ମାଧବ କହିଲେ ସିଏଏକୁ ନେଇ ଏହା ବିରୋଧୀ ଷଡ଼ଯନ୍ତ୍ର କିନ୍ତୁ ଏହା ଦେଶ ଗ୍ରହଣ କରିବନି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀମାନେ ଷଡ଼ଯନ୍ତ୍ର କରୁଛନ୍ତି। ମିଥ୍ୟା ପ୍ରଚାର କରି ହିଂସା କରିବା ନିମନ୍ତେ ପ୍ରୟାସ କରୁଛନ୍ତି। ମାତ୍ର ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ ବୋଲି  ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ବରିଷ୍ଠ ନେତା ରାମମାଧବ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସହ ଇଡକଲ ଅଡ଼ିଟୋରିୟମରେ ସିଏଏ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାମମାଧବ କହିଛନ୍ତି ଯେ, ସିଏଏ ହେଉଛି ନାଗରିକତା ଦେବାର ଆଇନ। ଏହା କାହାର ନାଗରିକତା ନେବ ନାହିଁ। ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିାଁ ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି। ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି  ସେମାନଙ୍କର ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି। ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସଂଶୋଧନ ଆଇନ ପଡ଼ୋଶୀ ଦେଶରେ ଧାର୍ମୀକ ଆଧାରରେ ପ୍ରପୀଡ଼ିତ ହୋଇ ଜୀବନ ବଞ୍ଚାଇବା ପାଇଁ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶରେ ଏବେ ସିଏଏ ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛି ରାଜନୀତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତେଜନାପୂର୍ଣ୍ଣ କରିଦେଇଛନ୍ତି । ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ବିଜେପି ପକ୍ଷରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ବୁଦ୍ଧିଜୀବୀମାନଙ୍କ ସହିତ ସର୍ମ୍ପକ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ବିଜୟୀ ହେବାପରେ ତିନି ତଲାକ ବିଲ, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ- ଏସବୁ ଘଟଣାରେ ସମ୍ଭବତଃ ବିରୋଧୀଦଳମାନେ କିଛି କରିନପାରି ହତୋତ୍ସାହିତ ହୋଇପଡ଼ିଛନ୍ତି। ଏବେ ସେମାନେ ପାଣିକୁ ଗୋଳିଆ କରିବାର ଏକ ସୁଯୋଗ ପାଇଥିବା ଭଳି ମନେ କରୁଛନ୍ତି। କିନ୍ତୁ ଭାରତ କେବେହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ। ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତିା ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମମାଧବ ପ୍ରଶ୍ନ କରିଛନ୍ତି। ସିଏଏରେ ସଂଶୋଧନ ହେଉଛି ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରାର ଅନୁରୂପ ବୋଲି ସେ କହିଛନ୍ତି। ରାମ ମାଧବଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ,ନୟନ କିଶୋର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *