ବିଜେପିରେ ସାମିଲ୍‌ ହେଲେ ପୂର୍ବତନ ବିଜେଡି ବିଧାୟକ ଓ ମହିଳା କମିଶନ ସଦସ୍ୟା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେପିରେ ଯୋଗଦେଇଛନ୍ତି ଆସିକାର ପୂର୍ବତନ ବିଜେଡି ବିଧାୟକ ସରୋଜ ପାଢ଼ୀ ଓ ମହିଳା କମିଶନର ପୂର୍ବତନ ସଦସ୍ୟା ତିଳୋତ୍ତମା ନାୟକ। ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଭୟ ଆଜି ଦଳରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ୍‌ କରାଇଛନ୍ତି।

ମିଶ୍ରଣ ପର୍ବ ପରେ ଶ୍ରୀ ପାଢ଼ୀ କହିଛନ୍ତି-“ବିଜେଡିରେ ମୁଁ ଅତିଷ୍ଠ ହୋଇପଡ଼ିଥିଲି। ତେଣୁ ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଛି। ବିଜେପି ହିଁ ରାଜ୍ୟରେ ବିକାଶ କରିପାରିବ।” ସେହିପରି ଶ୍ରୀମତୀ ନାୟକ କହିଛନ୍ତି-“ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଥିବା ଶାସକ ବିଜେଡିରେ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ। ଏଭଳି ମହିଳା ବିରୋଧୀ ସରକାର ରାଜ୍ୟରେ ତୁରନ୍ତ ବଦଳିବା ଆବଶ୍ୟକ।”

ଏହି ମିଶ୍ରଣ ଦ୍ୱାରା ବିଜେପି ଆହୁରି ମଜବୁତ‌୍‍ ହେବ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *