ଦେବଗିରିରେ ଶ୍ରୀଶିବାଷ୍ଟକମ ସହ ମହାଦେବଙ୍କ ଜଳାଭିଷେକ …!

!!! କଳାହାଣ୍ଡି ରୁ ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦର ସ୍ଥିତ ଦେବଗିରି ମଠ ଶ୍ରାବଣ ମାସର ଅନ୍ତିମ ସୋମବାର ଦିନ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡରେ ମୁଖରିତ ହୋଇଉଠିଛି। ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ପବିତ୍ର ପାଣି ନେଇ ଦେବଗିରି ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଜଳାଭିଷେକ କରିଥିଲେ। ବାବାଙ୍କ ପିଠରେ ଅନେକ ଭକ୍ତ ଜଳଲାଗି କରି ଭଗବାନ ଶିବ ଶଙ୍କରଙ୍କ ନାରା ସହିତ ବିଭିନ୍ନ ବାଦ୍ୟ ନାଦ କରିଥିଲେ। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଶ୍ରୀଶିବାଷ୍ଟକମ୍ ପାଠ କରିଥିବାବେଳେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ ଓ ଗୋପାଳ ସେବକ ଟିକେ ଗଉଡ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେବଗିରି ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ପିଠସ୍ଥଳୀ ହୋଇ ଥିବାବେଳେ ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ପୌରାଣିକ ବିଭବରେ ପରିପୂର୍ଣ୍ଣ। ଭବାନୀପାଟଣା ଠାରୁ ୩୦ କିମି ଦୂରରେ ଥିବା ଏହି ସ୍ଥାନ ପ୍ରାକୃତିର ମନୋରମ ପରିବେଶ ମଧ୍ୟରେ ରହିଥିବାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୂଅ ଛୁଟିବାରେ ଲାଗିଥାଏ। ମହାଶିବରାତ୍ରୀ, ରଥଯାତ୍ରା, ନବରାତ୍ର ଓ ଜନ୍ମାଷ୍ଟମୀ ଏହି ମଠର ମୂଖ୍ୟ ପର୍ବପର୍ବାଣୀ ହୋଇଥିବାବେଳେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମଧ୍ୟ ପ୍ରବଳ ଭକ୍ତ ସମାଗମ ହୋଇଥାଏ। ଆଜି ଚଳିତବର୍ଷ ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଦୂର ଦୂରାନ୍ତରୁ ମହାଦେବଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥିଲେ।

Leave a Reply

Your email address will not be published. Required fields are marked *