ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ, ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର…!

ଏଥର ସମ୍ଭାଳ ବ୍ୟୁରୋ(ବାସୁଦେବପୁର)- ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ । ପିଲାଙ୍କ ଭଲମନ୍ଦ ବୁଝିବାକୁ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ସରପଞ୍ଚ ଗଣିତ ଶିକ୍ଷକ ନ ଥିବା ଜାଣି ନିଜେ ଧରିଲେ ଚକ । କଳାପଟାରେ କଷିଲେ ଅଙ୍କ ଆଉ ପିଲାଙ୍କୁ ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର ।  ଆଜିକାଲି ସରପଞ୍ଚ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଶୁଣିବାକୁ ମିଳୁଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏହି ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ଶିକ୍ଷକ  ସାଜି ଜଟିଳ ଜ୍ୟାମିତିର ସୂତ୍ରକୁ ବେଶ୍‌ ସରଳ ଭାବରେ ବୁଝାଇପାରୁଛନ୍ତି। ଫଳରେ ଚାରିଆଡ଼ୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ । ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ପଞ୍ଚାୟତରେ ବୁଲୁଥିବା ବେଳେ ଜଗବନ୍ଧୁ ସରକାରୀ ବିଦ୍ୟାପୀଠକୁ ପରିଦର୍ଶନ କରିବାକୁ ଯାଇଥିଲେ । ବିଦ୍ୟାଳୟରେ ପିଲାଙ୍କ ସହ କଥା ହେବା ସହ  ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କ ଅଭାବ ରହିଛି ବୋଲି ଜାଣିବାକୁ ପାଇଥିଲେ । ନବମ, ଦଶମ ପିଲ  ଭଲ ଭାବେ ଗଣିତ ଜ୍ଞାନ ହାସଲ ନ କଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେବ ଭାବି ଖୋଦ ସରପଞ୍ଚ ଶିକ୍ଷକ ପାଲଟିଗଲେ।  ଆଉ ତା’ ପରେ ପିଲାଙ୍କୁ ଜ୍ୟାମିତିର ଜଟିଳ ସୂତ୍ର ସରଳ ଭାଷାରେ ବୁଝାଇଲେ । କେବଳ ଏହି ବିଦ୍ୟାଳୟ ନୁହଁ, ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ନିୟମିତ ପରିଦର୍ଶନରେ ଯାଇଥାନ୍ତି ସରପଞ୍ଚ ଗୋବିନ୍ଦ । ସେଠାରେ ପିଲାଙ୍କ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସୁବିଧାଅସୁବିଧା ବି ବୁଝିଥାନ୍ତି।  ବିଜ୍ଞାନରେ ସ୍ନାତକ କରିଥିବା ଗୋବିନ୍ଦ ବରଣ୍ଡୁଆ ପଞ୍ଚାୟତରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି l ଏନେଇ ସରପଞ୍ଚ ଗୋବିନ୍ଦ କହିଛନ୍ତି, ମୁଁ ସ୍କୁଲର ଭଲମନ୍ଦ ବୁଝିବାକୁ ଆସି ଗଣିତ ଶିକ୍ଷକ ଅଭାବ ଥିବା ଜାଣିବାକୁ ପାଇଲି। ତେଣୁ ପିଲାଙ୍କୁ ଜ୍ୟାମିତ ଓ ବୀଜଗଣିତ ପଢ଼ାଇଲି। ମୁଁ ଏହି ସ୍କୁଲରେ ପଢ଼ିକି ଯାଇଥିବା ବେଳେ ଏବେ ଏହି ପିଲାଙ୍କୁ ପଢ଼ାଇ ବେଶ୍‌ ଖୁସି ଲାଗୁଛି।  ଶିକ୍ଷାର ଯେ ମହତ୍ତ୍ୱ ଜାଣିଛି, ସେ ପିଲାଙ୍କୁ ପଢ଼ାଇପାରିବ । ଏହାଦ୍ୱାରା କେବେ କାହାର ଅମଙ୍ଗଳ ହେବ ନାହିଁ । ପିଲାଙ୍କୁ ପଢ଼ାଇ ବେଶ୍‌ ଖୁସି ଓ ଶାନ୍ତି ଲାଗୁଛି। ଆମ ଗଣିତ ଶିକ୍ଷକଙ୍କ ବଦଳି ହୋଇଯିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ସରପଞ୍ଚ ସାର୍‌ ଆମ କଥା ବୁଝିବାକୁ ଆସିଥିବା ବେଳେ ସେ ଆମ ସମସ୍ୟା ଜାଣିଲେ। ଜଟିଳ ଗଣିତକୁ ସେ ବେଶ୍‌ ସରଳ ଭାବେ ବୁଝାଇପାରୁ  ଥିବାରୁ ଆମେ ବେଶ୍‌ ଖୁସି ଅଛୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ମହିଳା ମହାସଂଘରେ ମହା ଘୋଟାଲା, ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା …!

ଏଥର ସମ୍ଭାଳ ବ୍ୟୁରୋ (ଭଦ୍ରକ) : ମହିଳା ମହାସଂଘରେ ମହା ଘୋଟାଲା। ମିଳିମିଶି ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା। ନୋଟିସ୍‌ ପରେ ବି ଦେଉନାହାନ୍ତି ଜବାବ। ରିମାଇଣ୍ଡର ପଠାଇବ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ପ୍ରଶାସନ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ମହାଘୋଟାଲାକୁ ନେଇ ବାସୁଦେବପୁର ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି। ଇରମ ଓ ତା’ର ଆଖପାଖ ପଞ୍ଚାୟତର ୧୦୦ଟି ମହିଳା ସ୍ୱୟଂସହାୟ ଗୋଷ୍ଠୀକୁ ନେଇ ମହାସଂଘ ଗଠନ କରାଯାଇଥିଲା। ମହାସଂଘର ସଭାପତି ଭାବେ ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚୟନ କରାଯାଇଥିଲା। ଏହା ପରେ ଅର୍ଥାତ ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ମହାସଂଘକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଦେଇଥିଲେ। ସେହି ଅର୍ଥ ମହାସଂଘର ଜମା ଖାତାରେ ରହିଥିଲା। ଏହି ଅର୍ଥର ମୂଳ ଜମା ଓ ସୁଧକୁ ମିଶାଇଲେ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ। ମହାସଂଘର ଜମା ଖାତାକୁ ବ୍ଲକ୍‌ ମିଶନ୍‌ଶକ୍ତି ପକ୍ଷରୁ ଅଡିଟ୍‌ କରାଯାଇଥିଲା। ତେବେ ଅଡିଟ୍‌ ବେଳେ ଜମା ଖାତାରୁ ୧୮ଲକ୍ଷ ୮୦ ହଜାର ଟଙ୍କା ଗାଏବ ହୋଇଥିବା ଜଣାପଡ଼ିଥିଲା। ହେଲେ ଏହି ଅର୍ଥର ହିସାବ ମହାସଂଘ ଦେଇପାରିନଥିଲା। ଏହି ମହାଘୋଟାଲା ସମ୍ପର୍କରେ ଜାଣି ମଧ୍ୟ ବ୍ଲକ୍‌ ମିଶନ୍‌ ଶକ୍ତି ବିଭାଗ ଚୁପ୍‌ ବସିଥିଲା। ଘୋଟାଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଘୋଟାଲା ସମ୍ପର୍କରେ ଜାଣିବା ପରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେତେକ ମହିଳା ଏନେଇ ସ୍ଥାନୀୟ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ବିଡିଓ ମହାଶୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସବୁ ଜାଣି ଚୁପ୍‌ ବସିଥିଲେ।

ବିଡିଓଙ୍କଠାରୁ ନିରାଶ ହୋଇ ମହିଳାମାନେ ୨୦୨୧ ମସିହା ସେପ୍ଟେମ୍ୱର ୧ ତାରିଖରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହାସଂଘର ମହା ଘୋଟାଲାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମାମଲାର ଗୁରୁତ୍ୱ ଦେଖି ହାଇକୋର୍ଟ ରାଜ୍ୟ ମିଶନ ଶକ୍ତି କମିଶନ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜବାବ ମାଗିଥିଲେ। ଏହା ପରେ ଭଦ୍ରକ ଜିଲ୍ଲାପାଳ ବାସୁଦେବପୁର ବିଡିଓଙ୍କୁ ଚିଠି କରିଥିଲେ। ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ମସିହା ଜାନୁଆରୀ ୨୯ ତାରିଖରେ ବାସୁଦେବପୁର ବିଡିଓ ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚିଠି କରି ଗାଏବ ହୋଇଥିବା ୧୮ଲକ୍ଷ ୮୦ ହଜାର ଟଙ୍କା ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥାଶୀଘ୍ର ଗାଏବ ହୋଇଥିବା ଅର୍ଥ ଗୋଷ୍ଠୀ ବିନିଯୋଗ ପାଣ୍ଠି ଜମାବହିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ ଆଜି ପର୍ଯ୍ୟନ୍ତ ତା’ର ହିସାବ ଦେଉନାହାନ୍ତି। ଏପରିକି ବିଡିଓଙ୍କ ଚିଠିର କୌଣସି ଉତ୍ତର ଦେଉନାହାନ୍ତି ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀ। ଏହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ତେବେ ଘଟଣାକୁ ନେଇ ମହିଳା ମହାସଂଘର ସଭାପତି ଓ ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ କେହି କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିଲେ। ଅନ୍ୟପଟେ ବିଡ଼ିଓ କହିଛନ୍ତି, ପ୍ରଥମ ଚିଠିର ଉତ୍ତର ପାଇ ନଥିବାରୁ ଆମେ ପୁନର୍ବାର ଏକ ରିମାଇନଣ୍ଡର ଚିଠି କରିଛୁ। ଏହାର ଉତ୍ତର ନମିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାସୁଦେବପୁର ମହିଳା ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱୀ ପଠାଇଲେ ଅଶ୍ଲୀଳ ମେସେଜ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ବାସୁଦେବପୁର) : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ଉଷ୍ମ ରହିଛି। ଏହାରି ଭିତରେ ଜଣେ ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ପାଖକୁ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ହ୍ୱାଟ୍ସଆପ୍‌ରେ ପଠାଇଛନ୍ତି ଅଶ୍ଲୀଳ ମେସେଜ। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବାସୁଦେବପୁର ବ୍ଲକ୍‌ ସୁଦର୍ଶନପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ରେବତୀ ସେଠୀ। ସେହିଭଳି ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସୂର୍ଯ୍ୟକାନ୍ତ ମଲ୍ଲିକ। ଆଜି ସୂର୍ଯ୍ୟକାନ୍ତ ହ୍ୱାଟ୍ସଆପ୍‌ରେ ରେବତୀଙ୍କ ପାଖକୁ ପଠାଇଥିଲେ ଅଶ୍ଳୀଳ ଭିଡ଼ିଓ ମେସେଜ। ଏହାଛଡ଼ା ଟେକ୍ସଟ୍‌ ମେସେଜ ମଧ୍ୟ ପଠାଇଥିଲେ। ଏସବୁ ମେସେଜ ସୂର୍ଯ୍ୟକାନ୍ତଙ୍କ ନମ୍ୱରରୁ ଆସିଥିବା ରେବତୀ କହିଛନ୍ତି। ସୂର୍ଯ୍ୟକାନ୍ତ ଲେଖିଥିଲେ, ‘ଭାଉଜ କେମିତି ଅଛନ୍ତି? ଦିନ ୨ଟାରେ ଭେଟିବାକୁ ଚାହୁଁଛି। ଦିନ ୨ଟାରେ ଫୋନ୍‌ କର। ଲଭ ୟୁ ହମେସା…।’ ତେବେ ଏହି ଟେକ୍ସଟ୍ ମେସେଜ ସହିତ ସୂର୍ଯ୍ୟକାନ୍ତ ଏକ ଅଶ୍ଲୀଳ ଭିଡିଓ ମେସେଜ ମଧ୍ୟ ପଠାଇଥିଲେ। ରେବତୀ ଏନେଇ ବାସୁଦେବପୁର ଥାନା ଓ ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉଭୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଶ୍ଳୀଳ ମେସେଜ ପଠାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି ସୂର୍ଯ୍ୟକାନ୍ତ। ଅଭିଯୋଗକାରୀ ରେବତୀଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ଅଭିଯୋଗକୁ ନେଇ ବାସୁଦେବପୁର ବିଡିଓ ଓ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରାଯିବ।

ଜାଲ୍‌ ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ୍‌ମିଶନ ମାମଲାର ହେବ ଖୋଳତାଡ଼….!

ଏଥର ସମ୍ଭାଳ ବ୍ୟୁରୋ(ଭଦ୍ରକ/ଭୁବନେଶ୍ଵର)- ଭଦ୍ରକ କଲେଜରେ ଜାଲ୍‌ ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ୍‌ମିଶନ ମାମଲାର ହେବ ଖୋଳତାଡ। ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ। ସେଥିପାଇଁ ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାର CDMOଙ୍କ ଦ୍ୱାରା ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ନିର୍ଦ୍ଦେଶ। ଯାଞ୍ଚରେ ଯଦି କେହି ଫେକ୍‌ ଜଣାପଡ଼ିଲା, ତାହାହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ। ଜାଲ୍‌ ସାର୍ଟିଫିକେଟ ଦେଇଥିବା ପିଲାଙ୍କ ଆଡମିଶନ ରଦ୍ଦ ସହ ସ୍ଥାନୀୟ ଥାନାରେ ଏତଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଥିଲା। ଯାହାଫଳରେ ୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଇନଥିଲେ। ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏବିଭିପି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ABVP ଅଭିଯୋଗ ଅନୁସାରେ, ଏହି କଲେଜରେ ବେଆଇନ୍‌ ତଥା ଜାଲ ସାର୍ଟିଫିକେଟରେ ଆଡମିଶନ୍ କରାଯାଇଛି। ଏହା ପଛରେ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକଙ୍କ ହାତ ରହିଛି।

ପୁଲିସ୍ କୁ ଲୋକେ କହିଲେ ଫାଇନ୍ ଦିଅ…!

ଏଥର ସମ୍ଭାଳ ବ୍ୟୁରୋ(ଭଦ୍ରକ)- ପୁଲିସ୍ ଚଢ଼ୁଛି ଅନଫିଟ୍ ଗାଡ଼ି! ଗାଡ଼ିର ଫିଟନେସ୍ କି ଇନ୍ସ୍ୟୁରାନ୍ସ ପେପର୍ ନାହିଁ। ଆଉ ସେହି ଗାଡ଼ିରେ ପାଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଗାଡ଼ି ଅଟକାଇ ଚେକିଂ କରୁଥିଲା ପୁଲିସ୍। ହେଲେ ଏହି ଚେକିଂ ପୁଲିସ୍ ଉପରେ ଭାରୀ ପଡ଼ିଛି। ଓଲଟା ଲୋକମାନେ ପୁଲିସ ଗାଡିକୁ ଚେକିଂ କରିବାକୁ ଆଗେଇ ଆସିଛି। ଯାହା ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୁଲିସ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀରେ।ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ପାଳଦାବାଙ୍କରେ ପୁଲିସ୍ ଜନସାଧାରଣଙ୍କ ଗାଡ଼ିର କାଗଜପତ୍ର, ହେଲମେଟ ଓ ମାସ୍କ ଚେକିଂ କରୁଥିଲା। ଯାହାର ଯାହା ନଥିଲା, ପୁଲିସ୍ ସେମାନଙ୍କ ଠାରୁ ସେହି ଅନୁସାରେ ଫାଇନ ଆଦାୟ କରୁଥିଲା। ଯେଉଁମାନଙ୍କର ଫାଇନ୍ କଟାଯାଇଥିଲା, ସେଥିମଧ୍ୟରୁ କିଛି ଓଲଟା ପୁଲିସ ଗାଡ଼ିର ମଧ୍ୟ ଚେକିଂ କରିଥିଲେ। ହେଲେ ପୁଲିସ୍ ଯେଉଁ ଗାଡ଼ିରେ ପାଟ୍ରୋଲିଂ କରୁଥିଲା, ସେହି ଗାଡ଼ିର ଅନେକ ଡକ୍ୟୁମେଣ୍ଟ ନଥିବା ଜାଣିବାକୁ ମିଳିଥିଲା। ପୁଲିସ ବ୍ୟବହାର କରୁଥିବା ବୋଲେରୋ OD-22 G-9867 ଗାଡ଼ିଟିର ଫିଟନେସ୍ ଓ ଇନସ୍ୟୁରାନ୍ସ ସରିଯାଇଥିବା ଅନଲାଇନ ପୋର୍ଟାଲରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ସ୍ଥାନୀୟ ଲୋକେ କହିଥିଲେ ଯେ ପୁଲିସ ଯେଉଁ ବିନା ଡକ୍ୟୁମେଣ୍ଟ ଗାଡ଼ିର ବ୍ୟବହାର କରୁଛି, ଆଗ ତା’ର ଫାଇନ୍ କଟାଯାଉ। ଆଉ ତା’ ପରେ ସେମାନଙ୍କର ଫାଇନ୍ କଟାଯିବ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହାକୁ ନେଇ ସେଠାରେ ପୁଲିସ ଓ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲ। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଶଟ୍‌ଡାଉନ୍‌ରେ ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ତା’ପରେ ପୁଣି ଶଟ୍‌ଡାଉନ୍‌ ସମୟରେ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ ଔଷଧ ଦୋକାନରେ ଚଢ଼ଉ କରି ଗୁଟ୍‌ଖା ଓ ସିଗାରେଟ୍‌ ଜବତ କରିବା ସହିତ ମାଲିକକୁ ଗିରଫ କରିଛି। ରାଜ୍ୟ ବଢ଼ୁଥିବା ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଶନିବାର ଥିବା ଶଟ୍‌ଡାଉନ୍‌ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଦିନଦୟାଲ ମେଡ଼ିସିନ୍‌ ଷ୍ଟୋରରେ ଗୁଟଖା ଓ ସିଗାରେଟ୍‌ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୁଲିସ ମେଡ଼ିସିନ୍‌ ଦୋକାନରେ ରେଡ୍‌ କରିଥିଲେ। ଏହି ସମୟରେ ଦୋକାନରୁ ଗୁଟଖା ଓ ସିଗାରେଟ୍‌ ମିଳିଥିଲା। ଏହି ମାମଲାରେ ପୁଲିସ ମେଡ଼ିସିନ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ସହ ୩ଜଣଙ୍କୁ ଗିରଫ କରିଛି। ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏହାଛଡ଼ା 25,000 ଟଙ୍କା ଜରିମାନା କରିଛନ୍ତି ଉପଜିଲ୍ଲାପାଳ।