‘ଫନି’ କ୍ଷତିଗ୍ରସ୍ତଙ୍କୁ ମିଳିନି ସହାୟତା, ନିର୍ବାଚନୀ ପ୍ରସଙ୍ଗ କଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନରେ ‘ଫନି’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନଥିବାକୁ ନେଇ ବିଜେପି ଆଜି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଉପରେ ବର୍ଷିଛି । ଫନି ବାତ୍ୟାର ୨ବର୍ଷ ପରେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ସହାୟତା ନପହଂଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ଶ୍ରୀ ପାତ୍ର ଆଜି ପିପିଲି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବା ଅବସରରେ କହିଛନ୍ତି ଯେ,ଗତ ୨୦୧୯ ଫନିବାତ୍ୟାରେ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପୂର୍ବରୁ ଏବଂ ପରେ କେନ୍ଦ୍ରରୁ ମୋଦି ସରକାର ପ୍ରଚୁର ମାତ୍ରାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ୨ ବର୍ଷ ପରେ ବି ଫନି ବାତ୍ୟାରେ ଭାଙ୍ଗିଯାଇଥିବା ଘର ସଜଡା ଯାଇପାରିଲା ନାହିଁ । ଆଜି ମଧ୍ୟ ଭଙ୍ଗା ଘରେ କୁଡ଼ିଆରେ ସ୍ଥାନୀୟ ବାସିନ୍ଦା ବାସ କରୁଛନ୍ତି । ବିଶେଷ ଭାବେ ଏହି ଅଂଚଳରେ ମା’ଭଉଣୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସେ କହିଛନ୍ତି, ଦଳୀୟ ଅଧାରରେ ଗୃହ ବଂଟନ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଯାହା ପାଖରେ କୋଠା ଘର ଅଛି ସେମାନଙ୍କୁ ଗୃହଯୋଗାଇ ଦିଆଯାଇଛି, ମାତ୍ର ଯାହାର ଚାଳ ଛପର ଉଡ଼ିଯାଇଥିଲା ସେମାନେ ଆଜି ମଧ୍ୟ ଖୋଲା ଆକାଶ ତଳେ ବାସ କରୁଛନ୍ତି । ଏହା ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଶ୍ରୀ ପାତ୍ର ଯଶୁଆପୁର ଏବଂ ବୀରପୁରୁଷୋତ୍ତମପୁର ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଦଳୀୟ ସମର୍ଥକଙ୍କ ଗହଣରେ ପଥପ୍ରାନ୍ତ ସଭା କରିବା ସହ ସାଧାରଣ ଜନତାଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପଦ୍ମ ଫୁଲ ଚିହ୍ନରେ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ। ଡ. ପାତ୍ର କହିଛନ୍ତି ଯେ, ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ୩୫ ବର୍ଷ ଧରି ବିଜେଡିର ସ୍ଥାନୀୟ ନେତା ଲୋକପ୍ରତିନିଧି ଥିବା ସତ୍ତ୍ୱେ ଗ୍ରାମାଂଚଳର ବିକାଶ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଆନ୍ତରିକତା ଅଭାବର ପ୍ରମାଣ । ଗରିବଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣ ଅର୍ଥ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବା ସହ ବାଟମାରଣା ଓ ଦୁର୍ନୀତି ହିଁ ଏହାର ମୁଖ୍ୟ କାରଣ ବୋଲି ଶ୍ରୀ ପାତ୍ର କହିଛନ୍ତି । ପିସି କାରବାର କାରଣରୁ ଏହି ଅଂଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ରାସ୍ତା-ଘାଟ ନିର୍ମାଣ ଆଦିରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଂଚାୟତର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ଅର୍ଥ ବାଟମାରଣା କରାଯାଉଛି । ପିପିଲି-ଡ଼େଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତ୍ତି କରିସାରିଛନ୍ତି । ପିପିଲି ଉପ ନିର୍ବାଚନ ପରିବର୍ତ୍ତନର ସ୍ୱର ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *