ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ଯାଂଚ ପାଇଁ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ପିପିଲିର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା ତାଙ୍କୁ ବେଶ ମହଙ୍ଗା ପଡ଼ିଛି । ମାଜିଷ୍ଟ୍ରେଟଙ୍କ ବୟାନ ଆଧାରରେ ପିପିଲି ଥାନା ପୁଲିସ ତାଙ୍କୁ ଆଜି ଗିରଫ କରିଛି । ମହାଥୀଙ୍କ ଫାର୍ମ ହାଉସରେ ଟଙ୍କା ଓ ମଦ ବଣ୍ଟାଯାଉଥିବା ସମ୍ପର୍କରେ ଖବର ପାଇ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ ସ୍କ୍ୱାଡ ଯାଇ ଅଚାନକ ଯାଞ୍ଚ କରିଥିଲା । ଏହି ଟିମରେ ମାଜିଷ୍ଟ୍ରେଟ, ଥାନା ଏଏସଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଏମାନେ ଫାର୍ମ ହାଉସ ଭିତରକୁ ପସିବା ପରେ ସେଠାରେ ଉପସ୍ଥିତ ଥିବା ମହାରଥୀ ଓ ତାଙ୍କ ସମର୍ଥକମାନେ ଟିମକୁ ଆକ୍ରମଣ କରିଥିଲେ । ମହାରଥୀ ନିଜେ ଆକ୍ରମଣରେ ସାମିଲ ଥିଲେ ଓ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏ ନେଇ ମାଜିଷ୍ଟ୍ରେଟ ନିଜେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ଫଳରେ ଆଉ ପୁଲିସ କିମ୍ବା ଅନ୍ୟମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ନଥିଲା । ଅଭିଯୋଗକୁ ଭିତ୍ତିକରି ମହାରଥୀଙ୍କୁ ପିପିଲି ଥାନାକୁ ଡକାଯାଇ ଜେରା କରାଯାଇଥିଲା । ତା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୁଲିସ ସଙ୍ଗୀତ ଦଫା ଲଗାଇଛି । ଆଇପିସିର ବିଭିନ୍ନ ଧାରାରେ ମାମଲା ହୋଇଛି । ହତ୍ୟା ଉଦ୍ୟମ କରିବା, ମାରଣାସ୍ତ୍ର ବ୍ୟବହାର କରିବା, ନିର୍ବାଚନ କମିଶନଙ୍କ ଟିମକୁ ଆକ୍ରମଣ କରିବା ପ୍ରଭୃତି ଘଟଣା ନେଇ ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଓ ଲୋକପ୍ରତିନିଧି ଆଇନ ୧୨୩ରେ ଏହି ମାମଲା ରୁଜୁହୋଇଛି ।
ମହାରଥୀଙ୍କ ପତ୍ନୀ ଓ ପୁଅ, ବୋହୁ ମଧ୍ୟ ଥାନାକୁ ଆସିଥିଲେ । ପଚରା ଉଚରା ପରେ ମହାରଥୀଙ୍କୁ ରଖି ଏମାନଙ୍କୁ ଛାଡ଼ି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here