କଟକରେ ମାସ୍କ ବାଧ୍ୟତାମୂଳକ…!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଆଜି ଏହି ନିର୍ଦ୍ଦେଶନାମା ବାହାରିଛି। କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ସିଏମ୍‌ସି(କଟକ ମହାନଗର ନିଗମ)। କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାର ନିମନ୍ତ୍ରଣ ନିମନ୍ତେ ଏଭଳି କଟକଣା କଡ଼ା କରିଛି ପ୍ରଶାସନ। କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ। ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ୨ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବି ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ମଲ୍, ଦୋକାନମାନଙ୍କରେ ଲୋକେ ଯେପରି ମାସ୍କ ପନ୍ଧିବେ ଓ ସାମାଜିକ ଦୂରତ୍ୱ ରଖିବେ ତାହାର ଦାୟିତ୍ୱ ସମ୍ପୃକ୍ତ ଅନୁଷ୍ଠାନ ମାଲିକଙ୍କ ଉପରେ ଦିଆଯାଇଛି। କଟକଣା ପାଳନ ହେଉ ନ ଥିବା ଧରାପଡ଼ିଲେ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ବା ମାଲିକ ଦାୟୀ ରହିବେ। ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ କର୍ମଚାରୀମାନେ ଯେପରି କଟକଣା ପାଳନ କରିବେ ସେଥିନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି।  ଛିଙ୍କିବା ଓ କାସିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କେହି ଏହାର ଉଲ୍ଲଂଘନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି।

 

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ …!

ଏଥର ସମ୍ଭାଳ ବ୍ୟୁରୋ (କଟକ)- କଟକ ଜିଲ୍ଲା ରେ ରାଜ୍ୟସ୍ତରୀୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହେଇଯାଇଛି । ଉକ୍ତ ବୈଠକ ଟିକୁ ମାନବାଧିକାର ମିସନ ସଭାପତି ଦିଲ୍ଲୀପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜ୍ ଙ୍କ ଉପସ୍ଥିତରେ କଟକ ସ୍ଥିତି ଦରଖା ପାଟନା ,ରାଜ ଗାଡେନ୍ ଠାରେ ରାଜ୍ୟର ସମସ୍ତ ଜିଲ୍ଲାର ଶୃଙ୍ଖଳୀତ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟିକୁ ନିରଞ୍ଜନ ସେନାପତି ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ରୁ ଏହି ବୈଠକରେ ଯୋଗଦେଇଥିବା ସମସ୍ତ ଗୃହରକ୍ଷୀ କର୍ମଚାରୀ ଶୃଙ୍ଖଳା ର ସହିତ ସହଯୋଗ କରିଥିଲେ । ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ ସଭାପତି ଭାବରେ ରଞନ କୁମାର ମଲିକ, କାର୍ଯ୍ୟକାରି ସଭାପତି, ଭଜମନ ମହାନ୍ତି, ରଘୁନାଥ ମହାନ୍ତି, ଉପସଭାପତି, ସୁସାନ୍ତ ପଣ୍ଡା, ପ୍ରଭାତ ବାରିକ, ସମ୍ପାଦକ ଭାବେ ବିଚିତ୍ରାନନ୍ଦ ବିଶ୍ୱାଳ, ସହ ସମ୍ପାଦକ , ବିରାଜ କୁମାର ପ୍ରଧାନ, ପ୍ରଦୀପ୍ କୁମାର୍ ପତି, କୋଷାଧ୍ୟକ୍ଷ ଭାବେ , ଉମାକାନ୍ତ ରାଉତ, ଉପ କୋଷାଧ୍ୟକ୍ଷ ଭାବେ, ସୁଭକାନ୍ତ ପାଣି, ଇ,ନରେଶ ଦୋରା, ଉପଦେଷ୍ଟା, ଭାବେ ମାନବାଧିକାର ମିସନ ସଭାପତି, ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ୍ , ଦେବାଶିଷ ମହାନ୍ତି, ନ୍ୟାୟ ପରାମର୍ଶ ଦାତା ଭାବେ ଗାନେନ୍ଦୈ ମହାନ୍ତି ଏବଂ ସୋରଜ କୁମାର ମହାନ୍ତି ଙ୍କୁ ଚୟନ କରାଯାଇଛି । ରାଜ୍ୟରେ ଥିବା ଅନେକ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଅନେକ ଉପରିସ୍ତ ଅଧିକାରୀ ମାନେ ନାହିଁନ ଥିବା ନିର୍ଯାତନା ଦେଉଥିବା ଏବଂ ରାଜ୍ୟ ସରକାର ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ଅଣଦେଖା କରୁଥିବା , ବୌଠକ ରେ ଗୃହରକ୍ଷୀ ମାନଙ୍କ ର ଦରମା ବୃଦ୍ଧି ଏବଂ ସମାନ କାମ କୁ ସମାନ ଦରମା ଓ ଛବର୍ଷ ହେଉଥିବା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ରେଗୁଲାର୍ କରିବା ଏପରି ଅନେକ ସମସ୍ୟା କୁ ନେଇଁ ଆଲୋଚନା ମଧ୍ୟ କରାଯାଇଥିଲା । ସେଷରେ ସମ୍ପାଦକ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ ।

ପତ୍ନୀ ଗିରଫ ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି ….!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଲାଞ୍ଚ ନେଇ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନାର ବିବାଦୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ଭିଜିଲାନ୍ସ ଜେରାର ଗୋଟିଏ ଦିନ ପରେ ତାଙ୍କୁ ତତ୍କାଳ ଭାବେ ମାହାଙ୍ଗା ଥାନାରୁ ବଦଳି କରାଯାଇଛି। ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍‌ଆଇ ତପନ କୁମାର ନାୟକ ଏହି ପଦରେ କାମ କରିବେ। ତାଙ୍କୁ ଅସ୍ଥାୟୀ ଭାବେ ମାହାଙ୍ଗା ଥାନାର ଦାୟିତ୍ୱ ମିଳିଛି। ଗତକାଲି ନିହାରଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା ହୋଇଥିଲା। ତଦନ୍ତରେ ସହଯୋଗ କରୁ ନଥିବାରୁ ନୋଟିସ୍ କରିଥିଲା ତଦନ୍ତକାରୀ ସଂସ୍ଥା। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ। ସୂଚନାଯୋଗ୍ୟ, ନିହାର ରଞ୍ଜନଙ୍କ ପତ୍ନୀ ନିନା ବେଉରା ରାୟଗଡ଼ା ଅବକାରୀ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ଭିଜିଲାନ୍ସ ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପତ୍ନୀ ଗିରଫ ହେବାରୁ ଆଇଆଇସି ଚଢ଼ଉ ଭୟରେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଭିଜିଲାନ୍ସ କହିଥିଲା। ଏହାର ଦିନକ ପରେ ଡକରା ପାଇ ନିହାର ରଞ୍ଜନ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହୋଇଥିଲେ।

ମହା ଶିବରାତ୍ରୀ ରେ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ମହାଶିବରାତ୍ରୀ। ଏହି ଅବସରରେ ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରାତିରେ ମହାଦୀପ ଉଠିବ। ତେବେ ରାଜ୍ୟରୁ ଏଯାଏ କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି। ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଲାଗି ନପାରେ। ଚଳିତ ଥର ବି ବିନା ଭକ୍ତରେ ପୂଜା ପାଇବେ ବାବା ଧବଳେଶ୍ୱର। କଟକ ଜିଲ୍ଲା ‌ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ  ବି  ଫିକା  ପଡିବ ଜାଗର ପର୍ବ।  କୋଭିଡ କଟକଣା ପାଇଁ  ପୀଠରେ  ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ  ହୋଇଛି।  ସକାଳ ୫ଟା ରୁ ୨  ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।  ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।  ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ।

ମରାମତିର ସପ୍ତାହେ ପରେ ରାସ୍ତାରୁ ଉଠିଲାଣି ପିଚୁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମରାମତି ହେବାର ଗୋଟିଏ ସପ୍ତାହ ପରେ ରାସ୍ତାରୁ ପିଚୁ ଉଠି ଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଳକ୍‌ ମହିଷାଲଣ୍ଡା ପଞ୍ଚାୟତରୁ। ଚୌଦ୍ୱାର ବ୍ଲକର ମାଛପଙ୍ଗୀ ଠାରୁ ଦୁଧିଆନାଳୀ ପର୍ଯ୍ୟନ୍ତ ଲମ୍ବିଛି ୫ କିଲୋମିଟର ରାସ୍ତା। ପିଚୁ ଉଠି ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ସପ୍ତାହେ ତଳେ ତାର ମରାମତି କରାଯାଇଥିଲା। ରାସ୍ତାଟିର ମରାମତି ପାଇଁ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ମରାମତି ଦାୟିତ୍ୱ ଜଣେ ଠିକାଦାରକୁ ଦେଇଥିଲା। ତେବେ ରାସ୍ତା ମରାମତି କାମ ସରିବାର ସପ୍ତାହ ପରେ ଏଥିରୁ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠି ଯା‌ଉଥିବା ଅଭିଯୋଗ କରିଛନ୍ତି ଲୋକେ। ନିମ୍ନମାନର କାମ କରିବା ଯୋଗୁ ପିଚୁ ଉଠି ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଯୁବ ନେତା ଅଭୟ ବାରିକ କହିଛନ୍ତି, ରାସ୍ତା ମରାମତି ପାଇଁ  ୫୨ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ୪ରୁ ୫ ପାଞ୍ଚ ଲକ୍ଷ ଖର୍ଚ୍ଚ କରି ପିଚୁ ପକାଇ ଠିକାଦାର କାମ ସାରି ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତରତରିଆ ଭାବରେ ଅଳ୍ପ ପଇସାରେ କାମ ସାରି ଦେଇଛନ୍ତି। ଏନେଇ ଗ୍ରାମବାସୀମାନେ  ଚୌଦ୍ୱାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । ଅଭିଯୋଗ ପାଇ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୀବ ରାୟ ଘଟଣା ସ୍ଥଳରେ ପହଞ୍ଚି ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ । ଠିକାଦାର କହିଛନ୍ତି,  ଏହା ରାସ୍ତାର ମରାମତି କାମ ମାତ୍ର କିଛି ଦିନ ହେଲା ସରିଥିଲା। ରାସ୍ତାକୁ ଯେମିତି ମରାମତି କରାଯିବା କଥା ସେମିତି କରାଯାଇଥିଲା। କିନ୍ତୁ ମରାମତି ପରେ କିଛି ଲୋକ ଏହି ରାସ୍ତାକୁ ତାଡ଼ି ପକାଇଥିଲେ। ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି। ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ କହିଛନ୍ତି, ଟ୍ରାକ୍ଟର ଚାଲୁଥିବାରୁ ରାସ୍ତାରେ ପିଚୁ ଉଠି ଯାଇଛି। ଯାହାବି କିଛି ଖରାପ କାମ ହୋଇଛି, ତାକୁ ଖୁବ୍‌ଶୀଘ୍ର ମରାମତି କରାଯିବ।

ହାଇକୋର୍ଟରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ  । ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ, ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ମେ ୨୪ରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ମେ ୨୨ରୁ  ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ ଖୋଲା ହେବ । ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ  ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି  । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରୀ କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି  ।

ସୋମବାରଠାରୁ କଟକରେ ଲାଗୁ ହେବ ନୂଆ କଟକଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସଂକ୍ରମଣକୁ ଦେଖି ଆସନ୍ତା ସୋମବାରଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା। ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା; କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ। ଦିନ ୨ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସମିଟରେ ସୂଚନା ଦେଲେ। ସୂଚନାଯୋଗ୍ୟ, ରାଜ୍ୟରେ ବଢ଼ି ଚାଲୁଥିବା ସଂକ୍ରମଣର ସ୍ପିଡରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟବସାୟୀ ସଂଘ। ଦୋକାନ ବଜାରରେ ଗହଳି ଯୋଗୁ ସଂକ୍ରମଣ ଅଧିକ ବ୍ୟାପୁଥିବା କୁହାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଆଜିଠୁ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବେ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ। ଗଞ୍ଜାମ ଜିଲ୍ଲା, ପୁରୀ ସହର, ସମ୍ବଲପୁର, କଳାହାଣ୍ଡି ବଣିକ ସଂଘ ପକ୍ଷରୁ ମଧ୍ୟ ସକାଳୁ ଅପରାହ୍ନ ୨ଟା ଯାଏ ଦୋକାନବଜାର ଖୋଲା ରହିବ ବୋଲି କୁହାଯାଇ ସାରିଛି।

ହାଇଦର ଫେରାର ହେବା ଘଟଣାରେ ଆଉ ୩ ଗିରଫ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି। ଜଣେ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରିଛି  ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର ହେବାରେ ସହଯୋଗ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।  କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଥିଲା।  ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ସେପଟେ  ଗିରଫ ହାଇଦରକୁ କରୋନା ହେବା ଜଣାପଡ଼ିବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ପୂର୍ବରୁ କୋର୍ଟଙ୍କ ଅନୁମତି ଅନୁୟାୟୀ ମଙ୍ଗଳବାବାଗ ପୁଲିସ ଆଜିଠୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା। କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁ ରିମାଣ୍ଡକୁ ସ୍ଥଗିତ ରଖିଛି ପୁଲିସ। ଅନ୍ୟପଟେ ହାଇଦର ଲିଙ୍କରେ ଥିବା ୩ ଯୁବତୀଙ୍କୁ ମାରାଥନ ଜେରା କରି ଥିଲା ପୁଲିସ। ଏହି ଯୁବତୀ ମାନେ ହାଇଦର ସହ ଫୋନରେ କଥା ହେଉଥିଲେ । ଏମାନଙ୍କ ଫୋନ ଟ୍ରାକିଂ ବେଳେ ଜଣାପଡ଼ିଥିଲା ହାଇଦରର ଲୋକେସନ୍।  ଏବେ ସୁଦ୍ଧା ହାଇଦର ଫେରାର ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

