ମାଟିରେ ମିଶିଲା ୧୦୦ ବର୍ଷ ପୁରୁଣା ବେହେରା ସାହି ବସ୍ତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ଉଚ୍ଛେଦ ହେବ ୧୦୦ ବର୍ଷର ପୁରୁଣା ମାଲଗୋଦାମ ସ୍ଥିତ ବେହେରା ସାହିବସ୍ତି। ଏସ୍‌ସିବି ମେଡିକାଲ ସଂଯୋଗ ରାସ୍ତାର ନବୀକରଣ ଲାଗି ମାଟିରେ ମିଶିବ ପୁରୁଣା ବସ୍ତି। ତା’ସହିତ ମାଲଗୋଦାମର କିଛି ଅଂଶ। ସରକାରଙ୍କ ଏହି ପ୍ରସ୍ତାବରେ ବସ୍ତି ବାସିନ୍ଦାମାନେ ରାଜି ହୋଇଥିଲେ। ହେଲେ ଥଇଥାନ ପାଇଁ ବାରମ୍ୱାର ସ୍ଥାନ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବସ୍ତି ବାସିନ୍ଦା। ଉଚ୍ଛେଦ ହେବାକୁ ଥିବା ବେହେରା ସାହିବସ୍ତିକୁ ମାଲଗୋଦାମ ନିକଟ ଖାଲି ସ୍ଥାନରେ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ପରେ ଏହାକୁ ବାତିଲ କରାଯାଇଥିଲା। ଓଏମ୍‌ପି ଛକ ୪୨ ମୌଜା ବ୍ରିଜ ନିକଟ ବାଲିସାହିରେ ବେହେରା ସାହିକୁ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ବାଲି ସାହିରେ ମଧ୍ୟ କେଉଁଠି ରଖାଯିବ ତାହା ସ୍ଥିର ହୋଇପାରୁନାହିଁ। ଉଚ୍ଛେଦ ସମୟ ପାଖେଇ ଆସୁଥିବାରୁ କେଉଁଠି ଓ କିପରି ରହିବେ ତାହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବସ୍ତିବାସିନ୍ଦା। ସେପଟେ ବସ୍ତି ଉଚ୍ଛେଦ ହୋଇ ଦୂର ସ୍ଥାନକୁ ନେଇଗଲେ ବସ୍ତି ପିଲାଙ୍କ ପାଠପଢାରେ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କେବଳ ବସ୍ତି ବାସିନ୍ଦା ତାହା ନୁହେଁ, ବରଂ ମାଲଗୋଦାମର ପ୍ରଭାବିତ ଦୋକାନୀମାନଙ୍କୁ କେଉଁଠି ରଖାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରୁନାହିଁ। ଏସ୍‌ସିବି ମେଡିକାଲର ପ୍ରଥମ ପର୍ଯ୍ୟାୟ ଯୋବ୍ରାଠାରୁ ରାଣୀହାଟ ଯାଏଁ ରାସ୍ତା ସମ୍ପସାରଣ ଶେଷ ହୋଇଛି। ମାତ୍ର ରାଣୀହାଟରୁ ମାତୃଭବନ ଯାଏଁ ତାଳଦଣ୍ଡା କେନାଲର ରାସ୍ତା ପାର୍ଶ୍ୱ ଦ୍ୱିତୀୟ ପର୍ଯ୍ୟାଯରେ ସମ୍ପ୍ରସାରଣ ହେବ। ତେଣୁ ଅସନ୍ତୁଷ୍ଟ ଓ ଦ୍ୱନ୍ଦ୍ୱରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ବୁଝାଇବା ଲାଗି ଖୋଦ୍‌ ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ ଓ ସିଏମସି କମିଶନର ଅନନ୍ୟା ଦାସ ପହଞ୍ଚିଥିଲେ। ତେବେ ପ୍ରଭାବିତ ବ୍ୟବସାୟୀ ଓ ବସ୍ତି ବାସିନ୍ଦାଙ୍କ ଲାଗି ଭିନ୍ନ ସ୍ଥାନରେ ସମସ୍ତ ବ୍ୟବସ୍ଥା ଓ କ୍ଷତିପୂରଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏପିରିକି ବସ୍ତି ପିଲାଙ୍କ ପାଠ୍ୟକ୍ରମରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ।

ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ବଦଳିଗଲା କି ବସ୍ ଟର୍ମିନାଲ୍ ର ଠିକଣା ବୋଲି ପ୍ରଶ୍ନ କଲା ବିଜେପି ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଗୋପାଳପୁରରେ ବସ୍‌ ଟର୍ମିନାଲ୍ ନିର୍ମାଣ ପାଇଁ ହଁ କହିଥିଲେ ସରକାର। ସେଥିପାଇଁ ଜମି ଅଧିଗ୍ରହଣ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଖାନନଗରରେ କାହିଁକି ଟର୍ମିନାଲର ଶିଳାନ୍ୟାସ କରାଗଲା? ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ନାହାନ୍ତି ତ ? ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଲେପୁର ବିଧାୟକ ତଥା ବିଜେପି ନେତା ପ୍ରକାଶ ବେହେରା। ପ୍ରକାଶ ବେହେରା କହିଛନ୍ତି-“୨୦୧୩ ମସିହାରେ ଗୋପାଳପୁର-ବାଲିକୁଦାରେ ୪୩ ଏକର ଜମିରେ ବସ୍‌ ଚର୍ମିନାଲ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ। ୪୩ ଏକର ଜମିରୁ ଜିଲ୍ଲା ପ୍ରଶାସନ ୩୦ ଏକର ଜମି ନିଜ କବ୍‌ଜାକୁ ନେଇଥିଲା। ବାକି ୧୩ ଏକର ଜମି ନିଜ କବ୍‌ଜାକୁ ନେଇ ପାରିନଥିଲେ। କାରଣ ଏହି ଜମିକୁ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଜମି ମାଫିଆମାନେ ମାଡ଼ି ବସିଛନ୍ତି। ସେମାନଙ୍କୁ ସରକାର ଉଠାଇ ପାରୁନାହାନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଖାନନଗରରେ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯାଉନି ତ? ବର୍ତ୍ତମାନ ଖାନନଗରରେ ୧୦ରୁ ୧୧ ଏକର ଜମିରେ ବସ୍‌ ଟର୍ମିନାଲ୍ ନିର୍ମାଣ କରିବାକୁ ଯୋଜନା କରାଯାଉଛି, ଯାହା ପର୍ଯ୍ୟାପ୍ତ ନୁହେଁ। ଏହା ସମସ୍ତେ ଜାଣିଛନ୍ତି। ଗୋପାଳପୁରରେ ୪୩ରୁ ୧୩ ଏକର ଜାଗା ମିଳୁନଥିବାରୁ ନିଷ୍ପତ୍ତି ବଦଳାଇଲେ କି ସରକାର? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଗୋପାଳପୁରରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ୍ ସଂପର୍କରେ ଜାଣିନାହାନ୍ତି।” ସେ ଆହୁରି କହିଛନ୍ତି-“ଆସନ୍ତା ପୌର ନିର୍ବାଚନକୁ ଲକ୍ଷ୍ୟ ରଖାଯାଇ ଏହା ହେଉଛି ମୁଖ୍ୟମନ୍ତ୍ରୀ ଭେଳିକି। ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ବିକାଶ କଥା ମନେ ପଡ଼େ। ଶିଳାନ୍ୟାସ ନାଁରେ କଟକ ସହରରେ ପୋତା ଯାଇଛି ଶହଶହ ଫଳକ। ନିର୍ବାଚନ ଆସିଲେ ଏହି ଫଳକ କଥା ମନେପଡ଼େ। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ମିଛୁଆ ସରକାର ଚାଲିଛି। ଫଳକ ଲଗାଇବା ସରକାର ଚାଲିଛି।” କଟକ ଖାନନଗରରେ ନେତାଜୀ ବସ୍ ଟର୍ମିନାଲ୍‌ ଶିଳାନ୍ୟାସ ହୋଇଛି। ନେତାଜୀ ଜୟନ୍ତୀ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ସେହିପରି ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ। 

ସରକାରୀ ସ୍କୁଲକୁ ଆସିଛି ୬ କୋଟି ଟଙ୍କାର କରେଣ୍ଟ ବିଲ୍‌ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ୟୁପି ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଦ୍ୟୁତ ବିଲ୍‌ ପୈଠ ନକଲେ ସଂଯୋଗ କାଟିଦେବାକୁ ବିଭାଗର ଚେତାବନୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କଟକ ଜିଲ୍ଲାରୁ ଆସିଛି। ଘଟଣାଟି ହେଲା,୨୦୧୬ ମସିହାରେ କଣ୍ଟାପଡା ବ୍ଲକ୍‌ ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଦିଆଯାଥିଲା। ୨୦୨୦ ଫେବୃଆରୀ ୧୨ ତାରିଖରେ ସ୍କୁଲକୁ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ୫ କୋଟି ୯୨ ଲକ୍ଷ ୭୨ ହଜାର ୭୮୪  ଟଙ୍କାର ବିଜୁଳି ବିଲ୍‌ ଆସିଥିଲା। ଏହି ବିଲ୍‌ ପାଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ରାଣୀ ସାହୁ ଚିନ୍ତାରେ ପଡ଼ି ଯାଇଥିଲେ। ସେ ଏନେଇ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏହି ତୃଟିକୁ ସ୍ୱୀକାର କରିବା ସହିତ ମାସେ ମଧ୍ୟରେ ତୃଟି ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବତିଗଲାଣି। ବିଦ୍ୟୁତ ବିଭାଗ ତୃଟି ସଂଶୋଧନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛି। ବିଦ୍ୟୁତ ବିଲ୍‌ ତୃଟି ନେଇ ଅଡଶପୁର ବିଦ୍ୟୁତ କାର୍ଯ୍ୟାଳୟ ଯନ୍ତ୍ରୀ ବଇଦିକ ରଞ୍ଜନ ବିଶ୍ୱାଳ କହିଛନ୍ତି, ବୈଷୟିକ ତୃଟି ପାଇଁ ହୋଇଥିଲା। ଏବେ ସଂଶୋଧନ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବିଦ୍ୟୁତ ବିଭାଗର ଏହା ବୈଷୟିକ ତୃଟି, ତାହାହେଲେ ସଂଶୋଧ କାହିଁକି ହେଉନି? ଏଥିପାଇଁ ପାଇଁ ବର୍ଷେରୁ ଅଧିକ କାହିଁକି ଲାଗୁଛି? ଏହା ପଛରେ ବିଦ୍ୟୁତ ବିଭାଗର ଅନ୍ୟ କୌଣସି କାରଣ ନାହିଁ ତ ?

ପରୀ ପରିବାରକୁ ସୁରକ୍ଷା ଦିଅ..!

ଏଥର ସମ୍ଭାଳ ବ୍ୟୁରୋ (କଟକ) – ନୟାଗଡର ପରୀ ହତ୍ୟା ମାମଲାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ । ନୟାଗଡର ଏସ୍ପପିଙ୍କୁ ପରୀ ପରିବାରଙ୍କୁ ସୁରକ୍ଷା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରୀ ହତ୍ୟା ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଥିଲା ।  ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ସେହିପରି ସରପଞ୍ଚ ସୌମ୍ୟରଞ୍ଜନ ମଧ୍ୟ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ଗୃହ ସଚିବ, ଡିଜିପି, ଜିଲ୍ଲାପାଳ, ଏସ୍‌ପି, ଆଇଆଇସି ଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୌମ୍ୟଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଛନ୍ତି। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି ବୋଲି ସୌମ୍ୟ କହିଥିଲେ।

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟନ।

ଏଥର ସମ୍ଭାଳ (କଣ୍ଟାପଡ଼ା) – କଣ୍ଟାପଡା ସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ଶିବିର ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଦୈତ୍ୟାରି ସିଂ ଉଦଘାଟନ କରିଥିବା ବେଳେ ଏନ୍. ଏସ୍. ଏସ୍ ମୁଖ୍ୟ ଅଧିକାରୀ ବାଣିଜ୍ୟ ବିଭାଗ ର ପ୍ରାଧ୍ୟାପକ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଙ୍କ ସଭାପତିତ୍ୱ ରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ପ୍ରଫେସର ଜ୍ଞାନଞ୍ଜଳି ପରିଡା, ସାମାଜିକ ଶିକ୍ଷା ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଶ୍ଵ କଳ୍ପିତା ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ । ଯୋଗ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଜାତୀୟ ସେବା ଯୋଜନା ର ଉଦେଶ୍ୟଉପରେ ସ୍ବେଛାସେବୀ ମାନଙ୍କୁ ଅବଗତ କରାଇଥିଲେ। ସ୍ୱେଚ୍ଛାସେବୀ ସୋନାଲି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ଓ ଦିବ୍ୟସିଂ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସିଦ୍ଧାନ୍ତ ନାୟକ ଓ ସିଦ୍ଧାନ୍ତ ଭଟ୍ଟ ଙ୍କ ସହ 75 ଜଣ ସ୍ୱେଚ୍ଛାସେବୀ ଭାଗ ନେଇ ପୋଷ୍ୟ ଗ୍ରାମ ବେଢ଼ାସାହି ରେ 7 ଦିନ ବ୍ୟାପି ସ୍ଵତନ୍ତ୍ର ଶିବିରର 5 ଦିନରେ ପ୍ରାଧ୍ୟାପକ ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କ ତତ୍ୱାବଧାନ ରେ ଅଧ୍ୟାପିକା ଜ୍ଞାନଞ୍ଜଳି ପରିଡା, ସମାଜସେବା ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଶ୍ଵକଳ୍ପିତା ମହାନ୍ତିଙ୍କ ସହଯୋଗ ରେ ସିଦ୍ଧାନ୍ତ ନାୟକ,ସୋନାଲି ତ୍ରିପାଠୀ, ଦିବ୍ୟସିଂ ସେଠି, ପାୟଲ ମିଶ୍ର, ସିଦ୍ଧାନ୍ତ ଭଟ୍ଟ, ଆରତୀ ପତି, ସୋମ୍ୟ ରଞ୍ଜନ ସାହୁ, ସ୍ୱରାଜ ଦାସ, ଦେବୀପ୍ରସାଦ ନାୟକ, ସମୀର କୁମାର ନାଥ, ସବିତା ସାହୁ, ସୋନାଲି ସ୍ୱାଇଁ, ରଶ୍ମିକାନ୍ତ ଜେନା, ତପନ ପ୍ରଧାନ, ବିଭବ ରଞ୍ଜନ ମହାନ୍ତି, ବିସ୍ମୟ ପାତ୍ର, କାର୍ତିକ ରାଉତ, ସଞ୍ଜୟ ବାରିକ, ରାକେଶ ମହାପାତ୍ର, ଜୟନ୍ତ ମହନ୍ତ, ଯଯାତି କେଶରୀ ସାହୁ, ଜିସାନ ମହମ୍ମଦ, ଶୁଭଲଷ୍ମୀ ସାହୁ, ବିଶ୍ଵବିଜୟୀନି ନାୟକ, ଭାନୁପ୍ରିୟା ସାହୁ, ସବିତା ସାହୁ, ଅଭିଜିତ ମିଶ୍ର, ବିଶ୍ଵରଞ୍ଜନ ପାଣିଗ୍ରାହୀ, ରାକେଶ କୁମାର ମଙ୍ଗଳ, ବନିତା ଭୋଇ, କବିତା ଦାସ, ଶୁଚିସ୍ମିତା କାପ, ସୁଶ୍ରୀସଂଗୀତା ପ୍ରିୟଦର୍ଶୀନି, ଲଷ୍ମୀପ୍ରିୟା ସ୍ୱାଇଁ, ରୁପା ରାଣୀ ବରାଳ, ଝରଣା ସ୍ୱାଇଁ, ଶୋଭା ସାହୁ, ମିଟିନା ପ୍ରଧାନ, ଗୀତାଞ୍ଜଳି ଭୋଇ, ସ୍ଵାତି ସ୍ଵାଗତିକା, ବର୍ଷା ଭୋଇ, ବେବିନା ଦାସ, ଭାଗ୍ୟଶ୍ରୀ ପୁଷ୍ଟି,, ଜସ୍ମିନ ପରିଡା, ପ୍ରିୟ ଦର୍ଶୀନି ବାରିକ ରାଜଲଷ୍ମୀ ସାହୁ, ମିତାଲି ରାଉତ, ବିଶ୍ଵଶ୍ରୀ ଦାସ, ଶର୍ମିଷ୍ଠା ବେହୁରା, ସୋନାଲିକା ପ୍ରଧାନ, ଶୁଭଶ୍ରୀ ସାହୁ, ଶୁଚିସ୍ମିତା ଦାସ, ଶୁଭଶ୍ରୀ ଲେଙ୍କା, ରୁବିତା ସାମଲ, ଶୁଭସ୍ମିତା ବେହେରା, ବିଜୟଲଷ୍ମୀ ମଲ୍ଲିକ, ଗାୟତ୍ରୀ ରାଉତ, ସୋନାଲି ପଟ୍ଟନାୟକ, ଦୀପ୍ତିମୟୀ ନାୟକ, ବନିତା ଭୋଇ, ନମିତା ସେଠି, ଅପରାଜିତା ସାମଲ, ରାଜଲଷ୍ମୀ ସାହୁ, ସୋନାଲିସା ଖୁଣ୍ଟିଆ, ପ୍ରିୟଙ୍କା ସୁତାର, ସମୀର କୁମାର ନାଥ, ସ୍ୱରାଜ କୁମାର ଦାସ, ଲଷ୍ମୀପ୍ରିୟା ସାହୁ,ସ୍ୱଭାଗ୍ୟ ରଞ୍ଜନ ବେହେରା, ଅଭିଜିତ ସ୍ୱାଇଁ, ନିରାକାର ନାୟକ, ଚିନ୍ମୟ ନାୟକ, ରୁବିନା ସାମଲ ପ୍ରମୁଖ ସ୍ୱେଚ୍ଛାସେବୀ ପୋଷ୍ୟ ଗ୍ରାମ ରେ ବୃକ୍ଷ ରୋପଣ କରିବା ସହ କରୋନା ଉପରେ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ ।

