ଚାଷୀଙ୍କୁ ମୋଦି ୨ ହଜାର ଲେଖାଏ ଦେଲେ, ଦିନକ ପରେ ସାରର ଦାମ ବଢ଼ିଲା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମେ’ ୧୪ ତାରିଖରେ ଚାଷୀଙ୍କୁ ମୌସୁମୀ ପୂର୍ବରୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ହଜାର ଲେଖାଏ ଟଙ୍କା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ୯.୫୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଯାଇଥିଲା। ପ୍ରତିବର୍ଷ ୩ଟି କିସ୍ତିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ଚାଷୀଙ୍କୁ ଏହି ଯୋଜନା ଅଧୀନୀରେ ଦେଉଛନ୍ତି। ଏଥର ମୋଦି ୧୪ ତାରିଖରେ ଟଙ୍କା ପଠାଇବା ପରେ ୧୫ ତାରିଖରେ ଚାଷୀଙ୍କୁ ଝଟକା ଲାଗିଥିଲା। ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା କଥା କହୁଥିବା ମୋଦି ସରକାର ହଠାତ୍‌ ଚାଷକ୍ଷେତ୍ର ପାଇଁ ବ୍ୟବହୃତ ହେଉଥିବା ସାର ଓ ପିଡ଼ିଆର ଦାମ ବୃଦ୍ଧି କରିଥିଲେ। ୨ ହଜାର ଟଙ୍କା ଲେଖାଏ ଟଙ୍କା ପାଇଥିବା ଚାଷୀ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। କାରଣ ୨ ହଜାର ଟଙ୍କା ସହାୟତା କରି ସେପଟେ ମୋଦି ସରକାର ସାର ବଦଳରେ ଅଧିକ ଟଙ୍କା ଚାଷୀମାନଙ୍କ ଠାରୁ ନେବାକୁ ଯୋଜନା କରିଥିବା ତାଙ୍କ ବିରୋଧୀମାନେ ମତ ଦେଇଛନ୍ତି। ଚାଷୀମାନେ ମୌସୁମୀ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ କମ୍ପାନୀ, ହୋଲ ସେଲର ଓ ଖୁଚୁରା ବ୍ୟବସାୟୀମାନେ ସାରର ଦାମ ବୃଦ୍ଧି କରିଛନ୍ତି। ଏହିଗୁଡ଼ିକର ଦାମ ୨୦ରୁ ୬୦% ଯାଏ ବୃଦ୍ଧି ହୋଇଛି। ଦେଶରେ ଚାଷୀମାନେ ଚାପରେ ରହିଥିବା ବେଳେ ଏଭଳି ଦରବୃଦ୍ଧି ସେମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ ବୋଲି ଚାଷୀନେତାମାନେ କହିଛନ୍ତି। ଏହି ଦରବୃଦ୍ଧି ସମ୍ପର୍କରେ ପ୍ରଥମେ ଏନସିପି ସ୍ୱର ଉଠାଇଥିଲା। ଦଳ ପକ୍ଷରୁ କେନ୍ଦ୍ର କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ସଦାନନ୍ଦ ଗୌଡ଼ାକୁ ଚିଠି ଲେଖି ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର କହିଛନ୍ତି, ଏହି ଦର ବୃଦ୍ଧି ପ୍ରାକ ଚାଷକାମକୁ ପ୍ରଭାବିତ କରିବ। ଏଥିସହ ଚାଷୀଙ୍କ କଟା ଘା’ରେ ଏହା ଚୂନ ସଦୃଶ ହେବ। ସେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି। ଶିବସେନା ମଧ୍ୟ ଦର ବୃଦ୍ଧିକୁ ବିରୋଧ କରିଛି।

Leave a Reply

Your email address will not be published. Required fields are marked *