ଗୁଣପୁର : ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଚିନ୍ତାଲଗୁଡା ଗ୍ରାମରେ ଘର ପୋଡି ଭସ୍ମୀଭୂତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ଚିନ୍ତାଲଗୁଡା ଗ୍ରାମରେ ନିଆଁ ଲାଗି ୨ ଗୋଟି ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ ନିକଟସ୍ଥ ୪ ଗୋଟି ଘର ଅନେକାଂଶ ପୋଡିଯାଇଛି । ବିଳମ୍ବିତ ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ନିଆଁ ଲାଗିଯାଇଥିବା ରୁ ସ୍ଥାନୀୟ ବାସିନ୍ଦା ଏହାକୁ ଆୟତ କରିବା ଚେଷ୍ଟା କରି ଗୁଣପୁରସ୍ଥ ଦମକଳ ବାହିନୀକୁ ଅବଗତ କରାଇଥିଲେ । ଘଟଣାଟି ରାତ୍ର ସମୟରେ ହୋଇଥିବାରୁ ଦମକଳ କେନ୍ଦ୍ର ରେ କେହି ଫୋନ ଉଠାଇ ନଥିବା ନେଇ ଅଭିଯୋଗ ହୋଇଛି । ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଗୁଣପୁର ଦମକଳ କେନ୍ଦ୍ରରେ ପହଞ୍ଚି ଅଭିଯୋଗ କରିବା ରୁ ଦମକଳ ବାହିନୀ ଚିନ୍ତାଲଗୁଡା ରେ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ଏହି ଗ୍ରାମର ୩ ଗୋଟି ସାହି ରେ ପ୍ରାୟ ୮୦ ଗୋଟି ଘର ରହିଛି । ଘଟଣା ସ୍ଥଳରେ ସରପଞ୍ଚ ଗୌରୀ ଗମାଙ୍ଗ ସହ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଆଇନ ଉପଦେଷ୍ଟା ଗୌରୀ ଶଙ୍କର ଦାଶ ଏବଂ ସମ୍ପାଦକ ସୁମନ ସାହୁକାର ପହଞ୍ଚି ଘଟଣା ର ଅନୁସନ୍ଧାନ କରି ପ୍ରପୀଡିତ ପରିବାର ଙ୍କୁ ସାନ୍ତ୍ଵନା ଦେଇଛନ୍ତି । ଗ୍ରାମ ପଞ୍ଚାୟତ ତରଫରୁ ପ୍ରପୀଡିତ ପରିବାର ବର୍ଗ ଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଗୌରୀ ଗମାଙ୍ଗ ପ୍ରକାଶ କରିଛନ୍ତି । ମଧ୍ୟ ରାତ୍ରରେ ନିଆଁ ଲାଗିଥିବାରୁ କେଉଁ କାରଣ ରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ଅସ୍ଵଷ୍ଟ ଅଛି ଓ କ୍ଷୟକ୍ଷତି ର ଆକଳନ କରାଯାଇପାରି ନାହିଁ  ।

 

ଇଭିଏମ୍ ହ୍ୟାକାଥନକୁ କଂଗ୍ରେସ ପ୍ରାୟୋଜିତ କହିଲା ବିଜେପି ! ଟ୍ୟାମ୍ପରିଂ କରି ବିଜେପି ୨୦୧୪ରେ ବିଜୟୀ ହୋଇଥିବା ଆରୋପ୍ ଲଗାଇଥିଲେ ଆଇଟି ଏକ୍ସପର୍ଟ ।

ଏଥର ସମ୍ଭାଳ ବ୍ୟୁରୋ – ନିର୍ବାଚନ ପୂର୍ବରୁ ଇଭିଏମ୍ ହ୍ୟାକର ଅଭିଯୋଗ  । ଆମେରିକୀୟ ସାଇବର୍ ଏକ୍ସପର୍ଟ ସୈୟଦ୍ ସୁଜା ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛନ୍ତି ନିର୍ବାଚନ କମିସନ  । ଅନ୍ୟପଟେ ଲଣ୍ଡନରେ ହୋଇଥିବା ଇଭିଏମ୍ ହ୍ୟାକାଥନକୁ କଂଗ୍ରେସ ପ୍ରାୟୋଜିତ କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ  । ସେପଟେ ଏହାକୁ ନେଇ ବଢ଼ିବାରେ ଲାଗିଛି ବୟାନବାଜୀ  । ହ୍ୟାକ୍ ହୋଇନଥିଲା ଇଭିଏମ୍ ମେସିନ୍ । ଜବାବ୍ ରଖିଲେ ନିର୍ବାଚନ କମିସନ । ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବର ସାଇବର ଏକ୍ସପର୍ଟ ସୈୟଦ୍ ସୁଜା ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ  । ଆୟୋଗ କହିଛନ୍ତି ବିଇଏଲ୍ ବା ଭାରତ ଇଲେକଟ୍ରନିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଇଭିଏମକୁ ନିର୍ବାଚନରେ ବ୍ୟବହାର କରାଯାଇଥାଏ ଓ ବିଭିନ୍ନ ପ୍ରକାର ପରୀକ୍ଷା ପରେ ଇଭିଏମକୁ ହ୍ୟାକ୍ କରାଯାଇପାରିବ ନାହିଁ ବୋଲି ଏକ୍ସପର୍ଟ ଏକମତ । ସେପଟେ ଇଭିଏମ୍ ହ୍ୟାକର ଅଭିଯୋଗ ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ୍ ପ୍ରତ୍ୟାରୋପ  ।

ଦେଖିବା କ’ଣ କହିଥିଲେ ସୈୟଦ୍ ସୁଜା ?

– ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିଲା  ।

– ଇଭିଏମ୍ ଟ୍ୟାମ୍ପରିଂ ବିଷୟରେ ଜାଣିଥିବାରୁ ଗୋପୀନାଥ ମୁଣ୍ଡେଙ୍କୁ ହତ୍ୟା କରାଯାଇଥିଲା  ।

– ଇଭିଏମ୍ ଟ୍ୟାମ୍ପରିଂ ସମ୍ପର୍କିତ ଖବର ସାମ୍ବାଦିକ ଗୌରୀ ଲଙ୍କେଶ୍ ଛାପିବାକୁ ଥିବାରୁ ତାଙ୍କୁ ମଧ୍ୟ ରାସ୍ତାରୁ ହଟାଇ ଦିଆଯାଇଥିଲା  ।

– କେବଳ ବିଜେପି ନୁହେଁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଆମ ଆଦମି ପାର୍ଟି ମଧ୍ୟ ଇଭିଏମ ଟ୍ୟାମ୍ପରିଂରେ ସଂପୃକ୍ତ  ।

– ଇଭିଏମ୍ ହ୍ୟାକ୍ କରି ବିଜେପି ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ଜିତିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାକୁ ଆମ ଟିମ୍ ବିଫଳ କରିଥିଲା  ।

ନିର୍ବାଚନ ପରେ ଓ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପାଇଁ ଇଭିଏମ୍ ଟ୍ୟାମ୍ପରିଂ ସବୁବେଳେ ଏକ ଅସ୍ତ୍ର ହୋଇ ରହିଆସିଥିବା ବେଳେ ଏବେ ହ୍ୟାକ୍ ଅଭିଯୋଗ ଆଣିଛନ୍ତି ହ୍ୟାକର୍  । ଏହାକୁ ନିର୍ବାଚନ କମିସନ୍ ଖଣ୍ଡନ କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ତାତି କିନ୍ତୁ ଥମିବାର ନାଁ ନେଉଁନାହିଁ  ।

ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି :ପ୍ରତାପ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ୍‍ ହାଇୱେ) ବାବଦରେ ଯେଉଁ ସାମ୍ବାଦିକ ସମ୍ମିଳନୀ ରଖିଥିଲେ, ତାହା ସେହି କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପାଇଁ ଆଶାୟୀ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ । ଭାରତୀୟ ଜନତା ପାର୍ଟି ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭ୍ୟାସଗତ ମିଛୁଆ । ଯେଉଁ ବକ୍ତବ୍ୟ ସେ ଦିଲ୍ଲୀରେ ରଖିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ ଏବଂ ତରବରିଆ ଭାବରେ କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ବାଚନୀ ଖର୍ଚ୍ଚ ବାହାର କରିବାର ଏକ ଅଭିସନ୍ଧି । ୨୦୧୫ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ କୋଷ୍ଟାଲ୍‍ ହାଇୱେର ନିର୍ମାଣକୁ ନେଇ ଯେଉଁ ବିବୃତି ରଖିଥିଲେ, ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ୟାବିନେଟ୍‍ ଅନୁମୋଦନ ପାଇ ଦୀର୍ଘ ଅଢେ଼ଇ ବର୍ଷ ଲାଗିଥିଲା । କାହିଁକି ଏ ପ୍ରକାର ବିଳମ୍ବ ହେଲା, ତାହା ଶ୍ରୀ ପ୍ରଧାନ ସ୍ପଷ୍ଟ କଲେ ଉଚିତ୍‍ ହୁଅନ୍ତା । ରାଜ୍ୟର ପୁରୁଣା ରାସ୍ତାକୁ ନବୀକରଣ କରି ତାହାକୁ କୋଷ୍ଟାଲ୍‍ ହାଇୱେର ଆଖ୍ୟା ଦେଇ ଯେଉଁ ଏକ ଅସଫଳ ପ୍ରୟାସ ଶ୍ରୀ ପ୍ରଧାନ କରୁଛନ୍ତି, ତାହା ତାଙ୍କର ଠିକାଦାର ପୋଷିବା ନୀତିକୁ ପଦାରେ ପକାଉଛି । କେନ୍ଦ୍ର ସରକାରଙ୍କ ଏନ୍‍ଏଚ୍‍ଆଇ ସଂସ୍ଥା ରାଜ୍ୟ ସରକାରଙ୍କ ସହ ଏହି କୋଷ୍ଟାଲ୍‍ ହାଇୱେର ପଥ ନିର୍ଦ୍ଧାରଣ ସଂକ୍ରାନ୍ତୀୟ ଆଲୋଚନା କଲା ପରେ ମଧ୍ୟ ଏବଂ ରାଜ୍ୟ ସରକାର ନିଜର ଗୁରୁତ୍ୱପୂର୍ଣ୍ଣ ମତ ଦେବା ସତ୍ତେ୍ୱ, ଲୁକ୍କାୟିତ ଭାବରେ କେନ୍ଦ୍ର ସରକାର ଓ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ବିନା ଅବଗତରେ ତରବରିଆ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ଚଳାଇଥିବା ପ୍ରୟାସ ଭିତରେ ଏକ ଅଭିସନ୍ଧି ଥିବା ସ୍ପଷ୍ଟ ଜଣାପଡିଯାଉଛି । ଶ୍ରୀ ପ୍ରଧାନ ଏହି ଅଭିସନ୍ଧିର ମୁଖ୍ୟ ନାୟକ । ଯାହା ଶୁଣିବାକୁ ମିଳୁଛି, ଯେଉଁ ପଥମାର୍ଗ ଦେଇ ଏହି କୋଷ୍ଟାଲ୍‍ ହାଇୱେକୁ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଓ ଶ୍ରୀ ପ୍ରଧାନ ଚାହୁଁଛନ୍ତି, ତାହା ଯଦି ସାକାର ହୁଏ, ତେବେ ହଜାର ହଜାର ଘର ଓ ଗାଁ କ୍ଷତିଗ୍ରସ୍ତ ହେବ । ନିଜର ନିହୀତ ନିର୍ବାଚନୀ ଚାନ୍ଦା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ରାଜ୍ୟ ସରକାର କୋଷ୍ଟାଲ୍‍ ହାଇୱେ ଓଡ଼ିଶାରେ ହେଉ, ଏହା ଦୃଢ଼ତାର ସହିତ ଚାହୁଁଛନ୍ତି । କୋଷ୍ଟାଲ୍‍ ହାଇୱେ ହେଲେ ରାଜ୍ୟର ପର୍ଯ୍ୟଟନ, ଗମନାଗମନ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । କିନ୍ତୁ ତାହା ହଜାର ହଜାର ଜୀବନକୁ କ୍ଷତିଗ୍ରସ୍ତ କରି ଏବଂ ଠିକାଦାରମାନଙ୍କୁ ପୋଷି ତାଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ଆଦାୟ କରିବାର ଏକ ମାଧ୍ୟମ ନହେଉ, ଯାହାକି ଶ୍ରୀ ପ୍ରଧାନ ଚାହୁଁଛନ୍ତି । ବିଜୁ ଜନତା ଦଳ ଏଠାରେ ଦାବି ରଖୁଛି ଯେ କେନ୍ଦ୍ର ସରକାରଙ୍କ ଏନ୍‍ଏଚ୍‍ଆଇ ଏହି ପ୍ରକଳ୍ପର ସଂପୂର୍ଣ୍ଣ ପଥ ନିର୍ଦ୍ଧାରଣର ତଥ୍ୟ ଓ ବିବରଣୀ ସହିତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରନ୍ତୁ ଏବଂ ରାଜ୍ୟ ସରକାରଙ୍କ ପିଠି ପଛରେ ଯାଇ ତରବରିଆ, ଏକପାଖିଆ ଓ ଅଭିସନ୍ଧିମୂଳକ କାର୍ଯ୍ୟ ନକରନ୍ତୁ । କୋଷ୍ଟାଲ୍‍ ହାଇୱେ ଶ୍ରୀ ପ୍ରଧାନଙ୍କ ନିର୍ବାଚନୀ ଚାନ୍ଦା ସଂଗ୍ରହ କରିବାର ମାଧ୍ୟମ ନହୋଇ ଓଡ଼ିଶାବାସୀଙ୍କ ପ୍ରକୃତ ହିତରେ ଲାଗୁ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ  ନେତା ଶ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ବିଜେପି କ୍ୟାମ୍ପ ରେ ଜୟରାମ ସୁରକ୍ଷିତ ! ଜୟରାମ ପାଙ୍ଗୀଙ୍କ ପାଇଁ ଇତିଶ୍ରୀଙ୍କୁ ଇତିହାସ କରିଦେଲା କି ବିଜେପି ? ବିଜେପି ଏଜେଣ୍ଡାରେ ନାହିଁ ଇତିଶ୍ରୀ ପ୍ରସଙ୍ଗ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ଅଭିଯୋଗ ଆଣି ଆଜି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳା ମୋର୍ଚ୍ଚାର କର୍ମୀ । ଏହି ଆନ୍ଦୋଳନ ମାଧ୍ୟମରେ ମହିଳା ମାନଙ୍କ ପ୍ରତି ରାଜ୍ୟରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛି ବିଜେପି । ପିପିଲି ପୀଡିତା ଓ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେପିର ମହିଳା ମୋର୍ଚ୍ଚାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । କିନ୍ତୁ ମହିଳାଙ୍କୁ ନ୍ୟାୟ ଦେବାକୁ କହି ବିଜେପିର ମହିଳା ମୋର୍ଚ୍ଚା ଯେତେବେଳେ ନାଲି ଚୁଡି ଧରି ରାଜରାସ୍ତାକୁ ଓହ୍ଲାଉଛି ସେତେବେଳେ ଟିକିରିର ଇତିଶ୍ରୀଙ୍କ କଥା ଭୁଲି ଯାଉଛନ୍ତି କିପରି । ଇତିଶ୍ରୀ ମଧ୍ୟ ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ନ୍ୟାୟ ଭିକ୍ଷା କରିଛି । ଇତିଶ୍ରୀର ସ୍ୱର କଣ ବିଜେପିର ମହିଳା ମୋର୍ଚ୍ଚା ଶିବିରରେ ପହଞ୍ଚି ପାରିନି । ପିପିଲି ପୀଡିତାଙ୍କ ସର୍ମ୍ପକରେ ରାୟ ଆସିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପିର ମହିଳା ମୋର୍ଚ୍ଚା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା କଥା ଉଠାଇବା ପରେ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । କିନ୍ତୁ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଥିବା ଟିକିରି ଇତିଶ୍ରୀଙ୍କୁ ନ୍ୟାୟ ଦେବା ପ୍ରସଙ୍ଗରେ ବିଜେପିର ମହିଳା ମୋର୍ଚ୍ଚା କାହିଁକି ଚୁପ ବସିଛି । ଇତିଶ୍ରୀଙ୍କ ପାଇଁ କଣ ବିଜେପିର ଟିକିଏ ବି ଦରଦ ନାହିଁ । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ କାହିଁକି ପଛଘୁଞ୍ଚା ଦେଉଛି ବିଜେପି । ଓଡିଶାବାସୀ ଭାବେ ଏଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । ତେବେ ପିପିଲି ଓ କୁନ୍ଦୁଲି ପୀଡିତାଙ୍କ ପାଇଁ ବିଜେପିର ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ହଲାପଟା କରୁଥିବା ବେଳେ  ଇତିଶ୍ରୀଙ୍କ ପ୍ରସଙ୍ଗରେ ଚୁପ୍ ରହିବା ପଛରେ ଏକ ବଡ କାରଣ ମଧ୍ୟ ଲୁଚି ରହିଛି ।

ସିବିଆଇ କ୍ଲୋଜର ରିପୋର୍ଟ ଦେବା ପରେ ଇତିଶ୍ରୀ ମାମଲାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।  ଆଉ ସୁପ୍ରିମକୋର୍ଟଙ୍କ ଏହି ଅନୁମତି ପରେ  ଇତିଶ୍ରୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନେ ବେଶ ଖୁସିରେ ନିଶ୍ୱାସ ମାରିଛନ୍ତି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଇତିଶ୍ରୀ ମୃତ୍ୟୁକୁ ନେଇ ବିଜେପି ପୂର୍ବରୁ ବିଜେଡିରେ ଥିବା ଜୟରାମ ପାଙ୍ଗୀଙ୍କୁ ଟାର୍ଗେଟ କରି ଆସୁଥିଲା । ଯାହାଙ୍କୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଫେରାଦ ହୋଇଥିଲା । ସେହି ବ୍ୟକ୍ତିଙ୍କୁ ସମୟ ବିତିବା ସହ ବିଜେପି ନିଜ ଦଳକୁ କୋଳେଇ ନେଇଥିଲା । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ହତ୍ୟା ଘଟଣାରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀକୁ ବିରୋଧ କରି କାଠଗଡାରେ ଠିଆ କରାଇଥିଲା ବିଜେପି । କିନ୍ତୁ ଏବେ ତାଙ୍କୁ ପାଛୋଟି ନେଇଛି ନିଜ ଦଳକୁ । ସମୟଚକ୍ରରେ ଶତ୍ରୁ ବନିଯାଇଛି ମିତ୍ର । ସମୟ ସହ ବଦଳିଯାଇଛି ଚରିତ୍ରର ଚିତ୍ର । କିନ୍ତୁ ଏହି ରାଜନୈତିକ ମିତ୍ରତା ଭିତରେ କଣ ବିଜେପି ଭୁଲିଯାଇଛି ଇତିଶ୍ରୀଙ୍କ କଥା ।

୨୦୧୩ ମସିହାରେ ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲା ବିଜେପି । ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲା ଦଳ । ଏବେ ବିଜେଡିରୁ ବିଦା ହୋଇଥିବା ସେହି ନେତାକୁ ଆପଣେଇ ନେଇଛି ବିଜେପି । ଏହା ସହ ବଦଳିଛି ଦଳର ଆଭିମୁଖ୍ୟ । ଆଜି ଯିଏ ଶତ୍ରୁ, କାଲି ସେ ମିତ୍ର । ଏହା ରାଜନୀତିର ଏକ ମହାମନ୍ତ୍ର  । ଏହା ପୁଣି ପ୍ରମାଣିତ ହୋଇଛି ।ଆଉ ଏସବୁ ଭିତରେ ବିଜେପି ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଦଳୀୟ ବନ୍ଧୁଙ୍କ ପାଇଁ ଇତିଶ୍ରୀଙ୍କୁ ଭୁଲି ଯାଇନି ତ ତାହା ଏବେ ସବୁଠୁ ପ୍ରଶ୍ନ ଭାବେ ଉଭା ହୋଇଛି ।

ଗତକାଲି କଂଗ୍ରେସ ଛାଡ଼ି,ଆଜି ବିଜେଡିରେ ଯୋଗ ଦେବେ ପ୍ରଣୟ ସାହୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଗତକାଲି କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ଆଜି ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ନବୀନ ନିବାସରେ ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀ ସାହୁ ନିଜର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଶ୍ରୀ ସାହୁ ବିଜେଡିରେ ସାମିଲ ହେବେ।

ଏହି ସମୟରେ ବିଜେପୁର ବିଧାୟିକା ରୀତା ସାହୁ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଶ୍ରୀ ସାହୁଙ୍କ ସହ ତାଙ୍କର ପ୍ରାୟ ୧୫୦ଜଣ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହେବେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ସାହୁ ସଂଗଠନରେ ତାଙ୍କୁ ପଚରା ଯାଉନଥିବା ଅଭିଯୋଗ ଆଣି ଅଚାନକ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଭୋଟର ମତଦାନରୁ ଏନ୍‌ଆରଆଇ ବଞ୍ଚିତ ହେବେ କି ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରବାସୀ ଭାରତୀୟ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ଲାଗି ଆଇନ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଧେୟକ ଅଣାଯାଇଛି। ଏହି ବିଧେୟକ ୨୦୧୮ରେ ଲୋକସଭାରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାର ମଞ୍ଜୁରୀ ଅପେକ୍ଷାରେ ରହିଛି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବିଧେୟକଟି ରାଜ୍ୟସଭାରେ ଗୃହୀତ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ ମନେହୁଏ। ଶୀତକାଳୀନ ଅଧିବେଶନରେ ଆଲୋଚନା ଲାଗି ପ୍ରତ୍ୟେକ ଦିନ ଏହାକୁ ତାଲିକାଭୁକ୍ତ କରାଯାଇଥିଲା। ମାତ୍ର ବିଭିନ୍ନ ଦଳର ହଟ୍ଟଗୋଳ ଯୋଗୁ ରାଜ୍ୟସଭା ବାରମ୍ବାର ମୁଲତବୀ ହେବାରୁ ବିଧେୟକ ଉପରେ କୌଣସି ଆଲୋଚନା ହୋଇପାରି ନ ଥିଲା। ଅନ୍ୟପଟେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଅଧିବେଶନ ଡକାଇଛନ୍ତି। ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ଅଧିବେଶନରେ ମାତ୍ର ୧୧ଟି କାର୍ଯ୍ୟଦିବସ ରହିଛି। ଏହାମଧ୍ୟରେ ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଣୁ ତାହା ଉପରେ ଚର୍ଚ୍ଚା ହେବାକୁ ଥିବାରୁ ଏହି ବିଧେୟକ ଉପରେ ଆଲୋଚନା ପାଇଁ ସମୟ ମିଳି ନ ପାରେ ବୋଲି କୁହାଯାଉଛି। ଫଳରେ ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ଏନ୍‌ଆରଆଇ ଭୋଟରମାନେ ଅଂଶଗ୍ରହଣ କରିବା ନେଇ ସଂଶୟ ଲାଗି ରହିଛି।
ବୈଦେଶିକ ମନ୍ତ୍ରାଳୟର ସୂଚନାନୁସାରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ୩.୧୦ କୋଟି ପ୍ରବାସୀ ଭାରତୀୟ ଅଛନ୍ତି। ସମ୍ପ୍ରତି ଏମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ନିମନ୍ତେ ଭାରତ ଆସିବାକୁ ପଡୁଛି। ନିଜ ନିର୍ବାଚନମଣ୍ଡଳୀକୁ ଯାଇ ବିଦେଶଯାତ୍ରା ବେଳେ ପ୍ରଦାନ କରାଯାଇଥିବା ମୂଳ ପାସପୋର୍ଟ ଦେଖାଇ ମତଦାନ କରିବାକୁ ପଡୁଛି। ଏହି ସମସ୍ୟା ଦୂର କରିବା ଲାଗି ଇ-ଭୋଟିଂ ବା ଇଣ୍ଟରନେଟ ମାଧ୍ୟମରେ ମତଦାନ ବ୍ୟବସ୍ଥା କରିବାକୁ ଏକ ପ୍ରସ୍ତାବ ଆସିଥିଲା। ମାତ୍ର ନିର୍ବାଚନ କମିସନଙ୍କ ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ଏହା ପରିବର୍ତ୍ତେ ପ୍ରକ୍ସି ଭୋଟିଂ ବା ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ୟ ଜଣେ ବ୍ୟକ୍ତି ମତଦାନ କରିପାରିବା ନେଇ ଏକ ପ୍ରସ୍ତାବକୁ କମିଟି ମଞ୍ଜୁରୀ ଦେଇଛନ୍ତି। ଏହାକୁ ଆଇନରେ ପରିଣତ କରିବା ଲାଗି ଉକ୍ତ ବିଧେୟକ ଉଦ୍ଦିଷ୍ଟ। ବିଧେୟକଟି ଆଇନରେ ପରିଣତ ହେଲେ ପ୍ରବାସୀ ଭାରତୀୟମାନେ ନିଜ ପାଇଁ ଜଣେ ପ୍ରକ୍ସି ଭୋଟର ମନୋନୟନ କରିପାରିବେ। ପ୍ରତ୍ୟେକ ନିର୍ବାଚନ ବେଳେ ଏହି ପ୍ରକ୍ସି ପରିବର୍ତ୍ତନ କରାଯିବ।
ନିର୍ବାଚନ ଆଇନ ଅନୁସାରେ ସେନାର ଜଣେ ପୁରୁଷ କର୍ମଚାରୀଙ୍କ ପତ୍ନୀ ‘ସର୍ଭିସ ଭୋଟର’ ଭାବେ ପଞ୍ଜିକୃତ। ଅର୍ଥାତ ସ୍ବାମୀ କାର୍ଯ୍ୟସ୍ଥଳରେ ଥିବା ଅବସରରେ ତାଙ୍କ ପାଇଁ ପତ୍ନୀ ମତଦାନ କରିପାରିବା ନେଇ ନିର୍ବାଚନ ଆଇନରେ ଅନୁମତି ରହିଛି। କିନ୍ତୁ ସେନାର ଜଣେ ମହିଳା କର୍ମଚାରୀଙ୍କ ସ୍ବାମୀଙ୍କୁ ସେହି ଅଧିକାର ଦିଆଯାଇନାହିଁ। ଏଣୁ ଆଇନଟିକୁ ଲିଙ୍ଗଗତ ପ୍ରଭେଦରୁ ଊର୍ଦ୍ଧ୍ବକୁ ନେଇ ପତ୍ନୀ ସ୍ଥାନରେ ‘ସ୍ପାଉସ (ପତ୍ନୀ କିମ୍ବା ପତି)’ ଉଲ୍ଲେଖ କରିବାକୁ କେନ୍ଦ୍ର ଯୋଜନା ଚଳାଇଛି। ଉଲ୍ଲେଖ ଯେ, ସେନାବାହିନୀ, ସିଆରପିଏଫ୍‌, ନିଜ ରାଜ୍ୟରୁ ବାହାରେ ନିୟୋଜିତ ରାଜ୍ୟ ପୁଲିସ ବାହିନୀ ଓ ଦେଶ ବାହାରେ ନିଯୁକ୍ତ କେନ୍ଦ୍ରସରକାରଙ୍କ ଅଧୀନସ୍ଥ କର୍ମଚାରୀ ତଥା ବିଭିନ୍ନ ଦୂତାବାସର କୂଟନୀତିଜ୍ଞମାନେ ‘ସର୍ଭିସ ଭୋଟର’ ବର୍ଗଭୁକ୍ତ ଅଟନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆଇନକୁ ଲିଙ୍ଗଗତ ପ୍ରଭେଦମୁକ୍ତ କରିବା ଲାଗି ନିର୍ବାଚନ କମିଶନ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ ବହିଷ୍କୃତ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆଙ୍କୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ ମନ୍ତବ୍ୟ ଏବଂ ବିଶୃଙ୍ଖଳା ପାଇଁ ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଥିବା ଦର୍ଶାଯାଇଛି। ନିଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିର୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶନିବାର ରାତିରେ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।
ଗତ କିଛି ଦିନ ଧରି ଶ୍ରୀକାନ୍ତ ଏବଂ କୃଷ୍ଣ ସଗରିଆ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ। ଅନନ୍ତ ସେଠୀ କହିଛନ୍ତି ଯେ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେବା ଏବଂ ବିଶୃଙ୍ଖଳିତ ଆଚରଣ ଦେଖାଇବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କୃତ କରାଯାଇଛି।

