ଆଉ ନାହାନ୍ତି ମହାରାଜ ଶ୍ରୀ ଉଦିତ ପ୍ରତାପ ଦେଓ ! ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !
!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡିର ୩୨ତମ ମହାରାଜ ତଥା ପୂର୍ବତନ ଜୁନାଗଡ଼ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ. ଚାରିଦିନ ତଳେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି।
କଳାହାଣ୍ଡି ର ଶେଷ ଶାସକ ମହାରାଜ ପ୍ରତାପ କେଶରୀ ଦେଓଙ୍କ ଜ୍ୟେଷ୍ଠପୁତ୍ର ଉଦିତ ୨୧ ଅଗଷ୍ଟ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪ ମସିହାରେ ଜୁନାଗଡ଼ ବିଧାନସଭା ମଣ୍ଡଳୀରୁ ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ ସେ ଏହି ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ରହିଥିଲେ। ୨୦୦୧ ମସିହା ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ଉଦିତ ପ୍ରତାପଙ୍କ ମର ଶରୀରକୁ ଶେଷକୃତ୍ୟ ପାଇଁ ଭବାନୀପାଟଣା ନିଆଯିବ ବୋଲି ଜଣାପଡିଛି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରାଜଙ୍କ ଦେହାନ୍ତ ଖବର ପାଇବା ପରେ ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି “କଳାହାଣ୍ଡିର ମହାରାଜ ତଥା ଜୁନାଗଡ଼ର ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।”
ମହାରାଜଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇ ଥିବା ବେଳେ ଅଞ୍ଚଳ ବାସୀ ମର୍ମାହତ ହୋଇପଡିଛନ୍ତି ।

