ମୋଦିଙ୍କୁ ମହାଦେବଙ୍କ ଅବତାର କହିଲେ ମନ୍ତ୍ରୀ..!
ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/ଶିମଲା)- ସାରା ବିଶ୍ୱ କୋଭିଡ୍ ସହିତ ଲଢ଼େଇ କରୁଛି। ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଯେଉଁଭଳି କୋଭିଡ୍ ବିରୋଧରେ ଲଢ଼େଇ କରୁଛି ତାହା ପ୍ରଶଂସନୀୟ। ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଏମିତିକି ବିଭିନ୍ନ ଗରିବ ଦେଶକୁ କୋଭିଡ୍ ଟିକା ଭାରତ ମାଗଣାରେ ଦେଇ ଏବେ ଚର୍ଚ୍ଚାରେ ରହିଛି। ଗତକାଲି ଶିବରାତ୍ରୀ ଥିଲା। ଏହି ଅବସରରେ ବିଜେପି ନେତା ତଥା ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲାରେ ଏଭଳି ମନ୍ତବ୍ୟ ରଖିଥିଲେ। ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଙ୍କ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ୨୦୧୯ ନିର୍ବାଚନ ଫଳାଫଳ ଆସିବାର୨ ଦିନ ପୂର୍ବରୁ, ସେ କେଦାରନାଥ ଗୁମ୍ଫାରେ ୨ ଦିନ ବିତାଇଥିଲେ ଏବଂ ତାଙ୍କୁ ଶିବଙ୍କର ଆଶୀର୍ବାଦ ମିଳିଛି ବୋଲି ଦାବି କରିଛନ୍ତି। କରୋନା ଟିକା ତିଆରି କରୁଥିବା ଦୁଇଟି କମ୍ପାନୀ ଭାରତର। ସର୍ବାଧିକ ଟିକାକରଣ ମଧ୍ୟ ଭାରତରେ ହୋଇଛି। ଏହା ଭଗବାନ ଶିବଙ୍କର ଏକ ବରଦାନ। ଏଥିରୁ ଜଣାପଡୁଛି ଯେ ନରେନ୍ଦ୍ର ମୋଦି ଶିବ ଶଙ୍କରଙ୍କ ଅବତାର ଭାବେ ଉଭା ହୋଇଛନ୍ତି। ଜୟରାମ ଠାକୁର ସରକାରରେ ମନ୍ତ୍ରୀ ଥିବା ଭରଦ୍ୱାଜ ଶିମଲାରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ସେ ଥରେ ନିର୍ବାଚିତ ହୋଇଥିଲେ। ଭରଦ୍ୱାଜ କହିଛନ୍ତି, ଭାରତ ବିଭିନ୍ନ ଦେଶକୁ ଟିକା ପ୍ରଦାନ କରିବା ପରେ ମୋଦିଙ୍କ ଭାବମୂର୍ତ୍ତି ଏବେ ଆହୁରି ବଢ଼ିଛି। ମୋଦି ଏବେ ବିଶ୍ୱର ଜଣେ ବଡ଼ ନେତା ଭାବରେ ନିଜର ପରିଚିୟ ତିଆରି କରିଛନ୍ତି। ସେହିଭଳି ମୋଦିଙ୍କ ନେତୃତ୍ୱ ପାଇଁ ଦେଶରେ କୋଭିଡ ମୃତ୍ୟୁ ଜନସଂଖ୍ୟା ତୁଳନାରେ ସଂଖ୍ୟା କମ୍ ରହିଛି।

