ମୁଖ୍ୟମନ୍ତ୍ରୀ କଥା ହେଲା କାର୍ଯ୍ୟକାରୀ;ମାସ୍କ ନପିନ୍ଧିଲେ ୨ହଜାର ଫାଇନ୍….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଡବଲ୍ ଜରିମାନା। କିଛି ସମୟ ପୂର୍ବେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଥିଲେ। ଯାହାର ତୁରନ୍ତ ବାଦ୍ ରାଜ୍ୟ ସରକାର ମାସ୍କ ଜରିମାନାକୁ ବଢ଼ାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଦୁଇଗଣା ଫାଇନ୍। ଅର୍ଥାତ ଯେଉଁ ଅମାନିଆ ବିନା ମାସ୍କରେ ବିନ୍ଦାସରେ ବୁଲୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡ଼ିବ। ଜଣେ ବ୍ୟକ୍ତି ପ୍ରଥମ ଓ ଦ୍ୱିତୀୟଥର ବିନା ମାସ୍କରେ ଧରା ପଡ଼ିଲେ, ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ପରବର୍ତ୍ତୀ ଥର ଧରାପଡ଼ିଲେ ଏକାଥରକେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟଥର ପାଇଁ ଜରିମାନା ୧ ହଜାର ଟଙ୍କା ଥିଲା। ଯାହାକୁ ଏବେ ଡବଲ କରିଦିଆଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କ ସମ୍ବୋଧନ କରି ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର। ମାସ୍କକୁ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ‘ବିନା ମାସ୍କରେ କେବେ ବି ଘରୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମା’ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି। ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ। କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ନିଶ୍ଚୟ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ପାଇଁ ନିଷ୍ପତ୍ତି ହୋଇଛି। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *