ପୁଣି ମୁହାଁମୁହିଁ ସ୍ଥିତି;ରାସ୍ତା ଖାଲି କରିବାକୁ ଚାଷୀଙ୍କୁ ସ୍ଥାନୀୟ ଲୋକଙ୍କ ଚେତାବନୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପୁଣିଥରେ ଅଶାନ୍ତ ହୋଇଛି ଦିଲ୍ଲୀର ସିଙ୍ଘୁ ସୀମା। ଏଠାରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ଗଣତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିନରେ ଚାଷୀମାନେ ହିଂସାକାଣ୍ଡ ଘଟାଇଥିବାରୁ ସିଙ୍ଘୁ ଗାଁର ଲୋକମାନେ ସେମାନଙ୍କୁ ଜାତୀୟ ରାଜପଥ ଖାଲି କରିବାକୁ ଧମକ ଦେଇଛନ୍ତି। ଏହାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଗୁରୁବାର ମଧ୍ୟାହ୍ନରେ ସିଙ୍ଘୁ ଗାଁର କିଛି ଲୋକ ଚାଷୀଙ୍କ ବିରୋଧରେ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସେମାନେ ଜାତୀୟ ରାଜପଥରେ ବିକ୍ଷୋଭ କରିଥିଲେ। ନିଜକୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ କହୁଥିବା ଏହି ଲୋକମାନେ ହାତରେ ତ୍ରିରଙ୍ଗା ଧରି ଚାଷୀ ମାନଙ୍କୁ ବିରୋଧ କରିଥିଲେ। ଚାଷୀମାନେ ତୁରନ୍ତ ସିଙ୍ଘୁ ସୀମା ଖାଲି କରନ୍ତୁ ବୋଲି ସେମାନେ ନାରାବାଜୀ କରିଥିଲେ। ଜଣେ ଆନ୍ଦୋଳନକାରୀ କହିଛନ୍ତି, ସିଙ୍ଘୁ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ତେଣୁ ମୁଁ ଏହି ବିକ୍ଷୋଭରେ ସାମିଲ ହୋଇଛି। ଆଉ ଜଣେ ଆନ୍ଦୋଳକାରୀ କହିଛନ୍ତି, ଗଣତନ୍ତ୍ର ଦିବସରେ ଚାଷୀମାନେ ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ଆମେ ବିକ୍ଷୋଭ କରୁଛୁ। ଅନ୍ୟପକ୍ଷରେ ଆଜି ସିଙ୍ଘୁ ସୀମାରେ ପୁଲିସ୍‌ ବ୍ୟାରିକେଡ୍‌ ତିଆରି କରିଛି। ଚାଷୀମାନେ ଯେମିତି ଦିଲ୍ଲୀ ଭିତରକୁ ପଶି ପାରିବେ ନାହିଁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳରେ ଅଧିକ ସଂଖ୍ୟକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।ସେହିପରି ଗାଜିପୁର ସୀମାରେ ଉତ୍ତର ପ୍ରଦେଶ ପୁଲିସ୍‌ ପ୍ଲାଗମାର୍ଚ୍ଚ କରିଛି। ଜାନୁଆରୀ ୨୬ ଟ୍ରାକ୍ଟର ରାଲି ବେଳେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ ଶ୍ରୀବାସ୍ତ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

Leave a Reply

Your email address will not be published. Required fields are marked *