!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” କୁ ପୁରିଲା ଏକବର୍ଷ । ସାମୁଦ୍ରିକ ଝଡ଼ବାତ୍ୟା ତାଣ୍ଡବ-ଲୀଳାର ଭୟଙ୍କର ରୂପ ହେଉଛି “ତିତିଲି । ଗଜପତି ଜିଲ୍ଲାରେ “ତିତିଲି” ର ଏହି ତାଣ୍ଡବଲୀଳାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା , ଗତ ବର୍ଷ ୨୦୧୮ ଅକ୍ଟୋବର ମାସ ୧୦ ତାରିଖ ରାତି ୧୨ ଟାରୁ ୧୧ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ମାତ୍ର ୧୨ ଘଣ୍ଟାର ଭୟଙ୍କର ତାଣ୍ଡବଲୀଳାରେ ସମଗ୍ର ଗଜପତି ଜିଲ୍ଲାରେ ମହାମାରୀ ବ୍ୟାପିଲା ଭଲି ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ଛାରଖାର୍ କରିଦେଇଥିଲା। ” ତିତିଲି”ର ଏହି ଭୟଙ୍କର ତାଣ୍ଡବଲୀଳାରେ ୪୮ ଜଣଙ୍କ ଜୀବନ ହାନି ହେବା ଏବଂ ଅନେକେ ଅଳ୍ପ ବହୁତେ ଆହତ ହେବା ସହ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି , ପ୍ରାକୃତିକ ସମ୍ପଦ ଓ ଆଦିବାସୀ ମାନଙ୍କ ମୁଖ୍ୟ ଜୀବିକା ସବୁକୁ ସମ୍ପୁର୍ଣ୍ଣ ଭାବେ ଉଜୁଡାଇ ଦେଇଥିଲା । ଏମିତିକି , ଜିଲ୍ଲାର ବାସ୍ତବ ସ୍ଥିତିକୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇ ବିକାଶ ପଥକୁ ଦୀର୍ଘ ୪୦ ବର୍ଷ ପଛକୁ ଠେଲି ଦେଇଥିଲା। ସମଗ୍ର ଗଜପତି ଜିଲ୍ଲାକୁ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” ପ୍ରଭାବ ପକାଇବା ସମ୍ପର୍କରେ ରାଜ୍ୟ ପାଣିପାଗ ବିଭାଗର ପୂର୍ବାନୁମାନ ମିଳିବା ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଏହାର କଡ଼ା ମୁକାବିଲା କରିବା ପାଇଁ ଶତ ପ୍ରତିଶତ ସମସ୍ତ ବ୍ୟବସ୍ଥା ସହ ସମ୍ପୁର୍ଣ୍ଣ ଭାବେ ସଜାଗ ହୋଇ ରହିଥିବା ସତ୍ତ୍ୱେ “ତିତିଲି” ଝଡ଼ବାତ୍ୟାର ତାଣ୍ଡବଲୀଳା ରୁପ ଏତେ ଭୟଙ୍କର ଥିଲା ଯେ , ସେହି ପ୍ରକୃତି ସାମନାରେ ଯିଏ ପଡ଼ିଲା , ତାକୁ ସେ ଛାଡିଲାନି । ଯାହାକି , ତାହା ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆଜି ମଧ୍ୟ ସେହି “ତିତିଲି”ର କରାଳ ତଥା ଭୟଙ୍କର ତାଣ୍ଡବଲୀଳା କଥା ମନେ ପଡ଼ିଗଲେ ଦେହର ଲୋମ ଟାଁଙ୍କୁରୀ ହୋଇ ପଡୁଛି । ଦୀର୍ଘ ୧୨ ଘଣ୍ଟା ଧରି ଏଭଳି ଯୋର ବିକଟାଳ ଶବ୍ଦ ରେ ବର୍ଷା ସାଙ୍ଗକୁ ପ୍ରାୟ ୧୮୦ ରୁ ୨୦୦ କିଲୋମିଟର ବେଗରେ ପବନ ବହିବା କେତେ ଯେ ଭୟଙ୍କର ହୋଇଥିଲା ତାହା ଏବେ ବି ଆଖି ଆଗରେ ଜଳ ଜଳ ହୋଇ ଦୃଶ୍ୟ ସବୁ ମନେ ପଡ଼ିଯାଉଛି। “ତିତିଲି”ର ଏହି ଭୟଙ୍କର ତାଣ୍ଡବଲୀଳାର ପ୍ରଭାବ ସମଗ୍ର ଜିଲ୍ଲାର କୋଣ-ଅନୁକୋଣ ପ୍ରଭାବିତ ହୋଇଥିଲା । ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତା , ବିଦ୍ୟୁତ , ପାନୀୟ ଜଳ, ଫୋନ ସମେତ ସମସ୍ତ ଯୋଗାଯୋଗ ସମ୍ପୁର୍ଣ୍ଣ ଭାବେ କିଛି ଦିନ ଧରି ବିଛିନ୍ନ ହୋଇ ପଡ଼ିବା ସହ କୃଷି , ଜଳସେଚନ ଓ ବିଭିନ୍ନ ବିଭାଗୀୟ ଘର ଛାତ ଓ କାନ୍ଥ ସବୁ ପ୍ରଭାବିତ ହୋଇଥିଲା । କେତେକ ସାମ୍ବାଦିକ ବନ୍ଧୁ ମାନଙ୍କ “ତିତିଲି” ବାତ୍ୟା ପ୍ରଭାବର କରାଳ ବାସ୍ତବ ଚିତ୍ର ସବୁକୁ ମାନବିକତାର ସହ ନିଜର କର୍ମ ଓ ଦାୟିତ୍ଵ ସମ୍ପନ୍ନ କରି ଅତ୍ୟନ୍ତ କଷ୍ଟ ସ୍ୱୀକାର ପୂର୍ବକ କିଟି କିଟି ଅନ୍ଧାର ଓ ବିଛିନ୍ନ ହୋଇ ପଡିଥିବା ଅନେକ ରାସ୍ତା ଓ ଦୁର୍ଗମ ଅଞ୍ଚଳକୁ ଯାଇ କେଉଁଠି କ’ଣ ଘଟିଛି ଅପ-ଡେଟ ଖବର ସବୁ ନିଜର ଖବରକାଗଜ, ଟିଭି ଚ୍ୟାନେଲରେ ଖବର ପ୍ରସାରଣ କରାଇଥିଲେ । ଯାହାକି , ପରବର୍ତ୍ତୀ ସମୟରେ ସେସବୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ଉପଯୁକ୍ତ ପଦକ୍ଷେପ ନେବାରେ ବେଶ ସହାୟକ ହୋଇଥିଲା । ସମଗ୍ର ଗଜପତି ଜିଲ୍ଲାରେ “ତିତିଲି” ଝଡ଼ବାତ୍ୟା ପ୍ରଭାବ ଦେଖାଦେବା ଓ ପରବର୍ତ୍ତୀ ସମୟରେ ତାର ଉଚିତ ମୁକାବିଲା ର ପଦକ୍ଷେପ ନେବା ଦିଗରେ ଗଜପତି ଜିଲ୍ଲାର କର୍ତ୍ତବ୍ୟ-ନିଷ୍ଠା ଯୁବ ଜିଲ୍ଲାପାଳ ଅନୁପମ ଶାହାଙ୍କ ତତ୍ପରତା କିଛି କମ୍ ନ ଥିଲା । ଯାହାକି , ଏ ଦିଗରେ ଗଜପତି ଜିଲ୍ଲାପାଳ ଶ୍ରୀ ଶାହା ପ୍ରକୃତରେ ପ୍ରଶଂସନୀୟ ଓ ଧନ୍ୟବାଦର ପାତ୍ର ହୋଇ ପଡ଼ିଥିଲେ । ଜିଲ୍ଲାର ଏଭଳି ପରିସ୍ଥିତିକୁ ନିଜର ଭୟାବହ ପରିସ୍ଥିତି ବୋଲି ମନେକରି ଏ କ୍ଷେତ୍ରରେ ମାନବିକତାର ସହ ଦାୟିତ୍ଵ ନେଇ କର୍ତ୍ତବ୍ୟ ସମ୍ପାଦନା କରିବା ନିଶ୍ଚିତ ଭାବେ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଭଲି ପଦକ୍ଷେପ । ଏହି “ତିତିଲି” ବାତ୍ୟାରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ଭାବେ ରାୟଗଡ ବ୍ଲକ ଅଧିକ ପ୍ରଭାବିତ ହୋଇଥିଲା । ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳର କେଉଁଠି କ’ଣ ସବୁ କ୍ଷୟକ୍ଷତି ହୋଇଛି , କେଉଁଠି କେଉଁ ପ୍ରକାର ଓ କ’ଣ ସବୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି , କେଉଁଠି କେଉଁ ପ୍ରକାର ଜୀବନ ହାନି ହୋଇଛି , ପ୍ରତ୍ୟେକ ବିଷୟରେ ଟିକିନିଖି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଏବଂ ଅନ୍ୟାନ୍ୟ ଖବର ରଖି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ତାହା ତତ୍ କ୍ଷଣାତ ଆବଶ୍ୟକ ପୁନଃଉଦ୍ଧାର , ଥଇଥାନ ମରାମତି , ଓ ରିଲିଫ ସହାୟତା ପ୍ରଭୃତିର ପଦକ୍ଷେପ ନିଜସ୍ୱ ଢଙ୍ଗରେ ନେଉଥିଲେ । ଜିଲ୍ଲାପାଳ ଅନୁପମ ଶାହା ଓ ସେତେବେଳର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମିଳିତ ଭାବେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ଏବଂ ତାଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷଣା କରି ସେମାନେ ମଧ୍ୟ ଲାଗି ପଡ଼ିଥିଲେ ନିଜ ନିଜ ବିଭାଗୀୟ କାର୍ଯ୍ୟରେ । ଗଜପତି ଜିଲ୍ଲାର ଏଭଳି ଭୟାନକ ପରିସ୍ଥିତି ଦେଖିବା ପାଈଁ ସେତେବେଳେ ପ୍ରାୟ ଏକ ମାସ ଧରି ରାଜ୍ୟର ବିଭିନ୍ନ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ , ମୁଖ୍ୟସଚିବ ସ୍ବତନ୍ତ୍ର ରିଲିଫ କମିଶନର , ବରିଷ୍ଠ ମନ୍ତ୍ରୀ ଗଣ , ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ , ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ମାନେ ଓ କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳ ପ୍ରମୁଖଙ୍କ ପ୍ରଭାବିତ ତଥା କ୍ଷତି ଗ୍ରସ୍ତ ତଥା ଜୀବନ ହାନି ଅଞ୍ଚଳକୁ ଘନ ଘନ ସୁଅ ଛୁଟିଥିଲା । ପ୍ରାୟ ଏକ ମାସ ଧରି ସେତେବେଳେ ପାରଳାଖେମୁଣ୍ଡି ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏକ ମିନି ସେକ୍ରେଟେରିଏଟ୍ ଭାବରେ ପରିଣତ ହୋଇ ଯାଇଥିଲା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତିତିଲି ପ୍ରଭାବିତ ଅଞ୍ଚଳ ବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଈଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ଜଣାଯାଏ । ଗଜପତି ଜିଲ୍ଲାର ମୋଟ ୭ଟି ବ୍ଲକର ୧୪୯ ଟି ଗ୍ରାମ- ପଞ୍ଚାୟତର ୧୫୨୫ ଟି ରାଜସ୍ୱ ଗ୍ରାମ ତିତିଲି ଝଡ଼ବାତ୍ୟାରେ ପୂର୍ଣ୍ଣ-ମାତ୍ରାରେ ପ୍ରଭାବିତ ହୋଇଥିଲା । ଯାହାଦ୍ୱାରା କି ଏହି ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୧୫ ଟି ଅସ୍ଥାୟୀ ଭାବେ ବାତ୍ୟା ଆଶ୍ରୟ ଖୋଲାଯାଇ ସେଠାରେ ୭୩ ,୧୪୫ ଜଣ ଲୋକଙ୍କୁ ଥଇଥାନ କରା ଯାଇଥିଲା । ଏଥି ସହିତ ୬୫୦ ଟି ରନ୍ଧା-ଖାଦ୍ୟ କେନ୍ଦ୍ର ଖୋଲା ଯାଇ ମାଗଣାରେ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଭାବିତ ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଝଡ଼ବାତ୍ୟା ପରବର୍ତ୍ତୀ ସମୟରେ ୬୭ , ୪୪୪ କୁଇଣ୍ଟାଲ ଚାଉଳ , ୬୫୨ କୁଇଣ୍ଟାଲ ଚୁଡା , ୩୦,୭ କୁଇଣ୍ଟାଲ ଗୁଡ଼ , ୮୩୯୧ ପେକେଟ୍ ଶୁଖିଲା ଖାଦ୍ୟ , ୨,୧୯,୦୧୮ ପେକେଟ୍ସ ମହମ୍-ବତୀ ଓ ଦିଆସିଲି , ୯୮,୧୧୫ ଖଣ୍ଡ ପଲିଥିନ , ୧୨,୪୧୦ ଟି ଟାର୍ପୋଲିନ ଏବଂ ୫୧,୪୩୩ ଟି କମ୍ବଳ ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଇଥିଲା । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମର ୧,୪୫,୦୨୭ ଟି ବାସଗୃହ ଅଧିବାସୀ ଙ୍କୁ ଭେଟି ୪୯,୨ କୋଟି ଟଙ୍କା ଆର୍ଥିକ ସହାୟତା ଓ ଘର ପିଛା ୫୦ କେଜି ଲେଖାଏଁ ଚାଉଳ ପ୍ରଭାବିତ ଅଞ୍ଚଳ ବାସିଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ଅଧିକାଂଶ ଲୋକ ତିତିଲି ଝଡ଼ବାତ୍ୟା ପ୍ରଭାବରେ ଅନେକେ ସେମାନଙ୍କ ବାସଗୃହ ହରାଇଥିଲେ । ଜିଲ୍ଲା ପ୍ରଶାସନ ସେମାନଙ୍କ ଗୃହକୁ ମରାମତି ଓ ପୁନଃଉଦ୍ଧାର ପାଇଁ ଗୃହ ନିର୍ମାଣ ସହାୟତା ରାଶି ୧୨୨,୭୪ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହା ଦ୍ବାରା ପ୍ରାୟ ୭୧, ୮୩୪ ଜଣ ହିତାଧିକାରୀ ଉପକୃତ ହୋଇଥିଲେ । ନଷ୍ଟ ହୋଇଥିବା ଚାଷଜମି ର କ୍ଷତିପୂରଣ ବାବଦକୁ ୩୨,୨୩ କୋଟି ଟଙ୍କା ୮୧,୦୪୨ ଜଣ ହିତାଧିକାରୀଙ୍କୁ ପ୍ରଦାନ କରା ଯାଇଥିଲା । ସେହିଭଳି ତିତିଲି ବାତ୍ୟାରେ ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଯଥା ଅଙ୍ଗନବାଡ଼ି କେନ୍ଦ୍ର , ବିଦ୍ୟାଳୟ , ଆରଆଇ କାର୍ଯ୍ୟାଳୟ , ବିଶ୍ରାମ ଗୃହ , ଗ୍ରାମ୍ୟ ରାସ୍ତା , ଓ ପୋଲ ପ୍ରଭୃତି ବହୁ ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଏ ସବୁର ପୁନଃଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଯୁଦ୍ଧ-କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ କରି ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here