ଅକ୍ସିଜେନ ଯୋଗାଣକୁ ନେଇ ବାହାଦୂରୀ: ବିଜେଡି ସରକାରର ନଗ୍ନ ଚିତ୍ର ପଦାରେ ପକାଇଲେ ସରକାରୀ ଉପମୁଖ୍ୟ ସଚେତକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଭୟାବହତା ଲାଗି ରହିଥିବାବେଳେ ନିଜସ୍ୱ ଗୋଟିଏ ବି ଅକ୍ସିଜେନ୍ ପ୍ଲାଣ୍ଟ ନଥାଇ ମଧ୍ୟ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣର ମାର୍ଗ ପ୍ରସ୍ତ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଜାତୀୟ ଗଣମାଧ୍ୟମ ସମେତ ଦେଶର ବିଭିନ୍ନ ଭାଗରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଯଦିଓ ରାଜ୍ୟରେ ଅକ୍ସିଜେନ୍ ଅଭାବରୁ ଜିଲ୍ଲା ମେଡିକାଲଗୁଡ଼ିକରେ କୋଭିଡ୍ ରୋଗୀ ପ୍ରାଣ ହରାଉଥିବାର ଅଭିଯୋଗ ହେଉଥିଲା । ତଥାପି ରାଜ୍ୟ ସରକାର ଅକ୍ସିଜେନ୍ ଅଭାବ ଅଭିଯୋଗକୁ ଏଡ଼ାଇ ଯାଉଥିଲେ। କିନ୍ତୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣକୁ ନେଇ ବିଜେଡି ସରକାରର ବାହାଦୂରୀର ନଗ୍ନ ଚିତ୍ରକୁ ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପଦାରେ ପକାଇଛନ୍ତି। ନିଜ ଜିଲ୍ଲା ସମ୍ବଲପୁର ପାଇଁ ଅକ୍ସିଜେନ୍ ଯୋଗାଣ କରିବାକୁ ସୋସିଆଲ ମିଡିଆର ସହାୟତା ନେଇଛନ୍ତି। ୫୭.୧ ପ୍ରତିଶତ ସହ କୋଭିଡ୍ ସଂକ୍ରମଣର ସାପ୍ତାହିକ ହାରରେ ସମ୍ବଲପୁର ଜିଲ୍ଲା ଦେଶର ପ୍ରଥମ ୧୦ଟି ଜିଲ୍ଲାରେ ରହିବାର ଉଦବେଗଜନକ ସ୍ଥିତି ମଧ୍ୟରେ ଶ୍ରୀ ପୂଜାରୀଙ୍କ ଏଭଳି ଅନୁରୋଧ ନିଶ୍ଚିତ ଭାବେ ରାଜ୍ୟର ବିଜେଡି ସରକାରକୁ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ କରାଇଛି। ମିଳିଥିବା ସୂଚନା ଅନୁସାରେ, ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲର ବିଜେଡି ବିଧାୟକ ରୋହିତ ପୂଜାରୀ ଆଜି ଅପରାହ୍ନ ୪ଟା ୨୩ମିନିଟରେ ନିଜ ଟ୍ୱିଟର ମାଧ୍ୟମରେ ସିଧାସଳଖ ତାଙ୍କ ଜିଲ୍ଲା ସମ୍ବଲପୁରକୁ ବିଭିନ୍ନ ବର୍ଗର ଦୁଇ ହଜାର ଅକ୍ସିଜେନ୍ ସିଲିଣ୍ଡର ଓ ଅକ୍ସିଜେନ୍ ମାସ୍କ ଯୋଗାଣ କରିବାକୁ ଅନୁରୋଧ କରିଛନ୍ତି। ସେ ଜିଲ୍ଲାରେ ଅକ୍ସିଜେନ୍ ଅଭାବ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ଡି-ଟାଇପ୍ ଅକ୍ସିଜେନ୍ ସିଲିଣ୍ଡର(୪୭.୬ ଲିଟର-ଜମ୍ବୋ)- ଏକ ହଜାରଟି, ବି-ଟାଇପ୍ ଅକ୍ସିଜେନ୍ ସିଲିଣ୍ଡର(୧୦ଲିଟର-ମିଡିୟମ) ଏକ ହଜାରଟି, ବି-ଟାଇପ୍ ସିଲିଣ୍ଡର ସହ ଫିଟିଂ ହୋଇଥିବା ଅକ୍ସିଜେନ୍ ଫ୍ଲୋ ମିଟର ୫୦୦ଟି ଏବଂ ୫ହଜାର କିମ୍ବା ତା’ଠୁ ଅଧିକ ଅକ୍ସିଜେନ୍ ମାସ୍କ ଆମକୁ ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନକୁ ସିଧାସଳଖ ଏହା ଯୋଗାଇବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ଅକ୍ସିଜେନ୍ ଅଭାବରୁ କୋଭିଡ୍ ରୋଗୀଙ୍କ ପ୍ରାଣ ଯାଉଥିଲେ ମଧ୍ୟ ବିଜେଡି ସରକାର ନିଜର ଭାବମୂର୍ତ୍ତି କ୍ଷୂଣ୍ଣ ହେବା ଭୟରେ ଏହାକୁ ସ୍ୱୀକାର କରୁନଥିଲେ ତଥା ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ରାଜ୍ୟର ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଉଛି ବୋଲି କହି ଆସୁଥିଲେ। କିନ୍ତୁ ଶ୍ରୀ ପୂଜାରୀ ଟ୍ୱିଟର ମାଧ୍ୟମରେ ଅକ୍ସିଜେନର ଆବଶ୍ୟକତା ଦର୍ଶାଇ ରାଜ୍ୟ ସରକାରଙ୍କ ଏଭଳି ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। କ୍ଷମତାସୀନ ବିଜେଡି ଆଉ ପାଦେ ଆଗେଇ ଯାଇ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଆଜି ସନ୍ଧ୍ୟା ୬ଟା ୦୫ମିନିଟରେ ଏକ ଟ୍ୱିଟ୍ କରି କହିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଅକ୍ସିଜେନ ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ପାଇର୍ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିଟି ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ କୋଭିଡ୍ ସଙ୍କଟ ସମୟରେ ବିଭିନ୍ନ ରାଜ୍ୟକୁ ୪୭୩ଟି ଟ୍ୟାଙ୍କରରେ ୮୬୮୯ମେଟ୍ରିକ ଟନ ଅକ୍ସିଜେନ୍ ପଠାଇ ଓଡ଼ିଶା ସହଯୋଗର ହାତ ବଢ଼ାଇଛି। ଏହାସହିତ ବିଜେଡି ପକ୍ଷରୁ କେଉଁ ରାଜ୍ୟକୁ କେତେ ଅକ୍ସିଜେନ୍ ଦିଆଯାଇଛି ତା’ର ଏକ ତାଲିକା ମଧ୍ୟ ଉଲ୍ଲେଖ ରହିଛି। ତେବେ ପ୍ରଶ୍ନ ଉଠୁଛି, ଗତ ୨ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ସତ୍ତ୍ୱେ ନିଜସ୍ୱ ଗୋଟିଏ ବି ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କରିନଥିବା ବିଜେଡି ସରକାର ଏବେ ରାଜ୍ୟର ଘରୋଇ ସଂସ୍ଥାଗୁଡ଼ିକର ଅକ୍ସିଜେନକୁ ଯୋଗାଣ କରି ବାହାବା ନେଉଥିବାବେଳେ କୋଭିଡ୍ ମହାମାରୀ ବିପତ୍ତିବେଳେ ରାଜ୍ୟବାସୀଙ୍କ ସ୍ୱାର୍ଥ ପ୍ରତି କାହିଁକି ଆଖିବୁଜି ଦେଇଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବହି ଯାଉଥିବା ଗଙ୍ଗାରେ ହାତ ଧୋଇବାର ବାହାଦୂରୀ ନେଉ ନେଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରାପଡ଼ିଯାଇଛନ୍ତି। ଇସ୍ପାତ ଶିଳ୍ପର ଅକ୍ସିଜେନକୁ ନିଜର କହୁଥିବାବେଳେ ସିଲିଣ୍ଡର ବି ତାଙ୍କର ନୁହେଁ ବୋଲି ଏବେ ଜଣାପଡ଼ିଲା। ଓଡ଼ିଶାର କୋଭିଡ୍ ପରିଚାଳନାର ପ୍ରକୃତ ସ୍ଥିତି ଦାଣ୍ଡରେ ପକାଇଛନ୍ତି ଖୋଦ୍ ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ଅକ୍ସିଜେନ୍ ଯୋଗାଣ ପାଇଁ ଦୁନିଆ ଆଗରେ ‘ମହାପୁରୁଷ’ ସାଜିଥିବା ନବୀନବାବୁଙ୍କ ନିଜ ରାଜ୍ୟରେ ଲୋକେ ଅକ୍ସିଜେନ୍ ବିନା ମରୁଛନ୍ତି। ଆଉ ତାଙ୍କ ବିଧାୟକ ଦୁନିଆ ଆଗରେ ହାତ ପାତୁଛନ୍ତି ବୋଲି ଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି।

Leave a Reply

Your email address will not be published. Required fields are marked *