ଆଜି ଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) : ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହା ସହ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରିତ ହୋଇଯିବ। ସେହିପରି ମଥୁରାର ସିଂହାସନ ଦଖଲ ପରେ ମହାରାଜା କଂସଙ୍କ ରାଜତ୍ୱରେ ଥରହର ହୋଇପଡିବ ତ୍ରିଭୁବନ। ଏଗାର ଦିନର ଏହି ମହାନାଟକର ଶୁକ୍ରବାର ଉଦଘାଟନକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ତଥା ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହାଟପଦାଠାରେ ମହାରାଜା କଂସଙ୍କ ସୃଦୃଶ୍ୟ ରାଜଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଗୁଣପୁର ପୋଲିସ ର କାର୍ଯ୍ୟ କୁ ବିରୁଦ୍ଧ କରି ଆଇନଜୀବୀ ଙ୍କ ୨ ଦିନିଆ କାର୍ଯ୍ୟବନ୍ଦ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କୁ କେନ୍ଦ୍ର କରି ସ୍ଥାନୀୟ ପୋଲିସ ପକ୍ଷରୁ  ବ୍ରହ୍ମାନନ୍ଦ ପଟ୍ଟନାୟକ , ବିଶ୍ୱନାଥ ସାହୁ , ସନ୍ତୋଷ ସାହୁ , ପ୍ରମୋଦ ସାହୁ ଓ ଏସ୍ ବାବା ପ୍ରସାଦ ଓକିଲ ଏବଂ ଅନ୍ୟ ୩୦ ଜଣ ଓକିଲ ଙ୍କ ନାମରେ କେସ୍ ନମ୍ବର୍ – ୩୬୬/୨୦୧୮ କ୍ରମେ  ଭାରତୀୟ ପିଙ୍ଗଳ କୋଡ଼୍ ଧାରା ୧୪୩ , ୧୪୯ , ୨୯୦ ଓ ୪୩୧ କ୍ରମେ କେସ୍ ଦାୟାର କରିଥିବା ଜଣା ପଡ଼ିଛି ।

ବନ୍ଦ ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ର ବ୍ୟବସାୟୀ ପ୍ରତିଷ୍ଠାନ , ବସ୍ , ଟ୍ରକ , ଅଟୋ କର୍ମଚାରୀ ଏବଂ ଛାତ୍ର ସଙ୍ଗଠନ ଏଥିରେ ସାମିଲ ହୋଇ ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ । ବନ୍ଦ ଦିନ ସ୍ଥାନୀୟ ଅଞ୍ଚଳ ରେ କୌଣସି ଦଙ୍ଗା , ହର୍ତାଳ  କିମ୍ବା ଭଙ୍ଗାରୁଜା ଭଳି କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଏଭଳି ଏକ ମାମଲା ଓକିଲ ମାନଙ୍କ ବିରୁଦ୍ଧ ରେ ରୁଜ କରିଥିବା ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ବିସ୍ମୟ କରିଛି । ଏହାକୁ ବିରୋଧ କରି ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଆହ୍ୱାନ କରାଯାଇଥିଲା ।

ଏହି ବୈଠକ ରେ ସମସ୍ତ କାର୍ଯ୍ୟରତ ଓକିଲ ବୃନ୍ଦ ଯୋଗଦେଇ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟ କଳାପ ପ୍ରତି ନିନ୍ଦା ପ୍ରକଟ କରିଥିଲେ । ବୈଠକ ର ନିଷ୍ପତି କ୍ରମେ ଗୁଣପୁର ଓକିଲ ସଂଘ ପକ୍ଷରୁ ୨ ଦିନିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । କାହା ନିର୍ଦ୍ଧେଶ ରେ ଗୁଣପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଙ୍କ ଦ୍ୱାରା ଓକିଲ ଙ୍କ ବିରୋଧ ରେ ଏଭଳି ମକଦମା ରୁଜୁ କରାଯାଇଛି ତଦନ୍ତ କରାଯିବା ସହ ଥାନା ଅଧିକାରୀ ଶ୍ରୀ ପାତ୍ର ଗୁଣପୁର ବାର୍ କାଉନସିଲ ନିକଟ ରେ କ୍ଷମା ପ୍ରାର୍ଥନା କରିବା ଲାଗି ସଂଘ ସଭାପତି ଶ୍ରୀ ବ୍ରହ୍ମା ନନ୍ଦ ପଟ୍ଟନାୟକ ଜଣାଇଛନ୍ତି । ଓକିଲ ଏବଂ ପୋଲିସ ଙ୍କ ମଧ୍ୟରେ ହୋଇଥିବା ଏହି ମତାନ୍ତର ର ସମାଧାନ ନେଇ କତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ ଏହା ର ପ୍ରତିଫଳନ ସ୍ଥାନୀୟ ଜଣ ସାଧାରଣ ଙ୍କ ଜୀବନ ଜୀବିକା ଉପରେ ପଡିବ ସମ୍ଭାବନା କୁ ଦୂରେଇ ଦିଆଯାଇନପାରେ  ।

ଆଇନଜୀବୀ ଙ୍କ ମଧ୍ୟରେ ଏହାକୁ ନେଇ ଘନଉ ଥିବା ତାତି ର ଉପଶମ ନ ହେଲେ ବରିଷ୍ଠ ନାଗରିକ କହିବେ ଏଥକୁ ଏଥର ସମ୍ଭାଳ

 

ଜମିବାଡ଼ିକୁ କେନ୍ଦ୍ର କରି ମାଡ଼ପିଟ:ମହିଳା ଗୁରୁତର

ବେଲପାହାଡ଼: ବେଲପାହାଡ ଗୁମାଡେରା ସ୍କୁଲ ପଡାରେ ୩ ଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର ମାଡପିଟ ହୋଇଛି। ଏଥିରେ ବଡଭାଇ ଆକ୍ରମଣରେ କରିବାରୁ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ମହିଳାକୁ ଜାହାଙ୍ଗୀର ଗାନ୍ଧି ହସପିଟଲରେ ଚିକିତ୍ସା କରିବା ପରେ ଚିକିତ୍ସକ ଆହତ ମହିଳାକୁ ବୁର୍ଲା ପଠାଇଥିବା ଜଣାପଡିଛି। ଆହତ ମହିଳାଙ୍କ ନାଁ ସଂଯୁକ୍ତା ହାତି। ତିନି ଭାଇ ବଡବାବୁ ହାତି (୩୫), ସଂକୀର୍ତନ (୨୨) ଓ ଚୁନୁ ମଧ୍ୟରେ ଜମିବାଡ଼ି ବିବାଦ ରହିଛି। ବଡ ଭାଇ ଠେଙ୍ଗାରେ ଆକ୍ରମଣ କରିବାରୁ ଚୁନୁ ହାତିଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବେଲପାହାଡ଼ ପୁଲିସ ଘଟଣାର ଖବର ପାଇଁ ଅନୁସଂଧାନ ଜାରି ରଖିଛି।

ବିବାହ ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ

ଝାରସୁଗୁଡ଼ା: ମିଥ୍ୟା ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିବା ଜଣେ ନାବାଳକ ବିରୋଧରେ ଅଭିଯୋଗ ଆଣିଛନ୍ତିି ଜଣେ ନାବାଳିକା। ଏନେଇ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଏହି ନାବାଳିକାର ବୟସ ୧୫ ହୋଇଥିବା ବେଳେ ଅଭିଯୁକ୍ତର ବୟସ ୧୭ ବୋଲି ଜଣାପଡ଼ିଛି। ନାବଳିକାର ମାଁ ନଥିବା ବେଳେ ବାପା ଅଛନ୍ତି। ତେବେ ସେ ଝାରସୁଗୁଡ଼ା ଠାରେ ଜଣେ ସଂପର୍କୀୟଙ୍କ ଘରେ ଗତ ଏକ ମାସ ହେଲା ରହୁଛନ୍ତି। ଏହି ସମୟ ମଧ୍ୟରେ ନାବାଳିକା ସହିତ ନିକଟରେ ରହୁଥିବା ସଂପୃକ୍ତ ନାବାଳକର ସଂପର୍କ ଗଢ଼ି ଉଠିଥିଲା ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ହୋଇଥିଲା। ନାବାଳକ କୁଆଡ଼େ ଉକ୍ତ ନାବାଳିକାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ପରେ ମନା କରିବାରୁ ନାବାଳିକା ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୁଲିସ ମାମଲା ରୁଜୁ କରି ନାବାଳକ ନାମରେ ପୋକସୋ ଧାରା ୪ ଓ ଆଇପିସି ୩୬୯ ଦାୟାର କରି ତଦନ୍ତ ଆରମ୍ଭ କରିଛି। ନାବାଳିକାର ଡାକ୍ତରୀ ମାଇନା ପରେ ତାକୁ ଚାଇଲ୍‌ଡ଼ ଲାଇନ ସହାୟତାରେ ସିଡବ୍ଲୁସିରେ ଉପସ୍ଥାପନ କରାଯାଇଥିଲା । ପରେ ଓପନ୍‌ ସେଲ୍‌ଟରକୁ ପଠାଯାଇଛି।

ଟ୍ରାକ୍ଟରରୁ ଖସି ଯୁବତୀଙ୍କ ମୃତ୍ୟୁ

ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ଥାନା ଦଲଗୁଡ଼ା ଠାରେ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ିବାରୁ ଜୀବାନ ମାଝୀ(୧୮)ଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ରାମଗିରିରୁ ଟ୍ରାକ୍ଟର (ଓଆର ୧୮- ୪୬୧୮)ରେ ୬ଜଣ ମହିଳା ବାଲି ନେବା ପାଇଁ ଥୁଆମୂଳ ରାମପୁର ଅଞ୍ଚଳର କୁକୁଡ଼ାଗୁଡ଼ାକୁ ଆସୁଥିଲେ। ଏହି ସମୟରେ ଦଲଗୁଡ଼ା ନିକଟରେ ଟ୍ରାକ୍ଟରରେ ବସିଥିବା ଜୀବାନ ଭାରସାମ୍ୟ ହରାଇ ପଡି ଯାଇଥିଲେ। ଟ୍ରାକ୍ଟର ଟ୍ରଲିର ଚକ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭର ଭରତ ମାଝୀ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।

ଏବେଠୁ ଦେଖା ଦେଲାଣି ଜଳ ସଂକଟ

ବୌଦ୍ଧ: ବୌଦ୍ଧ ସହର ମହାନଦୀ କୂଳରେ ଅବସ୍ଥିତ ହୋଇଥିଲେ ଏଠାରେ ଜଳ କଷ୍ଟ ଉତ୍କଟ ରୂପ ଧାରଣ କରୁଛି। ମହାନଦୀ ଏଠି ପ୍ରଶସ୍ତ ହୋଇଥିଲେ ମଧ୍ୟ ଏବେ ନଦୀର କଳେବର କେବଳ ବାଲିରେ ଭର୍ତ୍ତି ହୋଇ ଗଲାଣି। ଏକ କ୍ଷୀଣ ସ୍ରୋତରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଖରା ଦିନରେ ଏହାର କାୟା ଆହୁରି କ୍ଷୀଣ ହେବାର ଆଶଙ୍କା ଦେଖାଦେଲାଣି। ଜିଲ୍ଲା ସଦର ମହକୁମାର ବୁଟୁପାଲି, ରାଜନପାଲି ଅଞ୍ଚଳରେ ଖରାଦିନରେ ଜଳ ସଂକଟ ତୀବ୍ର ରୂପ ଧାରଣ କରିଥାଏ। ସହରକୁ ମହାନଦୀରୁ ଜଳ ଯୋଗାଣ ପାଇଁ ଯୋଜନା ରହିଥିଲେ ହେଁ କାର୍ଯ୍ୟକାରୀ ହୋଇନାହିଁ। ମହାନଦୀ ତଳ ମୁଣ୍ଡରେ ଆନିକଟ କରାଯାଇ ପାରିଲେ ବୌଦ୍ଧ ସହରର ଅଧିବାସୀଙ୍କ ପାନୀୟ ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ ନଦୀରେ ଜଳ ପ୍ରବାହ ମଧ୍ୟ ଲାଗି ରହନ୍ତା ମାତ୍ର ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରି ନାହିଁ। ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ସବୁଠୁ ଉତ୍କଟ। ଏଠାରେ ଏବେବି ଲୋକେ କାଦୁଅ ମିଶା ପାଣି ନାଳରୁ ସଂଗ୍ରହ କରୁଛନ୍ତି।