କେମିତି ଫେରାର୍‌ ହୋଇଗଲା ହାଇଦର ;ସିପି ଖୋଲିଲେ ରହସ୍ୟ ପେଡ଼ି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏସସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ୧୨୦ ଘଣ୍ଟାର ଅପରେସନ ପରେ ପୁଣି ଥରେ ପୁଲିସ୍‌ ଜାଲରେ ଧରା ପଡ଼ିଲା। ହାଇଦର ଖସିଯିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା କମିଶନରେଟ ପୁଲିସ୍‌ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପୂରା କାହାଣୀ ବଖାଣିଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ହାଇଦର ଫେରାର ହେବାର ବହୁ କାହାଣୀ ସିପି ବଖାଣିଥିଲେ ମଧ୍ୟ ଅସମାହିତ ରହିଯାଇଛି ବହୁ ପ୍ରଶ୍ନ। ଆଗକୁ ହାଇଦରକୁ ପଚରାଉଚରା ପରେ ବହୁ ତଥ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି । ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ,  ସେକ ହାଇଦର ଜଣେ ଜଣାଶୁଣା କୁଖ୍ୟାତ ଅପରାଧୀ। ୨ଟି କେସ୍‌ରେ ସମ୍ବଲପୁର ଜେଲ୍‌ରେ ଆଜୀବନ ସଜା କାଟୁଥିଲା। ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ SCB ଆସିଥିଲା ହାଇଦର। ମାତ୍ର ୧୭ ଦିନ ପରେ ଏପ୍ରିଲ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟାର।ହାଇଦର ଫେରାର ହେବାର ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟା ପରେ ଏ ସମ୍ପର୍କରେ ଖବର ପାଇଥିଲା  କଟକ ପୁଲିସ୍‌। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ହାଇଦରର ଟେର ମିଳି ନ ଥିଲା। ଏହି ୩ ଘଣ୍ଟା ମଧ୍ୟରେ ସେ କାର୍‌ରେ କଟକ ପାର୍‌ ହୋଇ ହାଇଦ୍ରାବାଦ ଅଭିମୁଖେ ଚାଲି ଯାଇଥିଲା। ୩ ଘଣ୍ଟା ପର ପର୍ଯ୍ୟନ୍ତ ପୁଲିସ୍‌ ପାଖରେ କିଛି ଖବର ନ ଥିବାରୁ ହାଇଦର ପାଇଁ ତାହା ଗୋଲଡେନ୍‌ ଆୱାର ସାବ୍ୟସ୍ତ ହେଲା। ଏହି ସମୟର ସଦୁପଯୋଗ କରି ସେ  ଫେରାର ହୋଇଗଲା। ଏହାପରେ ରାଜ୍ୟ ବାହାରକୁ ଖସିଯାଇପାରେ ବୋଲି ସନ୍ଦେହ କରି କଟକ ପୁଲିସ୍‌ ଟିମ୍‌ କରି ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ ପଠାଇଥିଲା। ଏହା ମଧ୍ୟରେ ଟେକନିକାଲ  ସୁରାଗ ସହ ପୁରୁଣା କଣ୍ଟାକ୍ଟ ବି ଖୋଜିଲୁ। ପରେ ୟାକୁବ ଗିରଫ ହେଲା ବୋଲି କହିଛନ୍ତି ସିପି।ଏଥିସହ ସେ କହିଛନ୍ତି, ହାଇଦର ଆନ୍ଧ୍ର-ତେଲେଙ୍ଗାନା ପଟକୁ ଯାଇଥିବା ନେଇ ଗତ ୧୧ ତାରିଖରେ ଖବର ପାଇଲୁ। ବାଦାମବାଡ଼ି, ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ୨ଟି ଟିମ୍‌ ସେଠାରେ ୧୧ ତାରିଖ ରାତିରେ ଓ ୧୨ ତାରିଖ ସକାଳେ ପହଞ୍ଚି ଖୋଜାଖୋଜି ଆରମ୍ଭ କଲେ। ହାଇଦରର ପୁଅ ସେଠାରେ ଥିବାରୁ ସେ ଯାଇଥିବା ଆମେ ପୂର୍ବରୁ ସନ୍ଦେହ କରୁଥିଲୁ। ପାଖରେ ଥିବା ପିଲା ବି ତାକୁ ସହଯୋଗ କରୁଥିଲେ। ଏହାପରେ ସାଇବର ଟିମ୍‌ ସହାୟତାରେ ତା’ ଲୋକେସନ ଖୋଜିଲୁ। ସିସିଟିଭିରୁ କିଛି ତଥ୍ୟ ପାଇଲୁ। ଗୋଟିଏ ଗାଡ଼ିରେ ଫେରାର ହୋଇଥିବା ଜାଣିବାକୁ ପାଇଲୁ। ୧୩, ୧୪, ୧୫ ଅପରେସନ ଚାଲିଥିଲା। ହାଇଦ୍ରାବାଦ, ତେଲେଙ୍ଗାନା ପୁଲିସ୍‌ ଟିମ୍‌ ବି ସହାୟତା କରୁଥିଲେ। ଏହାପରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିଲା। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଗତକାଲି ବାଇକ୍‌ରେ ହାଇଦର ଜଣଙ୍କ ସହ ଯାଉଥିବା ଜାଣିବାକୁ ପାଇ ତାକୁ କାବୁ କରିଥିଲୁ। ସେତେବେଳେ ତା’ ପାଖରେ କିଛି ମାରଣାସ୍ତ୍ର ନ ଥିଲା। ବାଦାମବାଡ଼ି ଆଇଆଇସି ତାକୁ କାବୁ କରି ସନ୍ଧ୍ୟା ସାଢେ ୬ଟାରେ ଗିରଫ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେଠାକାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରି ଆଜି ସକାଳୁ ବିମାନ ଯୋଗେ ଭୁବନେଶ୍ୱର ଆଣି ସେଠାରୁ କଟକ ଆଣିଥିଲୁ। ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା କେସ୍‌ରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଏହାପରେ ରିମାଣ୍ଡରେ ଆଣି କିପରି ଫେରାର ହେଲା, କିଏ ସାହାଯ୍ୟ କଲା, କଣ ଷଡ଼ଯନ୍ତ୍ର ଥିଲା ତା’ର ତଦନ୍ତ ହେବ। ଇତି ମଧ୍ୟରେ ତାର ୭ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି। ଏହାବ୍ୟତୀତ ଓଡ଼ିଶାରୁ କିପରି ଫେରାର ହେଲା, ହାଇଦ୍ରାବାଦରେ କାହା ପାଖରେ ଥିଲା, ସବୁ ତଦନ୍ତସାପେକ୍ଷ ବୋଲି କହିଛନ୍ତି ସିପି । ଏସସିବିର ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବି ତଦନ୍ତ ହେବ। ଏଥିସହ ହାଇଦରକୁ ଫେରାର ହେବାରେ ଯେଉଁମାନେ ସହଯୋଗ କରିଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ହାଇଦରକୁ ଧରିବାକୁ ଯାଇଥିବା ଟିମ୍ ଲିଡ୍ କରୁଥିବା ବାଦାମବାଡ଼ି ଥାନା IIC ଇନ୍ସପେକ୍ଟର ରଶ୍ମି ମହାପାତ୍ର କହିଛନ୍ତି, ସିପି, ଡିସିପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲୁ। ତେଲେଙ୍ଗାନାରେ ଆମେ ବିଭିନ୍ନ ଜାଗା ବାଇକରେ ବୁଲିଥିଲୁ। ଏପଟୁ ଟେକ୍ନିକାଲ ଟିମ୍‌ରୁ ଯାଉଥିବା ନିର୍ଦ୍ଦେଶ ସହାୟକ ହୋଇଥିଲା। ନିଜକୁ ଲୁଚେଇବା ପାଇଁ ହାଇଦର ପ୍ରାୟ ଏକୁଟିଆ ବୁଲୁଥିଲା। କାଲି ସଂଧ୍ୟା ବେଳେ ବାଇକରେ ଯିବା ବେଳେ ତାକୁ ଧରିଥିଲୁ। ହାଇଦର ଫେରାର ଘଟଣାରେ ୩ ଯୁବତୀଙ୍କ ସହ ୮ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ୍‌। ହାଇଦର ସହ ସେମାନେ ନିୟମିତ ଯୋଗସୂତ୍ରରେ ରହିଥିବା ସୂଚନା।

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ପୁଣି ରୋଷେଇ ଘରେ ମହଙ୍ଗା ମାଡ଼  । ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ।  ସୋରିଷ, ସୂର୍ଯ୍ୟମୁଖୀ ଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି  । ଦର ୬ମାସ ଭିତରେ ୨ଗୁଣ ବଢ଼ିଥିବା ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ କହିବା ସହ, ଏଭଳି ଦରବୃଦ୍ଧି ରୋକିବାକୁ ହେଲେ ସରକାର ଆମଦାନୀ ଶୁଳ୍କ ଓ କୃଷି ସେସ୍ କମାଇବା ଦରକାର ବୋଲି ଦାବି କରିଛନ୍ତି। ବିଶେଷ କରି ସୋରିଷ, ସୋୟାବିନ୍, ସୂର୍ଯ୍ୟମୁଖୀଠୁ ଚିନାବାଦାମ ଓ ପାମୋଲିନ୍ ଯାଏଁ  ସବୁ ପ୍ରକାର ତେଲ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ମହଙ୍ଗା ହେବାରେ ଲାଗିଛି।  ଆଜି କଟକ ମାଲଗୋଦାମରେ ସୋରିଷ ତେଲ ଲିଟର ୧୪୦ରୁ ୧୪୫ ଟଙ୍କା ସୂର୍ଯ୍ୟମୁଖୀ ୧୫୦ରୁ ୧୫୫ ଟଙ୍କା ଓ ପାମୋଲିନ୍ ୧୦୫ରୁ ୧୧୦ ଟଙ୍କା ଭିତରେ ରହିଛି । ପାମୋଲିନ୍‌ର ଏତେ ଦର ପୂର୍ବରୁ କେବେ ଦେଖିନଥିବା କହିଛନ୍ତି କଟକ ମହାନଗର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ । ଏଭଳି ତେଲ ଦର ବୃଦ୍ଧି ଜାରି ରହିଲେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀ ବି ବହୁଳ ଭାବେ ପ୍ରଭାବିତ ହେବେ ବୋଲି ସେ ଆଶଙ୍କା କରିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ପ୍ରାଇସ୍ ମନିଟରିଂ ସେଲ୍ ତଥ୍ୟ ଅନୁସାରେ, ଜାତୀୟ ସ୍ତରରେ ଗଲା ବର୍ଷେ ଭିତରେ ଖାଇବା ତେଲର ଦର ୨୫ରୁ ୫୦ ପ୍ରତିଶତ ବଢ଼ିଛି  । ଗତବର୍ଷ ମାର୍ଚ୍ଚରେ ପ୍ୟାକେ୍ଜଡ ସୋରିଷ ତେଲ ଦର ଲିଟର ପ୍ରତି ୧୧୩ ଟଙ୍କା ଥିବା ବେଳେ, ଏବେ ତାହା ୧୪୦ ଟଙ୍କାକୁ ବଢ଼ିଛି।  ସେହିପରି ସୂର୍ଯ୍ୟମୁଖୀ ୧୧୦ରୁ ୧୫୦, ପାମ୍ ଅଏଲ୍ ୮୫ରୁ ୧୨୨, ଚିନାବାଦାମ ତେଲ ୧୨୦ରୁ ୧୭୦ ଓ ବନସ୍ପତି ଦର ୮୦ରୁ ୧୨୦ ଟଙ୍କାକୁ ବଢ଼ିଛି। ସେପଟେ ରାଜ୍ୟରେ ତେଲ ଦର ୬ ମାସ ଭିତରେ ପ୍ରାୟ ୨ଗୁଣ ବଢ଼ିଥିବା କହିଛି ରାଜ୍ୟ ବ୍ୟବସାୟୀ ସଂଘ । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ସାଙ୍ଗକୁ ଖାଇବା ତେଲ ଦର ବୃଦ୍ଧି ଏବେ ପ୍ରାୟ ସବୁ ଘରର ବଜେଟକୁ ବିଗାଡ଼ିଦେଇଛି।