ଫୁଲଫୁଟି ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା, ଜଳ ଯୋଗାଣ ଦାବିରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ଧାରଣା..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)– ମୁଣ୍ଡ ଉପରେ ଡହଡ଼ହ ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ରେ ଅସ୍ତବ୍ୟସ୍ତ ଜନଜୀବନ । ଏଭଳି ସ୍ଥିତିରେ ପାନୀୟ ଜଳର ସମସ୍ୟା ଲୋକଙ୍କ କଷ୍ଟକୁ ଆହୁରି ଦ୍ବିଗୁଣିତ କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଭୀମପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଫୁଟି ଗ୍ରାମରେ ଦେଖା ଦେଇଛି ପିଇବା ପାଣି ର ସମସ୍ୟା । ଗ୍ରାମରେ ଥିବା ତିନୋଟି ନଳକୂପ ଅଚଳ । ସୋଲାର ପାଇପ କାମ କରୁନାହିଁ । ଏଭଳି ସ୍ଥିତିରେ ଗ୍ରାମବାସୀ ନଦୀ କୁ ଯାଇ ଚୁଆ କରି ପାଣି ଆଣୁଛନ୍ତି । ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ କରି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ କରୁଥିବା ବେଳେ ଉପଯୁକ୍ତ ଦାୟିତ୍ୱ ହୀନତା ଓ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ବିଫଳତା ହେଉଥିବା ଜଣାପଡିଛି ।  ଆଜି ଗ୍ରାମବାସୀ ମାନେ ଭୀମପୁର ସରପଞ୍ଚ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି, ମାଠିଆ, ବାଲ୍ଟି ଧରି ଧାରଣା ରେ ବସିରହିଥିଲେ । ତେବେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ କୌଣସି ଅଧିକାରୀ ନ ଆସିବାରୁ ଜିଲ୍ଲାପାଳ ଙ୍କୁ ଫୋନ ଯୋଗେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତୁରନ୍ତ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କେବେ ଦୂର ହେବ ଗ୍ରାମବାସୀ ଙ୍କ ସମସ୍ୟା ତାହା ଏବେ ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *