ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ପୁଣି ସାମ୍ନାକୁ ଆସିଲା ଆବାସ କେଳେଙ୍କାରୀ । ଖୋଦ୍ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରୁ ଆସିଲା ଏଭଳି ସଙ୍ଗୀନ ଅଭିଯୋଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି ।
5T ନାରା ଦେଉଥିବା ସରକାର ଆଜି ନିଜେ ଅକଳରେ ପଡ଼ିଛନ୍ତି । ଖୋଦ୍ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରେ ଆବାସ କେଳେଙ୍କାରୀ ସାମ୍ନାକୁ ଆସିଛି । ଗୋଟିଏ ଗାଁରେ ପାଞ୍ଚଟି ପ୍ରକୃତ ହିତାଧିକାରୀ ପରିବାର ଆବାସ ପାଇନଥିବା ବେଳେ କୋଠାଘର ଥିବା ବିଜେଡି କର୍ମୀ ହାତେଇଛନ୍ତି ଆବାସ ଅନୁଦାନ । ଏମିତିକି ଗୋଟିଏ ପରିବାରକୁ ଏକାଧିକ ଥର ଆବାସ ଅନୁଦାନ ମିଳିଥିବା ଅଭିଯୋଗ ମଧ୍ୟ କରିଛି ବିଜେପି । ବିଜେପି ନେତା ସାରଦା ପ୍ରଧାନ ଏନେଇ ଅଭିଯୋଗ କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି ।
ସାରଦା ଅଭିଯୋଗ କରିଛନ୍ତି ଯେ, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ନମିଳିଥିବା ବେଳେ ଗୋଟିଏ ପରିବାରକୁ ଏକାଧିକ ବାର ଆବାସ ଯୋଜନା ପ୍ରଦାନ କରାଯାଇଛି । ଦୁଇ ମହଲା ଘର ଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଛି । କେଶବ ଜେନା ନାମକ ଜଣେ ସ୍ଥାନୀୟ ବିଜେଡି କର୍ମୀଙ୍କ ଘରର ଉପର ମହଲରେ ତାଙ୍କ ପୁଅ ଫକୀର ଜେନା ଘର କରିଛନ୍ତି । ଆଉ ତାଙ୍କ ନାଁରେ ଆବାସ ଟଙ୍କା ମଞ୍ଜୁର କରାଯାଇଛି ।
ସେହିଭଳି ଉକ୍ତ ନିର୍ବାଚନ ମଣ୍ଡଳିରେ 4ଜଣ ବିଜେଡି କର୍ମୀଙ୍କ ବିଳାଶ ପୂର୍ଣ୍ଣ ଘର ଥିବା ସତ୍ତ୍ୱେ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଏମିତିକି ଆବାସ ଯୋଜନାରେ ସେମାନଙ୍କୁ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥିବା କହିଛି । ତେବେ ବିଜେଡି ସରକାର ଦଳୀୟ କର୍ମୀ ଭିତ୍ତିରେ ଆବାସ ଯୋଜନା ବଣ୍ଟନ କରୁଥିବା ଅଭିଯୋଗ କରିଛି ବିଜେପି ।
ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଆବାସ ଯୋଜନାକୁ ହଡ଼ପ କରିଥିବା ଏବଂ ଦଳୀୟ କର୍ମୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ କରିଥିଲା ବିଜେପି । ତେବେ ଏହି ଅଭିଯୋଗକୁ ନେଇ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତା ନେଇ ପ୍ରମାଣ ମାଗିଥିଲେ । ତେବେ ଆଜି ରାଜ୍ୟ ବିଜେପି ପକ୍ଷରୁ ଆବାସ କଳେଙ୍କାରୀ ହୋଇଥିବା ନେଇ ବରିଷ୍ଠ ନେତା ସାରଦା ପ୍ରଧାନ ପ୍ରମାଣ ଦେଇଛନ୍ତି ।