ସେ ଏମିତି କରିବ ,
କେବେ ଜଙ୍ଘ ରେ କେବେ ଛାତି ରେ ହାତ ମାରିଲା …
ଦିନ କେଇଟା ରେ ସେ ମାଂସ ପିସାଷି ,
ମୋ ଶରୀର କୁ ଝୁଣି ଖାଇଲା …!!!

କାଚ ଆଇନା ରେ ମୁହଁ ଦେଖିଦେଲେ ,
ମନେ ପଡ଼ି ଯାଏ ସବୁ କଥା …
କାହାକୁ କହିବି କେମିତି ସହିବି ,
ସେଦିନ ର ଅଭୁଲା ବ୍ୟଥା …
ମୁଁ ନାବାଳିକା ନ୍ୟାୟ ପାଇଁ ଲଢେ ,
ବଖାଣି ମୋ ମନ ର କଥା ….
ବଖାଣି ମୋ ମନ ର କଥା …!!!!

ସକ୍ରିୟ ହେଉଛି ଅଲିଉଡ଼ ଜଗତ ; ଖୁବ୍ ଶୀଘ୍ର ପରଦା କୁ ଆସିବ ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ୍ -୧୯ ର ଅନଲକ୍ ପର୍ଯ୍ୟାୟ ରେ ଏବେ ଧୀରେ ଧୀରେ ସକ୍ରିୟ ହେଉଛି ଅଲିଉଡ଼ ଜଗତ । ଲକ୍ ଡାଉନ ପରଠାରୁ ନିସ୍ତଦ୍ଧ ହୋଇଯାଇଥିଲା ସିନେ ଜଗତ । ଲୋକ ମାନଙ୍କ ମନୋରଞ୍ଜନ ସକାଶେ ବର୍ତ୍ତମାନ ବିଭିନ୍ନ ପ୍ରଡକ୍ସନ୍ ପକ୍ଷରୁ ଆରମ୍ଭ ହୋଇଛି ମ୍ୟୁଜିକାଲ୍ ଭିଡ଼ିଓ ର ସୁଟିଂ । ବନ୍ଧୁତା ରୁ ପ୍ରେମ ସମ୍ପର୍କ କୁ ନେଇ ରଚିତ ଏକ କାହାଣୀ ରୁ ଆରମ୍ଭ ହୋଇଛି ଏହି ମ୍ୟୁଜିକ ଭିଡ଼ିଓ । ଏହି ମ୍ୟୁଜିକ୍ ଭିଡ଼ିଓ ରେ ଅଭିନେତ୍ରୀ ଭାବେ ନଜର ଆସିବେ ଶୀତଲ ଏବଂ ଅଭିନେତା ଭାବେ ନଜର ଆସିବେ ମହାପ୍ରସାଦ । ଏହାକୁ ପ୍ରଯୋଜନା କରିଛନ୍ତି ଶ୍ରୀମତୀ ସ୍ୱପ୍ନା ସ୍ୱାଇଁ ଓ ଶ୍ରୀମତୀ ସୋନାଲି ଦାଶ ସେଭଳି ଏହାର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ଯୁବ ନିର୍ଦ୍ଦେଶକ ବିରେନ୍ । ଏଥିରେ ସଂଗୀତ ନିର୍ଦ୍ଦେଶକ ଭାବେ ଶ୍ରୀ ବୈଦ୍ୟନାଥ ଦାଶ ରହିଥିବା ବେଳେ କଣ୍ଠଦାନ କରିଛନ୍ତି ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ବୈଭବ ଏବଂ ଏହାର ଗୀତିକାର ରହିଛନ୍ତି ସିଲୁ ବିଭୁ । ଏଥିର ପ୍ରଡକ୍ସନ୍ ଦାୟିତ୍ଵ ରେ ରହିଛନ୍ତି ଯୁବ ଲେଖକ ତଥା ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ । ଏହି ମ୍ୟୁଜିକ୍ ଭିଡ଼ିଓ ଟି ରାୟଗଡ଼ା ଜିଲ୍ଲା ଗୁଣପୁର ଏବଂ ଗଜପତି ଜିଲ୍ଲା ର ଆଖ ପାଖ ଅଞ୍ଚଳ ରେ ସୁଟିଂ କରାଯାଇଛି । ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ପକ୍ଷରୁ ଚଳିତ ମାସ ପରଦା କୁ ଆସିବାକୁ ଯାଉଛି ଏହି ସୁନ୍ଦର ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” । ଏହି ମ୍ୟୁଜିକ୍ ଭିଡ଼ିଓ ଟି ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ରିଲିଜ୍ ହେବ ବୋଲି ପ୍ରଯୋଜିକା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରି କାଳୀପୂଜା ରେ କରୋନା କଟକଣା କୁ ମାନି ଚଳିବା ସହ ଘରେ ରହି ଏହି ମ୍ୟୁଜିକ୍ ଭିଡିଓ କୁ ଭରପୁର ମନୋରଞ୍ଜନ ଉପଭୋଗ କରନ୍ତୁ ଏବଂ କଳାକାର ଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାୟଗଡ଼ା ବାସୀ ।

ବ୍ୟୁରୋ ରିପୋର୍ଟ – କୋଭିଡ 19 ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ରାୟଗଡ ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଦ ସେଠୀ ଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟା ପରିଚାଳନା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଜିଲ୍ଲାର ବୁଦ୍ଧିଜୀବି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ତତସଙ୍ଗେ ଶ୍ରୀ ସେଠୀ ଙ୍କ କାର୍ଯ୍ୟ ଦକ୍ଷତା କରୋନା ସଂକ୍ରମିତ ପରିସ୍ଥିତିରେ ରାଜ୍ୟ ବାସୀଙ୍କୁ ଏକ ନୂଆ ଦିଶା ପ୍ରଦର୍ଶନ କରିବ ବୋଲି ଏଥର ସମ୍ଭାଳ ପରିବାର ପକ୍ଷରୁ ଆଶା ପୋଷଣ କରାଯାଇଛି ।

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ରେ ଏକଜୁଟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ; ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ନିଷ୍ପତି ଗ୍ରହଣ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ଉଦ୍ଧେଶ୍ୟ ନେଇ ଆଜି ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପରିସର ରେ ଓଡିଶା ର ସମସ୍ତ ପତ୍ର ପତ୍ରିକା , ସେଟଲାଇଟ ଓ ୱେବ ନ୍ୟୁଜ୍ ଚ୍ୟାନେଲ ର ସାମ୍ବାଦିକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଶ୍ରୀ ଲିଙ୍ଗରାଜ ସାହୁ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକ ରେ ଭୁବନେଶ୍ୱର ରେ କାର୍ଯ୍ୟରତ ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକ ରେ ଚିଠା କମିଟି ଏବଂ ଯୋଗାଯୋଗ କମିଟି ଗଠନ କରାଯାଇଛି । ଆଗାମୀ ଦିନ ରେ ଯୋଗାଯୋଗ କମିଟି ସଦସ୍ୟ ମାନେ ବିଧାୟକ ମାନଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ବିଧାନସଭା ରେ ବିଧେୟକ ଆଗତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବିଧେୟକ ଆଇନ ରେ ପ୍ରଣୟନ ହେବା ପାଇଁ ଆବଶ୍ୟକ ସ୍ଥଳେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବାଚସ୍ପତି ଙ୍କୁ ଭେଟିବା ନିମନ୍ତେ ବୈଠକ ରେ ସ୍ଥିର କରାଯାଇଛି । ଓଡିଶା ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ର ରେ ହେଉଥିବା ଅମାନୁଷିକ ଅତ୍ୟାଚାର , ଗୁଣ୍ଡାଗିରି ଓ ଅପମାନ କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି ଦୃଢ ନିନ୍ଦା କରିଛନ୍ତି । ଏହି ଆଇନ ପ୍ରଣୟନ ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ , ସମସ୍ତ ସାମ୍ବାଦିକ ସଙ୍ଗଠନ ଏକଜୁଟ ହୋଇ ଦାବୀ ହାସଲ ଦିଗରେ ଆଗେଇ ଆସିବା ପାଇଁ ଶ୍ରୀ ଶତପଥି ଅନୁରୋଧ କରିଛନ୍ତି ।

୫ ବର୍ଷରେ ବର୍ଷା ଜଳ ସଂରକ୍ଷଣ ଶୂନ: ୧୦୦କୋଟି ନେଇଥିଲେ ଏବେ ପୁଣି ୨୧୮କୋଟି

ଏଥର ସମ୍ଭାଳ ବ୍ୟୁରୋ – ରାଜ୍ୟରେ ବର୍ଷା ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଭୂତଳ ଜଳର ଅପବ୍ୟବହାର ରୋକିବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଭୂତଳ ଜଳ ଆଇନ କାର୍ଯ୍ୟକାରୀ ହେବାର ୮ବର୍ଷ ବିତିଲାଣି । ବର୍ଷା ଜଳ ସଂରକ୍ଷଣ ପାଇଁ ଗତ ୨୦୧୫ ଜାନୁୟାରୀ ମାସରେ ୧୦୦କୋଟି ଟଙ୍କାର ବଜେଟ୍ ସହ ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ। କିନ୍ତୁ ଏବେ ୫ବର୍ଷ ବିତିବାକୁ ବସିଲାଣି କିନ୍ତୁ ସେ ଯୋଜନାର ମାତ୍ର ୪୫% ଖର୍ଚ୍ଚ ହୋଇଥିବାବେଳେ ଏବେ ପୁଣି ଆଉ ଏକ ୩ବର୍ଷିଆ ଯୋଜନା ଆଣି ୨୧୮କୋଟି ଖର୍ଚ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକି ଯୋଜନା ନାଁରେ ରାଜକୋଷ ପାଣ୍ଠିକୁ ହରିଲୁଟ୍ କରିବାରେ ଓଡ଼ିଶା ସରକାର ପାରଙ୍ଗମତାକୁ ଦର୍ଶାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ‘ଭୂତଳ ଜଳ ରିଚାର୍ଜ ଓ ସଚେତନତା କାର୍ଯ୍ୟକ୍ରମ’ ନାଁରେ ଏକ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନା ରାଜ୍ୟର ୫୫ଟି ବ୍ଲକରେ କାର୍ଯ୍ୟକ୍ଷମ କରିବା ପାଇଁ ଚିହ୍ନଟ ହୋଇଛି। ୪୪ଟି ବ୍ଲକରେ ଭୂତଳ ଜଳ ସ୍ଥିତି କ୍ରମାଗତ ହ୍ରାସ ପାଉଥିବାବେଳେ ୫ଟି ବ୍ଲକରେ ସ୍ଥିତି ଗୁରୁତର ଅଛି। ୬ଟି ବ୍ଲକରେ ସାଲାଇନ୍ ସ୍ତର ରହିଛି। ଏହି ସବୁ ବ୍ଲକରେ ପ୍ରତିବର୍ଷ ୧୦୦ଟି ଘରୋଇ କୋଠା ଓ ୫ଟି ସରକାରୀ କୋଠାର ଛାତ ଉପରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯିବ। ୬୦୦ଟି ଅଚଳ ନଳକୂପ ଓ ବୋରୱେଲକୁ ସଚଳ କରାଯିବ। ଏହାସହିତ ବର୍ଷା ଜଳ ସଂରକ୍ଷଣ ପ୍ରଚାର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ କୁ ନିଷ୍ପତ୍ତି ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ୨୦୧୧ ମସିହାରେ ଭୂତଳ ଜଳ ଆଇନ କାର୍ଯ୍ୟକ୍ଷମ ହେବାପରେ ୪ବର୍ଷ ଧରି ଅଚିନ୍ତାରେ ଶୋଇଥିବା ରାଜ୍ୟ ସରକାର ୨୦୧୫ ଜାନୁୟାରୀ ମାସରେ ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ ସହ ଏକ ନୂଆ ଯୋଜନା କାର୍ଯ୍ୟକ୍ଷମ କଲେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁର ସହର ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହ ଘରୋଇ କୋଠାରେ ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଘୋଷଣା କଲେ। ପ୍ରଥମ ପର୍ଯ୍ୟାୟରେ ୫୫୦ଟି ସରକାରୀ କୋଠା ଓ ୧୬,୪୦୫ଟି ଘରୋଇ କୋଠା ଛାତ ଉପରେ ଏହି ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଗଲା । ମାତ୍ର ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବର୍ଷା ଜଳ ସଂରକ୍ଷଣ ବାବଦରେ ଏହି ୧୦୦କୋଟି ଟଙ୍କାରୁ ମାତ୍ର ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର, ରାଉରକେଲା ଓ କଟକରେ ମାତ୍ର ୧୦ଟି କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇଥିବାବେଳେ ଭୁବନେଶ୍ୱରରେ ମାତ୍ର ୧୩୧ଟି କୋଠା ଓ ସମଗ୍ର ରାଜ୍ୟରେ ମୋଟ ୯୪୩୮ଟି ଘରୋଇ କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

୨୦୧୧ ମସିହା ଭୂତଳ ଜଳ ଆଇନରେ ସରକାରୀ କୋଠାର ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାର ପ୍ରାବଧାନ ଥିବାବେଳେ ଏହାକୁ ଖୋଦ୍ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏକ ଆକଳନ ଅନୁସାରେ ୨୦୧୫ ଜାନୁୟାରୀ ମାସ ପରଠୁ ରାଜ୍ୟରେ ନିର୍ମାଣ ହୋଇଥିବା ପ୍ରାୟ ୮୫୦ଟି ସରକାରୀ କୋଠା ମଧ୍ୟରୁ ମାତ୍ର ୩୦% କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସମ୍ଭବପର ହୋଇପାରିଛି।

ତେଣୁ ୫ବର୍ଷ ମଧ୍ୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ନାଁରେ ରାଜକୋଷ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ପୁଣିଥରେ ୨୧୮କୋଟି ଟଙ୍କା ପ୍ରାବଧାନ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।