ଚଳିତ ବର୍ଷ ଅଧିକ ଘାତକ ହେବ କରୋନା, ହୁ’ ଜାରି କଲା ସତର୍କ ସୂଚନା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ମହାମାରୀ କରୋନାକୁ ନେଇ ଭୟଙ୍କର ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗତବର୍ଷ ତୁଳନାରେ ଚଳିତ ବର୍ଷ ସାରା ବିଶ୍ୱରେ କରୋନା ଅଧିକ ଘାତକ ପରିସ୍ଥିତି ସୃଷ୍ଟି କରିବ ବୋଲି ହୁ’ କହିଛି। ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, “ଆମେ ବର୍ତ୍ତମାନ ମହାମାରୀର ଦ୍ୱିତୀୟ ବର୍ଷରେ ରହିଛୁ। ପ୍ରଥମ ବର୍ଷ ଅପେକ୍ଷା ଦ୍ୱିତୀୟ ବର୍ଷ ସମଗ୍ର ବିଶ୍ୱ ପାଇଁ ମହାମାରୀ ଅଧିକ ଘାତକ ହେବାକୁ ଯାଉଛି। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।” ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ସମଗ୍ର ବିଶ୍ୱରେ ପ୍ରାୟ ସାଢ଼େ ୩ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି। ସେହିପରି ଭାରତରେ ମଧ୍ୟ କରୋନାର ତାଣ୍ଡବ ଜାରି ରହିଛି। ଏସବୁ ଭିତରେ ହୁ’ ମୁଖ୍ୟଙ୍କ ଏଭଳି ସତର୍କ ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହାମାରୀ କରୋନା ଭିତରେ ମଧ୍ୟ ଜାପାନରେ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ଏହାକୁ ରଦ୍ଦ କରିବାକୁ ଦାବି ତେଜୁଥିବା ବେଳେ ଜାପାନ ସରକାର ଦେଶରେ ଜାରି ଜରୁରୀକାଳୀନ ଅବଧିକୁ ବୃଦ୍ଧି କରିଛନ୍ତି। ଅଲିମ୍ପିକ୍ସର ୧୦ ସପ୍ତାହ ପୂର୍ବରୁ ଜାପାନ ଆଉ ତିନୋଟି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। କରୋନା ସଂକ୍ରମଣ ପାଇଁ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଅଲିମ୍ପିକ୍ସ ବାତିଲ କରିବା ପାଇଁ ଆୟୋଜିତ ଦସ୍ତଖତ ଅଭିଯାନରେ ସାମିଲ ହୋଇସାରିଲେଣି। ପୂର୍ବରୁ ରାଜଧାନୀ ଟୋକିଓ ଓ ଏହାର ଆଖପାଖ ଅଞ୍ଚଳ ମେ’ ଶେଷ ପର୍ଯ୍ୟନ୍ତ ସରକାର ଜରୁରୀକାଳୀନ ସ୍ଥିତି ଲାଗୁ କରିଥିଲେ। ଏବେ ହିରୋସିମା, ଓକାୟାମା, ଉତ୍ତର ହକ୍କାଇଡୋ ମଧ୍ୟ କଟକଣା ପରିସରକୁ ଚାଲି ଆସିଛି। ଏହି ସବୁ ସ୍ଥାନରେ ଅଲିମ୍ପିକ୍ସର ମାରାଥନ୍ ପ୍ରତିଯୋଗିତା ଆୟୋଜନ ହେବାର ଅଛି।

Leave a Reply

Your email address will not be published. Required fields are marked *