!!! ଏଥର ସମ୍ଭାଳ ବ୍ୟୁରୋ ରିପୋର୍ଟ !!!
ଏଥର ସମ୍ଭାଳ (ରାମନାଗୁଡା) – ରାମନାଗୁଡା ବ୍ଲକ ଅଧିନସ୍ଥ ବନ୍ଧୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଜଣ ଶିକ୍ଷକ ରହିଛନ୍ତି । ଗତ ତା ୨୭ ଜାନୁୟାରୀ ୨୦୨୦ ରିଖ ଦିନ ସମ୍ପୃକ୍ତ କେନ୍ଦ୍ରୀୟ ସାଧନ ସଂଯୋଜକ ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ଶିକ୍ଷକ ମୃତୁଞ୍ଜୟ ଶତପଥୀ ବିଦ୍ୟାଳୟ ରେ ଅନୁପସ୍ଥିତ ଥିବାରୁ ଶିକ୍ଷକଙ୍କ ଉପାସ୍ଥାନ ଖାତାରେ ଶ୍ରୀ ଶତପଥୀ ଛୁଟିରେ ଥିବା ଭଳି ଦର୍ଶାଇବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ ଛୁଟିରେ ଥିବା ଉପସ୍ଥାନ ଖାତାରେ ଦର୍ଶାଇଥିଲେ । ପରବର୍ତ୍ତୀ ଦିନ ଅର୍ଥାତ ୨୮ ଜାନୁୟାରୀ ୨୦୨୦ ରେ ଶ୍ରୀ ଶତପଥୀ ବିଦ୍ୟାଳୟରେ ପହଞ୍ଚି ରାଗିଯାଇ ତାଙ୍କ ବିନା ଅନୁମତିରେ ଉପସ୍ଥାନ ଖାତାରେ କାହିଁକି ଏଭଳି ଦର୍ଶାଯାଇଛି କହି ସେହି ଦିନ ସେ ବିଦ୍ୟାଳୟ ରେ ଥିବାଭଳି ଦସ୍ତଖତ କରିଥିବା ଅଭିଯୋଗ ହୋଇଛି । ଏହି ଅସଙ୍ଗତ ଘଟଣା ବିଷୟରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଧାନ ଶିକ୍ଷକ ଅଭିଯୋଗ କରିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରି ଏହାର ତଦନ୍ତକରି ଶ୍ରୀ ଶତପଥୀ ଙ୍କୁ ୨୦୨୦ ମସିହା ମାର୍ଚ୍ଚ ମାସ ୭ ତାରିଖ ଦିନ ପୂଜାରୀଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଛନ୍ତି । କିଛି ଅଭିଯୋଗ ଅନ୍ୟ ଜଣେ ଶିକ୍ଷକ ଏଲ. ଗୋପାଳ ରାଓ ଙ୍କ ବିରୁଦ୍ଧରେ ରହିଥିବାରୁ ତାଙ୍କୁ ମଧ୍ୟ ସେହି ତାରିଖ ରେ ନାରାୟଣଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାନଯାଇ କେବଳ ସ୍ଥାନାନ୍ତରିତ କରାଗଲା କାହିଁକି ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଉଭୟ ଶିକ୍ଷକ କିଛି ରାଜନୈତିକ ଚାପ ପକାଇ ପୁଣି ଏହି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମସୁଧା ଚଲାଇଥିବା କୁହାଯାଉଛି । ଏହି ବିଦ୍ୟାଳୟରେ ଏମିତି କଣ ରହିଛି ଯେ ପୁଣି ଉଭୟ ଦୁଇ ଶିକ୍ଷକ ବନ୍ଧୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମସୁଧା ଚଲାଇଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକତା ହୋଇପଡିଛି ।