ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା ‘ଅନ୍‌ ଟାଇମ୍‌ ଗ୍ରାଜୁଏସନ’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ‘ଅନ୍‌ ଟାଇମ୍‌ ଗ୍ରାଜୁଏସନ୍‌(ଓଟିଜି) ୨୦୧୯-୨୦ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀସବୁ ବିଶ୍ଵବିଦ୍ୟାଳୟ ଏକା ସମୟରେ ଗ୍ରାଜୁଏସନ୍‌ ସାର୍ଟିଫିକେଟ୍ ପାଇପାରିବେ। ଏହାଦ୍ବାରା ରାଜ୍ୟରେ ପଢୁଥିବା ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସବୁ ବିଶ୍ଵବିଦ୍ୟାଳୟର ଗ୍ରାଜୁଏସନ୍‌ ଡିଗ୍ରୀର ଷଷ୍ଠ ସେମିଷ୍ଟାର ଏପ୍ରିଲ୍‌ ସୁଦ୍ଧା ଶେଷ ହେବ। ସେହିପରି ପଞ୍ଚମ ସେମିଷ୍ଟାର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା କିମ୍ବା ବ୍ୟାକ୍‌ପେପର୍‌ ପାଇଁଥିବା ଛାତ୍ରଛାତ୍ରୀଙ୍କୁ ଏପ୍ରିଲ୍‌ ମାସରେ ପରୀକ୍ଷା କରାଯିବ। ଉଭୟ ଷଷ୍ଠ ଓ ବ୍ୟାକ୍‌ପେପର ପରୀକ୍ଷାର ଉତ୍ତରଖାତା ମେ’ ତୃତୀୟ ସପ୍ତାହ ସୁଦ୍ଧା ମୂଲ୍ୟାୟନ କରାଯିବ ଏବଂ ଶେଷ ସପ୍ତାହରେ ଫଳ ପ୍ରକାଶ ପାଇବ। ଏହାଦ୍ବାରା ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ଏବଂ ସେଠାରେ ନାମଲେଖାଇପାରିବେ। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଏବଂ ଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଫକିରମୋହନ, ଉତ୍ତର ଓଡ଼ିଶା, ରମାଦେବୀ, ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଇଛି। ଏସବୁ ବିଶ୍ଵବିଦ୍ୟାଳୟ ଅଧୀନରେ ୯୮୫ଟି ଅନୁବନ୍ଧିତ କଲେଜ ରହିଥିବାବେଳେ ପ୍ରତିବର୍ଷ ୨,୩୫,୨୬୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି। ସେହିପରି ବିପିୟୁଟି, ଭିସୁଟ୍, ଶ୍ରୀଜଗନ୍ନାଥ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ସମେତ ଡିମ୍‌ଡ୍ ଶିକ୍ଷା ଓ ଅନୁସନ୍ଧାନ, କିଟ୍ ଓ କିସ୍‌ ବିଶ୍ଵବିଦ୍ୟାଳୟ ଗୁଡ଼ିକ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଚିଠି ଲେଖାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏସବୁ ବିଶ୍ବବିଦ୍ୟାଳୟରୁ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ୮୦ହଜାରରୁ ଅଧିକ ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରୀ ହାସଲ କରୁଛନ୍ତି।

Leave a Reply

Your email address will not be published. Required fields are marked *