ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ବିରୋଧ ଦେଖା ଦେଇଛି। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିକଟରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିଲା। ଯାହାକୁ ନେଇ ସାଧାରଣ ଲୋକେ ବିରୋଧ କରିଛନ୍ତି। କିନ୍ତୁ ଆଜି ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। ବିଏମସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜିଜିଆ କର କହିଛନ୍ତି। ଏପରିକି ରାଜରାସ୍ତାରେ ବିଜେପି ଓ କଂଗ୍ରେସ ରାଲି କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପି ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲା। ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି ବାବୁ ସିଂହ କହିଛନ୍ତି, ବିଏମସି ଯେଉଁଭଳି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଛି, ତାହା ଲୋକଙ୍କୁ ବହୁତ ବାଧିଛି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଲଢ଼େଇ ଆହୁରି ଜୋରଦାର୍ ହେବ ବୋଲି କହିଛନ୍ତି ବାବୁ ସିଂହ। ସେହିଭଳି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆଜି ସାମନ୍ତରାପୁରସ୍ଥିତ ବିଏମସି ଜୋନାଲ କାର୍ଯ୍ୟାଳୟ ଘେରାଉ କରଥିଲା। କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ଆମେ ଗ୍ରହଣ କରିପାରୁନୁ। ଦୁଇ କି ତିନି ନୁହେଁ, ଏକାଥରକେ ୭ ଗୁଣା ବୃଦ୍ଧି କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଉପରେ ପୁନର୍ବିଚାର କରାଯିବା ଦରକାର।। ସୂଚନାଯୋଗ୍ୟ, ୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡୁଛି। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ତେବେ ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି। ଯାହାକୁ ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଏମସିର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଏମସି ବର୍ତ୍ତମାନ ୫୦ ପ୍ରତିଶତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି। ଯେଉଁମାନେ ଚାହିଁବେ ପୂରା ଦେଇପାରିବେ। ଏପରିକି ଯେଉଁମାନେ ପୂରା ଦେଇନପାରିବେ, ସେମାନେ ଇନଷ୍ଟଲମେଣ୍ଟ ଦ୍ୱାରା ଏହାର ଭରଣା କରିପାରିବେ। ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ବିଏମସି ଯୁକ୍ତି ରଖିଛି। ୨୦୧୯ରୁ ଜମିର ବେଞ୍ଚମାର୍କ ମୂଲ୍ୟ ବଢିବା ପରେ ଏହାକୁ ଆଧାର କରି ହୋଲଡିଂ ଟ୍ୟାକ୍ସ ରିଭିଜନ୍ କରିଥିଲା ବିଏମସି। ସେତେବେଳେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ଭୁବନେଶ୍ୱର ନାଗରିକ ମହାସଂଘ। ନିକଟରେ ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଆସିବା ପରେ ବର୍ଦ୍ଧିତ ଟିକସ ଆଦାୟ କରୁଛି ବିଏମସି।