‘ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବିଜେଡି ଧମକାଉଛି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ବିଜେଡି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛି ବିଜେପି। ଯାଜପୁର, ବରଗଡ଼, ଝାରସୁଗୁଡା, ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରାଯାଉଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ଅଭିଯୋଗ ଆଣିଛନ୍ତି, ମାଲକାନଗିରି କାଲିମେଳାର ଜୋନ୍-୨ର ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀଙ୍କୁ ଦୁଇ ଦିନ ହେବ ଅପହରଣ କରି ନିଆଯାଇଛି। ଏହି ଜୋନରେ ବିଜେପି ୧୯୯୭ ମସିହାରୁ ୫ଥର ଜିତି ଆସିଛି। ଆଉ ସେହି ଜୋନରୁ ଜଣେ ଶିକ୍ଷିତା ମହିଳାଙ୍କୁ ଘରୁ ଉଠାଇ ନିଆଯାଇଛି। ତାଙ୍କର ଏଯାଏ କୌଣସି ଖୋଜ ଖବର ନଥିବା ସେ କହିଛନ୍ତି। ଏହାଛଡ଼ା ଯାଜପୁରରେ ପୁଲିସ ଏବଂ ପ୍ରଶାସନ ଚାପ ପକାଇ ପ୍ରାର୍ଥୀ ମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି। ବରଗଡ଼ର ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛି ବିଜେପି। ତେଣୁ ଏସମସ୍ତ ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି। କଂଗ୍ରେସ ବି ପ୍ରାର୍ଥୀଙ୍କୁ ଧମକାଇବା ନେଇ ବିଜେଡି ଉପରେ ବର୍ଷିଛି। ବିଜୁ ଜନତା ଦଳର କର୍ମୀଙ୍କୁ ଶୃଙ୍ଖଳିତ ହେବା ଲାଗି ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ସୁର ରାଉତରାୟ କହିଛନ୍ତି, ନବୀନ ବାବୁ ତାଙ୍କୁ କର୍ମୀଙ୍କୁ ଚେତାବନୀ ଦିଅନ୍ତୁ। ବିଜେଡି କର୍ମୀ ଗୁଣ୍ଡାଗର୍ଦି କରୁଛନ୍ତି। ବିଜେପି ଓ କଂଗ୍ରେସର ଯେଉଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି, ସେମାନଙ୍କୁ ବିଜେଡି କର୍ମୀ ପ୍ରାଥିପତ୍ର ପ୍ରତ୍ୟାହାର କରିବାକୁ ଧମକାଉଛନ୍ତି। ସେପଟେ ବିଜେପି ଓ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ପ୍ରଥମେ ଦୁଇ ଦଳ ନିଜେ ଶୃଙ୍ଖଳିତ ହୋଇ ନିର୍ବାଚନ ରଣାଙ୍ଗନରେ ଓହ୍ଲାନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଲେଲିନ୍ ମହାନ୍ତି। ଲେନିନ୍ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଅତି ହୀନମାନ୍ୟତା। ବିରୋଧୀ ସେମାନଙ୍କର ସାଙ୍ଗଠନିକ ଦକ୍ଷତା, ଭଲ ପ୍ରାର୍ଥୀ ଓ ଆଭିମୁଖ୍ୟ ଦେଖି ନିର୍ବାଚନ ରଣାଙ୍ଗନକୁ ଯାଆନ୍ତୁ।

Leave a Reply

Your email address will not be published. Required fields are marked *