ସୁଡ୍ରାରେ ମାଓ ପୋଷ୍ଟର ଲୋକେ ଆତଙ୍କିତ !

ଏଥର ସମ୍ଭାଳ ବ୍ୟୁରୋ (କନ୍ଧମାଳ) – କନ୍ଧମାଳ ଜିଲ୍ଲା  ବାଲିଗୁଡା ଅନ୍ତର୍ଗତ ସୁଡ୍ରାରେ ଆଜି ସକାଳୁ  ସେବାଶ୍ରମ  ପାଚେରୀ  କଡ  ରାସ୍ତା ଓ  ଗାଁ  ଛକର  ବିଭିନ ସ୍ଥାନରେ ଗଛ  ଗୁଡିକରେ  କେକେବିଏନ  ମାଓ  ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ! ପୋଷ୍ଟରରେ ପୋଲିସ ସୁଚନାଦାତା, ଇନଫର୍ମର , ଠିକାଦାରଙ୍କୁ ଚେତାବନୀ ଦିଆଯାଇଛି ! ସୁଡୁରୁକୁମ୍ପା ରବି ମଳିକଙ୍କୁ  ଜନ ଅଦାଲତ  ପିଏଲଜିଏ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଏହି ପୋଷ୍ଟରରେ ଉଲେଖ ରହିଛି | କେକେବିଏନ ଡ଼ିଭିଜନ ଭିତରେ ଗୁଇନ୍ଦା ଓ ଖବରଦାତାଙ୍କ ନାମ ଏଥିରେ ଉଲେଖ ରହିବା  ସହିତ ସୁଖୀ ଜୀବନ ଜିଇଁବା ପାଇଁ ପରାମର୍ଶ ଦେଇ ପୋଲିସର ଖବରଦାତା ନ ହେବା ପାଇଁ ଚେତାବନୀ  ଦିଆଯାଇଛି | ମାଳିସୁଗାର  ପ୍ରମୋଦକୁ ଜନଅଦାଲତରେ  ବିଚାର କରାଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ! ସେହିପରି ଦାରିଙ୍ଗିବାଡ଼ି ସେବାଶ୍ରମର ଅଷ୍ଟମ ଶେଣୀ ଛାତ୍ରୀ ପ୍ରସବ ଘଟଣାର ନିନ୍ଦା କରାଯାଇଛି |   କିନ୍ତୁ ଏହି ପୋଷ୍ଟରକୁ ନେଇ ସୁଡ୍ରା ଅଂଚଳରେ ଭୟର ବାତାବରଣ  ଖେଳିଯାଇଛି | ପୋଲିସ  ଘଟଣା ସର୍ମ୍ପକରେ ଗ୍ରାମ ବାସୀଙ୍କ ଠାରୁ  ଖବର ମିଳିଥିବା କହିଛି |  କିନ୍ତୁ ଏହି ପୋଷ୍ଟର  କିଏ ମାରିଛି, ତାର ତର୍ଜମା ଚାଲିଥିବା  ପୋଲିସ କହିଛି !

ଜାନୁଆରୀ ଛବିଶ ତାରିଖକୁ  କଳା ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି | ସେହିପରି କନ୍ଧମାଳ ଏସପି ଔଷଧ ବିକଳରେ ତାଟିଆ  କାମୁଡିଛନ୍ତି ବୋଲି ପୋଷ୍ଟରରେ ରହିଛି |  ଜାନୁଆରୀ  ବାର  ତାରିଖ ରୁ ଫେବୁଆରୀ ବାର  ପର୍ଯ୍ୟନ୍ତ, ଅଙ୍କତିନି  ବିପ୍ଲବୀ ଡେଙ୍ଗୁରା କେକେବିଏନ ଡିଭିଜନ ପ୍ରାଚୀର ପତ୍ରିକା ବୋଲି ଲେଖାଯାଇଛି | ପୋଷ୍ଟରରେ  କେକେବିଏନ ମାଓବାଦୀ  ଡିଭିଜନ  ବୋଲି ପୋଷ୍ଟରରେ ଉଲେଖ ରହିଛି !

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲାଲ ଚୁଡ଼ି ପଠାଇଲା ବିଜେପି

ଏଥର ସମ୍ଭାଳ ବ୍ୟୁରୋ (ବାଲେଶ୍ଵର) – ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ନବୀନ ସରକାର କଥା କେବଳ ପାଣିର ଗାର ସଦୃଶ । ଆଜିବି ସାଧାରଣ ଘରର ମହିଳା ଅସୁରକ୍ଷିତ ମନେ କରୁଛି । ଓଡିଶାରେ ୮ ବର୍ଷର କନ୍ୟା ଠାରୁ ୬୦ ବର୍ଷର ବୟଷ୍କ ମହିଳା ପର୍ଯ୍ୟନ୍ତ ସୁରକ୍ଷିତ ନାହାନ୍ତିି । ମାଧବୀଲତା ଠାରୁ ଆରମ୍ଭ କରି ବେବିନା ପର୍ଯ୍ୟନ୍ତ କାହାରିକୁ ସରକାର ନ୍ୟାୟ ପ୍ରଦାନ କରିପାରୁନାହିଁ । ଆଜିବି ବେବିନାର ଆତ୍ମା ନ୍ୟାୟ ପାଇଁ କାନ୍ଦୁଛି । ଏହି ପରିପେକ୍ଷିରେ ସଦର ବିଧାନସଭା କ୍ଷେତ୍ରର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶୋଭାରାମପୁର ଠାରେ ‘ଜବାବ ମାଗୁଛି ମହିଳା ମୋର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନଗରର ବିଭିନ୍ନ ବସ୍ତି, ପଞ୍ଚାୟତରୁ ମହିଳା ମୋର୍ଚ୍ଚା ପକ୍ଷରୁ ସଂଗ୍ରହ ହୋଇଥିବା ଚୁଡ଼ି  ଗୁଡିକୁ ଏକ ବାକ୍ସରେ ରଖାଯାଇଥିଲା । ଏହି ସଭାରେ ନଗର ମହିଳା ମୋର୍ଚ୍ଚାର ସଭାପତି ପିଙ୍କି ପ୍ରଧାନ ସଭାପତିତ୍ୱ କରୁଥିବାବେଳେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶୁଭଙ୍କର ମହାପାତ୍ର, ଚିତ୍ତରଞନ ପଣ୍ଡା, ସଂଯୁକ୍ତା ମହାପାତ୍ର, ସସ୍ମିତା ଚାନ୍ଦ, ସସ୍ମିତା ଦାଶ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ମନିଷା ବେହେରା, ସତ୍ୟଜିତ୍ ମିଶ୍ର, ଗୌରାଙ୍ଗ ଦାସ, ଯୋଗେନ ରଣା, ରାଧାକାନ୍ତ ଦାସ, ଦିପ୍ତୀମୟୀ, ଆଶାଲତା ବାଡି, ହୃଷିକେଶ ମହାପାତ୍ର, ସୁବାସିନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ସଂଯୁକ୍ତା ପାତ୍ର, ତରୁଲତା ମହାନ୍ତା, ଜୁବୁଲି ମହାନ୍ତି, ମାନସ ପ୍ରଧାନ, ରାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡା ଗ୍ରାମପଞ୍ଚାୟତର ରେମୁଣା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀ, ସରପଞ୍ଚ ବାସନ୍ତି ଗିରି, କରଞ୍ଜିଆ ସରପଞ୍ଚ ସୁଚିସ୍ମୀତା ସେଠୀ, ଗଣେଶରପୁର ସରପଞ୍ଚ ସୀତାଞ୍ଜଳୀ ଗିରି, ସମିତିସଭ୍ୟା ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ଆଲଫା ସ, ଦମୟନାତୀ ବାଗ୍ ଓ ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତାମାନେ ଅନୁରୁପ ଚୁଡି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ । ଶେଷରେ ସଂଗୃହିତ ଲାଲ ଚୁଡିକୁ ବାଲେଶ୍ୱର ମୁଖ୍ୟ ଡାକ ଘରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା ।

ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଓଡିଶା ଲୋକସେବା ଆୟୋଗ (ଏ.ଏସ୍.ଓ) ପରୀକ୍ଷାରେ ଅନୁବାଦକ ଦେବାକୁ ଦାବି କଲା କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆସନ୍ତା ୨୦.୧.୨୦୧୯ ତାରିଖରେ  ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏ.ଏସ୍.ଓ. ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ପରୀକ୍ଷା ପରିଚାଳନାକୁ ନେଇ ଯେଉଁ ବିଭ୍ରାଟ ସୃଷ୍ଟି ହୋଇଛି ତାହାର ଶିକାର ହୋଇଛନ୍ତି ହଜାର ହଜାର ଚାକିରୀ ଆଶାୟୀ ପରୀକ୍ଷାର୍ଥୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ ଏ.ଏସ୍.ଓ. ପରୀକ୍ଷାକୁ ନେଇ ଏଭଳି ପରିଚାଳନାଗତ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଓଡିଶା ଲୋକସେବା ଆୟୋଗ ତାଙ୍କର ନୋଟିଫିକେସନରେ ୯ ନମ୍ବର ପାରାର ୧୪ ନମ୍ବର ପଏଂଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ପରୀକ୍ଷାର୍ଥୀ ତାଙ୍କ ନିଜ ହାତଲେଖାରେ ପରୀକ୍ଷାରେ ଉତର ଲେଖିବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଲିପିକ ବା ଅନୁବାଦକଙ୍କ ସାହାଯ୍ୟ ନେଇପାରିବେ ନାହିଁ । ଏଭଳି ଏକ ସର୍ତ ପୂର୍ବରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ପାଇଁ ଜାରି କରାଯାଇଥିବା ଗାଇଡ୍ଲାଇନ୍ସ ବା ନୀତିନିୟମର ସିଧାସଳଖ ଉଲ୍ଲଙ୍ଘନ । ତା ୧୭.୯.୨୦୧୩ ରିଖରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଜାରି କରିଥିବା ସର୍ତାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷ ଯଦି ଚାହାନ୍ତି ତେବେ ତାଙ୍କୁ ଜଣେ ଲେଖକ/ଲିପିକ/ ଲ୍ୟାବ୍ ସହାୟକଙ୍କ ସହାୟତା ନିମନ୍ତେ ବିଶେଷ ଅନୁମତି ପ୍ରଦାନ କରାଯିବ । ଜରୁରୀସ୍ଥଳେ ପରୀକ୍ଷା ପରିଚାଳନା କର୍ତୃପକ୍ଷ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ନିମନ୍ତେ ଏକାଧିକ ଲିପିକ/ଲେଖକଙ୍କୁ ଅନୁମତି ପ୍ରଦାନ କରିପାରିବେ । କିନ୍ତୁ ବର୍ତମାନର ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ ଏହାର ସଂପୂର୍ଣ୍ଣ ବିରୋଧାଚରଣ କରୁଛି । ଏହାର ପ୍ରତିବାଦରେ ଏକାଧିକ ପରୀକ୍ଷାର୍ଥୀ ମାନ୍ୟବର ଓଡିଶା ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ମାନ୍ୟବର ଅଧ୍ୟକ୍ଷ ଓଡିଶା ଲୋକସେବା ଆୟୋଗଙ୍କୁ ନିଦେ୍ର୍ଧଶ ଦେଇ ଲେଖକ / ଲିପିକଙ୍କୁ ଅନୁମତି ପ୍ରଦାନ କରିବାକୁ କହିଛନ୍ତି । ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଧଶକଙ୍କ ପକ୍ଷରୁ ଚିଠି ନଂ – ୩୮୮/୧୧.୧.୨୦୧୯ ତାରିଖରେ ଓଡିଶା ଲୋକସେବା ଆୟୋଗଙ୍କ ସଚିବଙ୍କୁ ପତ୍ର ଲେଖି ଏ ସମସ୍ତ ବିଷୟ ଅବଗତ କରାଇବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ଏବଂ ଦୃଷ୍ଟିହୀନମାନଙ୍କୁ ଲିପିକ/ଲେଖକମାନଙ୍କ ସାହାଯ୍ୟ ନେବା ପାଇଁ ଅନୁମତି ପ୍ରଦାନ ନିମନ୍ତେ କୁହାଯାଇଛି । କିନ୍ତୁ ସମ୍ବେଦନହୀନ ରାଜ୍ୟ ସରକାର ଏସବୁଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏବଂ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି ଯାହାକି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏ ସମସ୍ତ ଘଟଣା ସୂଚୀତ କରୁଛି ଯେ ଖୋଦ୍ ରାଜ୍ୟ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ଉକ୍ତ ପରୀକ୍ଷାକୁ ଘୁଂଚାଇବା ସହିତ ଏହାର ନୋଟିଫିକେସନରେ ଆବଶ୍ୟକୀୟ ପରିବର୍ତନ କରିବାକୁ ଦାବି କରିଛି କଂଗ୍ରେସ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ନିକୁଞ୍ଜ ପଶାୟତ, ଦୀପକ ମହାପାତ୍ର ଉପସ୍ଥିତି ଥିଲେ ।