ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା ; ବାନ୍ଧବୀ ଙ୍କ ସହ ଟୁର ରେ ଯାଇ ଫସିଗଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା। ବାନ୍ଧବୀଙ୍କ ସହ ଟୁର ରେ ଯାଇ ଫସିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସରକାରୀ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ ତାଙ୍କର ବାନ୍ଧବୀ ମାଆ, ଝିଅ । ଉଡ଼ାହାଜାଜରେ ସେମାନଙ୍କ ଯିବା ଆସିବା ଏବଂ ଫାଇଭ୍ ଷ୍ଟାର୍ ହୋଟେଲରେ ରହଣୀ ଖର୍ଚ୍ଚ ସରକାରୀ ତହବିଲ୍ ରୁ ବହନ କରାଯାଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁମର ଖୋଲିବା ପରେ ଆଜି ବିଧାନସଭା ହଲଚଲ ହୋଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ଅଡ଼ିବସି ଗୃହର ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭା ଅଚଳ ହୋଇଯାଇଛି ।ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗଟି ସଙ୍ଗୀନ । ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ଟୁରିଜିମ୍ ରୋଡ୍ ସୋ’ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେଠାକୁ ଆମନ୍ତ୍ରିତ ହୋଇଥିଲେ । ତେବେ ମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ମହିଳା ଅତିଥି ଯିବେ ବୋଲି ମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ବିଭାଗକୁ ଚିଠି କରାଯାଇଥିଲା । ସେହି ଅନୁଯାୟୀ ଫ୍ଲାଇଟ୍ ଟିକେଟ ଏବଂ ହାଇଦ୍ରବାଦରେ ରହଣୀ ବନେ୍ଦାବସ୍ତ ପାଇଁ କୁହାଯାଇଥିଲା । ମନ୍ତ୍ରୀଙ୍କ ଅତିଥି ଦର୍ଶାଯାଇଥିବା ମହିଳାଦ୍ୱୟ ହେଲେ ଆର.ମହାପାତ୍ର(୪୭) ଏବଂ ଏସ.ଏସ. ମହାପାତ୍ର(୨୫) । ମନ୍ତ୍ରୀଙ୍କ ଚାହିଁବା ମୁତାବକ ମନ୍ତ୍ରୀ ଓ ତାଙ୍କର ଦୁଇ ମହିଳା ଅତିଥିଙ୍କ ପାଇଁ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର-ହାଇଦ୍ରାବାଦ ଫ୍ଲାଇଟ୍ ଟିକେଟ ଏବଂ ୫ ତାରିଖରେ ହାଇଦ୍ରାବାଦ-ଭୁବନେଶ୍ୱର ଫ୍ଲାଇଟ୍ ରେ ଫେରନ୍ତା ଟିକେଟ ହୋଇଥିଲା । ହାଇଦ୍ରାବାଦର ଫାଇଭ୍ ଷ୍ଟାର୍ ହୋଟେଲ୍ ତାଜ୍ କ୍ରିଷ୍ଣା ବି ୪ ତାରିଖ ରାତି ପାଇଁ ବୁକ୍ ହୋଇଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସଂପୃକ୍ତ ଫ୍ଲାଇଟ୍ ଟିକେଟ୍, ହୋଟେଲ ତାଜ୍ କ୍ରିଷ୍ଣାର ଇନଭଏସ୍ ଏବଂ ମନ୍ତ୍ରୀଙ୍କ ଦପ୍ତରର ଚିଠି ଉପସ୍ଥାପନ କରିଥିଲେ । ରୋଚକ କଥା ହେଲା, ମନ୍ତ୍ରୀଙ୍କ ଦପ୍ତର ଚିଠିରେ ଅତିଥି ମହିଳାଦ୍ୱୟଙ୍କ ପୂରା ନାଁ ବଦଳରେ ସଟ୍ ଫର୍ମ ନାଁ ଲେଖାଯାଇ ସେମାନଙ୍କ ଠିକଣା ଗୋପନ ରଖିବାକୁ ଉଦ୍ୟମ କରାଯାଇଥିଲା । ସରକାରୀ ଖର୍ଚ୍ଚରେ ଦୁଇଜଣ ବେସରକାରୀ ମହିଳାଙ୍କୁ ମନ୍ତ୍ରୀ କିଭଳି ସାଙ୍ଗରେ ନେଲେ ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା ନା ନାହିଁ ପ୍ରଶ୍ନ କରିଥିଲେ ସତ୍ୟପ୍ରକାଶ ।ମନ୍ତ୍ରୀଙ୍କର ଏହି ଗୁମରକୁ ଧରି ଆଜି କଂଗ୍ରେସ ବିଧାୟକମାନେ ବିଧାନସଭାରେ କମ୍ପମାନ କରିଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଅନୁରୂପ ଦାବି କରିଥିଲେ । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ସରକାରୀ କାର୍ଯ୍ୟରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଥିବା ମହିଳାଦ୍ୱୟ ସମ୍ପର୍କରେ ମାଆ ଓ ଝିଅ । ଏଇ ଗାଈ ବାଛୁରୀଙ୍କୁ ମନ୍ତ୍ରୀ ସାଙ୍ଗରେ ନେବା ପଛରେ କି ରହସ୍ୟ ଅଛି? ସେମାନେ ସରକାରୀ ଖର୍ଚ୍ଚରେ ଗଲେ କେମିତି? ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ସେ ଗୃହରେ ଦାବି କରିଥିଲେ । ଅନ୍ୟତମ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଛି.. ଛି.. କରିବା ସହ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ପଛେ ପଛେ ସହଯୋଗୀ ବିଧାୟକମାନେ ସିଧା ବାଚସ୍ପତିଙ୍କ ପୋଡ଼ିୟମ୍ ଆଡକୁ ଚାଲିଆସି ନାରାବାଜି ଆରମ୍ଭ କରିଥିଲେ । ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବରଖାସ୍ତ ଦାବି କରି କଂଗ୍ରେସ ବିଧାୟକମାନେ ସ୍ଲୋଗାନ୍ ଦେଇଥିଲେ । ଶ୍ରୀ ସାଲୁଜା ବାଚସ୍ପତିଙ୍କ ମାଇକ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ବିଧାୟକମାନେ ନିଜ ଆସନକୁ ଫେରିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଏଭଳିସ୍ଥିତିରେ ବାଚସ୍ପତି ତିନି ଥରକରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ଅଧିବେସନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଗୃହରେ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ବିଧାୟକଙ୍କୁ ଏହା ଶାନ୍ତ କରିପାରିନାହିଁ । ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଅଡି ବସିଛନ୍ତି । ପ୍ରବଳ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ।ବିଜେପି ପକ୍ଷରୁ ବରିଷ୍ଠ ନେତା ତଥା ମୁଖପାତ୍ର ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ପର୍ଯ୍ୟଟନ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରିଛନ୍ତି ।ସେପଟେ ସଂପୃକ୍ତ ବାନ୍ଧବୀଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣାଯାଉଛି । ସଂପୃକ୍ତ ମହିଳାଙ୍କ ସହ ମନ୍ତ୍ରୀଙ୍କର ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ହାଇଦ୍ରାବାଦ ଗସ୍ତକାଳରେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି କି ଅତିଥିଙ୍କ ପାଇଁ ସରକାରୀ ତହବିଲରୁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ!___________ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁବ୍ଧ ହୋଇପଡ଼ିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହା ଉପରେ ତନାଘନା ଆରମ୍ଭ ହୋଇଛି । କୌଣସି ମୁହୁର୍ତ୍ତରେ ଜ୍ୟୋତିପ୍ରକାଶଙ୍କ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *