ବଳ ପୂର୍ବକ ଧର୍ମ ପରିବର୍ତ୍ତନ କଲେ ମିଳିବ ୧୦ ବର୍ଷ ଜେଲ – କ୍ୟାବିନେଟ ଅନୁମୋଦନ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉତ୍ତର ପ୍ରଦେଶ ପରେ ବିଜେପି ଶାସିତ ମଧ୍ୟପ୍ରଦେଶରେ ଲଭ ଜିହାଦ ଆଇନ ବା ମଧ୍ୟପ୍ରଦେଶ ଫ୍ରିଡମ ରିଲିଜନ ବିଲ୍‌ ୨୦୨୦କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ବିଲ୍‌ ଉପରେ ମୋହର ମାରିବାକୁ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବସିଥିଲା। ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଛି। ଯଦି କେହି ମହିଳା କିମ୍ବା ନାବାଳିକାଙ୍କୁ ବଳପୂର୍ବକ ଧର୍ମାନ୍ତୀକରଣ କରାଇବ, ତା’ହେଲେ ତା’କୁ ୨ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ମଧ୍ୟପ୍ରଦେଶ ଫ୍ରିଡମ ରିଲିଜନ ବିଲ୍‌ ୨୦୨୦ ବଳ ପୂର୍ବକ ଧର୍ମାନ୍ତୀକରଣ ଉପରେ ରୋକ ଲଗାଇବ।

ନାବାଳିକା/ନାବାଳକ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଯଦି କେହି ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଏ, ତା’ହେଲେ ତାଙ୍କୁ ୨ରୁ ୧୦ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ଯେକୌଣସି ଲୋକଙ୍କର ଜୋରଜବରଦସ୍ତି ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ଉପରେ ୧ରୁ ୫ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ସେ କହିଛନ୍ତି।କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବାରୁ ଏବେ ବିଧାନସଭାରେ ବିଲ୍‌କୁ ପାସ କରାଇବା ପାଇଁ ଉପସ୍ଥାପନ କରାଯିବ। ବିଧାନସଭାରେ ଅନୁମୋଦନ ପାଇବା ପରେ ଏହି ବିଲ୍‌ ରିଲିଜିୟସ ଫ୍ରିଡମ ଆକ୍ଟ ୧୯୬୮ର ସ୍ଥାନ ନେବ। ବିଲ୍‌ରେ ଆହୁରି କୁହାଯାଇଛି ଯେ କେବଳ ଧର୍ମ ପରିବିର୍ତ୍ତନ ପାଇଁ ହୋଇଥିବା ବାହାଘରକୁ ଅବୈଧକ ଘୋଷଣା କରାଯିବ। ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ଚାହୁଁଥିବା ଲୋକମାନେ ଦୁଇ ମାସ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ। ଏଥିପାଇଁ ଉଭୟ ପକ୍ଷର ସହମତି ଦରକାର। ଭୁଲ ତଥ୍ୟ, ପ୍ରଲୋଭିତ ବା ଅନ୍ୟ ଯେକୌଣସି ଉପାୟରେ ବି କେହି ମଧ୍ୟପ୍ରଦେଶରେ କାହାର ଧର୍ମ ପରିବର୍ତ୍ତନ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *