ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନକଲି ଔଷଧ ବିକ୍ରି ଅଭିଯୋଗରେ କଟକରେ ୨ଜଣ ଗିରଫ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନକଲି ଔଷଧ ଧରପଗଡ଼ ନିମନ୍ତେ ଚଢ଼ଉ ଜୋରଦାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ନକଲି ଔଷଧ ବିକ୍ରି ଓ ଯୋଗାଣକୁ କୌଣସି ପରିସ୍ଥିତିରେ ବି ସରକାର ବରଦାସ୍ତ କରିବେ ନାହିଁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାରିକୁ ଛଡ଼ାଯିବ ନାହିଁ । କଟକ ଓ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ମେଡିସିନ୍ ଷ୍ଟୋର ଓ ଡିଷ୍ଟ୍ରିବ୍ୟୁଟର ଉପରେ ଚଢ଼ଉ ପରେ ବ୍ଲଡପ୍ରେସରର ନକଲି ଔଷଧ ‘ଟେଲମା-୪୦’ ମିଳିଥିଲା । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହି ନକଲି ଟେଲମା-ଏମ୍ ଓ ଟେଲମା-୪୦ କୁ ଜବତ କରିଛନ୍ତି । ମଙ୍ଗଳବାର କମିଶନରେଟ ପୁଲିସ ଏହି ନକଲି ଔଷଧ ଯୋଗାଣ ମାମଲାରେ ୨ଜଣଙ୍କୁ ଗିରଫ କରିଛି । ଗ୍ଲେନମାର୍କ କମ୍ପାନୀ ପକ୍ଷରୁ ଏହି ଦୁଇଟି ମେଡିସିନକୁ କମ୍ପାନୀ ଦ୍ୱାରା ପ୍ରସ୍ତୁତ କିମ୍ବା ଯୋଗାଣ କରାଯାଇନଥିବା ନେଇ ସ୍ପଷ୍ଟ କରାଯିବା ପରେ ଏଫଆଇଆର ରୁଜୁ ହୋଇଥିଲା ।