୧୦ ମାସ ପରେ ଭକ୍ତଙ୍କୁ କୋଳାଇ ନେଲା କାଳିଆ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ହାରିଲା କରୋନା, ଜିତିଲେ ଶ୍ରଦ୍ଧାଳୁ। ଦୀର୍ଘ ୧୦ ମାସ ଧରି ଭଗବାନ ଓ ଭକ୍ତ ମଧ୍ୟରେ ଥିବା ଦୂରତାର ପଡ଼ିଛି ପୂର୍ଣ୍ଣଛେଦ। ଶେଷରେ ଆଜିଠାରୁ ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସିଂହଦ୍ୱାର। ବିନା କୋଭିଡ୍ ଟେଷ୍ଟରେ ଆଜି ହଜାର ହଜାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ତେବେ ଦର୍ଶନ କରୁଥିବା ପ୍ରତିଟି ଶ୍ରଦ୍ଧାଳୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଛନ୍ତି। ଆଜିଠୁ ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ପରେ ୧୦ ମାସର ଉତ୍କଣ୍ଠା ଆଉ ଆବେଗର ଅନ୍ତ ଘଟାଇ ଭକ୍ତ ଓ ଭକ୍ତିମୟ ହୋଇପଡ଼ିଛି ସିଂହଦ୍ୱାର, ବାଇଶି ପାହାଚ, ମନ୍ଦିର ବେଢ଼ା ଇତ୍ୟାଦି। ନିର୍ବିଘ୍ନରେ ରତ୍ନସିଂହାସନରେ କାଳିଆ ଆଖିରେ ଆଖି ମିଶାଇ ଜଗା ଦୂଆରୁ ଫେରିଛନ୍ତି ଦୂରଦୂରାନ୍ତର ଭକ୍ତ ଓ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ୍ କଟକଣାରେ କିଛିଟା କୋହଳ କରାଯାଇଛି ସତ। ହେଲେ ସାମାଜିକ ଦୂରତା, ମାସ୍କ ଏବଂ ଏସଓପି କିନ୍ତୁ ବଳବତ୍ତର ରହିଛି। ଭକ୍ତଙ୍କ ଦର୍ଶନ ପାଇଁ ସୁରକ୍ଷା ଦାୟିତ୍ୱରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ସକାଳ ୬ରୁ ୭ଟା ଯାଏଁ କେବଳ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇବା ସହ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ପ୍ରାୟ ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆବଶ୍ୟକ ସ୍ଥଳେ ସଂଖ୍ୟାକୁ ବଢ଼ାଇ ଦିଆଯାଇପାରେ। ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ଥାଏ, ତାହେଲେ ସେହି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ପ୍ରତି ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜେସନ୍ କରାଯିବ। ଏଥିପାଇଁ ଏହିଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ବିନା କୋଭିଡ୍ ପରୀକ୍ଷାରେ ଅଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ପରେ ଏବେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଛି। ଏହି ସମୟରେ କାଳେ ସେବାୟତ ସଂକ୍ରମିତ ହୋଇଯିବେ ଏବଂ ନୀତିକାନ୍ତି ପ୍ରଭାବିତ ହେବ, ସେହି ଆଶଙ୍କା ନେଇ ସବୁ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ କୋଭିଡ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛି। ସେହିପରି ମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ବି ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *