ଘନ କୁହୁଡ଼ି ଲାଗି ପୁରୀରେ ଦେଖାଯାଉନି ଶ୍ରୀମନ୍ଦିର ଓ ସମୁଦ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି। ଶନିବାର ଓ ରବିବାର ଭୁବନେଶ୍ୱର ସହିତ କଟକରେ ଘନ କୁହୁଡ଼ି ପଡ଼ିଥିଲା। ଗତକାଲି ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ବହୁତ କମ୍ ଥିଲା। ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ଟିକେ ଅଧିକ କୁହୁଡ଼ି ପଡ଼ିଛି। କିନ୍ତୁ ଏହା ଶନିବାର ଓ ରବିବାର ଅପେକ୍ଷା ବହୁତ କମ୍। ଆଜି କୁହୁଡ଼ିରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ବସ୍ତୁ ଦୃଶ୍ୟମାନ ହେଉଛି। କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ କଟକ, ଭୁବନେଶ୍ୱର ନୁହେଁ, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ କୁହୁଡ଼ି ପଡ଼ୁଛି। ପୁରୀରେ ଚାରି ଦିନ ହେଲା ଘନ କୁହୁଡ଼ି ପଡୁଛି। ଘନ କୁହୁଡ଼ି ଯୋଗୁ ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର ଦେଖାଯାଉ ନାହିଁ। ସମୁଦ୍ରର ଲହରୀର ଶବ୍ଦ କେବଳ ଶୁଭୁଛି। ଏଠାରେ ବି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

କୁହୁଡ଼ି ଯୋଗୁ ଗତକାଲି କେନ୍ଦ୍ରାପଡ଼ାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ମାତ୍ରା ଏତେ ଅଧିକ ନାହିଁ ବୋଲି ଜଣାପଡ଼ିଛି। କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଶୀତ କମିଛି। ଏବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସାମାନ୍ୟ ଠାରୁ ୩ ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଛି। ଯଦିଓ ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା,  ଆଗକୁ ଧୀରେ ଧୀରେ ଶୀତ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା ନେଇ ; ଦାଏର ହେଲା ବିଧିବଦ୍ଧ ଏତଲା ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଧିବଦ୍ଧ ଭାବେ ଏତଲା ଦାଏର ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍‌ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଛନ୍ତି। ଗତ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା।

୧୬ ତାରିଖରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏତଲା ନଯିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।

ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ ବୋର୍ଡ କେବଳ ଚିଠି ପଠାଇଛି, ସେ ଚିଠି ଆମେ ପାଇଛୁ। ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ବଦଳିବନି ଏଏସ୍‌ଓ ପରୀକ୍ଷା ର ତାରିଖ ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ବଦଳିବନି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷା ତାରିଖ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରେ ହିଁ ପରୀକ୍ଷା ହେବ। ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଏର ପିଟିସନକୁ ଖାରଜ କରି ପରୀକ୍ଷା ଆଉ ଘୁଞ୍ଚି ପାରିବନି ବୋଲି କହିଛନ୍ତି ହାଇକୋର୍ଟ। ମଝିରେ ମାତ୍ର ଦିନଟିଏ ଥିବାରୁ ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ସିଧାସଳଖ ମନାକରିଦେଇଛନ୍ତି। ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ସହ ଜାତୀୟସ୍ତରର ଆଇବିପିଏସ୍ ମେନ୍ ଏବଂ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଛି। ତେଣୁ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିଲା। ତେବେ କୌଣସି କାରଣ ବଶତଃ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପରୀକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣା ଦେଇଥିଲେ।

ବରୀ ଠାରେ ୨ୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ବ୍ଲକ ଠାରେ ୨ୟ ପର୍ଯ୍ୟାୟ ରେ ପିଠା କାର୍ଯ୍ୟକ୍ରମ ବାଲିଆ ପଞ୍ଚାୟତ ସ୍ଥାନୀୟ ଜାଗୁଳାଇ ଛକ ରାଜୀବ ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ପିଠା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ଦେବାଶିଷ ନାୟକ ଯୋଗ ଦେଇ ନବୀନ ପଟ୍ଟନାୟକ ମା ମାନଂକ ପାଈଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ କରିଛନ୍ତି ବୋଲି ସୁଚନା ଦେଇଥିଲେ ।

ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ରକମ୍ ର ପିଠା ତିଆରି କରି ଆଣିବା ଦେଖିବାକୁ ମିଳିଥିଲା ।

ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ପ୍ରବୀର ଜେନା , ସମିତି ସଭ୍ୟ ପ୍ରଦୀପ ଘଡେଇ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ , ବ୍ଲକ ବିଜେଡ଼ି ସଭାପତି ସେକ୍ ସଫିକ୍ ଉଦ୍ଦୀନ୍ ପିଠା ଏକ ଜନହିତକର କାର୍ଯ୍ୟକ୍ରମ ବୋଲି କହିଥିଲେ ।

ପରିଶେଷରେ ହିତାଧିକାରୀ ଙ୍କୁ ଏଲ ଇ ଡ଼ି ବଲ୍ ବଣ୍ଟନ ଓ ଅଙ୍ଗନବାଡି ସହାୟିକା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନୋଟିସ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) – ଗତ ୨୮ ତାରିଖ ଦିନ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଛି । ଏହାର ଜବାବ ସପ୍ତାହ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ପୁଲିସ୍ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ସେବାୟତ ଭବାନୀ ଶଙ୍କର ମହାପାତ୍ର ଆହତ ହୋଇଥିଲେ। ତାଙ୍କୁ ପୁଲିସ୍ କର୍ମଚାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସେବାୟତମାନେ ତା’ ପରଦିନ ଅର୍ଥାତ୍ ୨୮ ତାରିଖରେ ଶ୍ରୀଜିଉଙ୍କ ନୀତିକାନ୍ତ ବନ୍ଦ କରିଥିଲେ ।

ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦର୍ଶନ କରି ନପାରିବା ହେତୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଭକ୍ତଗଣ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିବା ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଥିଲା । ପରି ଶେଷରେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସୁଧୁରି ଅପରାହ୍ନ ରେ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଗଣ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

 

କେଉଁଝର ରାଜନୀତି ଘଡିକେ ଘୋଡା ଛୁଟୁଛି : କୁଶ ଦଳକୁ ଫେରିଲେ, ସନା ଦଳ ଛାଡିଲେ ।

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ଆଜି କେନ୍ଦୁଝର ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବହୁଦିନର ପ୍ରତୀକ୍ଷା ଆଉ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବିଜେଡିରୁ ନିଲମ୍ବିତ ହୋଇଥିବା କୁଶ ଆପଟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ | ଅନ୍ୟପକ୍ଷରେ ଅନ୍ୟ ଏକ ବିଶ୍ୱସ୍ତ ଖବର ଅନୁଯାୟୀ କୁଶଙ୍କୁ  ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା  ବିତ୍ତଶାଳୀ ତଥା ବାହୁବଳୀ ଚମ୍ପୁଆ ବିଧାୟକ ସନାତନ ମହାକୁଡ ନିଜ ଦ୍ୱାରା ଗଠିତ ଜନ ସମୃଦ୍ଧି ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏହି ଖବର କେତେ ସତ ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ, ତଥାପି ଦଳର ସଭାପତି ହୋଇ ସନା କାହିଁକି ଦଳରୁ ଇସ୍ତଫା ଦେବାର ପରିସ୍ଥିତି ଆସିଲା ତାହାକୁ ନେଇକି ଏବେ ଚର୍ଚ୍ଚା | ଉଭୟ ଘଟଣା ଗୋଟିଏ ଦିନରେ ଆଉ ମାତ୍ର ଘଂଟାଏ ବା ଦି ଘଣ୍ଟା ବ୍ୟବଧାନରେ ଘଟିବା ଚମ୍ପୁଆ ରାଜନୀତିକୁ ଗରମ କରି ଦେଇଛି |  ସନା ବିଜେଡିରେ ଯୋଗ ଦେବେନି ତ ! କୁଶଙ୍କୁ ବିଜେଡି ଟିକଟ ମିଳିବ ତ ! ନା  କୁଶ ବିଜେଡିରୁ ଆଉ ସନାତନ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ !!! ହେଉଥିବା ଚର୍ଚା ଅନୁଯାୟୀ ସନା କୁଆଡେ ଘର ଲେଉଟାଣି କରିବେ ! ଗତ କିଛି ମାସ ଧରି ପୁଣି ସକ୍ରିୟ ହୋଇଥିବା ଜିତୁ ପଟ୍ଟନାୟକଙ୍କ ସ୍ଥିତି କଣ ହେବ , ବିଜେଡି ନ କଂଗ୍ରେସ!!! ଏହାକୁ ହେଇ ଚର୍ଚ୍ଚା ଜୋରଦାର |

ସେ ଯାହାବି ହେଇ, କୁଶ ଆପଟଙ୍କ ବିଜେଡିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ସ୍ୱାଗତ କରିଥିବା ଜଣା ପଡ଼ିଛି।

ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ବିକାଶ ଚାହିଁଲେ ନାହିଁ :ଧର୍ମେନ୍ଦ୍ର ପ୍ରଧାନ

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । କିନ୍ତୁ ବିକାଶରେ ଓଡିଶାସରକାର ବାଧକ ସାଜିଛନ୍ତି । ଯାହାଦ୍ୱାରା ଓଡିଶାର ବିକାଶ କାମ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶାକୁଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ ସେ ଆସିଲେ ନାହିଁ । ଗତ ଥର ବାରିପଦାକୁ ମଧ୍ୟ ଆସିନଥିଲେ । ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ଉନ୍ନତି ଚାହିଁଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରେ କୃଷକମାନଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ବ୍ୟବସ୍ଥା କଲେ ।

ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଅବସରରେ ଆୟୋଜିତ ଏକ ବିଶାଳ ଜନସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଦରକାର । ତେବେ ରାଜ୍ୟର ବିକାଶ କଥାକୁ ଆଖି ବୁଜି ଦେଇ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି । ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରୋ କିଛି ମାସ ପୂର୍ବେ ଛତିଶଗଡର ବିଧାନସଭା ନିର୍ବାଚନ ଅବସରରେ ଏ ମାଟିର ବରପୂତ୍ର ଦୂରଦର୍ଶନ କ୍ୟାମେରା ମ୍ୟାନ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁ ଆତାତୀୟୀଙ୍କ ଗୁଳିରେ ପ୍ରାଣ ହରାଇ ଦେଶ ପାଇଁ ଶହୀଦ ହୋଇଥିଲେ । ଏମାଟି ତାଙ୍କର ବଳିଦାନକୁ ଅନ୍ୟଥା ହେବାକୁ ଦେବ ନାହିଁ । ଯେଉଁମାନେ ବନ୍ଧୁକ ମୁନରେ ଦେଶର ପ୍ରଜାତନ୍ତ୍ରକୁ ଦୂରେଇବା ପାଇଁ ଚାହଁଛନ୍ତି ତାଙ୍କୁ ଏହି ବଳିଦାନ ଉଚିତ ଜବାବ ଦେବ । ପ୍ରଧାନମନ୍ତ୍ରୀ ପର୍ବଦୋୟର ବାର୍ତାକୁ ନେଇ ଆସୁଛନ୍ତି । ଭାରତ ଦେଶ ଏକ ଅଗ୍ରଣୀ ଦେଶ । ଭାରତ ବଷର୍ର ସବୁ ଅଂଚଳ ସମତୁଲ ବିକଶିତ ହେଲେ, ଭାରତର ବିକାଶ ହେବ । ପୂର୍ବ ଭାରତ ବିକଶିତ ହେଲେ ଦେଶର ବିକାଶ ହୋଇପାରିବ । ସ୍ୱାଧୀନତାର ୭୦ ବର୍ଷ ପରେ ପୂର୍ବ ଭାରତର ବିକାଶ ହୋଇପାରିନଥିବାରୁ ଏହା ଅନେକ ସମସ୍ୟାରେ ଜର୍ଜରିତ ଅବସ୍ଥାରେ ଅଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ବିଗତ ୩୦ ଦିନରୁ କମ ମଧ୍ୟରେ ପବିତ୍ର ପୂଷପୁନୀ ଅବସରରେ ପୂର୍ବ ଭାରତର ସଙ୍କଳ୍ପକୁ ନେଇ ଉପହାର ଦେବାକୁ ଆସିଛନ୍ତି ।

ବଲାଙ୍ଗୀର, ବରଗଡରେ ଶିଳ୍ପ ହେଉ । ବଲାଙ୍ଗୀରରେ ହଜାର କୋଟି ଟଙ୍କା ବ୍ୟୟ କରି ନଡା ରୁ ପେଟ୍ରୋଲ ବାହାର କରିବାର ବିକଳ୍ପ ପ୍ରକଳ୍ପ ମୋଦି ସରକାର କରିଛନ୍ତି । ଯୁବକଙ୍କୁ ରୋଜଗାର ଦେବା ଓ ଚାଷୀର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏ ପ୍ରକଳ୍ପ ଆରମ୍ଭ ହୋଇଛି । ବାଲାଙ୍ଗୀରରେ ୧୦୦ କୋଟି ଟଙ୍କାର ବଟଲିଂ ପ୍ଲାଂଟ ଆରମ୍ଭ ହୋଇଛି । ବରଗଡରୁ ରାୟପୁର ପର୍ଯ୍ୟନ୍ତ ଦୂରତାକୁ ଛୋଟ କରିବା ପାଇଁ, ବରଗଡରୁ ବିଜେପୁର, ପଦ୍ମପୁର -ନୂଆପଡା ପର୍ଯ୍ୟନ୍ତ ରେଳ ଲାଇନର ସର୍ଭେ କାମ ହୋଇଛି । ଖୁବ ଶୀଘ୍ର ଏ ଅଂଚଳରେ କାମ ଆରମ୍ଭ ହେବ । ଏହା ମୋଦୀ ସରକାରଙ୍କ ପୁଷପୁନୀର ଉପହାର ।

ବଲାଙ୍ଗୀର ଜିଲ୍ଲାରେ ୧୯ ବର୍ଷର ଶାସନରେ ଚାଷ ଜମିରେ ଜଳସେଚନ ନାହିଁ । ତଥ୍ୟନୁଯାଇ ଗତ ୨୦ ବର୍ଷ ଭିତରେ ୫ରୁ ୧୦ ପ୍ରତିଶତ ଅଂଚଳ ଜଳସେଚନ ହୋଇଛି । ଲୋଏର ସୁକତେଲ ପ୍ରକଳ୍ପ ର କାମ ୧୫ ବର୍ଷ ହେଲା ଚାଲିଛି କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନି । ୩୦ ବର୍ଷ ଏ ଅଂଚଳକୁ ଅଣଦେଖା ରଖାଯାଇଛି । ବଲାଙ୍ଗୀର ଜିଲ୍ଲାର ପ୍ରକଳ୍ପ ପାଇଁ କ୍ରିୟାନ୍ୱୟନ କରିବା ପାଇଁ ୩୦ ବର୍ଷ ଲାଗୁଛି । ମାଲକାନାଗିରି ରୁ ସୁନ୍ଦରଗଡ ପର୍ଯ୍ୟନ୍ତ ଓଡିଶାରେ ୧୫ଟି ଜିଲ୍ଲାରେ ବର୍ତମାନ ୨୫୦୦ କିମିର ଜାତୀୟ ରାଜପଥ ରହିଛି । ମୋଦି ସରକାର ଏଥିରେ ଆଉ ୧୭୬୭ କିଲୋମିଟର ରାସ୍ତା ଯୋଡିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟ ସରକାର ବିଭିନ୍ନ ଅନୁମତି ନଦେଇ ବିକାଶର ଏତେବଡ କାମକୁ ଜାଣିଶୁଣି ଅଟକାଇ ରଖିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ୍ ପାଇଁ ରାଜ୍ୟ ସରକାର ଜମି ଦେଇନାହାନ୍ତି । ହକି ବିଶ୍ୱକପରେ ସଲମାନ ଓ ଶାହରୁଖ ଖାଁକୁ ନଚାଇବା ପାଇଁ ପଇସା ଅଛି କିନ୍ତୁ ଶିକ୍ଷକଙ୍କ ପାଇଁ ପଇସା ନାହିଁ । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ନୂଆ ଭାରତ ତିଆରି ହେବ । ନୂଆ ଓଡିଶା ହେଲେ ନୂଆ ଭାରତ ହେବ । ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହିସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ରେଳପଥ, ଭିତିଭୂମି ଏବଂ ସହଜ ଜୀବନଧାରଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।

ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ  ଭାବେ ଝାରସୁଗୁଡ଼ା ବହୁମୁଖୀ ଲଜିଷ୍ଟିକ୍ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍ ରେଳଲାଇନ୍ ଏବଂ ସମ୍ବଲପୁର-ଅନୁଗୋଳ ରେଳ ଲାଇନ୍ର ବିଦୁ୍ୟତିକରଣ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରେଳପଥର ଦୋହରୀକରଣ ତଥା ଥେରୁବାଲି- ସିଙ୍ଗାପୁରରୋଡ ଷ୍ଟେସନ ମଧ୍ୟରେ ୫୮୮ ନମ୍ବର ବ୍ରିଜ୍ର ଲୋକାର୍ପଣ କରିଛନ୍ତି । ସେହିଭଳି ସୁବର୍ଣ୍ଣପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା  ଲାଗି ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଛନ୍ତି ।ଏହାଛଡ଼ା ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗୀର-ବିଛୁପାଲି ସେକ୍ସନ ରେଳଲାଇନ୍, ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂତନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିଭଳି ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଫୁଲବାଣୀ ଏବଂ ପୁରୀ ଡାକଘରଗୁଡ଼ିକରେ ପାସ୍ପୋର୍ଟ ସେବାକେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଅଧିକନ୍ତୁ, ପ୍ରଧାନମନ୍ତ୍ରୀ ଏହି ଗସ୍ତକ୍ରମରେ କେତେକ ସାଂସ୍କୃତିକ ମହତ୍ୱ ବହନ କରୁଥିବା ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ସେଥିମଧ୍ୟରେ ରହିଛି – ବୌଦ୍ଧ ଜିଲ୍ଲାର ନୀଳମାଧବ ଓ ସିଦେ୍ଧଶ୍ୱର ମନ୍ଦିର ଏବଂ ପଶ୍ଚିମ ସୋମନାଥ ମନ୍ଦିର ସମୂହ, ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଳ ଐତିହ୍ୟ ସଂକୁଳ ଏବଂ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗସ୍ଥିତ ପ୍ରାଚୀନ ଐତିହ୍ୟ ସ୍ଥଳୀର ବିକାଶ,ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂହଦେଓ ,ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ  ପ୍ରମୁଖ ଯୋଗ ଦେଇଥିଲେ ।

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ପାଳିତ ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବରୀ ବ୍ଲକ ଚନ୍ଦନପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୨୫ ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଗତ ୧୧ ଓ ୧୨ ତାରିଖ ଦିନ ପାଳିତ ହୋଇ ସମାପନ ହୋଇଯାଇଛି ।

ଏହି ଉତ୍ସଵ କୁ ବରୀ ବିଧାୟକ ଦେବାଶିଷ ନାୟକ ଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ ।
ଏହି ଅବସର ରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ରିତା ତରାଇ , ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର , ପରିଚାଳନା କମିଟି ର ସଭାପତି କେଦାର ସାମଲ , ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି , ଜିଲ୍ଲା ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ ଏବଂ ବିଦ୍ୟାଳୟ ପ୍ରତିଷ୍ଠାତା ଗଗନ ବିହାରୀ ଜେନା ଯୋଗ ଦେଇ କୁନି କୁନି ପିଲାମାନେ ଦେଶ ର ଭବିଷ୍ୟତ ସ୍ୱରୂପ , ବିଦ୍ୟାଳୟ ଏକ ମନ୍ଦିର , ଛାତ୍ର ଛାତ୍ରୀ ମାନେ ଦେଶ ଗଢିବାରେ ବିଶ୍ୱକର୍ମା , ଶିକ୍ଷକ ମାନେ ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ ଚଲା ପଥର ମାର୍ଗ ଦର୍ଶକ ବୋଲି ମତ ପ୍ରକାଶ କରିଥିଲେ ।

ପ୍ରଧାନ ଶିକ୍ଷକ ନିର୍ମଳ ଜେନା ଅତିଥି ପରିଚୟ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅଲ୍ଲିପୁର ଅନନ୍ତ ଗୋପାଳ ସଙ୍ଗୀତ ପ୍ରତିଷ୍ଠାନ ଦ୍ୱାରା ସଙ୍ଗୀତ ପରିବେଷଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବିଦ୍ୟାଳୟ ରେ ଆୟୋଜିତ ବକୃତା ପ୍ରତିଯୋଗିତା ର ଓଡ଼ିଆ ରେ ନବମ ଶ୍ରେଣୀ ଛାତ୍ର ସତ୍ୟମ ଶୁଭାଶିଷ ଜେନା , ଇଂରାଜୀ ରେ ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ଜେନା , ହିନ୍ଦୀ ରେ ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶନୀ ବେହେରା ଓ ସଂସ୍କୃତ ରେ ଦଶମ ଶ୍ରେଣୀ ଛାତ୍ରୀ ଆକାଂକ୍ଷା ପଣ୍ଡା କୃତିତ୍ୱ ହାସଲ କରି ପୁରସ୍କୃତ କରିଥିଲେ ।

ଉତ୍ସଵ ର ଦ୍ଵିତୀୟ ଦିବସ ରେ ସ୍କୁଲ ର ପ୍ରତିଷ୍ଠାତା ଗଗନ ବିହାରୀ ଜେନା ସଭାପତିତ୍ୱ କରିଥିଲେ । ବରୀ ବ୍ଲକ ଅଧକ୍ଷ୍ୟା ସୁନନ୍ଦା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଶିକ୍ଷାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ ।

ମଞ୍ଚ ରେ ବରିଷ୍ଠ ଖବର ଦାତା କିଶୋର ଦ୍ବିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରୀ ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଓ ଶିକ୍ଷା ରେ ବରୀ ର ଭୂମିକା ଗ୍ରହଣିଅ ବୋଲି ମତ ବ୍ୟକ୍ତ କରିଥିଲେ । ଖାଦ୍ୟ ଯୋଗାଣ ନିଗମ ର ପରିଚାଳନା ନିର୍ଦ୍ଦେଶକ ସରୋଜ ସାମଲ, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ,ରାଜ୍ୟ ଓଷ୍ଟା ର କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା , ଓଷ୍ଟା ର ଯାଜପୁର ଜିଲ୍ଲା ସଭାପତି ସନ୍ତୋଷ ବିଶ୍ଵାଳ ଓ ପରିଚାଳନା କମିଟି ର ସଭାପତି କେଦାର ଚନ୍ଦ୍ର ସାମଲ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ନିର୍ମଳ ଜେନା ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସର ରେ ରଜତ ରଶ୍ମି ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।

ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ସ୍କୁଲ ର ଜୀବନୀ ଉପରେ ଟିପଣି ଦେଇଥିଲେ ।

କୃତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସଭା ଭଙ୍ଗ କରାଯାଇଥିଲା ।

ଗୁଣପୁର ଉପଖଣ୍ଡ ସାଂସ୍କୃତିକ ଉତ୍ସବ “ ଇଡିତାଲ ” ଉଦଦ୍ଘାଟିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣପୁର ସଦର ମହକୁମା ଠାରେ ଗୁଣପୁର ଉପଖଣ୍ଡ ର ଲୁକ୍କାୟିତ ପ୍ରତିଭା ର ପରି ପ୍ରକାଶ ଓ ବିକାଶ ନିମନ୍ତେ ଉପଖଣ୍ଡ ସ୍ଥର ରେ ଚଇତି ସାଂସ୍କୃତିକ ଉତ୍ସବ ଇଡିତାଲ ୨୦୧୮ – ୧୯ ମହା ସମାରୋହ ରେ ଉଦଦ୍ଘାଟିତ ହୋଇଯାଇଛି । ଆଜି ତା ୧୧.୦୧.୨୦୧୯ ରିଖ ଠାରୁ ତା ୧୩.୦୧.୨୦୧୯ ରିଖ ପର୍ଯ୍ୟନ୍ତ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପ ରେ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁଯାଇ ପାଳିତ ହେବାକୁ ଯାଉଛି । ଗୁଣୁପୁର ଉପଖଣ୍ଡ ର ସଂସ୍କୃତି କୁ ବିଶ୍ଵ ଦରବାର ରେ ପହଞ୍ଚାଇବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ଓ ମିନା ବଜାର ର ବ୍ୟବସ୍ଥା ଉତ୍ସବ ପାଳନ କମିଟି ଦ୍ଵାରା କରାଯାଇଛି । ଆଜି ସକାଳ ୧୦.୦୦ ଘଣ୍ଟା ସମୟ ରେ କଳସ ଶୋଭାଯାତ୍ରା ରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ଆରମ୍ଭ ହୋଇ ସାଂସ୍କୃତିକ ମଣ୍ଡପ କୁ ଆସିଥିଲା । ମନ୍ଦିର ଠାରେ ପୂଜା କାର୍ଯ୍ୟ ଶେଷ ହେବ ପରେ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରମ ବନ୍ଧୋର ପ୍ରଭୁ ଙ୍କ ଆଜ୍ଞା ମାଳ ଆଣିବା ସହ କଳସ ଯାତ୍ରା ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ରେ ଗୁଣପୁର ଆଇଟିଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ , ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ , ଗୁଣପୁର ର ବୁଦ୍ଧିଜୀବୀ , ସମସ୍ତ ରାଜନୈତିକ ଦଳ ର ନେତା ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ଶୋଭାଯାତ୍ରା ରେ ଆଦିବାସୀ ପରମ୍ପରା ର ନୃତ୍ୟ , ଘୁମୁରା ନାଚ , ସମ୍ବଲପୁରୀ ଢୋଲ , କଣ୍ଢେଇ ନାଚ ଏବଂ ଡିଜେ ସହକାରେ ବାଣ ର ରୋଷଣୀ ସହ ଜନସାଧାରଣ ନାଚ ଗୀତ ରେ ବିଭୋର ହୋଇ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ ।