!!! କଲ୍ୟାଣସିଂପୁର ପ୍ରତିନିଧି ସଂଜୀବ କଣ୍ଡାଗରୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କୈଳାସପୁର) – ଅବିଭକ୍ତ କୋରାପୁଟ ଜିଲ୍ଲାର ଘାଟି ରାସ୍ତା ମାନଙ୍କ ମଧ୍ୟରୁ ରାୟଗଡା ନିକଟସ୍ଥ କୈଳାଶପୁର ଘାଟି ଏକ ବିପଦ ସଙ୍କୁଳ ଘାଟି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଘାଟି ରାସ୍ତାର ଉନ୍ନତିକରଣ ଏବଂ ପ୍ରସସ୍ଥିକରଣ ସକାଶେ ପଦକ୍ଷେପ ସ୍ୱରୂପ ଏହାକୁ ରାଜ୍ୟ ସରକାର ଜାତୀୟ ରାଜପଥର ମାନ୍ୟତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଠିକାଦାରଙ୍କ କାର୍ଯ୍ୟ ପ୍ରତି ଅନୁକୂଳ ମନୋଭାବ ରହୁନଥିବାରୁ ରାସ୍ତାର କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ବର୍ତ୍ତମାନ ବର୍ଷା ର ପ୍ରକୋପରେ କଟା ଯାଇଥିବା ରାସ୍ତା ପାର୍ଶ୍ୱର ବଡ଼ବଡ଼ ପଥର ଖଣ୍ଡ ଖସି ରାସ୍ତା ଅବରୋଧ କରୁଛି । ଏହି ରାସ୍ତାଦେଇ ରାଜଧାନୀରୁ ନକ୍ସଲ ପ୍ରବଣ ମାଲକାନଗିରି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ରାତ୍ରି କାଳୀନ ଯାତ୍ରୀବାହୀ ବସ ଗୁଡିକ ଚଳାଚଳ କରୁଛି ।ଏହି ରାସ୍ତାରେ ସବୁବେଳେ ଦୁଇ ଚକିଆ ଯାନ ଠାରୁ ଆରମ୍ଭକରି ଷୋହଳ ଚକିଆ ଗାଡି ଚଳାଚଳ ଲାଗିରହିଥାଏ । ବିପଦ ସଙ୍କୁଳ ଏହି ଯାତ୍ରା ବସ ଯାତ୍ରୀଙ୍କ ନିଦ ହଜାଇ ଦେଉଛି । ତଥାପି ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନିଘା ନଥିବା ଅଞ୍ଚଳବାସୀ ଅଭଯୋଗ କରୁଛନ୍ତି । ଠିକାଦାର କାମଟିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଦେଖା ଦେଇଛି । ଏହି କାର୍ଯ୍ୟ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଖସିଥିବା ମାଟି ଅତଡ଼ା ଓ ପଥର କୁ ରାସ୍ତାରୁ ହଟାଇବା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁକୁନ୍ଦପୁର ଗ୍ରାମବାସୀ ଦାବୀ କରିଛନ୍ତି ।