ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସମାନ ଦଳ ଘୋଷଣା କରାଯାଇଛି । ସ୍କ୍ୱାଡକୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁହେଁ ଆହତ କାରଣରୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଯୁବ ଓପ୍ନର ପୃଥ୍ୱୀ ଶ’ ଓ ପେସର ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ଶାମି ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଶାମି ଭାରତ ପକ୍ଷରୁ ଖେଳିଥିଲେ। ଏହି ଟେଷ୍ଟରେ ଶାମିଙ୍କ କାନ୍ଧରେ ଆଘାତ ଲାଗିଥିଲା ।