ରେକର୍ଡ ସ୍ତରରେ ପହଞ୍ଚିଲା ତୈଳଦର, ଆଉ ଗୋଟିଏ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଟପିଲା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁ ଲୋକମାନେ କଟକଣା ମଧ୍ୟରେ ରହିଥିବା ବେଳେ ସେମାନଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି। ଦୁଇ ଦିନର ବିରତୀ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ପରେ ତୈଳଦର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ସେହିପରି ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ଆଉ ଗୋଟିଏ ରାଜ୍ୟରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଯାଇଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୨୬ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୧.୨୭ ଟଙ୍କାରୁ ବୃଦ୍ଧି ପାଇ ୯୧.୫୩ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଡିଜେଲର ଲିଟର ପିଛା ଦର ୩୩ ପଇସା ମହଙ୍ଗା ହୋଇଛି। ଏହି କାରଣରୁ ରାଜଧାନୀରେ ଆଜି ଡିଜେଲ ଲିଟର ପିଛା ୮୨.୦୬ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହା ୮୧.୭୩ ଟଙ୍କା ରହିଥିଲା। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ୧୦୦ ଟଙ୍କା ପାଖରେ ପହଞ୍ଚି ଯାଇଛି। ଡିଜେଲ ଦର ମଧ୍ୟ ୯୦ ଟଙ୍କା ଅତିକ୍ରମ କରିବାକୁ ବସିଛି। ଆଜି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୭.୮୬ ଟଙ୍କା ଓ ଡିଜେଲ ଦର ୮୯.୧୭ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୯୩.୩୮ ଟଙ୍କା ଓ ୮୬.୯୬ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ଲିଟର ୯୧.୬୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୪.୯୦ ଟଙ୍କା ରହିଛି। କିଛି ଦିନ ତଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଥିଲା। ଆଜି ଏହି ତାଲିକାରେ ମହାରାଷ୍ଟ୍ର ଯୋଡ଼ି ହୋଇଯାଇଛି। ମହାରାଷ୍ଟ୍ରର ପରବାହାନୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୧୦୦.୨୦ ଟଙ୍କା ରହିଛି। ପୂର୍ବରୁ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲର ଲିଟର ପିଛା ଦର ୧୦୨.୪୨ ଟଙ୍କା ଓ ମଧ୍ୟପ୍ରଦେଶର ଅନୁପ୍ପୁରରେ ଏହା ଲିଟର ପିଛା ୧୦୨.୧୨ ଟଙ୍କାରେ ବିକ୍ରି ହେଉଥିଲା। ସୂଚନାଯୋଗ୍ୟ, ଗତ ଗୋଟିଏ ସପ୍ତାହ ମଧ୍ୟରେ ତୈଳଦର ୫ଥର ବୃଦ୍ଧି ପାଇଲାଣି। ଏହି ସମୟରେ ପେଟ୍ରୋଲର ଲିଟର ପିଛା ଦାମ ୧.୧୪ ଟଙ୍କା ଓ ଡିଜେଲର ଦାମ ୧.୩୩ ମହଙ୍ଗା ହୋଇଛି। ମାର୍ଚ୍ଚ ୨୪ରୁ ଏପ୍ରିଲ ୧୫ ମଧ୍ୟରେ ସରକାର ଏକାଧିକ ଥର ଦର ହ୍ରାସ କରିଥିଲେ। ହେଲେ ଏବେ ବର୍ଦ୍ଧିତ ଦାମ ହ୍ରାସ ହୋଇଥିବା ଟଙ୍କାକୁ ଅତିକ୍ରମ କରିସାରିଲାଣି। ମାର୍ଚ୍ଚ ୨୪ରୁ ଏପ୍ରିଲ ୧୫ ମଧ୍ୟରେ ପେଟ୍ରୋଲ ୬୭ ପଇସା ଓ ଡିଜେଲ ୭୪ ପଇସା ହ୍ରାସ ପାଇଥିଲା।

Leave a Reply

Your email address will not be published. Required fields are marked *