ତେଜସ ଓ ଶତାବ୍ଦୀ ଟ୍ରେନ୍ରେ ଏଣିକି ସିନେମା, ଭିଡିଓ ଗେମ୍ ଓ ଗୀତର ମଜା ଉଠାଇ ପାରିବେ ନାହିଁ ଯାତ୍ରୀ, କାରଣ ଜାଣନ୍ତୁ
ନୂଆଦିଲ୍ଲୀ: ତେଜସ ଏକ୍ସପ୍ରେସ ଓ ମୁମ୍ବାଇ ଅହମ୍ମଦାବାଦ ଶତାବ୍ଦୀରେ ଯଦି ଯାତ୍ରା କରୁଛନ୍ତି ତେବେ ଆପଣ ଏଣିକି ସିନେମା, ଭିଡିଓ ଗେମ୍ ଓ ଗୀତର ମଜା ନେଇ ପାରିବେ ନାହିଁ। ଏହି ଟ୍ରେନ୍ରେ ରେଳବାଇ ଏଣ୍ଟରଟେନ୍ମେଣ୍ଟ ପାଇଁ ସିଟ ପଛପାର୍ଶ୍ୱରେ ଏଲସିଡି ସ୍କ୍ରିନ୍ ଲାଗାଇଥିଲେ।
ସୂଚନାଯୋଗ୍ୟ, ଯାତ୍ରୀମାନେ ଏଲ୍ସିଡି ସ୍କ୍ରିନ୍ ଭାଙ୍ଗିବା ସହିତ ତାରକୁ ବି ଛିଣ୍ଡାଇ ଦେଇଛନ୍ତି। ବାରମ୍ବାର ଯାତ୍ରୀ ଏହାକୁ ନଷ୍ଟ କରିବାର ଖବର ମିଳୁଥିଲା। କେବଳ ଏତିକି ନୁହେଁ ହେଡଫୋନ୍ ମଧ୍ୟ କିଏ କେଉଁଆଡେ ନେଇ ଚାଲି ଯାଉଛନ୍ତି। ପାଓ୍ଵର ସୁଇଜ ବି ବାହାର କରି ଦେଉଛନ୍ତି। ଏହି କାରଣରୁ ରେଲବାଇ ତେଜସ ଏକ୍ସପ୍ରେସ ଓ ମୁମ୍ବାଇ ଅହମ୍ମଦାବାଦ ଶତାବ୍ଦୀରେ ଲାଗିଥିବା ଏଲସିଡି ସ୍କ୍ରିନ୍କୁ ବାହାର କରି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ରେଳବାଇ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରେଳବାଇକୁ ଏହି ଏଲସିଡି ସ୍କ୍ରିନ୍ ହଟାଇବା ଆଦେଶ ଫେବ୍ରୁଆରିରୁ ଲାଗୁ କରିବା ପାଇଁ କୁହାଯାଇଥିଲା। ରେଲାବାଇ ସମସ୍ତ ଜୋନ୍ ରେଳରୁ ଏଲସିଡି ସ୍କ୍ରିନ୍ ହଟାଇବା କାମ ଆରମ୍ଭ କରି ଦେଲେଣି। ଏହା ପରିବର୍ତ୍ତେ ରେଳରେ ମାଗଣା ଓ୍ଵାଇଫାଇ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରାଯାଉଛି। ବର୍ତ୍ତମାନ କେବଳ ପ୍ରିମିୟମ ଟ୍ରେନ୍ରେ ଓ୍ଵାଇଫାଇ ସୁବିଧା ଉପଲବ୍ଧ ରହିଛି।
ଭାରତରେ ପ୍ରଥମେ ତେଜସ ଏକ୍ସପ୍ରେସ ମୁମ୍ବାଇ ଓ ଗୋଆ ମଧ୍ୟରେ ୨୦୧୭ ମଇରୁ ଆରମ୍ଭ କରାଯାଇଥିଲା। ଏଥିରେ ବିଶେଷ ସୁବିଧା ଉପଲବ୍ଧ ଯେପରି କି ସିଟ ପଛପାର୍ଶ୍ୱରେ ଯାତ୍ରୀଙ୍କ ପାଇଁ ଏଲସିଡି ସ୍କ୍ରିନ୍ ଖଞ୍ଜା ଯାଇଥିଲା। ଯାହା ମୁଖ୍ୟ ଆକର୍ଷଣ ଥିଲା।

