ନ୍ୟୁଜିଲ୍ୟାଣ୍ଡ୍ ଟେଷ୍ଟ ସିରିଜରୁ ଈଶାନ୍ତ ଶର୍ମା ଆଉଟ୍‌

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ସୋମବାର ରଣଜୀ ଟ୍ରଫି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଈଶାନ୍ତଙ୍କୁ ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ଆଘାତ ଲାଗିଥିଲା। ଏ ନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଜେନେରାଲ୍ ସେକ୍ରେଟାରୀ ବିନୋଦ ତିହାରା କହିଛନ୍ତି, ଈଶାନ୍ତଙ୍କ ଗୋଇଠିରେ ତୃତୀୟ ଗ୍ରେଡ୍ ଆଘାତ ଲାଗିଛି, ଯାହା ଅତ୍ୟନ୍ତ ଗୁରୁତର। ତାଙ୍କୁ ବର୍ତ୍ତମାନ ସପ୍ତାହ ପାଇଁ ଆରାମ ଏବଂ ରିହ୍ୟାବିଲିଟେଶନ୍ ପାଇଁ ପରାମର୍ଶ ଦିଆଯାଇଛି। ବାସ୍ତବରେ କହିବାକୁ ଗଲେ ଏହା ବହୁତ ବଡ଼ ଝଟକା। ଡିଡିସିଏର ଅନ୍ୟଜଣେ ଅଧିକାରୀ କହିଛନ୍ତି, ଈଶାନ୍ତଙ୍କର ଏମଆରଆଇ ରିପୋର୍ଟ ଆସିଯାଇଛି। ସୌଭାଗ୍ୟବଶତଃ ତାଙ୍କ ଗୋଇଠିରେ କୌଣସି ଫ୍ରାକଚର୍ ହୋଇନାହିଁ। ଯେତେବେଳେ ସେ ଠିକ୍ ଭାବେ ଚାଲିବା ଆରମ୍ଭ କରିବେ, ସେତେବେଳେ ସେ ଏନସିଏକୁ ଯିବେ। ତେବେ ଏହି ଘଟଣାରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ବିସିସିଆଇ ଏସବୁର ଯାଞ୍ଚ କରିବା ପରେ କୌଣସି ନିଷ୍ପତ୍ତି ନେବ। ଭାରତ ପକ୍ଷରୁ ୯୬ ଟେଷ୍ଟ ମ୍ୟାଚ୍ ଖେଳିସାରିଥିବା ଈଶାନ୍ତଙ୍କ ସ୍ଥାନରେ ଦିଲ୍ଲୀ ପେସର ନଭଦୀପ ସାଇନିଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇପାରେ। ବର୍ତ୍ତମାନ ଈଶାନ୍ତଙ୍କ ଅନୁପସ୍ଥିତିରେ ନ୍ୟୁଜିଲ୍ୟାଣ୍ଡରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଉମେଶ ଯାଦବଙ୍କ ଉପରେ ଭାରତର ପେସ୍ ବିଭାଗ ନିର୍ଭର କରିବ।

Leave a Reply

Your email address will not be published. Required fields are marked *