ପୁଣି ଭାରତ ବନ୍ଦ କରିବେ ଚାଷୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦୀର୍ଘ ୧୭ ସପ୍ତାହ ହେଲା କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବା ଅବସରରେ ଚାଷୀମାନେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ କରିବେ। ଏ ସମ୍ପର୍କରେ ସଂଯୁକ୍ତ କିଷାନ ପକ୍ଷରୁ ଘୋଷଣା କରାଯାଇଛି। ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ନଭେମ୍ବର ୨୬ରୁ ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କୁ ବୁଝାଇବାକୁ ସରକାର ବାରମ୍ବାର ବୈଠକ କରିଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ। ଏବେ ଚାଷୀମାନେ ନିଜ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା ଅନୁଯାୟୀ, ସହିଦ ଭଗବତ ସିଂହଙ୍କ ତରୋଧନ ଦିବସ ହେଉଛି ମାର୍ଚ୍ଚ ୨୩। ଏହି ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବଗୋଷ୍ଠୀ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହେବେ। ମାର୍ଚ୍ଚ ୨୬ରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବ। ଏହି ଅବସରରେ ଭାରତ ବନ୍ଦ କରାଯିବ। ସେହିପରି ମାର୍ଚ୍ଚ ୨୮ରେ ଚାଷୀ ବିରୋଧୀ କୃଷି ଆଇନକୁ ସମଗ୍ର ଦେଶରେ ପୋଡ଼ାଯିବ। ହୋଲି ଦହନ କାର୍ଯ୍ୟକ୍ରମ ଜରିଆରେ ଏପରି କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏହାବାଦ୍‌ ମାର୍ଚ୍ଚ ୧୫କୁ ଆଣ୍ଟି କର୍ପୋରେଟ ଓ ଆଣ୍ଟି ଗଭର୍ଣ୍ଣମେଣ୍ଟ ଦିବସ ଭାବେ ପାଳନ କରାଯିବ। ଏହି ଅବସରରେ ଏସଡିଏମ ଓ ଡିଏମ ଅଫିସରେଗୁଡ଼ିକରେ ତୈଳ, ଗ୍ୟାସ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦର ବୃଦ୍ଧି ବିରୋଧରେ ଦାବିପତ୍ର ପ୍ରଦାନ କରାଯିବ। ଘରୋଇ କରଣ ବିରୋଧରେ ସମଗ୍ର ଦେଶର ରେଳ ଷ୍ଟେସନରେ ଟ୍ରେଡ ୟୁନିୟନ ସହ ମିଶି ଆନ୍ଦୋଳନ କରାଯିବ। ସେହିପରି ମାର୍ଚ୍ଚ ୧୭ ତାରିଖରେ ଟ୍ରେଡ ୟୁନିୟନ ଓ ବିଭିନ୍ନ ସଂଗଠନ ଗୁଡ଼ିକ ସହ ମିଶି ୨୬ ତାରିଖ ଭାରତ ବନ୍ଦ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ମାର୍ଚ୍ଚ ୧୯ରେ ଏଫସିଆଇ ଓ ଖେତି ବଞ୍ଚାଓ କାର୍ଯ୍ୟକ୍ରମ ଜରିଆରେ ମୁଜାରା ଲେହର ଦିବସ ପାଳନ କରାଯିବ। ସମଗ୍ର ଦେଶରେ ଥିବା ମଣ୍ଡିଗୁଡ଼ିକରେ ଏହି ଦିନ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ମୋର୍ଚ୍ଚା ଯୋଜନା କରିଛି।

Leave a Reply

Your email address will not be published. Required fields are marked *