ଯୋଗ ସଚେତନତାର ବାର୍ତ୍ତା ଦେଲା ବାଲୁକା କଳା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) –ଆଜି ଆନ୍ତର୍ଜାତିକ ଯୋଗ ଦିବସ। ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ।  ଏହି  ଅବସରରେ ପୁରୀ ଲାଇଟହାଉସ ବେଳାଭୂମିରେ ବାଲୁକା କଳା କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ।  ବାଲୁକା କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗମୁଦ୍ରାର ଚିତ୍ରଣ କରିଛନ୍ତି ମାନସ। ୧୭ ଫୁଟ୍ ଓସାରର ଏହି ବାଲୁକା କଳା ନିର୍ମାଣ ପାଇଁ ୧୫ ଟନ୍ ବାଲିର ବ୍ୟବହାର ହୋଇଛି। ଏହି ବାଲୁକାକଳା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକାକଳା କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗମୁଦ୍ରାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସେହିପରି  ପ୍ରମୁଖ ଐତିହ୍ୟସ୍ଥଳ କୋଣାର୍କରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ  କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *