କାଲି ଜାଗର, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା। ହେଲେ ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ  ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ମନ୍ଦିରର ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ  ଏପରି ଅସହଯୋଗ କରାଯାଇଛି। ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି। ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ। ମୁଖ୍ୟତଃ ଶ୍ରାବଣୀ ଭାରର ମୂଲ୍ୟ ନିମନ୍ତେ ବଡନିଯୋଗ ଦାବି କରିଥିବା ବେଳେ ମନ୍ଦିରର ଶହ ଶହ ବର୍ଷର ପରମ୍ପରା କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଭାଟ କରିବାକୁ ଦାବି ଜଣାଇଛି ବ୍ରାହ୍ମଣ ନିଯୋଗ। ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପାଳିତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି  ବ୍ରାହ୍ମଣ ନିଯୋଗ । ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ତରଫରୁ ୨ ଦିନ ତଳେ ଦେବୋତ୍ତର କମିଶନରଙ୍କୁ ଦାବି ଜଣାଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ଗତକାଲି ରାତି ସୁଦ୍ଧା ଦାବି ପୂରଣ ନ ହେଲେ ଜାଗର ପୂର୍ବ ଦିନରୁ ସମସ୍ତ ନୀତିକାନ୍ତିରେ ଅସହଯୋଗ କରିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନ ଯିବାରୁ ଆଜି ସକାଳୁ  ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଅପରପକ୍ଷେ, କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ବ୍ୟାରିକେଡ ନିର୍ମାଣ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ପାର୍କିଂ ଆଦି ନିମନ୍ତେ ପ୍ରସ୍ତୁତି ସରିଲାଣି। ହେଲେ ବଡ଼ ନିୟୋଗ ଓ ବ୍ରାହ୍ମଣ ନିୟୋଗ ସେବାୟତ ନିଜ ଜିଦ୍‌ରେ ଅଟଳ ଥିବାରୁ ଆସନ୍ତାକାଲି ପ୍ରଭୁଙ୍କ ନୀତିକାନ୍ତି ପାଳନ ସହ ମହାଦୀପ ଠିକ୍‌ ସମୟରେ ଉଠିବା ନେଇ ଏବେଠୁ ଶଙ୍କା ଦେଖାଗଲାଣି।

Leave a Reply

Your email address will not be published. Required fields are marked *