ଗାଁରେ ରହିବ, ଘରୁ କଟାଯିବ – ସେସୁ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସରି ଆସୁଛି ଡେଡ୍‌ଲାଇନ୍‌। କଣ୍ଟ ପୂରିବାକୁ ମଝିରେ ମାତ୍ର ୧୨ ଘଣ୍ଟା। ଖିଲାପି ଉପଭୋକ୍ତାଙ୍କର ବିଚ୍ଛିନ୍ନ ହେବ ବିଜୁଳି ସଂଯୋଗ। ଘରୋଇ ଉପଭୋକ୍ତା ହୁଅନ୍ତୁ କି ଶିଳ୍ପ ସଂସ୍ଥା, କାହାକୁ ନଛାଡ଼ିବାକୁ ନିଷ୍ପତ୍ତି ନେଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ସେସୁ। ସେସୁର ସୂଚନା ଅନୁସାରେ ଏବେ ଖିଲାପି ଉପଭୋକ୍ତାଙ୍କ ଉପରେ ୧,୪୯୪ କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ବାକିଆ ପଡିଛି। ସେଥିମଧ୍ୟରୁ ୮ଲକ୍ଷ ୩୬ ହଜାର ୨୬୯ଜଣ ଘରୋଇ ଉପଭୋକ୍ତା। ଏମାନଙ୍କ ଉପରେ ୧୨୫୧ କୋଟି ୩୬ ଲକ୍ଷ ଓ ୫୯ ହଜାର ଟଙ୍କାର ବିଲ ବକେୟା ପଡିଥିବା ବେଳେ ୧୯୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ବାକି ରହିଛି ୨୪୩ କୋଟି। ତା’ସହ ୩୩୦ କୋଟି ଟଙ୍କାର ବିବାଦୀୟ ବିଲ୍ ମଧ୍ୟ ଆଦାୟ ନହୋଇ ପଡିଛି। ତେଣୁ ଏସବୁ ଶୁଳ୍କ ଆଦାୟ ପାଇଁ ପୂର୍ବ ଘୋଷଣା ମୁତାବକ ଆସନ୍ତା ୧୬ ତାରିଖରୁ ଫେବ୍ରୁଆରୀ ୫ ଯାଏଁ ଅଭିଯାନ ଚଳାଇବ ସେସୁ। ଏଥିଲାଗି ସିଧାସଳଖ ୫ ଲକ୍ଷ ୩୧ ହଜାର ୯୩୧ ଉପଭୋକ୍ତାଙ୍କୁ ନୋଟିସ ଜାରି ହୋଇଥିବା ବେଳେ ୨ଲକ୍ଷ ୯୮ ହଜାର ୧୮୯ଜଣଙ୍କୁ ଏସଏମ୍ଏସ୍‌ରେ ନୋଟିସ୍ ହୋଇଛି। ତେବେ ବିଦ୍ୟୁତ ବିଚ୍ଛିନ୍ନ କଥା ଶୁଣି ଛାନିଆରେ ୧ଲକ୍ଷ ୧୦ ହଜାର ଉପଭୋକ୍ତା। ୨୧ କୋଟି ଟଙ୍କାର ବକେୟା ବିଲ୍‌ ପୈଠ କରି ସାରିଲେଣି ୯ ଜିଲ୍ଲାରେ। ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଅଭିଯାନରେ ୪୧୩ ସ୍କ୍ୱାଡ ୧୧ ହଜାର ୩୯୭ ଗାଁ ବୁଲିବେ ବୋଲି ସେସୁ କମର୍ସ ବିଭାଗ ଏସଜିଏମ୍ ମନୋଜ ସିଂ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *