୮ମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ ପ୍ରତିବାଦରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ !

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଦାରିଙ୍ଗିବାଡ଼ି ଅଞ୍ଚଳରେ ଏକ ନାବାଳିକା ତଥା ଅବିବାହିତା ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ପରବର୍ତ୍ତି ସମୟରେ ନବଜାତ ଶିଶୁର ମୃତୁ୍ୟ ଓଡ଼ିଶା ନିମନ୍ତେ ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ପ୍ରଦେଶ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ନିଦେ୍ର୍ଧଶ କ୍ରମେ ଏବଂ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ସସ୍ମିତା ଘୋଷାଲଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ସଭାପତି ପ୍ରଦୀପ ରଥ, କମଳା ତିରିଆ ପ୍ରମୁଖ ବକ୍ତାମାନେ ଯୋଗ ଦେଇ ଛାତ୍ରୀର ସନ୍ତାନ ପ୍ରସବ ଓ ନବଜାତ ଶିଶୁର ମୃତୁ୍ୟ ଘଟଣାରେ ଆଦିବାସୀ କଲ୍ୟାଣମନ୍ତ୍ରୀ ରମେଶ ମାଝି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ପ୍ରଦର୍ଶନ କରିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗୀୟ ଶାସନ ସଚିବ ଛାତ୍ରୀର ପରିବାରବର୍ଗଙ୍କୁ ନ ଭେଟିବା, ହସପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ନ ଦେବା ଆଦି ନିଜର ଦାୟିତ୍ୱ ସମ୍ପାଦନରେ ଅବହେଳା କରିଛନ୍ତି । ଏହି ଭଳି ସମ୍ବେଦନଶୀଳ, ଲଜ୍ଜାଜନକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ନୀରବତା ଅବଲମ୍ବନ କରିଚାଲିଛନ୍ତି । ରାଜ୍ୟରେ ନବୀନ ସରକାରରେ ମହିଳାମାନଙ୍କ ପ୍ରତି ହିଂସା, ଅତ୍ୟାଚାର, ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଆଦି  ବୃଦ୍ଧି ପାଇବାରେ ଲାଗିଛି । ସରକାର ମହିଳାମାନଙ୍କର ଆର୍ଥିକ, ସାମାଜିକ, ଓ ରାଜନୈତିକ ଅଭିବୃଦ୍ଧିରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଅଭିଯୋଗ ବାଢ଼ିଥିଲେ । ଏଥି ସହିତ ନିଜର ଦାୟିତ୍ୱ ସମ୍ପାଦନରେ ଅବହେଳା କରିଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ସେହିଭଳି କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ୨ ଜଣ ବିଭାଗୀୟ ସଚିବଙ୍କୁ ଦାୟିତ୍ୱରୁ ନିଲମ୍ବିନ କରାଯିବାର ଦାବି କରାଯାଇଥିଲା । ଶେଷରେ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ପରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଉକ୍ତ ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ, ରାଜ୍ୟ ସମ୍ପାଦକ ଯୋଗେଶ କୁମାର ଅଗ୍ରୱାଲା, ଅଜୟ ମହାପାତ୍ର, ବାପି ଦାସ, ମାଧବୀ ସେନାପତି, ଦେବଯାନୀ ବେହେରା, ସୁନନ୍ଦା ସାହୁ, ଅଶୋକ ଅଧିକାରୀ, ଈତିଶ୍ରୀ ମିଶ୍ର, ଗୌରୀ ନାୟକ ପ୍ରମୁଖ ଶତାଧିକ ମହିଳା କଂଗ୍ରେସ ସଦସ୍ୟା, ସମର୍ଥକ ଓ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

ଏପଟେ ବଖାଣୁଛନ୍ତି ସଫଳତା,ସେପଟେ ମାଗୁଛନ୍ତି ସହାୟତା : ନବୀନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିର୍ବାଚନ ପାଖେଇ ଆସିବାପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ରାଜନୀତିକ ଗୋଟିଚାଳନା କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’କୁ ପ୍ରସଙ୍ଗ କରିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନର ନିରବତା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ଏହି ଦାବି ଦୋହରାଇଛନ୍ତି। ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଓଡ଼ିଶା କିଭଳି ପୂରଣ କରୁଛି ତା’ର ଯୁକ୍ତିଯୁକ୍ତ କାରଣ ନଦର୍ଶାଇ ନବୀନ ତାଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଗତି କିଭଳି ଗତିଶୀଳ ହୋଇଛି ତାହା ବଖାଣିଛନ୍ତି। ଆଉ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ  ଓ କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବାକୁ ଆଳ କରି ନବୀନ ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବି ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଲେଖିଥିବା ୩ ପୃଷ୍ଠାର ଚିଠିକୁ ବିଶ୍ଲେଷଣ କଲେ ଏହା କେବଳ ନିର୍ବାଚନୀ ବର୍ଷରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି।ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,୧୯୦୦ ମସିହାରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ରାଜ୍ୟର ୯୦% ଜନସଂଖ୍ୟା ଓ ୮୦ % ଅଞ୍ଚଳ ଏହି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ଏବେ ଅର୍ଥ କମିଶନଙ୍କ ସୁପାରିସରେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ) ହାର ସ୍ଥିରୀକୃତ ହେଉଛି, ଯାହାକି କେବଳ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହେଉଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅତିରିକ୍ତ ସହାୟତା ଭାବେ ଯାହା ମିଳୁଛି, ତାହା ପର୍ଯ୍ୟାପ୍ତ ହେଉନି ।ତେଣୁ ବାଧ୍ୟ ହୋଇ ରାଜ୍ୟକୁ ନିଜ ପାଣ୍ଠିରୁ ଏସବୁ ତୁଲାଇବାକୁ ପଡ଼ୁଛି। ସେହିପରି କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ର ଯଥା ଟେଲି ସାନ୍ଦ୍ରତା, ରେଳବାଇ ନେଟୱାର୍କ, ବ୍ୟାଙ୍କିଙ୍ଗ୍ ନେଟୱାର୍କ, ଜାତୀୟ ରାଜପଥ ଓ ବିମାନ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅପେକ୍ଷାକୃତ ପଛରେ ପଡ଼ିଛି। ତେଣୁ ଏସବୁ କାରଣକୁ ଦୃଷ୍ଟିରେ ରଖି ‘ସ୍ୱତନ୍ତ୍ର ରାଜ୍ୟ’ ପାହ୍ୟା ମାନ୍ୟତା ଦେବାକୁ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଓଡ଼ିଶାରେ ଶିଳ୍ପାୟନର ବିକାଶ ଗତିଶୀଳ ହେବା ସହ ଯୁବକଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନବୀନ ମଧ୍ୟ ତାଙ୍କ ଚିଠିରେ ନିଜ ସରକାରର ପ୍ରଶଂସା କରି ଲେଖିଛନ୍ତି ଯେ ଐତିହାସିକ କେନ୍ଦ୍ରୀୟ ଅବହେଳା ଓ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ୨୦୧୪-୧୫ରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୨୦ଲକ୍ଷ ପକ୍କାଘର ନିର୍ମାଣ ହୋଇଛି। ରାଜ୍ୟକୁ ଏନେଇ ପୁରସ୍କାର ମଧ୍ୟ ମିଳିଛି। ସେହିପରି ୨୦୦୦ ମସିହାରେ ରାଜ୍ୟରେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ଏବେ ଏହା ୭୨ ଲକ୍ଷରେ ପହଞ୍ଚଛି। ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଅତିରିକ୍ତ ୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିଛି। ୫ଥର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଥିବାବେଳେ ଦେଶର ସର୍ବାଧିକ ଦାରିଦ୍ର‌୍ୟ ହ୍ରାସ କରିବାର ରେକର୍ଡ ମଧ୍ୟ ଓଡ଼ିଶାର ରହିଛି। ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬୧% ଦାରିଦ୍ର‌୍ୟ ହ୍ରାସ ପାଇଛି। ମମତା ଯୋଜନାରେ ୩୧ଲକ୍ଷ ଗର୍ଭବତୀ ମହିଳାଙ୍କୁ ଡିବିଟି ଜରିଆରେ ସହାୟତା ପ୍ରଦାନ, ଟୀକାକରଣ, ଶିଶୁ ଓ ମାତୃ ମୃତ୍ୟୁହାର  ହ୍ରାସରେ ରେକର୍ଡ, ୭୦ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ଉପାର୍ଜନକ୍ଷମ କରାଇବା ସଙ୍ଗେସଙ୍ଗେ ଗ୍ରାମାଞ୍ଚଳ ଯୁବକଙ୍କ ଦକ୍ଷତା ବିକାଶ ପାଇଁ କ୍ରମାଗତ ଦୁଇଥର ଶ୍ରେଷ୍ଠ ପୁରସ୍କାର ଓଡ଼ିଶା ହାସଲ କରିଛି। ଗତ ୬ବର୍ଷ ମଧ୍ୟରେ ରାଜ୍ୟର ଜିଡିପି ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନବୀନ ଦର୍ଶାଇଛନ୍ତି।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା ନେଇ ; ଦାଏର ହେଲା ବିଧିବଦ୍ଧ ଏତଲା ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଧିବଦ୍ଧ ଭାବେ ଏତଲା ଦାଏର ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍‌ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଛନ୍ତି। ଗତ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା।

୧୬ ତାରିଖରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏତଲା ନଯିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।

ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ ବୋର୍ଡ କେବଳ ଚିଠି ପଠାଇଛି, ସେ ଚିଠି ଆମେ ପାଇଛୁ। ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ବଦଳିବନି ଏଏସ୍‌ଓ ପରୀକ୍ଷା ର ତାରିଖ ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ବଦଳିବନି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷା ତାରିଖ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରେ ହିଁ ପରୀକ୍ଷା ହେବ। ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଏର ପିଟିସନକୁ ଖାରଜ କରି ପରୀକ୍ଷା ଆଉ ଘୁଞ୍ଚି ପାରିବନି ବୋଲି କହିଛନ୍ତି ହାଇକୋର୍ଟ। ମଝିରେ ମାତ୍ର ଦିନଟିଏ ଥିବାରୁ ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ସିଧାସଳଖ ମନାକରିଦେଇଛନ୍ତି। ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ସହ ଜାତୀୟସ୍ତରର ଆଇବିପିଏସ୍ ମେନ୍ ଏବଂ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଛି। ତେଣୁ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିଲା। ତେବେ କୌଣସି କାରଣ ବଶତଃ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପରୀକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣା ଦେଇଥିଲେ।

ନବଙ୍କ ପରେ ନବୀନଙ୍କ ମୋହରେ ତାରା ଆଉ ଚନ୍ଦ୍ର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସଙ୍କ ବିଜେଡି ଓ ନବୀନ ପଟ୍ଟନାୟକ ମୋହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବାବେଳେ ଶନିବାର ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ନିର୍ବାଚନୀ ବର୍ଷରେ ବିଜେଡିକୁ ହଟାଇ କ୍ଷମତାକୁ ଫେରିବାକୁ କଂଗ୍ରେସ ସଂଘର୍ଷ କରୁଥିବାବେଳେ ଦଳର ନେତାମାନଙ୍କର ବିଜେଡି ଓ ନବୀନ ମୋହକୁ ନେଇ ଏବେ ଚର୍ଚ୍ଚା। ସୂଚନା ଅନୁସାରେ,  ଓଡ଼ିଶା ହାଇକୋର୍ଟର ଦୁଇଟି ସ୍ଥାୟୀ ବେଞ୍ଚ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଭାଗରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏହି ସମାନ କଥାକୁ ମୁଖ୍ୟମନ୍ତ୍ରୀ ୨୦୧୩ ସେପ୍ଟେମ୍ବର ଓ ୨୦୧୮ ସେପ୍ଟେମ୍ବର ଏବଂ ଗତ ଦୁଇଦିନ ତଳେ ଲେଖିଥିବା ଚିଠିରେ ମଧ୍ୟ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିକୁ ପଶ୍ଚିମ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି ତତ୍କାଳ ଖାରଜ କରିସାରିଥିବାବେଳେ ଦକ୍ଷିଣ ଓଡ଼ିଶାରୁ ଏକ ପ୍ରତିନିଧି ଦଳକୁ ଆଣି ବିଜେଡି ସେଥିରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଛି।

ସବୁଠୁ ବଡ଼ କଥା ହେଲା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଈଶ୍ୱର ପାଣିଗ୍ରାହୀ, ଓକିଲ ସଂଘ ଦ୍ୱାରା ମନୋନୀତ ୨ଜଣିଆ କମିଟି- ଆଇନଜୀବୀ ଶିଶିର କୁମାର ମିଶ୍ର ଓ ଅନୁପ କୁମାର ପାତ୍ରଙ୍କ ସଂଯୋଜନାରେ ଏହି ସାକ୍ଷାତକାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଛି ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।
ତେଣୁ ବିଜେଡି ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ବାହିନୀପତି ଓ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ସାମିଲ ହେବା ରାଜନୀତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। କାରଣ କଂଗ୍ରେସ ବିଧାୟକମାନେ ଯଦି ନବୀନଙ୍କ ଗତ ଦୁଇଦିନ ତଳର ଚିଠିକୁ ନେଇ ଏତେ ସନ୍ତୁଷ୍ଟ ଥିଲେ ତା’ହେଲେ ୨୦୧୮ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲା ପରେ କାହିଁକି ସମ୍ବର୍ଦ୍ଧନା ଦେବାକୁ ନବୀନ ନିବାସ ଯାଇନଥିଲେ।
ସୂଚନା ଅନୁସାରେ କଂଗ୍ରେସ ଏବେ ଜିଲ୍ଲା ରାଜନୀତିରେ ଶ୍ରୀ ବାହିନୀପତି ଓ ଶ୍ରୀ ମାଝୀଙ୍କ ଗୁରୁତ୍ୱକୁ ଅଣଦେଖା କରି ପ୍ରଦୀପ ମାଝୀଙ୍କୁ ପ୍ରାଥମିକତା ଦେଉଥିବାରୁ ନିଜ ଦଳ ଉପରେ ଚାପ ସୃଷ୍ଟି କରିବା ପାଇଁ ତାରା ଏଭଳି ରଣନୀତି ଆପଣାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ  ମନ୍ତ୍ରୀ ପ୍ରତାପ ଜେନା ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଦୁଇଟି ଉନ୍ନୟନ କାର୍ଯ୍ୟକ୍ରମ ଉଦ୍‍ଘାଟନ କରିବା ସହ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ମୁଖ୍ୟ ଚିକିତ୍ସାଳୟ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ଦୁଇଟିର ଶୁଭ ଉଦ୍‍ଘାଟନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ଜେନା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲା ଯୋଜନା କମିଟି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟତଃ ତିତଲି ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ମରାମତି , ଥଇଥାନ ଓ ଉଦ୍ଧାର କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଏଥିରେ ଯୋଜନା ବିଭାଗ ଉପନିର୍ଦ୍ଦେଶକ କୁଳମଣି ରାଉତ ଯୋଗ ଦେଇ କୃଷି, ଗ୍ରାମୀଣ ବିକାଶ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି, ଶିଳ୍ପ, ପରିବହନ, ବିଜ୍ଞାନ ପ୍ରଯୁକ୍ତ ଓ ପରିବେଶ, ନିରାପତ୍ତା ଓ ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ୨୦୧୮-୧୯ ବର୍ଷ ପାଇଁ ୭୪୯୯୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳ ଯୋଜନା ରଖିଥିବା କହିଥିଲେ । ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେଯେ ଗଜପତି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସହାୟ ଯୋଜନାରେ ଦୁଇଗୋଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗୋଟିଏରେ ସମସ୍ତଙ୍କୁ ମାଗଣାରେ ଡାଏଲସିସ ସୁବିଧା ଏବଂ ଅନ୍ୟଟିରେ ଯେଉଁଠାରେ କି ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତର ପିଲାମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା  ଅନ୍ୟପକ୍ଷରେ ତିତଲି ବାତ୍ୟାରେ ଗଜପତି ଜିଲ୍ଲା ବହୁ ପ୍ରଭାବିତ ହେଲା ପରେ ଏବଂ ଜିଲ୍ଲାର ଆହୁରି ଉନ୍ନତିର ଆବଶ୍ୟକତା ଥିବା ଯୋଗୁଁ ରାଜ୍ୟ ସରକାର ସବୁବେଳେ ଗଜପତି ଜିଲ୍ଲାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଏହି ଯୋଜନା ବୋର୍ତ କମିଟି ବୈଠକରେ ସବୁଠାରୁ ଅଧିକ ଭାବେ ତିତଲି ପ୍ରଭାବିତ ଅଞ୍ଚଳରେ ମରାମତି ଓ ଥଇଥାନ ଓ ପୁନଃଉଦ୍ଧାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏ ଦିଗରେ ସମସ୍ତ କାର୍ଯ୍ୟ ପ୍ରାୟତଃ ସରିଥିବା ବେଳେ ଯେଉଁଠି ଯାହା ବି ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ରହିଯାଇଛି ବା ଅନ୍ୟାନ୍ୟ କାର୍ଯ୍ୟ ପିଇବା ପାଣି , ଚେକ୍‍ଡ୍ୟାମ, ବିଦ୍ୟୁତ ଆଲୋକ, ସ୍କୁଲ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବଶ୍ୟକତା ରହିଯାଇଛି ତାକୁ କିଭଳି ଆବଶ୍ୟକ ଯୋଗାଇ ତାର ସମ୍ପୁର୍ଣ୍ଣ ଉନ୍ନତ କରିହେବ, ତାହା ରାଜ୍ୟ ସରକାରଙ୍କ ମୁଳ ଲକ୍ଷ୍ୟ । ଜିଲ୍ଲାକୁ ଉନ୍ନତ ପଥରେ ଆଗେଇ ନେବା ପାଇଁ କୌଣସି ପ୍ରକାର ଅର୍ଥର ଅଭାବ କି ବାଧକ ରହିବନି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲା ବାସୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ନିଶ୍ଚିତ ଭାବେ ଯୋଗାଇ ଦେବେ ବୋଲି କହିଥିଲେ  । ସାଂସଦ ଡ: ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ପାରଳା ବିଧାୟକ କେ.ସୁର୍ଯ୍ୟ ରାଓ, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପିଡି ଚଞ୍ଚଲ ରାଣା ,ସିଡିଏମଓ ଉପସ୍ଥିତ ଥିଲେ ।

ବାର୍ଦ୍ଧକ୍ୟ ଭତ୍ତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ବ୍ଲକ ଅଟିର ଗ୍ରାମ ପଞ୍ଚାୟତ ବାସୀ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଈଁ ନିରାଶ ହେବା ପରେ , ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ଙ୍କ ପିଅନ ମାନଙ୍କୁ ଓ ତଳିଆ କର୍ମଚାରି ମାନଙ୍କୁ ୧୦,୦୦୦ ଟଙ୍କା ରୁ ଅଧିକ ଦରମା ମିଳୁଥିବା ବେଳେ ବୃଦ୍ଧା ଙ୍କୁ ଭତ୍ତା ବାବଦ କୁ ମାତ୍ର ୩୦୦ ଟଙ୍କା ଯୋଗାଇଦିଆଯାଇଥିବା ବେଳେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବା ଅଭିଯୋଗ ହେଉଛି ।

ବିଡ଼ିଓ ଓ ସରପଞ୍ଚ ଙ୍କୁ ଭତ୍ତା ବାବଦ ରେ କହି କହି ଥକିଯିବା ପରେ ବର୍ତ୍ତମାନ ଦାବିପତ୍ର ମାଧ୍ୟମରେ ଦୁଃଖ ଜଣାଇ ତୁରନ୍ତ ବିଚାର କରାଯିବା କୁ ଦାବି କରିଛନ୍ତି ।

ଦୁର୍ବଳ ହେଉଛି ଆପ୍‌! ପୁଣି ଜଣେ ବିଧାୟକଙ୍କ ଇସ୍ତଫା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସେତିକି ଦୁର୍ବଳ ହେବାରେ ଲାଗିଛି। ଆଜି ପଞ୍ଜାବର ବରିଷ୍ଠ ଆପ୍‌ ନେତା ତଥା ବିଧାୟକ ବଲଦେବ ସିଂହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେ କହିଛନ୍ତି,“ଦଳ ଯେଉଁ ଆଦର୍ଶ ଓ ସ୍ୱାଭିମାନକୁ ନେଇ ଗଠନ ହୋଇଥିଲା, ଧୀରେଧୀରେ ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି। ଦଳରେ ଦୋମୁହାଁ ନୀତି ପ୍ରଚଳିତ ଥିବା ବେଳେ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମୁଁ ଦଳର ସମସ୍ତ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୁଁ ମୋ ଇସ୍ତଫାପତ୍ର ଆପ୍‌ ମୁଖ୍ୟଙ୍କୁ ପଠାଇ ଦେଇଛି।” ବଲଦେବ ସିଂହ ପଞ୍ଜାବର ଜାଇଟୋ ଆସନରୁ ବିଧାୟକ ହୋଇଥିଲେ।

ଏହାପୂର୍ବରୁ ଜାନୁଆରୀ ୬ରେ ବିଧାୟକ ସୁକପାଲ ସିଂହ ଖୈରା ଆପ୍‌ ମୁଖ୍ୟଙ୍କୁ ଜଣେ ସ୍ୱେଚ୍ଛାଚାରୀ କହି ଦଳରୁ ଇସ୍ତଫା ଦେଇଥିଲେ। ଏହି ଦୁଇ ବିଧାୟକଙ୍କ ବ୍ୟତୀତ ସାମଜିକ କର୍ମୀ ତଥା ବରିଷ୍ଠ ଓକିଲ ଏଚ୍‌ସି ଫୁଲକା ମଧ୍ୟ ଆପ୍‌ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିଲେ।

ଦୁଇ ବିଚାରପତିଙ୍କ ପଦୋନ୍ନତି ରୋକିବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଚାରପତି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବାକୁ ଯାଉଥିବା ଦୁଇଜଣ ବିଚାରପତିଙ୍କ ପଦୋନ୍ନତିକୁ ରୋକିବା ଲାଗି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି କୈଳାସ ଗମ୍ଭୀର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମାହେଶ୍ବରୀ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଜଷ୍ଟିସ ମାହେଶ୍ବରୀ ଓ ଜଷ୍ଟିସ ଖାନ୍ନାଙ୍କୁ ପଦୋନ୍ନତି ଦିଆଯିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ବିଚାରପତି ଜଷ୍ଟିସ ଗମ୍ଭୀର। ଜଷ୍ଟିସ ଗମ୍ଭୀର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବ ବଡ ଭୁଲ୍ ନିଷ୍ପତ୍ତି ହେବ। ତେଣୁ ଏହି ଭୁଲ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ରୋକାଯାଉ। ବିଭିନ୍ନ ହାଇକୋର୍ଟର ୩୨ଜଣ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରାଯାଇ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜଷ୍ଟିସ ଗମ୍ଭୀର ଲେଖିଛନ୍ତି। ଜଷ୍ଟିସ ଖାନ୍ନା ଯଦି ପଦୋନ୍ନତି ପାଆନ୍ତି ତେବେ ୨୦୨୪ ବେଳକୁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।

ଲୋକାଭିମୁଖି ଇସ୍ତାହାର website ଲୋକାର୍ପଣ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତ କାଲି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website – www.congressmyvoice.com  ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଯୁବ, ଛାତ୍ର, ଅସଂଗଠିତ ଶ୍ରମିକ, କୃଷକ, ଭାଗଚାଷୀ, ପଛୁଆବର୍ଗ ନିମନ୍ତେ କି କି ପଦକ୍ଷେପ ନେବୁ ସେଥିଲାଗି ଆପଣମାନେ ଉପରୋକ୍ତ website ଆପଣଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଆପଣମାନେ ପରିବର୍ତନର ବାହକ ହୋଇ କଂଗ୍ରେସକୁ ମଜବୁତ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ରାଜ୍ୟରେ ସରକାର ପରିବର୍ତନରେ ଗଣମାଧ୍ୟମର ଭୂମିକା ନିର୍ଣ୍ଣାୟକ ହୋଇପାରିବ ସୁତରାଂ ଆପଣମାନଙ୍କର ବହୁମୂଲ୍ୟ ପରାମର୍ଶ ଇସ୍ତହାର ନିମନ୍ତେ ଅତ୍ୟନ୍ତ ଉପାଦେୟ ।  ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଭବିଷ୍ୟତ ଗଢ଼ିବେ ଆପଣମାନେ । ପ୍ରକାଶ ଥାଉକି ଇସ୍ତହାର କମିଟିର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପୂର୍ବରୁ ଜନସାଧାରଣଙ୍କ  ବହୁମୂଲ୍ୟ ପରାମର୍ଶ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ  ଠିକଣାରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ତହାର କମିଟି ଆବାହକ ବିସ୍ମୟ ମହାପାତ୍ର ଓ ସଦସ୍ୟ ଲିଆକତ୍  ଅଲ୍ଲୀ, ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।