ଶ୍ରୀଜିଉଙ୍କ ଦର୍ଶନ ଅନୁମତି ପାଇଲେ ଭଡ଼ାଟିଆ ଓ କର୍ମଜୀବୀ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିଛି ଏହି   ଅନୁମତି। ଆନୁଷ୍ଠାନିକ ଭାବେ ଜଗା ଦର୍ଶନ ନିମନ୍ତେ ଭଡ଼ାଟିଆଙ୍କ ପାଇଁ ୩୦ ଓ ୩୧ ତାରିଖ ଧାର୍ଯ୍ୟ ହୋଇଛି। ହେଲେ ଟୋକନ ପାଇଥିବା ଭଡ଼ାଟିଆ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଭଡ଼ାଟିଆଙ୍କ ପାଇଁ ନୀଳ ରଙ୍ଗ ଓ କର୍ମଜୀବୀଙ୍କ ପାଇଁ ସବୁଜ ରଙ୍ଗର ଟୋକନ ବ୍ୟବସ୍ଥା ହୋଇଛି। ଘରମାଲିକଙ୍କଠାରୁ ଲିଖିତ ଅନୁମତି ଆଣି ଶ୍ରୀଜିଉ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି। ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *