ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଅନ୍ୟ ରାଜ୍ୟ ଢାଂଚାରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ଉପକଣ୍ଠରେ ୩୦ଏକର ଜମି ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି । ଆଜି ଗୃହରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ଅନୁମତି ନେଇ ଏହି ସୂଚନା ଦେଇଥିଲେ । ସେ କହିଥିଲେ, ଅନ୍ୟ ରାଜ୍ୟ ଢାଂଚାରେ ଭୁବନେଶ୍ୱରରେ ସାଇନ୍ସ ସିଟି ନିର୍ମାଣ କରାଯିବ । ଏହାସହିତ ପୁରୀରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯିବ । ପୁରୀରେ ବିଜ୍ଞାନ ପ୍ରଦର୍ଶନୀ ସମେତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ଐତିହ୍ୟ ଆଦି ସ୍ଥାନ ପାଇବ ।ସାତକୋଶିଆ ଅଂଚଳରେ ବାୟୋସ୍ପିୟର ମ୍ୟୁଜିୟମ୍ ମଧ୍ୟ ସ୍ଥାପନ କରାଯିବ । ବଡ଼ମ୍ବା-ନରସିଂହପୁର ଅଂଚଳର ସାତକୋଶିଆଠାରେ ରାଜ୍ୟ ସରକାର ଜୈବବିବିଧତାକୁ ନେଇ ଏକ ପ୍ରାକୃତିକ ସଂଗ୍ରହାଳୟ କରିବେ । ଏଥିରେ କଟକ, ଅନୁଗୋଳ ଓ ନୟାଗଡ଼ ଆଦି ଜିଲ୍ଲାକୁ ସାମିଲ କରାଯାଇଛି । ଏନେଇ ମଧ୍ୟ ଜାତୀୟ ବିଜ୍ଞାନ ପରିଷଦକୁ ସୂଚନା ଦିଆଇଥିବା ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଧାନସଭାକୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଏହି ସୂଚନା ନିଜ ଆଡ଼ୁ ଗୃହରେ ବାଚସ୍ପତିଙ୍କ ଅନୁମତି ନେଇ ରଖିଥିଲେ ।