ମାସେ ହେଲା କ୍ୟାପିଟାଲ ହସ୍ପିଟାଲ ସିଟି ସ୍କାନ୍‌ ବନ୍ଦ

ଭୁବନେଶ୍ୱର: ଗତ ୧ମାସ ହେଲାଣି କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ମେସିନ୍‌ ବନ୍ଦ ହୋଇ ପଡ଼ିଛି। ଶହ ଶହ ରୋଗୀ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ପରୀକ୍ଷା ପାଇଁ ଯାଉଛନ୍ତି। ମାତ୍ର ଏଥିପ୍ରତି ହସ୍ପିଟାଲ କର୍ତୃପକ୍ଷଙ୍କ ଚିନ୍ତା ଅଛି ନା ରାଜ୍ୟ ସରକାରଙ୍କର। ଗରିବ ରୋଗୀଙ୍କୁ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ଚିକିତ୍ସା କରିବା ପାଇଁ ଏକପ୍ରକାର ବାଟ ଖୋଲି ଦିଆଯାଇଛି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି। ସୂଚନା ଅନୁଯାୟୀ, ଇନଫୋସିସ୍‌ ପକ୍ଷରୁ ୨୦୦୧ ମସିହାରେ କ୍ୟାପିଟାଲ ହସ୍ପିଟାଲକୁ ସି.ଟି ସ୍କାନ୍‌ ମେସିନ୍‌ ପ୍ରଦାନ କରାଯାଇଥିଲା। ସେବେଠାରୁ ହସ୍ପିଟାଲରେ ଏହି ମେସିନ୍‌ କାର୍ଯ୍ୟ କରି ଆସୁଛି। ତେବେ ଏଥିରେ କେବଳ ମୁଣ୍ଡର ସ୍କାନ୍‌ କରାଯାଉଥିବା ବେଳେ ସି.ସିଟି କରାଯାଉ ନ ଥିଲା। ଗୋଟିଏ ସ୍ଲାଇସ୍‌ର ହୋଇଥିବା ବେଳେ ଏବେ ୧୬ ସ୍ଲାଇସ୍‌ର ମେସିନ୍‌ ବ୍ୟବହାର କରାଯାଉଛି। ତେବେ ହସ୍ପିଟାଲରେ ଥିବା ମେସିନ୍‌ଟି କିଛି ଟ୍ୟୁବ୍‌ ପୋଡ଼ି ଯାଇଥିବାରୁ ତାହା ଅଚଳ ହୋଇଯାଇଛି। ହସ୍ପିଟାଲ କର୍ତୃପକ୍ଷ ମେସିନ୍‌କୁ ବାରମ୍ବାର ସଜାଡ଼ୁଥିଲେ ମଧ୍ୟ ତାହା ଖରାପ ହୋଇଯାଉଥିବାରୁ ଏହାର ବଦଳରେ ନୂତନ ମେସିନ୍‌ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ହସ୍ପିଟାଲ କର୍ତୃପକ୍ଷ ଅନୁରୋଧ କରିଥିଲେ। କିନ୍ତୁ ଏହା ଭିତରେ ୧ମାସ ବିତିଗଲାଣି, ନୂଆ ମେସିନ୍‌ ଆଜି ପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ। ଯାହାର ଫାଇଦା ନେଉଛନ୍ତି ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଦାନ ଯୋଜନାରେ ମାଗଣାରେ ସି.ଟି ସ୍କାନ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ଏହି ମେସିନ୍‌ ଖରାପ ହୋଇଯାଇଥିବା ବେଳେ ସାଧାରଣ ରୋଗୀମାନେ ଏହାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ପିପିପି ମୋଡ୍‌ରେ କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ମେସିନ୍‌ ବସାଇବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ନିକଟରେ ସ୍ୱାସ୍ଥ୍ୟ ମିସନର ଅଧିକାରୀ ହସ୍ପିଟାଲରେ ନୂତନ ମେସିନ୍‌ ବସାଇବା ନେଇ ଯାଞ୍ଚ କରିଛନ୍ତି। ଖୁବଶୀଘ୍ର ଏହି ମେସିନ୍‌ ହସ୍ପିଟାଲରେ କାର୍ଯ୍ୟ କରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *