ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଓ ଗଜପତି ଜିଲ୍ଲାର ୪ଟି ପୌରସଂସ୍ଥାକୁ ନେଇ କ୍ଲଷ୍ଟର ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରସଂସ୍ଥା କର୍ମଚାରୀ ଓ ମଳ ଉପଚାର କେନ୍ଦ୍ରରେ କାର୍ଯ୍ୟରତ ସ୍ଵୟଂସହାୟିକା , ଟିଜିଜି , ଟି.ଆର.ପି ମାନଙ୍କ ଦକ୍ଷତା ବିକାଶ କର୍ମଶାଳା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ତୁଡା ପ୍ରକଳ୍ପ ନିର୍ଦ୍ଦେଶକ ଗୋରାଚାନ୍ଦ ଗମାଙ୍ଗ ମୁଖ୍ୟଅତିଥି , ପୌର ଅଧ୍ୟକ୍ଷା ମମତା ଗୌଡ଼ , ଉପାଧକ୍ଷ ଶିବପ୍ରସାଦ ଗୌଡ଼ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ସମସ୍ତ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶିକ୍ଷକ ଉପସ୍ଥିତ ରହିଥିଲେ ।
କର୍ମଶାଳାରେ ମିଶନଶକ୍ତି ଗୋଷ୍ଠୀ ଓ ଟିଜି ଗୋଷ୍ଠୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସର ରେ ଆୟୋଜିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ରେ ଗୁଣପୁର ପୌରପରିଷଦ ପ୍ରଥମ ଓ ପାରଳାଖମୁଣ୍ଡି ପୌର ପରିଷଦ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଟିମ ବିଲଡିଂ ପ୍ରତିଯୋଗିତାରେ କାଶୀନଗର ଏନଏସି ପ୍ରଥମ ଓ ଗୁଡ଼ାରି ଏନଏସି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଗୁଣପୁର ପୌରନିର୍ବାହୀ ଅଧିକାରୀ ଡା. ସତ୍ୟସମ୍ପୂର୍ଣ୍ଣା ରାଉତ , ରାୟଗଡ଼ା ପୌର ନିର୍ବାହୀଅଧିକାରୀ ୟାଶିର ବିଲ୍ଲାଲ ଅହମ୍ମଦ , ଗୁଡ଼ାରି ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା , ଗଜପତି ପୌର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ , କାଶୀନଗର ଏନଏସିର ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମାଷ୍ଟର ଟ୍ରେନର ଭାବେ ଭୁବନେଶ୍ବରରୁ ଓମପ୍ରକାଶ ରଥ , ଆଦର୍ଶ କିଡ଼ିଆ ଓ ରାଜଶ୍ରୀ ପତି ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଗୁଣପୁର ପୌର ପରିଷଦର ଇଂ ବିଶ୍ବନାଥ ସାର୍କା , ଇଂ ରବୀନ୍ଦ୍ରନାଥ ଦାଶ, ସମାପିକା ପାତ୍ର , କୈଳାସଚନ୍ଦ୍ର ପରିଡା , ରମଣୀ ରଞ୍ଜନ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।