କମିଶନ ରିପୋର୍ଟ ସାର୍ବଜନୀନ ପାଇଁ ଜନସ୍ୱାର୍ଥ ମାମଲା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ହାଇକୋର୍ଟର ନୂଆ ବେଞ୍ଚ ସ୍ଥାପନର ଆବଶ୍ୟକତାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ଜଷ୍ଟିସ ସିଆର ପାଲ୍ କମିଶନଙ୍କ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରିବା ଦାବିରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଓକିଲ ଶିବଶଙ୍କର ମହାନ୍ତି ଏହି ଜନସ୍ୱାର୍ଥ ସମ୍ବଳିତ ମାମଲାକୁ ଓଡ଼ିଶା ହାଇକୋର୍ଟରେ ଦାଖଲ କରି ଜଷ୍ଟିସ ପାଲ୍ କମିଶନ ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଉପସ୍ଥାପନ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଆବେଦନକାରୀ ଶ୍ରୀ ମହାନ୍ତି ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ଦାବି ଓ ଜନ ଆନ୍ଦୋଳନ ହେବାପରେ ରାଜ୍ୟ ସରକାର ଜଷ୍ଟିସ ପାଲଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଜଣିକିଆ କମିଶନ ଗଠନ କରିଥିଲେ। ପାଲ୍ କମିଶନ ତାଙ୍କ ରିପୋର୍ଟ ୨୦୧୪ ମାର୍ଚ୍ଚ ୩୧ତାରିଖରେ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ଏହି ରିପୋର୍ଟକୁ ବିଧାନସଭାରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିନାହାନ୍ତି। କମିଶନ ବିଭିନ୍ନ ଦିଗକୁ ଯାଞ୍ଚ କରି ନିଜର ରିପୋର୍ଟ ପ୍ରସ୍ତୁତି କରିଥିବାବେଳେ ଏହାବାବଦରେ ୧.୫୨ କୋଟି ଟଙ୍କା ଖର୍ଚ୍ଚ ରାଜକୋଷରୁ ଖର୍ଚ୍ଚ ହୋଇଛି। କମିଶନ ତଦନ୍ତ ଆଇନ-୧୯୫୨ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ଆକ୍ସନ ରିପୋର୍ଟ ସହ ତଦନ୍ତ ରିପୋର୍ଟକୁ ୬ମାସ ମଧ୍ୟରେ ବିଧାନସଭାରେ ଉପସ୍ଥାପନ କରିବା କଥା। କିନ୍ତୁ ଦୀର୍ଘ ୬ବର୍ଷ ଧରି ସରକାର ଏହି ରିପୋର୍ଟକୁ ଚାପି ରଖିଛନ୍ତି ବୋଲି ଓକିଲ ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଠକି ନେଇଥିବା ଅଭିଯୋଗ ।

ଏଥର ସମ୍ଭାଳ (ସାଲେପୁର): କଲେଜ୍‌ରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଅଭିଯୋଗକାରୀ ।

କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା । ସେମାନେ କିଛି ଦିନ କାର୍ଯ୍ୟ ମଧ୍ୟ କରିଥିବା କହିଛନ୍ତି  ଅଭିଯୋଗକାରୀ । ତେବେ ନିଯୁକ୍ତିପତ୍ର ଅବୈଧ ବୋଲି ଜାଣିବା ପରେ ସେମାନେ ଟଙ୍କା ଫେରି ପାଇବାକୁ ଦାବି କରିଛନ୍ତି। ନିଯୁକ୍ତି ପତ୍ର ଦିଆଯାଇଥିବା ମାମଲାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ଅପରପକ୍ଷେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କଲେଜ ପରିଚାଳନା କମିଟି ଅଧ୍ୟକ୍ଷ । ରାଜନୈତିକ ଆକ୍ରୋଶ ରଖି କିଛି ବ୍ୟକ୍ତି ତାଙ୍କ ସହ କଲେଜର ନାଁ ବଦନାମ କରିବାକୁ ଏହି ଚକ୍ରାନ୍ତ କରିଥିବା ସେ କହିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଛତର ଯାତ୍ରାରେ ବଳି ଦିଆଗଲେ ଜିଲ୍ଲାପାଳ ଓ ଏସ୍‌ପି ଦାୟୀ ରହିବେ ।

ଏଥର ସମ୍ଭାଳ ବ୍ୟୁରୋ (କଟକ): ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ବଳି ବନ୍ଦ ପାଇଁ ଛତର ଯାତ୍ରାର ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ବଳିସ୍ଥଳ ତଥା ରାସ୍ତାକଡ଼ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରତିବର୍ଷ ଦୁର୍ଗାପୂଜାରେ ଅଷ୍ଟମୀ ରାତି ସାରା ପୂଜା ହୋଇଥାଏ। ନବମୀ ସକାଳେ ଜେନାଖାଲରୁ ମା’ଙ୍କ ବିଜୟ ପ୍ରତିମା ଛତର ମାଣିକେଶ୍ୱରି ମନ୍ଦିର ଅଭିମୁଖେ ଯାଇଥାଏ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଏ। ରାସ୍ତା ରକ୍ତ ରଞ୍ଜିତ ହୋଇଥାଏ। ଚଳିତବର୍ଷ ୧୦,୦୦୦ ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଇଥିଲା।

କଟକ ବଡ଼ ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି ।

ଏଥର ସମ୍ଭାଳ ବ୍ୟୁରୋ (କଟକ): କଟକ ବଡ଼ ଡାକ୍ତରଖାନାର ନ୍ୟୁରୋସର୍ଜରୀ ବିଭାଗରେ ଆଜି ସକାଳେ ନର୍ଦ୍ଦମା ପାଣି ପଶିଯାଇଥିଲା। ଫଳରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନର୍ଦ୍ଦମା ପାଣି ନ୍ୟୁରୋସର୍ଜରୀ ବିଭାଗର ଅସ୍ତ୍ରୋପଚାର ରୁମ୍‌ ସମେତ ଅନ୍ୟ ସମସ୍ତ ରୁମ୍‌ରେ ପାଣି ପଶି ଯାଇଥିଲା। ତେଣୁ କିଛି ସମୟ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ମଇଳା ପାଣି ସଫା କରିବା ପରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା। ଏହି ବିଭାଗର ଚାରିଆଡ଼େ ନର୍ଦ୍ଦମା ପାଣି ପଶି ଯାଇଥିବା ଯୋଗୁ ସଫେଇ କର୍ମଚାରୀମାନେ ସଫା କରିବା ପାଇଁ ନାକେଦମ ହୋଇ ପଡ଼ିଥିଲେ। ଜଣେ ରୋଗୀଙ୍କ ସମ୍ପର୍କୀୟ ସୁରେଶ ଚନ୍ଦ୍ର କହିଛନ୍ତି, “ଡାକ୍ତରଖାନାରେ ନର୍ଦ୍ଦମା ପାଣି ପଶିଯିବା ଫଳରେ ବହୁତ ଦୁର୍ଗନ୍ଧ ହୋଇଥିଲା। ଆମେ ସମସ୍ତେ ବାହାରକୁ ପଳାଇ ଆସିଥିଲୁ। ପରେ କିଛି ଲୋକ  ଆସି ବାଲି ବସ୍ତା ପକାଇ ପାଣିକୁ ବନ୍ଦ କରିଥିଲେ। ତା’ପରେ ସଫେଇ କର୍ମଚାରୀ ଆସି ସଫା କରିଥିଲେ।”

କଟକ କୁ ଶ୍ରୀହୀନ କରିବା ବିରୁଦ୍ଧରେ ତ୍ରିରଙ୍ଗା ଶୋଭାଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡ଼ିଶା ର ପୁରାତନ ସହର କଟକରୁ ୧୧ ଗୋଟି ସରକାରୀ କାର୍ଯ୍ୟାଳୟ କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିବା ବିରୁଦ୍ଧରେ କଟକ ଚଣ୍ଡି ମନ୍ଦିର ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ର ଆଯୋଜନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଠାରେ ପହଞ୍ଚି ସରକାର ଙ୍କ ଏତାଦୃଶ ପଦକ୍ଷେପ କୁ କଡ଼ା ପ୍ରତିବାଦ କରିଛି । କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ରେ କଟକ ପ୍ରେମୀ ଓ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ଯୋଗଦେଇ କଟକ କୁ ଶ୍ରୀହୀନ କରାଯିବା ଉଦ୍ଦେଶ୍ଯ କୁ ସଫଳ କରିଦିଆ ଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। ସରକାର ଏହି ନିଷ୍ପତ୍ତି ଓହୋରି ନଯିବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। କଟକ ବଞ୍ଚାଅ ଅଭିଯାନ ସଦସ୍ୟ ଙ୍କ ଏଭଳି ପଦକ୍ଷେପ ପ୍ରତି ଆସ୍ତେ ଆସ୍ତେ ଜନ ସମର୍ଥନ ବଢ଼ିବାର ସୂଚନା ମିଳିଛି।