ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତଉକେତ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀଠାରୁ ୧୫୦ କିଲୋମିଟର, ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ‘ତଉକେତ’ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଅନେକ ଗାଁରେ ପାଣି ପଶିଯାଇଛି । ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । କେବଳ ଗୁଜରାଟରେ ୧୫ଟି ଏନଡିଆରଏଫ୍ ଟିମ୍ ରହିବ । ସେଥିପାଇଁ ଭୁବନେଶ୍ୱରରୁ ୫ଟି NDRF ଟିମ୍ର ୧୨୫ ଜଣ ଯବାନ ଗତକାଲି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଜକୋଟ୍ ଯାଇଛନ୍ତି । ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉକେତେ”ର ଗତି ଉପରେ ନଜର ରଖାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟର ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ଯ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ପ୍ରସ୍ତୁତ ରଖାଯାଇଥିବା ଜଣାଯାଇଛି ।