ଶୁଟିଂ ଉପରେ ଲାଗିଲା ଲକ୍‌ଡାଉନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଲୋକଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ୧୪ ତାରିଖ ଠାରୁ ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ତେବେ ଫିଳ୍ମ ଓ ସିରିଏଲ୍‌ ଶୁଟିଂ ଉପରେ ମଧ୍ୟ ଏହି ଲକ୍‌ଡାଉନ୍‌ ଲାଗୁ ହୋଇଛି। ଆଗାମୀ ୧୫ ଦିନ ଯାଏଁ ସିରିଏଲ, ବିଜ୍ଞାପନ, ଫିଲ୍ମ ଶୁଟିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାକୁ ନେଇ ଫିଲ୍ମ ନିର୍ମାତା ଓ ଫିଲ୍ମ ଆସୋସିଏସନର ଚିନ୍ତା ବଢ଼ିଛି। ତେବେ ଏହାରି ଭିତରେ ମଧ୍ୟ ଏକ ଖୁସି ଖବର ରହିଛି। ଯେଉଁ ଟିଭି ସିରିଏଲ ଏବଂ ଫିଲ୍ମ ଗୁଡିକ ମହାରାଷ୍ଟ ବାହାରେ ସୁଟିଂ ଚାଲିଛି ସେଗୁଡିକ କିନ୍ତୁ ଜାରି ରହିବ। ସେପଟେ ଏହି ଘୋଷଣା ପରେ ୧୫ ଦିନ ପାଇଁ ଫିଲ୍ମ ହଲ୍‌ଗୁଡିକ ମଧ୍ୟ ବନ୍ଦ ରହିବ। ଫଳରେ ଆଗାମୀ ଦୁଇ ସପ୍ତାହ ଯାଏଁ ରିଲିଜ ହେବାକୁଥିବା ଫିଲ୍ମ ଉପରେ ରୋକ୍‌ ଲାଗିଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା ଦେଇଛି। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହେବେ। ମହାରାଷ୍ଟ୍ରରେ ଏବେ ଫିଲ୍ମ ଓ ଟିଭିର ପ୍ରାୟ ୧୦୦ ସୁଟିଂ ଚାଲିଛି। ବଡ ବଡ ସୁଟିଂ ହୋଲ୍ଡରେ ରଖାଯାଇଛି। କିନ୍ତୁ ଟିଭି ଓ ବଲିଉଡର ଛୋଟ ଛୋଟ ପ୍ରୋଜେକ୍ଟର ସୁଟିଂ ଚାଲିଛି। ଏ ସମ୍ବନ୍ଧରେ ସେ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି। ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ରେକ୍‌ ଦ ଚେନ୍‌ ନିର୍ଦ୍ଦେଶ ଅନୁଯାୟୀ, ଆଜି ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା ଯାଏଁ ଲକଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀ ସେବା କାର୍ଯ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *