ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିବା ସହ ବିଜେପିର କଳେବର ବୃଦ୍ଧି ପାଇବାକୁ ନେଇ ଆଶଙ୍କିତ ବିଜେଡି ଏବେ ନିଜର ପ୍ରତିଷ୍ଠାତା ସଦସ୍ୟ ଦିଲୀପ ରାୟଙ୍କୁ ପୁଣିଥରେ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଦିଲୀପଙ୍କ ମାଧ୍ୟମରେ ବିଜେଡି ନିଜର ଗଡ଼ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ସୁରକ୍ଷିତ ରଖିବାକୁ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଭିନେତା ଅନୁଭବ ମହାନ୍ତି ଓ ବରିଷ୍ଠ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ବିଜେଡି ନିଜର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟକୁ ଆଧାର କରି ଦିଲ୍ଲୀପଙ୍କୁ ଦଳକୁ ଆଣିବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୩୦ତାରିଖରେ ଦିଲୀପ ବିଜେପିରୁ ଇସ୍ତଫା ଦେବା ପରେପରେ ବିଜେଡିରେ ସାମିଲ ହେବା କଥା। କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ ସମସ୍ୟା ରହିଥିବାରୁ ସେ ଏକାକୀ ବିଜେଡିକୁ ଫେରି ପାରୁନଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସମୀକରଣକୁ ଦୃଷ୍ଟିରେ ରଖି ବିଜୟଙ୍କୁ ସାମିଲ କରିବା ସପକ୍ଷରେ ଦଳର ସଭାପତି ନବୀନ ପଟ୍ଟନାୟକ ଆଗ୍ରହୀ ନଥିବା ଜାଣିବା ପରେ ଦିଲୀପ ଦଳକୁ ଫେରିବାର ତାରିଖକୁ ଗଡ଼ାଇ ଚାଲିଥିଲେ। କିନ୍ତୁ ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ ବିଜେପିରେ ସାମିଲ ହେବାପରେ ଉପକୂଳ ଓଡ଼ିଶାରେ ସଂଗଠନ ଦୁର୍ବଳ ହେବାର ଆଶଙ୍କା କରି ବିଜେଡି ସଭାପତି ମଧ୍ୟ ନରମ ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦିଲୀପଙ୍କ ଘରବାହୁଡ଼ା ପାଇଁ ବିଜେଡି ମଧ୍ୟ ତାଙ୍କର ସର୍ତ୍ତକୁ ମାନି ନେଇଛି । ବିଜେଡି ତାଙ୍କୁ ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିବ। ବିଜେପି ନିଜର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ାରେ ଛିଡ଼ା କରାଇବାର ସମ୍ଭାବନା ଥିବାରୁ ତାଙ୍କୁ କଡ଼ା ମୁକାବିଲା କରିବା ନିମନ୍ତେ ଦିଲ୍ଲୀପଙ୍କୁ ଦଳକୁ ଫେରାଇ ଅଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବ ଥିବା ବିଜୟ ମହାପାତ୍ରଙ୍କ ସହଯୋଗରେ ବୈଜୟନ୍ତଙ୍କୁ ଦିଲ୍ଲୀପ କଡ଼ା ଟକ୍କର ଦେଇପାରିବେ ବୋଲି ବିଜେଡି ଆକଳନ କରିଛି। ଦିଲୀପ ଓ ବିଜୟଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତା’ର ଫାଇଦା ବିଜେଡିକୁ ମିଳିବ ବୋଲି ଦଳ ଆଶା ରଖିଛି। ଆଉ ନିର୍ବାଚନ ପରେ ବିଜୟଙ୍କୁ ବିଜେଡିକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଦଳ ପକ୍ଷରୁ ଦିଲୀପଙ୍କୁ ଆଶ୍ୱସ୍ତ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ବିଜେଡି ପ୍ରଥମେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଭିନେତା ଅନୁଭବ ମହାନ୍ତି ଓ ବରିଷ୍ଠ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ବିଭିନ୍ନ ପର୍ଯ୍ୟାୟର ସର୍ଭେ ରିପୋର୍ଟ ଓ ଗୁଇନ୍ଦା ରିପୋର୍ଟରେ ବୈଜୟନ୍ତଙ୍କ ସପକ୍ଷରେ କେନ୍ଦ୍ରାପଡ଼ାରେ ଜନମତ ରହିଥିବା ଜଣାପଡ଼ିବା ପରେ ବିଜେଡି ନିଜର ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା। ଆଉ ଦିଲ୍ଲୀପଙ୍କୁ ଆଣିବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା ଓ ଯାହା ସଫଳ ହେବାକୁ ଯାଉଛି। ଦିଲ୍ଲୀପ ମଧ୍ୟ ନିଜର ପୁରୁଣା କଥା ଭୁଲି ବିଜେଡିକୁ ବାହୁଡ଼ିବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ନବୀନଙ୍କ ଇସାରାରେ ହିଁ ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରୁ ଦିଲୀପଙ୍କୁ ବିଦା ହେବାକୁ ପଡ଼ିଥିଲା। ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମସ୍ତ ବିରୋଧ ସତ୍ତ୍ଵେ ଦିଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଆଉ ତାଙ୍କ ପାଇଁ ବିଜେଡି ଦ୍ୱାର ସବୁ ଦିନ ପାଇଁ ବନ୍ଦ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here