ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲିଠୁ ଶରଧା ବାଲିରେ ପହଞ୍ଚିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ । ଗତକାଲି ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାବାଲିରେ ଲାଗିଥିଲା ତିନି ରଥ । ରଥ ଉପରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ରଥ ଉପରେ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆସନ୍ତା କାଲିଠୁ ମିଳିବ ଆଡ଼ପ ଅବଢ଼ା । ତାସହ ଜନ୍ମବେଦୀରେ ଠାକୁରଙ୍କ ଦର୍ଶନ କରିବାକୁ ଭକ୍ତଙ୍କୁ ସୁଯୋଗ ମିଳିବ । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ ବେଶ୍ ଖୁସି ଅଛନ୍ତି। ସେପଟେ ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ ଗତକାଲି କଳାହାଟ ଦ୍ୱାରର ଫ୍ରେମ୍ ଶ୍ରୀମନ୍ଦିର ବାହାରକୁ ଯାଇଛି । ନୂଆ ଫ୍ରେମକୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ତିଆରି କରାଯାଇଛି । ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣାଯାଇଥିଲା । ବର୍ମାଟିକ କାଠ ଉପରେ ଉତ୍କଳୀୟ ଢାଞ୍ଚାରେ କାରୁକାର୍ଯ୍ୟ ହୋଇଛି, ଯାହାକି ଆଜି କଳାହାଟ ଦ୍ୱାରରେ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପାଛାଉଣୀ କରାଯାଇଥିଲା । ଦୀର୍ଘ ୨ ବର୍ଷରେ ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅନୁମତି ମିଳିଥିବାରୁ ଗତକାଲି ଲୋକାରଣ୍ୟ ହୋଇ ଯାଇଥିଲା ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ପୁରୀରେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।